ତା’ପରେ ହଠାତ୍‌ ବସିଥିବା ସ୍ଥାନରୁ ଉଠି ପଡ଼ିଲା ଏବଂ କାଲାର ଘର କୋଣରେ ଥୁଆ ହୋଇଥିବା ଟାଙ୍ଗିଆଟାକୁ ଉଠାଇ ଆଣିଲା, “ଚାଲ୍‌ କାଲା, ଆଜି ସେ ଡାହାଣୀଟାକୁ ଶେଷ କରିଦେବା।”

ମଦ ନିଶାରେ ପାଦ ଏପାଖ, ସେପାଖ ପଡ଼ୁଥାଏ, ଆଖି ଲାଲ୍‌ ଲାଲ୍‌। କ୍ରୋଧରେ ଗର୍ଜନ କରୁଥାଏ- ଆଜି ତାକୁ ଛାଡ଼ିବି ନାହିଁ।

କାଲାର ଘର ସାମ୍ନା ରାସ୍ତାରେ ଆସି ସେ ଛିଡ଼ା ହେଲା। ମାଘ ମାସର ଶୀତରାତି। ଘନ ଅନ୍ଧକାର ଭିତରେ ଡଙ୍ଗରିଆ-କନ୍ଧ ବସ୍ତିର ଘରଗୁଡ଼ା ଲୁଚି ଯାଇଛି। ବଡ଼ ବଡ଼ ଗଛଗୁଡ଼ା ରାକ୍ଷସମାନଙ୍କ ଭଳି ଗାଁ ଚାରିପଟେ ଜଗି ରହିଛନ୍ତି। ଆକାଶରେ ତାରା, ତଳେ ଜୁଳୁଜୁଳିଆ ପୋକମାନଙ୍କର ଆଲୋକ ବ୍ୟତୀତ ଆଉ କେଉଁଠି ଆଲୋକର ରେଖାଟିଏ ମଧ୍ୟ ନାହିଁ। ମଝିରେ ମଝିରେ କୁକୁର, ପେଚା ଆଉ ବଣ ଆଡୁ ଶିଆଳ, ହେଟାମାନଙ୍କର ଚିତ୍କାର ଭାସି ଆସୁଥାଏ। ଗାଁ ଭିତରେ ପାଖକୁ ପାଖ ଲାଗି ନୁଆଣିଆ ଚାଳଘର। ସେଗୁଡ଼ିକ ସାମ୍ନାରେ ସରୁ ପାଦଚଲା ରାସ୍ତା। ଚାରିଆଡ଼େ ନିରବତା, ନିସ୍ତବ୍ଧତା। ରାତି କେତେ ହେବ କେଜାଣି ? ଗାଁ ଯାକର ଲୋକ ନିଦ୍ରାରେ ଅଚେତ୍‌।

ଟାଙ୍ଗିଆଟାକୁ ହାତରେ ଧରି ଆଗରେ ବୁଦ୍ଧୁରାମ ଓ ତା’ପଛରେ କାଲାରାମ। ବୁଦ୍ଧୁରାମର ଖପୁରି ଭିତରେ ନିଆଁ ଲାଗିଛି। ସେ ନିଆଁର ଧାସ ତା’ ହାତରେ, ଗୋଡ଼ରେ, ଦେହରେ, କିଛି ଭାବିବା ବା କିଛି ଚିନ୍ତାକରିବା ଅବସ୍ଥାରେ ସେ ନ ଥାଏ, ଚାରିଆଡ଼େ କେବଳ ତାକୁ ଝାପ୍‌ସା ଝାପ୍‌ସା ଦେଖାଯାଉଥାଏ। ଗୋଟିଏ ଘର ପାଖରେ ସେମାନେ ଅଟକି ଗଲେ ଏବଂ ବାଉଁଶ ଫାଳିଆରେ ତିଆରି କବାଟଟାକୁ ଧକ୍କାଟାଏ ମାରି ଖୋଲି ଦେଲେ। ସେହି ଅନ୍ଧାର ଭିତରେ କେହି ଜଣେ ଘୋଡ଼ିଘାଡ଼ି ହେଇ ଚଟାଣରେ ଶୋଇଥିବାର ବୁଦ୍ଧୁରାମ ଅନୁମାନ କଲା। ନିଘୋଡ଼ ନିଦରେ ବୋଧେ ଡାହାଣୀଟା ଶୋଇଛି। କବାଟ ଖୋଲିବାର ଶବ୍ଦରେ ମଧ୍ୟ ତା’ ନିଦ ଭାଙ୍ଗିଲା ନାହିଁ।

ବୁଦ୍ଧୁରାମ ମନରେ ହଠାତ୍‌ ଭାବନାଟାଏ ପଶିଗଲା। ଏଇ ତାରା ଡାହାଣୀ, ତା ଖୁଡ଼ି। ଘରକୁ ଘର ଲାଗିଛି। ସଙ୍ଗୁରୁ କେତେ ଭଲ ପାଉଥିଲା ବୁଦ୍ଧୁରାମକୁ, ତା’ ପୁଅ, ଝିଅ ଦି ଜଣଙ୍କୁ। ଖୁଡ଼ି ହେଇ ବି ତା’ ପିଲା ଦି’ଟାଙ୍କୁ ଗୁଣିକରି ମାରିଲା ? ଏବେ ତା’ ସ୍ତ୍ରୀ ଉପରେ ଦୃଷ୍ଟି ପକାଇଚି ?

ଚଟାଣରେ ଶୋଇଥିବା ଏବଂ ଅଖା ଘୋଡ଼ି ହୋଇଥିବା ସ୍ତ୍ରୀ ଲୋକଟା ପାଖକୁ ସେ ଝପଟି ଗଲା ଏବଂ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିବାରେ ଲାଗିଲା। ତା’ଭିତରୁ ଏକ ନାରୀ କଣ୍ଠର ବିକଟ ଚିତ୍କାର ନିସ୍ତବ୍ଧତାକୁ ବିକ୍ଷୁବ୍ଧ କରି, ଅନ୍ଧାରକୁ ଚିରି ବାହାରି ଆସିଲା, ତା’ପରେ ବନ୍ଦ ହୋଇଗଲା, କେହି ଶୁଣିଲେ ନାହିଁ, କେହି ଜାଣିଲେ ନାହିଁ।

ତା’ପରେ ବୁଦ୍ଧୁରାମ ଓ କାଲାରାମ ବାହାରକୁ ଆସି ଦଉଡ଼ିବାକୁ ଲାଗିଲେ। ପାଖ ଗଡ଼ିଆଟା ଭିତରକୁ ଟାଙ୍ଗିଆଟାକୁ ଫିଙ୍ଗି ଦେଇ ଉଭୟ କାଲା ଘର ଭିତରକୁ ଟାଣି କବାଟ କିଳି ଦେଲେ। ସକାଳ କେତେବେଳେ ହେଲା, କେତେବେଳେ ସୂର୍ଯ୍ୟ ଉପରକୁ ଉଠିଲେ ଏବଂ କେତେବେଳେ ଗାଁ ଭିତରଟା କୋଳାହଳରେ ଭରିଗଲା, ସେମାନେ ଜାଣି ପାରିନାହାଁନ୍ତି। ଗାଁର ଦୁଇଜଣ ଯୁବକ ଯେତେବେଳେ କାଲାରାମର ଦାଣ୍ଡ କବାଟ ଭାଙ୍ଗି ଘର ଭିତରେ ପଶି ଦୁଇଜଣଙ୍କୁ କେଞ୍ଚାକେଞ୍ଚି କଲେ, ସେତେବେଳେ ଉଭୟ ଉଠିବସିଲେ।

ଜଣେ କହିଲା, “ଆବେ ବୁଦ୍ଧୁ! କାଲି ରାତିରେ ତ ସ୍ତ୍ରୀକୁ ଘରେ ଏକୁଟିଆ ଛାଡ଼ିଦେଇ ଏଠି ଆସି ଶୋଇଛୁ ? ରାତିଯାକ ମଦ ପିଇଚୁ ? ଦେଖିବୁ ଯା, ରାତିରେ ଏକୁଟିଆ ପାଇ ତାକୁ କିଏ କାତିରେ କାଟି ଟୁକ୍‌ଟୁକ୍‌ କରି ଦେଇଛି।”

ବୁଦ୍ଧୁରାମ କିଛି ବୁଝି ପାରୁ ନଥିଲା। ମହୁଲିଗୁଡ଼ା ତା’ ମୁଣ୍ଡକୁ ସେତେବେଳ ଯାଏ କବ୍‌ଜାରେ ରଖିଥାଏ। ସେ ଡବଡବ କରି ଯୁବକଟିକୁ ଚାହିଁଲା। ଯୁବକଟି କହିଲା, “ଆବେ ଚାହିଁଚୁ କଣ, ଜଲଦି ଯା, ତ ସ୍ତ୍ରୀକୁ କାଲି ରାତିରେ, କିଏ ହାଣି ପକେଇଚି, ପୋଲିସ୍‌ରେ ରିପୋର୍ଟ ଲେଖେଇବୁ-”

ଶିକାରୀର ଗୁଳିବାଜି ତଳକୁ ଖସି ପଡୁଥିବା ପକ୍ଷୀଟି ଭଳି ବୁଦ୍ଧୁରାମ ଆକାଶରୁ ଖସି ମାଟି ଉପରେ ଦୁଲ୍‌ଦାଲ୍‌ ହୋଇ କଚାଡ଼ି ହୋଇ ପଡ଼ିଲା।

Pages: 1 2