ପ୍ରାୟ ଦେଢ଼ମାସ ହେଲା ନରହରିଙ୍କ ଘରେ ମହା ଗୋଳମାଳ ଲାଗିଛି, ସକାଳୁ ସନ୍ଧ୍ୟା ଓ ସନ୍ଧ୍ୟାରୁ ପୁଣି ରାତି ଅଧଯାଏ ପ୍ରଚଣ୍ଡ ପାଟିତୁଣ୍ଡ କୋଳାହଳ। କେତେବେଳେ କିଏ କାହାକୁ ମାରୁଛି, କିଏ ବା କାନ୍ଦରେ ଘର ଫଟାଇ ଦେଉଛି। ଗ୍ରୀଷ୍ମକାଳୀନ ବର୍ଷା ସମୟର ଆନ୍ଦୋଳିତ ମେଘରାଶି ଆକାଶରୁ ହଠାତ୍‌ ଦୁମ୍‌ଦାମ୍‌ କୁଆପଥର ଅସରାଏ ବର୍ଷି ଟିକିଏ ଶାନ୍ତ ହେଲାପରି, କିଏ ବା ରାଗି ପାଟିକରି ପରେ ବିଧା ଗୋଇଠା ମାଡ଼ରେ ସେ ରାଗ କିଛି ସମୟ ପାଇଁ ଖଲାସ କରୁଛି। ଦୁଇ ଚାରିଟା ଠେଙ୍ଗା ବାଡ଼ି ଭାଜିଗଲାଣି, କାହା ମୁଣ୍ଡ ଫାଟିଲାଣି, କାହାର ହାତ ଗୋଡ଼ ଜଖମ ହେଲାଣି, ତଥାପି କଳିର ବିରାମ ନାହିଁ। ମନର କ୍ରୋଧ ହିଂସା, ମାନ ଅଭିମାନ, କେତେବେଳେ ମୁହଁର ଫାଙ୍କା ଶବ୍ଦରେ କେତେବେଳେ ବା ହାତ ଗୋଡ଼ର ଭାରମୟ ଓଜନି।

ନରହରିଙ୍କ ଦୁଇ ପୁଅ ନୀଳକଣ୍ଠ ଓ ରାମଚନ୍ଦ୍ର। ବୟସରେ ଅଳ୍ପ ସାନ ବଡ଼। ଦୁହେଁ ବେଶ୍‌ ଖୁସିବାସରେ ଚଳୁଥିଲେ। ଗ୍ରାମର ଲୋକେ ତାଙ୍କର ମେଳ ଦେଖି ତାଙ୍କୁ ‘ରାମ ଲକ୍ଷ୍ମଣ’ ନାମ ଦେଇଥିଲେ। ଆଗ ନୀଳକଣ୍ଠର ଭାର୍ଯ୍ୟା ଆସିଲା, ତାକୁ ମଧ୍ୟ ଲୋକେ ‘ସୀତା’ ବୋଲି କହିଲେ, ମାତ୍ର ରାମଚନ୍ଦ୍ରର ଭାର୍ଯ୍ୟା ଆସିଲା ଦିନୁ ଘରେ ନାନା ଖଳ। ସେ ଟିକିଏ ନ ଥିଲା ଘର ଝିଅ। ବାପଘରୁ ସାମାନ୍ୟ କିଛି ବୋଝଭାର ଆଣି ପହିଲି ପାଳି ଆସିଥିଲା, କିନ୍ତୁ ସେ ବୟସରେ ପିଲା ଓ ରୂପରେ ଟିକିଏ ସୁନ୍ଦର ହୋଇଥିବାରୁ ଶାଶୁ ଶ୍ବଶୁର ତାକୁ ଆହ୍ଲାଦ କରୁଥିଲେ। ତାହା ଦେଖି ନୀଳକଣ୍ଠର ଭାର୍ଯ୍ୟା ଦିନକୁ ଦିନ, ଅଇଘରା ଗଦା ପରି ଅଧିକ ଅଧିକ କହୁଳିବାକୁ ଲାଗିଲା। ଶେଷରେ ଦିନେ ହଠାତ୍‌ ଜଳି ଉଠି, ଜିଦ୍‌ଧରି ବସି କହିଲା, “ନା, ରାମ ଭିନ୍ନ ନହେଲେ, ମୁଁ ଅନ୍ନ ଛୁଇଁବି ନାହିଁ।”

ପ୍ରଥମେ ପ୍ରଥମେ ନୀଳକଣ୍ଠ ଓ ରାମଚନ୍ଦ୍ର ରାତିରେ ଶୋଇଲାବେଳେ ମଧୁଶଯ୍ୟା ପରେ ଆପଣା ଆପଣା ଭାର୍ଯ୍ୟାଠାରୁ ଭାଇଭାଗ ବାଣ୍ଟିବାର ମନ୍ତ୍ର ଗୋପନରେ ଗ୍ରହଣ କରୁଥିଲେ, ମାତ୍ର କିଛିଦିନ ମଧ୍ୟରେ ଅନନ୍ତପୁରରେ ନରହରିଙ୍କ ଘର ବିଧି ମତେ ଗୋଟିଏ ଚାଟଶାଳୀରେ ପରିଣତ ହେଲା। ଭାଇଭାଗ ବଣ୍ଟା ବିଦ୍ୟା ସେଠାରେ ଯେ କେବଳ ସେହି ଘରର ଦୁଇଜଣ ନବବିବାହିତ ଯୁବକ ଶିଖିଲେ, ତାହା ନୁହେଁ, ସେ ଗ୍ରାମରେ ଓ ଅନ୍ୟାନ୍ୟ ଗ୍ରାମର ଅନ୍ୟ କେତେକ ଲୋକ ମଧ୍ୟ କ୍ରମେ ସେଠାରେ ମନ୍ତ୍ର ନେଇଯିବାର ସୁବିଧା ପାଇଲେ। ଫଳରେ ଅନନ୍ତପୁରର ସେ ଘରଟି ସେହି ସମଗ୍ର ଅଞ୍ଚଳର ଗୋଟିଏ ପ୍ରସିଦ୍ଧ କେନ୍ଦ୍ରସ୍ଥଳ ହୋଇପଡ଼ିଲା।

ଘର ଦାଣ୍ଡପଟେ ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ଭିତରେ ଯେପରି କଳହ ଏବଂ ପିଟାପିଟି, ବାରିପଟେ ତାଙ୍କର ଦୁଇ ପ୍ରେୟସୀଙ୍କ ମଧ୍ୟରେ ତା’ଠାରୁ ଆହୁରି ଅଧିକ। ମୋଟ ଉପରେ ନରହରିଙ୍କ ଛୋଟିଆ ଘର ଖଣ୍ଡିକରେ ଦୁଇଆଡ଼େ ଦୁଇଟି କ୍ଷୁଦ୍ର ମହାଭାରତ ଯୁଦ୍ଧ, କିନ୍ତୁ ନରହରିଙ୍କର ଜିଦ୍‌ ଯେ, ସେ ଭାଗ ବଣ୍ଟାଇ ଦେବେ ନାହିଁ। ସେ କହନ୍ତି, “ତୁମେମାନେ ମୋ ଅନ୍ତେ ଯାହା କରିବ, ମୁଁ ଜିଇଥିଲା ଯାଏ ଏ ସମ୍ପତ୍ତିରେ ହାତଦେଇ ପାରିବି ନାହିଁ, କି ବାଣ୍ଟି ପାରିବି ନାହିଁ।” ଭଦ୍ରଲୋକ କେତେଥର ଆସି ଫେରି ଗଲେଣି। ନରହରି ପୁଅ ବୋହୂଙ୍କର ହାତ ଗୋଡ଼ ଧରୁଛନ୍ତି, ନତମସ୍ତକ ହେଉଛନ୍ତି, କହୁଛନ୍ତି, “ଆଉ କେଇଟା ବର୍ଷ ବଞ୍ଚିବି ଅବା ମୁଁ? ଏହି ତ ତୁମ୍ଭ କଳିଗୋଳ ଦେଖି ବୁଢ଼ୀ ଆଖି ବୁଜିବା ଉପରେ ବସିଲାଣି। ଧନ ମୋର, ବାପ ମୋର, ମା’ ମୋର ମିଳିମିଶି ଚଳ, ମୁଁ ମଲେ ତେଣିକି ଯାହା କରିବ। କେତେ କଷ୍ଟରେ ଏହି ହାତରେ ଧନ ସମ୍ପତ୍ତି କରିଛି, ମୋ ଦେହ ସହିବ କିପରି?’’ ଏହା କହି, ସେ ଯେଉଁ ହାତରେ ଧନ ସମ୍ପତ୍ତି କରିଥିଲେ, ତାହା ଦେଖାନ୍ତି; ମାତ୍ର ପୁଅ ବୋହୂ ଦେଖନ୍ତି ନାହିଁ, ଆଖି ବୁଜି ରହନ୍ତି।

ଅନନ୍ତପୁରର ସୋମନାଥ ସେ ଅଞ୍ଚଳର ଦଶ ପାଞ୍ଚ କୋଶ ଆୟତନ ମଧ୍ୟରେ ଜଣେ ବିଶେଷ ଜଣାଶୁଣା ଲୋକ। ବାଡ଼ି ଆଗରେ ଗୋବାଏ ଜମିବାଡ଼ି ନାହିଁ, ପେଟରେ ବିଦ୍ୟା ମଧ୍ୟ ନାହିଁ, ଘରେ ପିଲା ପିଟିକା ନାହାନ୍ତି, କେବଳ ମାମୁ ମାଇଁ ଦୁଇ ପ୍ରାଣୀ। ତେବେ ତାଙ୍କର ଇଲମ ଅଛି। ପୋଲିସ୍‌ ଥାନାରୁ ଯେ ପଇସାଟିଏ ପାଏ, ସେ ବାଘ ପାଟିରୁ ଆହାର କାଢ଼ିନେଲା ପରି କଠିନ କାର୍ଯ୍ୟ କରେ। ସୋମନାଥ ଥାନାରୁ ବର୍ଷକେ ଦଶପଚିଶ ଟଙ୍କା, ଆମ୍ବଦିନେ ଆମ୍ବଟାଏ, ପଣସ ସମୟରେ ପଣସଟାଏ ପାଇଥାନ୍ତି। ତା’ଛଡ଼ା, ଟରଣିଗିରି କରି ସେ ଅଞ୍ଚଳର ଲୋକଙ୍କୁ ସହରର ଓକିଲ ମୁକ୍ତାର ମୋହରିରଙ୍କ ପାଖକୁ ପଠାଇବା ମଧ୍ୟ ତାଙ୍କର ଆଉ ଏକ ପେସା। ସେଥିରେ ସେମାନଙ୍କଠାରୁ ପାଉଣାରୁ ତାଙ୍କୁ ଅଂଶ ମିଳେ। ଏ ସବୁରେ ତାଙ୍କର ଛୋଟିଆ ପରିବାରଟି ଖାଇ ପିନ୍ଧି ବେଶ୍‌ ଚଳିଯାଆନ୍ତି।

ସୋମନାଥଙ୍କ ପରାମର୍ଶରେ ନୀଳକଣ୍ଠ ବାପା ନରହରି ଓ ଭାଇ ରାମଚନ୍ଦ୍ରଙ୍କୁ ପକ୍ଷ କରି ଦେବାନି ଅଦାଲତରେ ସମ୍ପତ୍ତି ବଣ୍ଟରା ମକଦ୍ଦମା ଦାଏର କଲା। ରାମଚନ୍ଦ୍ର ସଙ୍ଗେ ସଙ୍ଗେ ନୀଳକଣ୍ଠ ନାମରେ ଫଉଜଦାରି ଅଦାଲତରେ ଏକ ମାରପିଟ ମକଦ୍ଦମା ଚଳାଇଲା। ତାହା ମଧ୍ୟ ସେହି ସୋମନାଥଙ୍କ ମନ୍ତ୍ରଣାରେ। ସେ ଅଞ୍ଚଳର ଦୁଇଜଣ ମହାଜନ ଏକ ଏକ ପକ୍ଷ ଆବୋରି ନେଇ ମକଦ୍ଦମା ଖର୍ଚ୍ଚ ନିମନ୍ତେ ଟଙ୍କା ପଇସା ଯୋଗାଇଲେ। ସେମାନଙ୍କ ମନ୍ତ୍ରଣା ଓ ମହାଜନମାନଙ୍କ ଅର୍ଥରେ ମକଦ୍ଦମା ଦୁଇଟି ବେଶ୍‌ ଧମାଧମ୍‌ ଚାଲିଲା। ଓକିଲ, ମୁକ୍ତାର ଓ ମୋହରିରମାନେ ହାତରେ ଦୁଇ ଚାରି ପଇସା ଧରିବାକୁ ପାଇଲେ।

ନରହରିଙ୍କ ସମ୍ପତ୍ତି ମଧ୍ୟରେ ଚବିଶ ଦସ୍ତିରେ ସାତମାଣ ଦୁଇପା ଶାରଦ ଜମି, ଦୁଇମାଣ ବଗାଏତ, ପାଞ୍ଚମାଣ ପଡ଼ିଆ, ମିହ୍ନା ଡିହରେ ଦୁଇ ବଖରା ଘର, ସତରଟା ନଡ଼ିଆ ଗଛ, ଗୋଟିଏ ଓଦାଖିଆ ଗାଈ, ହଳେ ବଳଦ ଓ ଗୋଟିଏ ମହାଦେବଙ୍କର ବୁଲା ଷଣ୍ଢ। ଏହାଛଡ଼ା ବାସନକୁସନ, ଲୁଗାପଟା, ହାଣ୍ଡିକୁଣ୍ଢେଇ ଆଦି ମଧ୍ୟ ଏକ ଅନୁପାତରେ ବେଶ୍‌ ଥିଲା।

ମକଦ୍ଦମା ଅନେକ ଦିନ ଚାଲିଲା, ଅନେକ ସାକ୍ଷ୍ୟ ପ୍ରମାଣ ନିଆଗଲା। ଫଉଜଦାରି କଚେରିରେ ନୀଳକଣ୍ଠକୁ ଜରିମାନା ହେଲା। ତହୁଁ ସେ କସରତରେ ତଳେ ପଡ଼ିଗଲା ମାଲ ପରି, ପୁଣି ହୁଁକାର କରି ଉଠିଲା। ମହାଜନଙ୍କ ଟଙ୍କାର ଝଣ୍‌ ଝଣ୍‌ ଶବ୍ଦ ଓ ସୋମନାଥଙ୍କ ପରାମାର୍ଶ, ସେ ହୁଁକାରକୁ ଆହୁରି ଟାଣ କରି ପକାଇଲା। ଫଳରେ ରାମଚନ୍ଦ୍ରକୁ ଥାନା ହାଜତ ଭିତରେ ଯାଇ ହାଜର ହେବାକୁ ହେଲା। ସୋମନାଥ ଗୋପନରେ ଦାରୋଗାଙ୍କ ସହିତ ପରାମର୍ଶ କରି ଟଙ୍କା ପଇସାର ସ୍ରୋତ ବୁହାଇ, ତା’ର ଖସିବା ବାଟ ସରଳ କରି ନଥିଲେ, ମକଦ୍ଦମା ବିଚାରରେ ହୁଏତ ରାମଚନ୍ଦ୍ରକୁ ଜେଲ୍‌ଖାନା ଯିବାକୁ ପଡ଼ିଥାଆନ୍ତା। ଫଉଜଦାରି ଅଦାଲତର ଏ ସବୁ ଗୋଳମାଳ ଏଣେ ଚାଲିଥିବାବେଳେ, ଦେବାନି ଅଦାଲତରେ ହାକିମ ରାୟ ଦେଲେ ଯେ, ବାପ ଓ ଦୁଇ ପୁଅଙ୍କ ଭିତରେ ସମ୍ପତ୍ତି ତିନି ଭାଗରେ ବିଭକ୍ତ ହେବ।

ରେଳ ଷ୍ଟେସନରେ ଯାତ୍ରୀମାନେ ଚାଲବୁଲ, କଥାବାର୍ତ୍ତା, ଗୋଳମାଳ, କିଣାବିକା, ଖିଆପିଆ କରୁଥାଆନ୍ତି, କାହାରି କିଛି ଧୋକା ନଥାଏ, ମାତ୍ର ହଠାତ୍‌ ଘଣ୍ଟା ବାଜିଗଲେ, ଗାଡ଼ି ଛାଡ଼ିବାକୁ ବିଳମ୍ବ ଥିଲେ ସୁନ୍ଧା ଯେପରି ସେମାନେ, ଯେ ଯାହା ସ୍ଥାନକୁ ଯାଇ ଜାଗା ଆବୋରି ବସି ପଡ଼ନ୍ତି, ଦେବାନି ଅଦାଲତ ହାକିମଙ୍କ ହୁକୁମରେ ନୀଳକଣ୍ଠ ଓ ରାମଚନ୍ଦ୍ର ସେହିପରି ତାଙ୍କର ନିତ୍ୟନୈମିତ୍ତିକ କଳିଗୋଳ ପିଟାପିଟି ଆଦି ଛାଡ଼ିଦେଇ, ଟିକିଏ ସ୍ଥିର ହୋଇ ବସିଗଲେ। ସମ୍ପତ୍ତିର ତାଲିକା ହେଲା। ଜମିବାଡ଼ି, ବାସନକୁସନ, ଲୁଗା ପଟା-ଘରର ଯାବତୀୟ ଆସବାବ, କୁଲା ଛାଞ୍ଛୁଣୀ ପର୍ଯ୍ୟନ୍ତ ସ୍ଥାବର ଅସ୍ଥାବର, ଚଳିନ୍ତି ଅଚଳନ୍ତି-ସକଳ ସମ୍ପତ୍ତି ତାଲିକାରେ ଭୁକ୍ତ ହେଲା। ବଣ୍ଟରା କରିବାର ଦିନ ମଧ୍ୟ ଧାର୍ଯ୍ୟ କରାଗଲା। ପଞ୍ଚାୟତ ଭଦ୍ରଲୋକ ସ୍ଥିରହୋଇ ରହିଲେ।

ଭଦ୍ରଲୋକମାନେ ଏକତ୍ର ନୋହିପାରିବାରୁ ସମ୍ପତ୍ତି ବିଭାଗ କରିବାରେ କିଛି ବିଳମ୍ବ ଘଟିଲା। ଏପରି ସମୟରେ ଦିନ ହଠାତ୍‌ ଅଦାଲତ ଚପରାସୀ ଘର କୋରଖ କରିବାକୁ ଆସି ହାଜର। ସମ୍ପତ୍ତି ବଣ୍ଟା ନୋହିଥିଲେ ସୁଦ୍ଧା ନୀଳକଣ୍ଠ ଓ ରାମଚନ୍ଦ୍ର ମହାଜନ ଟଙ୍କାରେ ପୃଥକ୍‌ ଅନ୍ନର ବ୍ୟବସ୍ଥା କରିଥିଲେ, ସେହି ଘର ଭିତରେ ଅଲଗା ଅଲଗା ଦୁଆର ଫିଟାଇ, ଭିନ୍ନ ଭିନ୍ନ ସ୍ଥାନରେ ରୋଷେଇ ଘରର ଚୁଲି ପକାଇଥିଲେ। ନରହରି ସାନ ପୁଅ ରାମଚନ୍ଦ୍ରଙ୍କ ରୋଷଇରେ ଓ ତାଙ୍କ ଭାର୍ଯ୍ୟା ବଡ଼ପୁଅ ନୀଳକଣ୍ଠଙ୍କ ପାଖରେ ଖାଉଥିଲେ। ଅଦାଲତ ଚପରାସୀ ଅସ୍ଥାବର ସମ୍ପତ୍ତି ବାହାର କରିବା ନିମନ୍ତେ ଘରେ ପଶିବାକୁ ଯିବାରୁ, ନୀଳକଣ୍ଠ ରାମଚନ୍ଦ୍ରର ଦୁଆର ଓ ରାମଚନ୍ଦ୍ର ନୀଳକଣ୍ଠର ଦୁଆର ଦେଖାଇବାରେ ଲାଗିଲେ। ଜଣେ କହିଲ, “ଚପରାସୀ ବାବୁ, ଏ ଘର ନୁହେଁ ସେ ଘର।” ଆର ଜଣକ କହିଲା, “ହଜୁର, ସେ ସଇତାନ କଥା ଶୁଣନ୍ତୁ ନାହିଁ, ସେହି ଘର।” ମାତ୍ର ଚପରାସୀ ଘର ବାଛିବାରେ ଅସୁବିଧା ହେଲାନାହିଁ।

Pages: 1 2