ଆଖି ଲୁହକୁ ହାତ ପାପୁଲିରେ ପୋଛୁପୋଛୁ ବୁଦ୍ଧୁରାମ କହିଲା, ଦି,ଦି’ଟା ପିଲା ମ’ର ଖରାପ ହେଇଗଲେ ଏଇ ଛଅମାସ ଭିତରେ। ବେଜୁଣୀ କହୁଚି, ଝିଅଟାକୁ ଦୁଷ୍ଟ ଡୁମା ନୁହେଁ, ଡାହାଣୀଟେ ଗୁଣି କରି ଦେଇଛି। ପୂଜା ଠିକ୍ଠାକ୍ ହେଇଥିଲା, ବଳି ବି ଦିଆଯାଇଥିଲା, ଝଡ଼ାଫୁଙ୍କା ହେଇଥିଲା, ଚେରମୂଳି ଇଲାଜ ବି ହେଇଥିଲା। ଠିକ୍ ନ ହେଲା କାହିଁକି? ପୁଅଟାକୁ ବି ସେଇ ଡାହାଣୀ ଗୁଣିକରି ଦେଇଥିଲା ଯେ ଶୁଖିଶୁଖି ଖରାପ ହେଇଥିଲା। ଝାଡ଼ା ବନ୍ଦ ହେଲା ନାହିଁ, ବାନ୍ତି ବନ୍ଦ ହେଲା ନାହିଁ। ତୁ ତ ଦେଖିଚୁ କାଲା, କେମିତି ରାଗିଲା ଭଳି ତଳଓଠକୁ କାମୁଡ଼ି ବଡ଼ବଡ଼ ଆଖିରେ ଚାହୁଁଥିଲା?”
କାଲା ସେଇଠୁ କହିଲା, ବେଜୁଣୀକି କହିଲୁ ନି। ଏମିତି ମନ, କରିଥାଆନ୍ତା ଯେ, ଡାହାଣୀଟା ପେଟକୁ ଧରି ଛଟପଟ ହେଇଥାଆନ୍ତା। ବେଜୁଣୀ ପା’ ଡଙ୍ଗରଡୁମାର ପୂଜକ। ଡାହାଣୀଟା ତାକୁ ବଳିଯିବ?
ଡାକିଥିଲି, ଡାକିଥିଲି, ସବୁ ଦେଖିଲା, କିଛି କରିପାରିଲା ନାହିଁ ”- କହୁକହୁ ବୁଦ୍ଧୁରାମ କାନ୍ଦିବାକୁ ଲାଗିଲା।
କାନ୍ଦନା, କାନ୍ଦନା”, କହି କାଲା ପିପାଁରୁ ଆଉ ଗିଲାସେ ମହୁଲି ଢାଳି ତା ହାତକୁ ବଢ଼େଇ ଦେଲା। ଏକାଥରକରେ ଗ୍ଲାସ୍ଟାକୁ ଖାଲି କରିଦେଇ ବୁଦ୍ଧୁରାମ ପୁଣି କାନ୍ଦିଲା “ଡାହାଣୀଟା ଶକ୍ତ ଗୁଣି କରି ଦେଇଛି। ମ’ ବଅଁଶ ବୁଡ଼ି ଗଲାରେ କାଲା–”
“ଆଉ କାନ୍ଦନା, କାନ୍ଦନା, ଆମ ଗାଁର ଆହୁରି କେତେ ପିଲାଙ୍କୁ ଗୁଣିକରି ଡାହାଣୀଟା ମାରି ପକେଇ ସାରିଲାଣି। ମ’ ସ୍ତ୍ରୀଟାକୁ ଗୁଣି କରିଦେଲା ଯେ, ସେ ଶୁଖିଶୁଖି ମଲା। ଦେବାଦେବୀ, ଡୁମା ଦେବତା, ପିତୃପୁରୁଷ ସମସ୍ତଙ୍କୁ ପୂଜାକରି ସନ୍ତୁଷ୍ଟ କଲି। ହେଲେ ଡାହାଣୀର ଗୁଣିକୁ କେହି ଅଟକାଇ ପାରିଲେ ନାହିଁ। ତୁ ଦେଖିଲୁ ପା, ଶାଲାପେନୁଙ୍କୁ ସନ୍ତୁଷ୍ଟ କଲି, କିଛି ହେଲା?
ବୁଦ୍ଧୁରାମ କହିଲା, “କିଛି ହବନି, ଯେ ଯାଏ ଏ ଗାଁରେ ସେ ଡାହାଣୀଟା ଅଛି, କେହି ବଞ୍ଚିବେନି।” ସମସ୍ତଙ୍କର ରକ୍ତ ଶୋଷି ନେଇ ମାରିଦବ। ତାକୁ ଖତମ ନ କଲେ ଏ ଗାଁ ପଦା ହୋଇଯିବ। ତମର ସମସ୍ତଙ୍କର ଗୋଟେ ସ୍ତ୍ରୀ, କି ଗୋଟେ ପିଲାକୁ ଖାଇଲା, ମ’ର ତ ଦି,ଦି’ଟା ପିଲାଙ୍କୁ ମାରିଲା। ଆଉ ତାକୁ ଛାଡ଼ିବିନି, ଆଜି ତାକୁ ଖତମ କରିବି।”
କାଲା କହିଲା, “ଠିକ୍, ଠିକ୍। ମୁଁ ବି କହୁଛି, ଆଜି ତାକୁ ଖତମ କରିବା। କିନ୍ତୁ କରିବା କ’ଣ? ଶୀତ ରାତିଟା, ଶୀତ ଲାଗିବ-”
“ଶୀତକୁ ଡରୁଛୁ। ନେ, ନେ ଆଉ ଦି’ଗିଲାସ ମାରି ଦେ। ଦେଖିବୁ ଶୀତଟା ଡରିମରି ତତେ ଛାଡ଼ି ପଳେଇବ।”
କାଲା ଘରେ ବସି ବୁଦ୍ଧୁ ସହିତ ମହୁଲି ପିଉଥାଏ। ଡଙ୍ଗର ପୂଜା ବେଳୁ ଗୋଟାଏ ପିପାଁରେ କିଛି ମହୁଲି ସହିତ ଟିକିଏ ସଲଫେଟ ମିଶାଇ କାଲା ଘରେ ରଖିଥିଲା। ନିଶାଟା ଯେମିତି ବଢ଼ିବ। କେଇଦିନ ଆଗରୁ ତା ସ୍ତ୍ରୀଟାକୁ ଡାହାଣୀ ଗୁଣିକରି ମାରି ଦେଇଥିଲା। ସେ ଏବେ ଏକା। ଶଲପ୍ଟୋଲିର ଝିଅ ନୁର୍ସିକୁ ସେ ରାସ-କାପଡ଼ା (ଟଣାଝିଙ୍କା ବିବାହ) କରିଥିଲା। ନୁର୍ସିଟା ଥିଲା ବହୁତ ସୁନ୍ଦର। ରାସ-କାପଡ଼ା ବାହାଘର ଯୋଗୁଁ ଖର୍ଚ୍ଚ ବି କମ୍ ହେଇଥିଲା। ନ ହେଲେ କାଲା ପାଖରେ ଟଙ୍କା କଉଠି ଥିଲା ଯେ ସେ ଫୁଲବାହା କରିଥାଆନ୍ତା ? ଅବଶ୍ୟ ରାସ-କାପଡ଼ାରେ ବୁଦ୍ଧୁରାମ ତାକୁ ସାହାଯ୍ୟ କରିଥିଲା। ଧରା ପଡ଼ିଯାଇଥିଲେ ସେମାନେ ମାଡ଼ ମାରି ତା ଜୀବନ ନେଇ ଯାଇଥାଆନ୍ତେ।
ଆଗେ ତାରାକୁ ସମସ୍ତେ ଖୋଜାଲୋଡ଼ା କରୁଥିଲେ। ରୋଗ ହେଲେ, ହଇଜା, ବସନ୍ତ, ପେଟବଥା, ଜ୍ବର ଇତ୍ୟାଦି ବ୍ୟାପିଲେ ଗୁଣି କରି ଚେରମୂଳି ଦେଇ ସେ ଭଲ କରି ଦଉଥିଲା। ଦୁଷ୍ଟ ଡୁମାକୁ ତଡ଼ି ଦଉଥିଲା। ଡଙ୍ଗର ପୂଜା ବେଳେ ତା’ ଗେରସ୍ତ ସଙ୍ଗୁରୁ ସାଙ୍ଗରେ ମିଶି ଢେର କାମ କରୁଥିଲା।
କିନ୍ତୁ ଯେଉଁଦିନ ସଙ୍ଗୁରୁଟା ଖରାପ ହେଇଗଲା, ଗାଁ ଲୋକେ ସନ୍ଦେହ କଲେ। ଭଲ ଲୋକଟା, ଖରାପ ହେଇଗଲା କାହିଁକି ? ଡଙ୍ଗର ତଳ ଜମି ଖଣ୍ଡକରେ ମାଣ୍ଡିଆ ବୁଣି ଫେରିଲା ପରେ କଣ ହେଲା କେଜାଣି, ଖାଇ ସାରିଲା ପରେ ଯନ୍ତ୍ରଣାରେ ଛଟପଟ ହେଲା। ବେଜୁଣୀ ଆସିଲା, ଡୁମା ପୂଜା କଲା, ଶାଲାପେନୁ, ପିତୃ-ପୁରୁଷଙ୍କୁ ପୂଜା କଲା। ସଙ୍ଗୁରୁ ବଞ୍ଚିଲା ନାହିଁ। ସେଇଠୁ ଗାଁ ଲୋକେ ଧରି ନେଲେ, ତାରାଟା ଡାହାଣୀ। ନିଜ ସ୍ବାମୀ ସଙ୍ଗୁରୁକୁ ସେ ମାରିଛି।
କାହିଁକିନା ସଙ୍ଗୁରୁ ପାଖରୁ ତା’ର ପିଲାପିଲି କିଛି ହଉ ନଥିଲେ। ସ୍ବାମୀ ମଲା ପରେ ତାରା ପର ପିଲାଙ୍କ ଉପରେ ଦୃଷ୍ଟି ପକେଇଲା। ଗାଁର ଯଉ ପିଲାଙ୍କ ଦେହରେ ହାତ ମାରି ଦଉଥିଲା, କାଖେଇ ପକାଉଥିଲା, ଏମିତି କି ଚାହିଁ ଦେଉଥିଲା ସେମାନେ ଝାଡ଼ା କି ଜ୍ବର ରୋଗରେ ପଡୁଥିଲେ ବୋଲି ଗାଁ ଲୋକଙ୍କର ଗୋଟାଏ ଅନ୍ଧବିଶ୍ବାସ ହୋଇଗଲା। କେବଳ ତା’ ନୁହେଁ, ଗାଁରେ ତିନି, ଚାରି ଜଣ ଲୋକଙ୍କୁ ସେ ଗୁଣିକରି ମାରି ପକେଇଲା ବୋଲି ବୁଦ୍ଧୁରାମ ଓ ଆଉ କେତେକ ତାରା ନାମରେ ଅପପ୍ରଚାର କଲେ।
କାହିଁକିନା ବେଜୁଣୀ ଯେତେ ପୂଜାପାଠ କରୁଥିଲା, ଯେତେ ପୋଢ଼ ବଳି ଦଉଥିଲା, ଯେତେ ଚେରମୂଳି ଔଷଧ ଦେଉଥିଲା, କିଛି କାମ କରୁ ନଥିଲା। ବେଜୁଣୀ ବି କହିଥିଲା, “ଏଇ ତାରା ହିଁ ଗୁଣି କରି ସମସ୍ତଙ୍କୁ ମାରୁଛି। ତାକୁ ଖରାପ ନକଲେ, ସାରା ଗାଁଟାକୁ ପଦା କରି ପକେଇବ-”
ସେଇଠୁ ସେମାନେ ତାରାକୁ ଏକଘରକିଆ କରିଦେଲେ। ନିଆଁପାଣି ବନ୍ଦ। ତାରା ତା’ଘର ଭିତରୁ ପଦାକୁ ଗୋଡ଼ କାଢ଼ିଲା ମାତ୍ରେ ସ୍ତ୍ରୀ ଲୋକମାନେ ନିଜନିଜର ଛୁଆମାନଙ୍କୁ ଧରି ଘର ଭିତରେ ଲୁଚି ଯାଉଥିଲେ। ଦୂରରୁ ତା ଉପରକୁ ଏମିତି ଢେଲା ଫିଙ୍ଗୁଥିଲେ ଯେ ସେ ଦଉଡ଼ି ଦଉଡ଼ି ଯାଇ ତା’ଘର ଭିତରେ ପଶି କବାଟ ବନ୍ଦ କରି ଦେଉଥିଲା। ଦିନ ବେଳେ ଘରୁ ବାହାରିବାକୁ ସାହସ କରୁ ନଥିଲା।
ବୁଦ୍ଧୁରାମ ଓ କାଲାରାମ ଉଭୟ ମହୁଲି ଦ୍ବାରା କବଳିତ ହୋଇ ସାରିଥିଲେ। ସେମାନଙ୍କ ଭିତରେ ଥିବା ମଣିଷ ଦି’ଟା ବାହାରି ପଳେଇ ଯାଇଥିଲେ।

ଥରଥର ଗଳାରେ ଏବଂ ଭଙ୍ଗାଭଙ୍ଗା ବାକ୍ୟରେ ବୁଦ୍ଧୁରାମ କହୁଥିଲା, “ମ’ ଖୁଡ଼ି ହେଲେ କଣ ହେଲା ଶାଳୀ ଡାହାଣୀଟାଏ। ମ’ ପୁଅକୁ ଗୁଣି କରି ମାରିଦେଲା ଯେ, ଏଇ ହାତରେ ଗାତ ଖୋଳି ତାକୁ ପୋତିଲି, ଦେଖ ଏଇ ହାତ, ଆଜି ତାକୁ ଛାଡ଼ିବି ନାହିଁ। ଏବେ ତା’ ନଜର ପଡ଼ିବ ମ’ ସ୍ତ୍ରୀ ଉପରେ। ତା’କୁ ବି ଖାଇଯିବ। ତା’ଘରକୁ ଲାଗି, ମ’ ଘର ତ।”