ଜୀବନବାବୁଙ୍କ ମନରେ ଭାରି କଷ୍ଟ। ତାଙ୍କର ଏକମାତ୍ର ସନ୍ତାନ, କନ୍ୟା ମିମି ହୋଇଛି ଭାରି ବୋକା। ପଢ଼ାରେ ତା’ର ମନ ନାହିଁ, ବହି ଧରି ବସିଲେ ଢୁଳାଏ। କିଛି ପ୍ରଶ୍ନ ପଚାରିଲେ ବୋକାଙ୍କ ଭଳି ଚାହିଁ ରହିଥାଏ।

ଅଧଘଣ୍ଟାଏ ଧରି ବକର ବକର ହୋଇ ଜୀବନବାବୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ବୁଝାଇବାକୁ- ‘ଏ ହୃଦୟ ମୋର ଢାଳିଦେଲି ଆଜି ତୁମରି ପାଦେ ହେ ନାଥ।’ମିମି ପାଟିଟାକୁ ମେଲାକରି ବଡ଼ ବଡ଼ ଆଖିରେ ସବୁ ଯେମିତି ଗିଳିଯାଉଛି, ସବୁ ଯେମିତି ବୁଝି ପକାଇଛି ଏମିତି ଭାବରେ ଚାହିଁ ରହିଛି। ମଝିରେ ମଝିରେ ତା’ର କୁଞ୍ଚୁକୁଞ୍ଚିଆ ବାଳଗୁଡ଼ିକ ପବନରେ ଉଡ଼ିଆସି ଆଖି ଉପରେ ପଡ଼ିବାରୁ ମିମି ବିରକ୍ତ ହୋଇ ସେଗୁଡ଼ିକ ଉପରକୁ ଠେଲିଦେଇ ପୁଣି ସେମିତି ଚାହିଁ ରହୁଛି, ସତେ ଯେପରି ବାଳଗୁଡ଼ିକ ତା’ର ବୁଝିବାରେ ବ୍ୟାଘାତ ଜନ୍ମାଇବାରୁ ସେ ଭାରି ବିରକ୍ତ। ମିମିର ଭାବ ଦେଖି ଜୀବନବାବୁ ଅଧିକ ଉତ୍ସାହରେ ବୁଝାଇ ଚାଲିଛନ୍ତି। କିଛି ସମୟ ପରେ ମିମିର ବିସ୍ଫାରିତ ବଡ଼ ବଡ଼ ଆଖି ଯୋଡ଼ିକ କ୍ରମେ ଛୋଟ ହୋଇଆସିଲା। ପ୍ରାଣପଣେ ସେ ଉପର ପତାକୁ ଟେକି ରଖିବାକୁ ଚେଷ୍ଟା କରୁଚି। ଘଣ୍ଟାଏ ଧରି ଉକ୍ତ ପଂକ୍ତିକୁ ବୁଝାଇବା ପରେ ଜୀବନବାବୁ ମନରେ ସନ୍ତୋଷ ଲାଭ କଲେ ଯେ, ମିମିକୁ ତାହାର ସରଳାର୍ଥ ଓ ଭାବାର୍ଥ ହୃଦୟଙ୍ଗମ କରାଇ ପାରିଛନ୍ତି। ସନ୍ତୋଷର ହସ ହସି ସେ ଏଥର ପଚାରିଲେ ବୁଝିଲୁ ମା’?

ମିମି ପୁଣିଥରେ ମୁଣ୍ଡବାଳ ଟେକିଦେଇ ବାଁ ଆଡ଼ୁ ଡାହାଣକୁ ମୁଣ୍ଡକୁ ଯଥାସମ୍ଭବ ନୁଆଇଁ ମୁହଁରେ ହସ ଫୁଟାଇ ଜଣାଇଲା ଯେ, ସେ ସବୁ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିପାରିଚି; କିନ୍ତୁ ଆଖିରେ ତା’ର ଭୟ ଫୁଟି ଉଠିଲା। ଘୁମନ୍ତ ଆଖି ଯୋଡ଼ିକ ଭୟରେ ବଡ଼ ବଡ଼ ହୋଇଗଲା।

ଜୀବନବାବୁ ରାଗିଯାଇ କହିଲେ, ‘ବୁଝିଚୁ ତ ବୋକାଙ୍କ ଭଳି ଚାହିଁ ରହିଚୁ କିଆଁ? ବୁଝା କଅଣ ବୁଝିଲୁ, ବୁଝା!’

ମିମି ଦୁଇ ଚାରି ଢୋକ ଛେପ ଗିଳି ଆରମ୍ଭ କଲା, ‘ନାଥ ବୋଇଲେ ସ୍ବାମୀ କି ଭଗବାନ୍‌, ଯିଏ ଆମକୁ ସୁରୁଷ୍ଟି କରିଛନ୍ତି। ସିଏ ଭାରି ଭଲ ଲୋକ, କାହାରିକୁ କିଛି କହନ୍ତି ନାହିଁ, କାହାରି ଉପରେ ରାଗନ୍ତି ନାହିଁ, ଭା-ଆ-ଆ-ରି ଭଲ ଲୋକ ଜଣେ।’

‘ଛେନାଟା ବୁଝିଚୁ, ବଦମାସ୍‌ କାହାଁକା। ଘଣ୍ଟାଏ ଧରି ବକର ବକର ହେଲି। ଶେଷରେ କହିଲୁ ଭଗବାନ୍‌ ଜଣେ ଭଲ ଲୋକ। ସୃଷ୍ଟି ମୁହଁରେ ପଶୁ ନାହିଁ, କହୁଛି ‘ସୁରୁଷ୍ଟି।’ ଆହୁରି ପିଲା ହୋଇଯା’ମ! ଆଠ ବର୍ଷର ଝୁଅ ହେଲାଣି, ପଞ୍ଚମ ଶ୍ରେଣୀରେ ବର୍ଷେ ଫେଲ୍‌ ହେଲାଣି… ଲାଜ ନାହିଁ ଟିକେ…।’

ମିମି ଭୟରେ ପଛକୁ ଘୁଞ୍ଚିଯାଇ କହିଲା, ‘ନା, ନା, ଭଗବାନ୍‌ ଜଣେ… ଭଗବାନ ଜଣେ…।’

‘କଅଣ ଭଗବାନ୍‌?’ ଜୀବନବାବୁ ସଗର୍ଜନେ ପଚାରିଲେ। ଦୋହରାଇ ତେହେରାଇ ମନେ ମନେ ନିଜକୁ ପଚାରିଲା, ଭଗବାନ୍‌ କଅଣ? ବାପା କଅଣ କହିଲେଟି? ଭଗବାନ୍‌ କଅଣ? ଏହି ସମୟରେ ମିମିର ଗେଲବସର ଝୁଅ ଶଙ୍କି ଦୌଡ଼ି ଆସି ମିମିର କୋଳକୁ ଚଢ଼ିଯାଇ କହିଲା- ମ୍ୟାଉଁ, ମ୍ୟାଉଁ।

ମିମିର ପାଟିରେ ପଶିଗଲା, ଭଗବାନ୍‌ ଜଣେ ମ୍ୟାଉଁ।

ଜୀବନବାବୁଙ୍କର ଭୟଙ୍କର କ୍ରୋଧ ଜାତ ହେଲା। ସେ ଶଙ୍କିର ବେକକୁ ଧରି ଛାଟିଦେଇ, ରୋଷେଇଶାଳ ଆଡ଼କୁ ଚାହିଁ ପାଟିକରି କହିଲେ, ‘ପଚାଶ ଥର କହିଲିଣି ଯେ, ଘରେ ବିରାଡ଼ି ଫିରାଡ଼ି ରଖନା, ପଢ଼ାରେ ଗୋଳମାଳ ହବ… ଦିନରାତି ସେଇ ବିରାଡ଼ି ସାଙ୍ଗରେ ଖେଳ। ଇସ୍କୁଲରୁ ଆସି ଘରେ ପାଦ ଦେବା ମାତ୍ରକେ ବହିପତ୍ର ଫୋପାଡ଼ିଦେଇ ଆଗେ ଖୋଜାହେବ ଶଙ୍କି କାହିଁ। ହ୍ୟାପ୍‌, ମାତୃ ଗୁଣେ ଦୁହିତା ହୋଇଚି! ମଲୁ ନାହିଁ, ଦେଖିଲୁ ଶଶଧର ବାବୁଙ୍କ ଝିଅଙ୍କୁ, କେମିତି ପାଟି କରି ପଢ଼ୁଚି। ଦେଖିଲୁ ଲିଙ୍ଗରାଜ ବାବୁଙ୍କ ଝିଅକୁ, କେମିତି କ୍ଲାସ୍‌ରେ ପ୍ରଥମ ହେଉଚି। ମୋରି କପାଳକୁ ତୁ ଆସିଲୁ। ଏ ବଂଶରେ କେହି ଗୋଟାଏ ହେବେ ନାହିଁ, କେହି ଗୋଟାଏ ନାଁ ରଖିବେ ନାହିଁ। କପାଳ, କପାଳ! ହ୍ୟାପ୍‌, ଆଉ ପରୀକ୍ଷାରେ ଖାତା ସବୁ ଡଙ୍ଗା କରି ଭସେଇ ଦେଇ ଚାଲିଆସିଲା। ମଲୁ ନାହିଁ ଯା’ ତୁ…।’

ଗତ କ୍ଲାସ୍‌ ଉଠା ପରୀକ୍ଷାରେ, ପରୀକ୍ଷା ଦେବାକୁ ମିମି ସ୍କୁଲ୍‌ରେ ବସିଚି, ଏହି ସମୟରେ ଘୋର ବର୍ଷା ହେଲା। ପାଣି ଇସ୍କୁଲର ବାରନ୍ଦା ଟପି ଘରର ଦୁଆରମୁହଁ ପର୍ଯ୍ୟନ୍ତ ଚାଲିଆସିଲା। ମିମିର ମନ ଆଉ ଠିକ୍‌ ରହିଲା ନାହିଁ। ପରୀକ୍ଷା ଦେଉଚି ସେ, ଏକଥା ଏକଦମ୍‌ ଭୁଲିଗଲା। ସେ ଧୀରେ ଧୀରେ ପରୀକ୍ଷା ଘରୁ ବାହାରି ଚାଲିଆସିଲା। ପରୀକ୍ଷା ଖାତା ପତର ପତର କରି ଚିରି ଡଙ୍ଗା କରି ଭସେଇ ଦେଲା। ଡଙ୍ଗାଗୁଡ଼ିକ ଥରିଥରି ଭାସିଗଲେ। ମିମି ମହା ତୃପ୍ତିର ସହିତ ଡଙ୍ଗାଗୁଡ଼ିକୁ ଚାହିଁ ବର୍ଷାରେ ଭିଜି ଘରକୁ ଫେରିଆସିଲା। ଘରକୁ ଆସି ତା’ର ମନେପଡ଼ିଲା ବାପାଙ୍କ କଥା। ବାପାଙ୍କ ଭୟରେ ତା’ର ଜର ଆସିଲା। ସେ ଜର ଛାଡ଼ିବାକୁ ଲାଗିଲା ଅନେକ ଦିନ। ମିମି ସେଥର ଫେଲ୍‌ ହେଲା ସତ; କିନ୍ତୁ ତା’ର ଜର ଯୋଗୁଁ ସେଥିରେ ତ୍ରାହି ପାଇଗଲା। ପରେ ଜୀବନବାବୁ ସବୁ ଜାଣିପାରି, ଭାରି ରାଗିଯାଇ ବାଡ଼େଇଥିଲେ।

ଆଜି ସେଇକଥା ମନେ ପଡ଼ିଯିବାରୁ ତାଙ୍କର ରାଗ ଦ୍ବିଗୁଣିତ ହେଲା। ଠାଏ କରି ଗୋଟିଏ ଚଟକଣି ଲଗେଇ ଦେଇ ସେ କହିଲେ, ‘ତୁ ନ ବୁଝାଇଲେ ତୋତେ ଛାଡ଼ୁନାହିଁ ମୁଁ। ଯେତେ ରାତି ହଉ। ଆଜି ତୋ’ର ଦିନେ କି ମୋର ଦିନେ। ଖାଇବା ଆଜି ବନ୍ଦ। ବୁଝା, ବୁଝା, ବୁଝାମ, କାନ୍ଦଣା ଥାଉ।’

ରୋଷେଇଶାଳୁ ପାଟି ଶୁଭିଲା, ‘ତୁମେ ଝୁଅକୁ ପାଠ ପଢ଼େଇବ ନାହିଁ ଆଉ। ଯେତେବେଳେ ପଢ଼େଇ ବସିଲ ମାଡ଼ ଛଡ଼ା ଆଉ କିଛି ନାହିଁ। ଆମେ କଅଣ ଝୁଅକୁ ଖାଇବାକୁ ପିନ୍ଧିବାକୁ ଦେଉଚୁ ଯେ, ତା’ଠୁଁ ଏତେ ଆଶା କରିବା? ପଢ଼େଇ ତ ଜାଣ ନାହିଁ…।’

ଜୀବନବାବୁ ଉତ୍‌କ୍ଷିପ୍ତ ହୋଇ କହିଲେ, ‘କଅଣ ହେଲା, ମୁଁ ପଢ଼େଇ ଜାଣେ ନାହିଁ? ଘଣ୍ଟାଏ ଧରି ଟିକିନିଖି ବୁଝେଇଲି। ସବୁ ବୁଝିଯିବା ଭଳି ମୁଣ୍ଡ ଟୁଙ୍ଗାରିଲା। ମୁଁ ଜାଣେ ନାହିଁ ନା, ମାତୃଗୁଣେ ଦୁହିତା ହୋଇଚି ମ! ଶ୍ୟ, ଗେହ୍ଲା କରି ଝୁଅଟାର ମୁଣ୍ଡ ଖାଇସାରିଲଣି ତମେ।

ରୋଷେଇଶାଳୁ ପୁଣି ଦୃ‍ଢ଼ କଣ୍ଠରେ ଡାକରା ଆସିଲା, ‘ହଉ ଥାଉ ଆଜି ସେତିକି। ଆ’ ମିମି, ଖାଇବୁ ଆ।’

ମିମି ଆଣ୍ଠୁ ଟେକୁଥିଲା ଉଠିବାକୁ। ଜୀବନବାବୁ ଗର୍ଜନ କରି ଉଠିଲେ, ‘ଖବର୍‌ଦାର, ସେତକ ନ ବୁଝାଇ ତୁ ଆଜି ଯାଇପାରିବୁ ନାହିଁ। ବୁଝା, ଭଗବାନ୍‌ କଅଣ? ଏତେ ବୁଝାଇଲି ମୁଁ, ବୁଝା!’

ସରଳାର୍ଥ ବୁଝାଇବାରେ ଭଗବାନ୍‌ ଆସି ସବୁ ପ୍ରଥମରୁ ଅଡ଼ୁଆ ପୂରାଇ ଦେବାରୁ ମିମି ଲୁହ ପୋଛି ଭଗବାନ୍‌ଙ୍କୁ ଗାଳିଦେଇ ମନେ ମନେ କହିଲା, ଭଲ ଲୋକ ନା ପୋଡ଼ାମୁହଁଟା, ମୋତେ ବାପାଙ୍କଠୁଁ ଏତେ ମାଡ଼ ଖୋଇଲାଣି। ଏତେ ଅଡ଼ୁଆକୁ ନ ଯାଇ ଭଗବାନ୍‌ କଥାଟାକୁ ବାଦ୍‌ ଦେଇ ସେ ବୁଝାଇବାକୁ ଯାଉଥିଲା; କିନ୍ତୁ ମନେ ମନେ ପୋଡ଼ାମୁହାଁ ଗାଳି ଦେବା ପରେ ତା’ର ମନେପଡ଼ିଗଲା ପୁରୀ ମନ୍ଦିରରେ ଜଗନ୍ନାଥଙ୍କ କଥା। ଜଗନ୍ନାଥଙ୍କୁ ଦେଖି ସେ ଆଈକୁ କାନେ କାନେ ପଚାରିଥିଲା, ‘ଆଈ ମ, ଜଗନ୍ନାଥଙ୍କ ମୁହଁ କଅଣ ପୋଡ଼ା?’ ନାତୁଣୀର ପ୍ରଶ୍ନରେ ଆଈ ଆଖିରେ ଲୁହ ଝରି ପଡ଼ିଥିଲା। ସେ ନାତୁଣୀକୁ ଚୁମ୍ବନ ପରେ ଚୁମ୍ବନ ଦେଇ କହିଥିଲେ, ‘ହଁ, ସେ ପୋଡ଼ାମୁହାଁ ଭଗବାନ୍‌।’

ସେଇକଥା ମନେ ପଡ଼ିଯିବାରୁ ମିମି ଯେପରି ଅନ୍ଧକାର ମଧ୍ୟରେ ଆଲୋକ ପାଇଲା। ଆଖି ତା’ର ଉଜ୍ଜ୍ବଳ ହୋଇଉଠିଲା। ଜଗନ୍ନାଥ ଯେପରି ତା’ର ଆଖି ଆଗରେ ଉଭା ହେଲେ। ସେ ଭଲକରି ଥରେ ସେ ଚେହେରା ଦେଖିନେଇ କହିଲା, ‘ଭଗବାନ୍‌ ହେଉଛନ୍ତି ଜଗନ୍ନାଥ’ କିନ୍ତୁ ଆଈ କଥା ମନେ ପଡ଼ିଯିବାରୁ ମିମିର ଆଖିଯୋଡ଼ିକ ଛଳଛଳ ହୋଇଗଲା। ସେ ସବୁ ଭୁଲିଯାଇ କହିଲା, ‘ବାପା ମ, ବାପା, ଆଈ ମୋତେ ଲେଖିଚି ଗାଁରେ ରହି ତା’ର ମୋ କଥା ମନେପଡ଼ି ମନ ଭାରି ଖରାପ ହେଉଚି। ତାକୁ ନେଇ ଆସ ମ ବାପା!’

‘ରଖ୍‌ ତୋ’ ଆଈ। ହୁଁ, ଭଗବାନ୍‌ ହେଉଛନ୍ତି ଜଗନ୍ନାଥ। ତା’ପରେ କଅଣ ହେଲା?’

ଆଈ-ବିରହ ବିଧୂରିତ ମନକୁ ପୁଣି ସରଳାର୍ଥକୁ ଫେରାଇ ଆଣିବାକୁ ମିମିର କିଛି ସମୟ ଚାଲିଗଲା। ଉଦ୍‌ଗତ ଅଶ୍ରୁରୋଧ କରି ମିମି କହିଲା, ‘କବି ଏଠାରେ କହୁଛନ୍ତି, କହୁଛନ୍ତି… କହୁଛନ୍ତି ଯେ… ଆଈ ମ, ଆଈ ଲୋ…!’ ମିମି ଏଥର ଆଉ ସମ୍ଭାଳି ନ ପାରି ଭେଁ କରି କାନ୍ଦି ପକାଇଲା।

ଜୀବନବାବୁ ଦୁମ୍‌ଦୁମ୍‌ କରି ତା’ ପିଠିରେ ଦି’ଟା ନଦି ଦେଇ କହିଲେ, ‘ଧେତ୍‌, ମୋ କପାଳରେ, ଦେଖ ୟା’କୁ। ଏତେ ବୁଝାଇଲି ଘଣ୍ଟାଏ ଧରି, ସବୁ କୁଆଡ଼େ ଭୁଲିଗଲୁ? ଇସ୍କୁଲ ମାଷ୍ଟ୍ରେ କାଲି କହୁଥିଲେ ଯେ, ମିମି କ୍ଲାସ୍‌ରେ ମୋଟେ ମନ ଦେଉନାହିଁ। ଯେତେ ଅଦ୍ଭୁତ ଉତ୍ତର ଦେଉଛି। ହଇ ଲୋ ହେଏ, ବିପରୀତ ଶବ୍ଦମାନେ କଅଣ? ବିପରୀତ ଶବ୍ଦମାନେ କଅଣ ବା? କହୁଛି ନା ସକେଇ ହଉଛି ବେହିୟା। ଲାଜ ନାହିଁ, କାନ୍ଦୁଚି ପୁଣି! ଛିଃ, ଛିଃ, ମୋ ଝୁଅ ହେଇ ତୁ ଏଇୟା କହିଲୁ! ‘ସୁଖ’ର ବିପରୀତ ଶବ୍ଦ ‘ଖସୁ’! କାନ୍ଦଣା ରଖି କହ ମୁଁ କଅଣ ବୁଝାଇଲି। କବି କହୁଛନ୍ତି ଯେ… ହୁଁ।’

ମିମି ଲୁହ ପୋଛୁ ପୋଛୁ ପୁଣି କହିବାକୁ ଚେଷ୍ଟା କଲା, ‘କବି କହୁଛନ୍ତି ଯେ…।’

ଏତିକି କହିବାପରେ ସେ ମନେ ମନେ ପୁଣି ନିଜକୁ ପଚାରିଲା- କବି କିଏ ମ? ସେ କାହିଁକି କଅଣ କହିବାକୁ ଗଲେଟି? ସବୁ ତା’ର ପୁଣି ଗୋଳମାଳ ହୋଇଗଲା। ଆର ପାଖ ଘରେ ଶଙ୍କି ମ୍ୟାଉଁ ମ୍ୟାଉଁ କରି ଉଚ୍ଛନ୍ନ ଭାବରେ ଡାକିଲାଣି। ଇୟାଡ଼େ କବି କିଏ ଆଉ ସେ କଅଣ କହିଲେ ଓ କାହିଁକି କହିବାକୁ ଗଲେ ମିମିର ମନେ ପଡ଼ୁନାହିଁ। ମନେ ମନେ ମିମି ଶଙ୍କିକୁ ତାନେ ଗାଳି ଦେବାକୁ ଲାଗିଲା, ପୋଡ଼ାମୁହିଁ, ପଢ଼ା ସରୁ, ଦଉଚି ତତେ ଟାଙ୍କେ ଛେଚି। ପଢ଼ା‍ କଅଣ ସରିବ ଆଜି ସତେ? ହେ ମହାପ୍ରଭୁ, ହେ ଜଗନ୍ନାଥ, ଏ କବି ପୋଡ଼ାମୁହାଁ କଅଣ କହିଚି ମନେ ପକେଇଦିଅ।

ଏହି ସମୟରେ ବାହାରେ କିଏ ଡାକିଲା-ବାବୁ ଅଛନ୍ତି? ଜୀବନବାବୁ ଚିଡ଼ିଉଠି ଉତ୍ତର ଦେଲେ, ‘ନାଇଁ ବାବୁ ନାହାଁନ୍ତି।’ ବାହାରୁ ଉତ୍ତର ଆସିଲା, ‘ବଡ଼ବାବୁ ଡାକୁଚନ୍ତି, ଶୀଘ୍ର ଆସନ୍ତୁ କଚେରି-କଅଣ ଜରୁରୀ କାମ ଅଛି।’

ଜୀବନବାବୁ ବିରକ୍ତ ହୋଇ କମିଜ ପିନ୍ଧୁ ପିନ୍ଧୁ କହିଲେ, ‘ମୁଁ ଯାଉଚି, ଅଧଘଣ୍ଟା ଭିତରେ ଫେରିବି। ମୁଁ ଯାହା ବୁଝାଇଥିଲି ତାହା ଲେଖିଥିବୁ, ଆଉ ଦ୍ବିତୀୟ ଉଦାହରଣମାଳାର ପାଞ୍ଚ ନମ୍ବର ଅଙ୍କଟି କଷି ରଖିଥିବୁ। ଯଦି ନହେଇଚି ଏତିକି ତ ଦେଖିବୁ ମୁଁ ତୋ’ର କି ଅବସ୍ଥା କରିବି।’

ଜୀବନବାବୁ ତରତର ହୋଇ ଚାଲିଗଲେ। କଚେରିରେ ବଢ଼ି ସଙ୍କ୍ରାନ୍ତ ଜରୁରି କାମ କରୁ କରୁ ତାଙ୍କର ଘଣ୍ଟାଏ ଲାଗିଗଲା। ଘରର ଦାଣ୍ଡ ଦୁଆରମୁହଁ ପାଖରେ ଧୀରେ ପାଦରୁ ଜୋତା କାଢ଼ି, ହାତରେ ଧରି, ଝରକାବାଟେ ଉଙ୍କିମାରି ଦେଖିଲେ ମିମି ଶୋଇଛି ନା ପାଠ ପଢ଼ୁଚି। ଝରକା ବାଟେ ଯାହା ଦେଖିଲେ, ସେଥିରୁ ସେ କିଛି ବୁଝିପାରିଲେ ନାହିଁ। ତାଙ୍କର ବଡ଼ଭାଇ ଓ ସାନଭାଇ ଦୁହେଁ ଖାତା ଉପରେ ନଇଁପଡ଼ି କଅଣ ଲେଖି ଚାଲିଛନ୍ତି। ଅନେକ ଲେଖି ସାରିଲେଣି। ଅନେକ କାଗଜ ଚିରା ହୋଇ ତଳେ ପଡ଼ିଚି। ମିମି ଦୁଇ ଗୋଡ଼ ଲମ୍ବେଇଦେଇ ଶଙ୍କିକୁ କୋଳରେ ବସାଇ ତାକୁ ଥାପୁଡ଼ାଇ ଥାପୁଡ଼ାଇ ଗୀତ ଗାଉଚି, ‘ଧୋରେ ବାୟା ଧୋ, ଯେଉଁ କିଆରିରେ ବହଳ ମାଣ୍ଡିଆ ସେଇ କିଆରିରେ ଶୋ।’

ଘର ଭିତରକୁ ପଶିଆସି ଜୀବନବାବୁ ପଚାରିଲେ- ମିମି ତୋ’ର ଏଇ ପଢ଼ା ହଉଚି?

ମିମି ଚମକିପଡ଼ି ବାପାଙ୍କୁ ଚାହିଁ ଶଙ୍କିକୁ ଛାଟିଦେଲା। ଭୟରେ ମୁହଁ ତା’ର ଏତେ ଟିକିଏ ହୋଇଗଲା, କଳାକାଠ ପଡ଼ିଗଲା।

‘ଇୟେ କଅଣ ହେଉଚି ଭାଇ?’ ଜୀବନବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ।

‘ଅଙ୍କ କଷୁଚୁ ଆବେ। ଛି, ଛି, ଏଇ ଟିକେ ପିଲାକୁ ଏମିତିକା ଅଙ୍କ?’

‘ସରଳ ଗଣିତ’ ଇୟା ନା? ଲେଖକ ନିଜର ପାଣ୍ଡିତ୍ୟ ଦେଖେଇଚି ନା ପିଲାର ବୁଦ୍ଧି କେତେ ବିବେଚନା କରିଚି ଟିକିଏ? ଦେଇତ ଗଲୁ ଅଙ୍କ, କଲୁ ତୁ ନିଜେ ଏକୁ?’

ଜୀବନବାବୁ ଅଙ୍କ ଖଣ୍ଡକ ପଢ଼ିଲେ… ମୁଁ ମୋ ଘରୁ ଡେଲାଙ୍ଗର ଗୋଟିଏ ସଭାକୁ ପାଦରେ ଚାଲି ଯିବି। ସଭାରେ ସନ୍ଧ୍ୟା ୭ଟା ବେଳେ ପହଞ୍ଚିବାର କଥା। ମୁଁ ଯଦି ଘଣ୍ଟାକୁ ତିନି ମାଇଲ ବେଗରେ ଯାଏଁ ତେବେ, ଠିକ୍‌ ସମୟର ଅଧଘଣ୍ଟାଏ ଆଗରୁ ପହଞ୍ଚିବି। ଯଦି ଘଣ୍ଟାକୁ ଦୁଇ ମାଇଲ ବେଗରେ ଯାଏ ତେବେ ଠିକ୍‌ ସମୟର ଘଣ୍ଟାକ ପରେ ପହଞ୍ଚିବି। ତେବେ ମୋ ଘରୁ ସଭାସ୍ଥାନ କେତେ ଦୂର? ଅଙ୍କଟି ପଢ଼ି ଜୀବନବାବୁ ବଙ୍କେଇ ତେଢ଼େଇ ଦୁଇ ତିନି ଥର ଅଙ୍କଟିକୁ ଚାହିଁଲେ। କେମିତି ଭାବରେ ଆରମ୍ଭ କରିବେ କିଛି ବୁଝି ପାରିଲେ ନାହିଁ।

ବଡ଼ଭାଇ କହିଲେ, ‘ଆରେ ଅଙ୍କ ତ କଷିବା ଦୂରେ ଥାଉ, ମିମି ଆଗେ ପଚାରି ବସିଲା ସଭା କଅଣ? ସେଠାକୁ ନ ଗଲେ କଅଣ ଚଳନ୍ତା ନାହିଁ ? ବୁଝା, ସଭା କଅଣ ବୁଝା। କୌଣସିମତେ ସଭା କଅଣ ବୁଝାଇଲୁ ଆଗେ। ମିମି ପୁଣି ପଚାରିଲା, ହଉ ହେଲା, ଟିକିଏ ଆଗରୁ ବା ପରେ ପହଞ୍ଚିଲେ ଦୋଷ କଅଣ ଯେ ଏଣୁ ଭାଳେଣି କାହିଁକି? ଏସବୁ ଗୋଳମାଳିଆ ପ୍ରଶ୍ନର ଉତ୍ତର ଦେଉଁ ଦେଉଁ ତ ଗଲା ଅଧଘଣ୍ଟାଏ। ତା’ପରେ ଅଙ୍କ ଧରି ତ ଆମେ ଦୁହେଁ ବସିଚୁ। ମିମିର ଦେଢ଼ଖଣ୍ଡ ଖାତା ଶେଷ ହେବାକୁ ବସିଚି।
ସମସ୍ତେ ହସିଲେ। ଜୀବନବାବୁ କହିଲେ, ‘ହଉ ଥାଉ, ଅଙ୍କ ଥାଉ। ମିମି, ଏ ମିମି, ସାହିତ୍ୟ ହେଇଚି?’

‘ନା, ମୁଁ ଅଙ୍କ କରୁଥିଲି। ବଡ଼ବାପା ଓ ସାନବାପା ମୋତେ ଖାଇବାକୁ ଡାକିଲେ। ମୁଁ କହିଲି- ପଢ଼ା ନ ସାରି ଯିବିନାହିଁ- ପଢ଼ା ନ କଲେ ଭଗବାନ୍‌ ରାଗିବେ। ସେଇଠୁ ସେମାନେ ଅଙ୍କ ଦେଖି କଷିବାକୁ ବସିଲେ, ମୁଁ…।’

‘ତୁ ଶଙ୍କିକୁ ଶୋଇଦେବାକୁ ବସିଲୁ। ନାଃ, ତୋ’ ଦେଇ ହବ ନାହିଁ; କିନ୍ତୁ ତୋତେ ଆଜି ନ କୁହାଇ ମୁଁ ଛାଡ଼ିବି ନାହିଁ। କହ, ‘ଏ ହୃଦୟ ମୋର ଢାଳିଦେଲି ଆଜି ତୁମରି ପାଦେ ହେ ନାଥ’ ଏହାର ସରଳାର୍ଥ କହ।’ ମିମି ଏଥର ସାହସ ଭରି କହିଲା, ‘ନାଥ ବୋଇଲେ ଜଗନ୍ନାଥ, ଯାହାଙ୍କର ମୁହଁଟି କାଳିଆ, ବଡ଼ ବଡ଼ ଆଖି, ନେଫଡ଼ା ମୁହଁ…।’

ଜୀବନବାବୁ କଟମଟ କରି ଚାହିଁଲେ ମିମିକୁ। କିନ୍ତୁ ବଡ଼ଭାଇ ଥିବାରୁ ସେ ତାଙ୍କ ଭୟରେ ମିମିକୁ କିଛି କହି ପାରିଲେ ନାହିଁ।

କିନ୍ତୁ ବାପାଙ୍କର ବଡ଼ ବଡ଼ ଆଖି ଦେଖି ମିମିର ମୁହଁଟି ଶୁଖିଗଲା। ସବୁ ଉତ୍ସାହ ତା’ର ମରିଗଲା।

ବଡ଼ଭାଇ ବୁଝିପାରି କହିଲେ, ‘ହଁ ଲୋ ମା’, ତୁ ଠିକ୍‌ କହିଚୁ। ବାଃ, ବେଶ୍‌ ସୁନ୍ଦର ବୁଝିଚି। ହଁ, ତା’ପରେ-।’

‘ତା’ପରେ, ସେଇ ଜଗନ୍ନାଥଙ୍କୁ ଚାହିଁ କବି ବୋଲି ଜଣେ ଲୋକ କହିଲେ, କହିଲେ…।’

ହଁ, ହଁ, କହିଲେ… ବଡ଼ଭାଇ ଉତ୍ସାହ ଦେଇ ପଚାରିଲେ। ମିମି ସାହସ ପାଇ ତା’ର ବଡ଼ବାପାର କାନେ କାନେ କହିଲା, ‘ଜଗନ୍ନାଥଙ୍କର ପାଦ ନାହିଁ ମୁଁ ଦେଖିଚି। ଆଉ ହୃଦୟଟାକୁ କବିଟା ଢାଳିଦେଲା। ତା’ ବାପା ଗାଳିଦେଲେ। ଆଚ୍ଛା ବଡ଼ବାପା, ହୃଦୟ ଢାଳିଲା କେମିତି?’

ବଡ଼ଭାଇ ମିମିକୁ କୋଳକୁ ଆଉଜାଇ ନେଇ କହିଲେ, ‘ମା’, ତୋ’ ପଢ଼ା ସେତିକି ଥାଉ ଆଜି। ତୁ ଯାହା ପଚାରିଲୁ ତୋତେ ସେକଥା କେହି ବୁଝାଇ ଦେଇପାରିବେ ନାହିଁ। ହୃଦୟକୁ କେମିତି ଢାଳନ୍ତି ସେକଥା ମୁଁ ଏପର୍ଯ୍ୟନ୍ତ ବୁଝିପାରିନାହିଁ, ତୋତେ କଅଣ ବୁଝାଇବି! ଆଉ ସେ କବିଟା ବୁଝିଚି ବୋଲି ମଁ ଭାବୁନାହିଁ।’