
ନୀଳକଣ୍ଠ ଓ ରାମଚନ୍ଦ୍ର ଉଭୟଙ୍କର ଦୁଇ ମହାଜନ। ତା’ ସମ୍ପତ୍ତି ଚିହ୍ନଟ ଦେବାକୁ ଆସିଥିଲେ। ଚପରାସୀ ଉଭୟ ଦ୍ବାରବାଟେ ଘରେ ପଶି ସମୁଦାୟ ଅସ୍ଥାବର ସମ୍ପତ୍ତି ଗୋଟି ଗୋଟି କରି ବାହାର କରି ନେଲା। ଏପରିକି ଲିପିଲା ମାଟି ଗୋବର ଲଣ୍ଡା ସୁଦ୍ଧା ରଖିଲା ନାହିଁ। ମହାଜନମାନେ ମକଦ୍ଦମା ଖର୍ଚ୍ଚ ଲାଗି ଯେତେ ଟଙ୍କା କରଜ ଖାତାରେ ଲେଖି ଦେଇଥିଲେ, ସେ ସବୁ ଅଦାଲତରେ ଏକତରଫା ଡିଗ୍ରୀ ହୋଇଥିଲା।
ନୀଳକଣ୍ଠ ଓ ରାମଚନ୍ଦ୍ର ଚପରାସୀକି ବାଧା ଦେବାକୁ ଗଲେ, ମାତ୍ର ଚପରାସୀ ସରକାରୀ ତକମା ପିନ୍ଧିଛି, ଅଦାଲତର ହୁକୁମ ଆଣିଛି, ସେ ବଳରେ ସେ ପର୍ବତ ଟାଳିପାରେ, ଚନ୍ଦ୍ର ସୂର୍ଯ୍ୟଙ୍କୁ ଆଗୁଳି କରିପାରେ। ସେ ରାଗିଲା, ଗାଳିଦେଲା ଏବଂ ମନ ଓ ମୁହଁର ବ୍ୟବହାର ଛଡ଼ା ହାତର ବାଡ଼ି ଖଣ୍ଡ ମଧ୍ୟ କାର୍ଯ୍ୟରେ ଲଗାଇଲା। ଏଥିପୂର୍ବେ ନୀଳକଣ୍ଠର ବାଡ଼ି ରାମଚନ୍ଦ୍ର ମୁଣ୍ଡରେ ଏବଂ ରାମଚନ୍ଦ୍ରର ଠେଙ୍ଗା ନୀଳକଣ୍ଠ ପିଠିରେ କେତେଥର ପଡ଼ିଛି, କେତେଥର ଦାରୋଗାଙ୍କ ବେତ ଉଭୟଙ୍କ ପିନ୍ଧା ଲୁଗା ତଳେ ଦେହର ଚମ ଉପରେ ଲମ୍ବା ଲମ୍ବା ରକ୍ତବର୍ଣ୍ଣ ଚିହ୍ନମାନ ତିଆରି କରିଛି। ସେତେବେଳେ ନୀଳକଣ୍ଠ ଗାଳି ମାଡ଼ ଅପମାନ ଖାଇଲେ, ରାମଚନ୍ଦ୍ର ଖୁସି ହେଉଥିଲା, ରାମଚନ୍ଦ୍ର ଉପରେ ପ୍ରହାର ବସିଲେ, ନୀଳକଣ୍ଠର ହୃଦୟ ଆନନ୍ଦରେ ନାଚୁଥିଲା। ଆଜି କିନ୍ତୁ ହଠାତ୍ କି ପରିବର୍ତ୍ତନ ହେଲା! ଅଦାଲତ ଚପରାସୀର ବ୍ୟବହାରରେ ପ୍ରତିବାଦ କରିବା ପାଇଁ ନୀଳକଣ୍ଠ ଓ ରାମଚନ୍ଦ୍ର ଏକତ୍ର ବାହାରିଲେ। କହିଲେ, “ଚପରାସୀ, ତୁମେ ଜିନିଷ ନେବ ତ, ମାରିବ କିଆଁ? ସେ ହେଉ, ମୁଁ ହୁଏ- କାହାରି ଦେହରେ ହାତ ଲଗାଇଲେ ତୁମେ ଦେଖିବ, ଆମେ ଦେଖିବୁ।”
ଅସ୍ଥାବର ସମ୍ପତ୍ତି ଯଥା ସମୟରେ ନିଲାମ ହେଲା। ମାତ୍ର ସେଥିରୁ ମହାଜନମାନଙ୍କ ପାଉଣାର ଚଉଠେ ସୁଦ୍ଧା ଉଠିଲା ନାହିଁ, ସୁତରାଂ ସେମାନେ ଜମିବାଡ଼ି ଆଦି ସ୍ଥାବର ସମ୍ପତ୍ତି ନିଲାମ କରାଇ ବାକି ଟଙ୍କା ଆଦାୟ କରିନେଲେ। ନରହରି ଦୁଇପୁଅଙ୍କ ବିବାହ ସକାଶେ ବିଧିମତେ କରଜ ତମସୁକ ଲେଖିଦେଇ ଯେଉଁ ମହାଜନଠାରୁ ଭିନ୍ନ ଭିନ୍ନ ସମୟରେ ଦୁଇଶ ଟଙ୍କା ଋଣ ଆଣିଥିଲେ, ସେ ଜାତିର ପଣ୍ଡା ବ୍ରାହ୍ମଣ। ବୈଦିକମାନଙ୍କ ସହିତ ବିବାହ ସମ୍ପର୍କ ତାଙ୍କର ଚଳେ ନାହିଁ। ତଥାପି ସେ ନରହରିଙ୍କ ଏକମାତ୍ର କନ୍ୟାକୁ ବିବାହ ଜିଦ୍ ଧରିଥିଲେ। ନିଜ ବଂଶମର୍ଯ୍ୟାଦା ରକ୍ଷା କରିବା ନିମନ୍ତେ ନରହରି ସେ ପ୍ରସ୍ତାବରେ ନାରାଜ ହୋଇ କନ୍ୟାକୁ ଅନ୍ୟତ୍ର ସତ୍କୁଳରେ ଦେଇଥିଲେ। ବିବାହ ପରେ ଚଉଠି ଦିନ କନ୍ୟା ଅବଶ୍ୟ ମରିଗଲା, କିନ୍ତୁ ତା’ର ଚିତାଗ୍ନିରୁ ସମଗ୍ର ଉତ୍ତାପ ମଧୁ ପଣ୍ଡାଙ୍କ ମୁଣ୍ଡରେ ଯାଇ ଜମା ହୋଇରହିଲା। ମଧୁ ପଣ୍ଡା ଜଣେ ବେଶ୍ ବୁଡ଼ାମାରି ରହିବା ଲୋକ। ସୁଧ ମୂଳ ହିସାବ କରି ନରହରିଙ୍କ ଠାରୁ ତମସୁକ ବାବଦ ସମୁଦାୟ ସାତଶ ତେଷଠି ଟଙ୍କା ପାଞ୍ଚଅଣା ଆଠପାହୁଲା ଅଧେ ବୁଝି ନେଇଥିଲେ ସୁଦ୍ଧା ଦଲିଲଟି ତାଙ୍କୁ ଉଆପସ ଦେଇ ନଥିଲେ।
ନରହରି ଦଲିଲ ମାଗିଲାବେଳେ କହିଥିଲେ, “ଦଲିଲ ନେଇ ଆଉ କ’ଣ ଚାଟିବ, ମହାପାତ୍ରେ? ଟଙ୍କା ତ ଦେଲେ, ଗଲା। ଆଉ ଦଲିଲରେ କ’ଣ ଥାଏ?” ନରହରି ସେଦିନ ଦଲିଲ ନ ନେଇ ଅବଶ୍ୟ ଫେରି ଆସିଲେ, ମାତ୍ର ତା’ପରେ କେତେଥର ଯାଇ ମାଗିଛନ୍ତି। କେତେବେଳେ ମଧୁ ପଣ୍ଡା କହନ୍ତି, “ପୁଅ ପାଖରେ ଅଛି, ଆଉ ଦିନେ ଆସିବ।” ଆଉ କେକେବେଳେ କହନ୍ତି, “ସିନ୍ଦୁକର କୁଞ୍ଚିକାଠି ହଜିଯାଇଛି, ଯାଅ, ମୁଁ ପରେ ପଠାଇଦେବି।” ମାତ୍ର ନରହରି ଚାଲିଗଲେ, ନିଜେ ନିଜକୁ କହନ୍ତି, ଏ ଜିନିଷ ହାତରୁ ଛାଡ଼ିବାର ନୁହେଁ। ଏ ଯେତେଦିନ ମୋ ପାଖରେ ଅଛି, ସେ ବ୍ରାହ୍ମଣ ଟୋକାର ଚୁଟି ମୋ ହାତରେ ରହିଛି। ସଜ ଉଣ୍ଡି ଦିନେ ଦେଖିବି, କେମିତି ଭଟ୍ଟ ମିଶ୍ର ସାଆନ୍ତ ସେ, ଆଉ ମୁଁ ହାଡ଼ି ପାଣରୁ ହୀନ।”
ନୀକକଣ୍ଠ ଓ ରାମଚନ୍ଦ୍ରଙ୍କ ମହାଜନମାନେ ନରହରିଙ୍କ ସମଗ୍ର ସ୍ଥାବର ଅସ୍ଥାବର ସମ୍ପତ୍ତି ନିଲାମ କରାଇ ନିଜ ନିଜ ପାଉଣା ଅସୁଲ କରିନେଲା ପରେ, ମଧୁ ପଣ୍ଡା ସେ ପୁରୁଣା ଦଲିଲ ବାବଦ ତିନିଶ ଅଶୀ ଟଙ୍କାର ଡିଗ୍ରୀ ଆଣି ପହଞ୍ଚିଲେ। ତାହା ଦେଖି ନରହରି ତଟସ୍ଥ। ସବୁ ସମ୍ପତ୍ତି ଯାଇ କେବଳ ଘରର ଛପରଟି ବାକି ଥିଲା। ଡିହଖଣ୍ଡି ମିହ୍ନା ହୋଇଥିବାରୁ ତାହା ନିଲାମରେ ଯାଇ ନଥିଲା। ମହାଜନମାନେ ନରହରିଙ୍କ କାକୁତି ମିନତି ଶୁଣି ଘରର ଭୁଆସୁଣୀ ବୋହୂମାନଙ୍କୁ ପଦାରେ ନ ପକାଇବା ପାଇଁ ଛପରଟି ଛାଡ଼ି ଯାଇଥିଲେ। ମଧୁ ପଣ୍ଡା ଛପରଟି ଭାଙ୍ଗି ନିଲାମ କରାଇଲେ, ସେଥିରୁ ତାଙ୍କର ସମୁଦାୟ ପ୍ରାପ୍ୟ ଟଙ୍କା ଉଠିବା ତ ଅସମ୍ଭବ। ସୁତରାଂ, ତାଙ୍କର କ୍ରୋଧାନଳ ଉପରେ ପାଣି ସିଞ୍ଚି ତାକୁ ଶାନ୍ତ କରିବା ନିମନ୍ତେ ନରହରି ନିଜର ଦୁଇ ନେତ୍ରରୁ ଅଶ୍ରୁଧାରା ଢାଳିବାକୁ ନିଜ ଘର ଛପର ନିଲାମଲବ୍ଧ ଧନ ଖାଇ ଦେବାନି ଫାଟକରେ ରହିଲେ। ତାଙ୍କୁ ରହିବାର ବାସ ଓ ଖାଇବାର ଭାତ ଲାଗି ଚିନ୍ତା କରିବାକୁ ପଡ଼ିଲା ନାହିଁ।
ଏଣେ ନୀଳକଣ୍ଠ ଓ ରାମଚନ୍ଦ୍ର ମା’ ଏବଂ ଭାର୍ଯ୍ୟାମାନଙ୍କୁ ଧରି ଘର ଭିତରୁ ପଦାକୁ ବାହାରି ଦେଖିଲେ ଯେ ତାଙ୍କୁ ଆଶ୍ରୟ ଦେବାକୁ ଜଗତରେ ସ୍ଥାନ ନାହିଁ। ବାଘ ବାଘୁଣୀଦଳ ବନରେ ମରାମରି, ଲଢ଼ାଲଢ଼ି ହେଉଥାନ୍ତି, ଶିକାରୀ ଆସିବାର ଦେଖିଲେ ହଠାତ୍ ଯେପରି ଯାଇ ଏକା କୋଟରରେ ସମସ୍ତେ ପଶନ୍ତି, ବର ଭାର୍ଯ୍ୟା, ଚାରିଜଣ ସେହିପରି ବିରହ କାତର ବୁଢ଼ୀଟି ସହିତ ଯାଇ ଗ୍ରାମ ବାହାରେ ବରଗଛ ଛାଇରେ ବସି କାନ୍ଦିଲେ, ଭାଗ୍ୟକୁ ନିନ୍ଦିଲେ, ମହାଜନମାନଙ୍କୁ ଗାଳିଦେଲେ, ସୋମନାଥଙ୍କ ସାତପୁରୁଷର ଶ୍ରାଦ୍ଧ କଲେ, ମଧୁ ପଣ୍ଡାଙ୍କ ଉପରେ ଅଭିଶାପ ବର୍ଷିଲେ। ଜୀବନର ଅନେକ ଦିନ ଏକ ଘର ମଧ୍ୟରେ ରହି ସୁଦ୍ଧା ସେମାନେ ଏ ପ୍ରକାର ଏକତ୍ୱ କେବେହେଲେ ଅନୁଭବ କରି ନଥିଲେ। ଆଜି ସମସ୍ତଙ୍କର ଏକ ଉଦ୍ଦେଶ୍ୟ, ଏକ କର୍ତ୍ତବ୍ୟ, ଏକ ଲକ୍ଷ୍ୟ। ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ମଧ୍ୟରେ ଭ୍ରାତୃଭାବର ଉଦୟ ହେଲା। ଚମ୍ପା ସହିତ ଲକ୍ଷ୍ମୀ ଯାଆ ହୋଇ ପରସ୍ପର ପ୍ରତି ସ୍ନେହ ମମତା ଦେଖାଇ ଚଳିଲେ। ବୁଢ଼ୀ କ୍ରମେ ପତିଙ୍କ ବିଚ୍ଛେଦ ଯାତନା ଅଳ୍ପ ଅଳ୍ପ ଭୁଲି, ପୁଅ ଓ ବୋହୂମାନଙ୍କ ସହିତ ରହିବାର ଅଭ୍ୟସ୍ତ ହୋଇ ଆସିଲେ।
ଯେଉଁଦିନ ଦେବାନି ଫାଟକରେ ନରହରିଙ୍କର କାଳ ହେଲା, ତାଙ୍କର ଶବ ଆଣି ଦାହକରି, କ୍ରିୟା ଧରିବାକୁ ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ହାତେ ପାହୁଲାଟିଏ ସୁଦ୍ଧା ନାହିଁ। ତେବେ ଚମ୍ପା ଓ ଲକ୍ଷ୍ମୀ ଦୁହିଁଙ୍କ ହାତେ ପଟେ ପଟେ ବଳା ଥିଲା। ପୁଷ୍ପିତ ଲତାର କୁଡ଼ମା ଶେଷ ଫୁଲ ଗଣ୍ଡାକ ପରି। ଶ୍ମଶାନରେ ନରହରିଙ୍କ ଚିତା ଜାଳିବା ନିମନ୍ତେ ତାହା ମଧ୍ୟ ପରିଶେଷରେ ଝଡ଼ି ପଡ଼ିବାକୁ ରହିଥିଲା।
-୦-