ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଛି।
ତାଳଚେରଠାରୁ ରେଳ ଲାଇନ୍ ଉପରେ ଗୋଟିଏ ପାସେଞ୍ଜର ଟ୍ରେନ୍ ଗତିକରି ଆସୁଛି। ଏ ଲାଇନରେ ଗାଡ଼ିର ଗତି ବଡ଼ ମନ୍ଥର। ପ୍ରତି ଧୁମ ଫୁତ୍କାରର ତାଳେ ତାଳେ କେତେଗୁଡ଼ିଏ ଲୁହାର ଚକ ଲୁହା ଧାରଣା ଉପରେ ଗଡ଼ି ଆସୁଥିଲା।
ଖଇରା ଭୁଇଁ ଉପରେ ରକ୍ତରଶ୍ମି ଝରାଇ ସୂର୍ଯ୍ୟ ତଳକୁ ଯାଉଥିଲେ। ଦୂର ପଲ୍ଲୀ ଭିତରେ ଗୋଟିଏ ଦୁଇଟି ଗୋଧନ ଦଳ ମାଟି ଉଡ଼ାଇ ଯାଉଥିବାର ଦୃଶ୍ୟ ଦିଶିଯାଉଥିଲା।
ଟ୍ରେନ୍ ଭିତର କୋଠରୀ ଗୁଡ଼ିକରେ ପ୍ରଦୀପ ଜଳି ଉଠିଲାଣି। ଆରୋହୀମାନଙ୍କର ପୂର୍ବର ପାଉଁଶିଆ ମୁହଁ ଆଲୋକିତ ହୋଇଯାଇଛି।
ଚିହ୍ନିଲି, ଓଡ଼ିଶାର କୌଣସି କଲେଜର ଜଣେ ବିଜ୍ଞାନ ଅଧ୍ୟାପକ, ଓଡ଼ିଶାର କୌଣସି ଗୋଟିଏ ଗଡ଼ଜାତର ଜଣେ ଦେବାନ, ଓଡ଼ିଶାର କୌଣସି ଗାନ୍ଧୀ ଆଶ୍ରମର ଜଣେ କଂଗ୍ରେସ କର୍ମୀ ଓ ଓଡ଼ିଶାର କୌଣସି ତେଲ ମିଲ୍ର ଜଣେ ପୁଞ୍ଜିପତି ମାରୁଆଡ଼ି। ଆରୋହୀ ଭିତରେ ଏମାନଙ୍କୁ ମୁଁ ଆଗରୁ ଚିହ୍ନିଥିଲି। ସେମାନଙ୍କ ସହିତ ମୁଁ ଆଳାପ କରିଥିଲି। ଅଚିହ୍ନା ଲୋକଙ୍କ ଭିତରେ ମାନ୍ୟବ୍ୟକ୍ତି ବୋଧହୁଏ ନ ଥିଲେ, ଗୁଣୀ ବ୍ୟକ୍ତି ବି ନଥିଲେ। ଯେଉଁମାନେ ଥିଲେ, ସେମାନେ ସବୁବେଳେ ନ ଥିଲା ପରି ଟ୍ରେନ୍ରେ ଯାତାୟାତ କରନ୍ତି। ଦେଖାଶୁଣା ଜୀବ ଏମାନେ; କିନ୍ତୁ କେହି କେବେ ଏମାନଙ୍କୁ ଦୃଷ୍ଟି ଦିଅନ୍ତି ନାହିଁ। ଆଳାପ କଥା ଦୂରେ ଥାଉ।
ଢାଉ ରଙ୍ଗର ଆଣ୍ଠୁ ଉପରକୁ ଖଣ୍ଡେ ଖଣ୍ଡେ ଲୁଗା ପିନ୍ଧି ଚାରି ପାଞ୍ଚ ଜଣ ପୁରୁଷ ଓ ତାଙ୍କ ସଙ୍ଗେ ସେହିଭଳି ଦେହ ଘୋଡ଼ାଇ ଆଉ ଖଣ୍ଡେ ଖଣ୍ଡେ ଢାଉ ରଙ୍ଗର ଲୁଗା ପିନ୍ଧା ପିନ୍ଧି ମାଇପି କେତେଜଣ ବସିରହିଥିଲେ; ବେଞ୍ଚ ଉପରେ ନୁହେଁ, ତଳେ। ଅଧପୋଡ଼ା ବିଡ଼ି, ଖଙ୍କାର, କଦଳୀ ଚୋପା, କୋବିପତ୍ର, ପାନପିକ ଓ ସର୍ବୋପରି ନାକର ତରଳ ଦ୍ରବ୍ୟ ପଦାର୍ଥ ସମନ୍ବୟରେ ଯେଉଁଠି ଗୋଟିଏ ଶଯ୍ୟା ପଡ଼ିଥିଲା, ସେଇଠି, ତା’ରି ଉପରେ ସେମାନେ ବସିଥିଲେ।
ସେମାନେ ବଡ଼ କାକୁସ୍ଥ ଦେଖା ଯାଉଥିଲେ, ସତେ କି କେହି ତାଙ୍କୁ କରୁଣା ଦେଖାଇ ଏଡ଼େ ବଡ଼ ଯାନରେ ବସିବାକୁ ଆଜ୍ଞା ଦେଇଛି।
ତାଙ୍କୁ ଦଣ୍ଡେ ମୁଁ ଚାହିଁ ରହିଥିଲି। ଏକ ପାଖେ ଅସ୍ତାୟମାନ ସୂର୍ଯ୍ୟର ରଶ୍ମି ସଞ୍ଚାରର ଅପୂର୍ବ ଶୋଭା, ଅନ୍ୟପାଖେ ଟ୍ରେନର ଏହି ଆରୋହୀ ଦଳ।
ସମ୍ବଲପୁର ଲରି ଷ୍ଟାଣ୍ଡ ପାଖେ ଗଡ଼ଜାତର ଦେବାନଙ୍କ ସଙ୍ଗେ ପ୍ରଥମେ ଦେଖା ହୋଇଥିଲା। ସେ ମତେ ଚିହ୍ନି ନ ଥିଲେ, ପରେ ଚିହ୍ନିଲେ। ବୋଧହୁଏ କେହି ଜଣେ ସେଠାରେ ମୋର ପରିଚୟ କରାଇ ଦେଇଥିଲେ। ପରିଚୟ ଆଦ୍ୟପ୍ରାନ୍ତ ସୂକ୍ଷ୍ମଭାବରେ ଶେଷ ନ ହେଉଣୁ ଦେବାନ ସାହେବ ଏକପ୍ରକାର ଚିତ୍କାର କରି ଅତି ପାଖରେ ଛିଡ଼ା ହୋଇଥିବା ଜଣେ ଅଧୋବଦନା ଅଥଚ ଆଧୁନିକା ତରୁଣୀଙ୍କୁ ମତେ ଦେଖାଇ କହିଥିଲେ।
“ଆଲୋ ଆଭା, ଏ ଜଣେ ଲେଖକ। ନାଁ ବୋଧହୁଏ ଶୁଣିଥିବୁ। ଏ ହେଉଛନ୍ତି ଶ୍ରୀ….। ତୁ ବୋଧହୁଏ ତାଙ୍କର ବହି ତୁମ କ୍ଲାସରେ ପଢ଼ୁଥିବୁ। ଏହିଭଳି ଲୋକଙ୍କ ସଙ୍ଗେ ଦେଖାହେବା ଭାଗ୍ୟର କଥା।”
ମୁଁ ଲଜ୍ଜିତ ହେଲି। ଆଭା ସଲଜ୍ଜ ଭାବ ଦେଖାଇଲେ। ତାଙ୍କର ବ୍ରୀଡ଼ାଭାବ କାଟିଦେବା ପାଇଁ ମୋ ପ୍ରତି ତାଙ୍କର ମୃଦୁ “ନମସ୍କାର’’ ଧ୍ବନି ତାଙ୍କୁ ସାହାଯ୍ୟ କଲା; ମୋର ସଙ୍କୋଚ ଭାବ କାଟିଦେବା ପାଇଁ ମୋର “ପ୍ରତି ନମସ୍କାର’’ ବାଣୀ ବୋଧହୁଏ ମତେ ସାହାଯ୍ୟ କଲା।
ସମୟ ଥିଲେ ଚିନ୍ତା କରିଥାନ୍ତି, ମୋର ନାମ ସହିତ ଓଡ଼ିଶାର ବାତାବରଣ ଭିତରେ ଯେ ଗୋଟିଏ ଛୋଟ ବାୟୁମଣ୍ଡଳ ସମ୍ପୃକ୍ତ ଓ ଯାହାର ଆକୁଞ୍ଚନ ଓ ସଙ୍କୁଞ୍ଚନ ଓଡ଼ିଶାର ବହୁ କ୍ଷେତ୍ରରେ ମାର୍ଜିତ ହେଉ ବା ଆମାର୍ଜିତ ହେଉ, ଦୃଷ୍ଟ ହୁଏ, ତାହା କେତେଦୂର ଆଭାର କୁସୁମ-କୋମଳ ହୃଦୟକୁ ବିମଥିତ କରିପାରିଚି।
କିନ୍ତୁ ସମୟ ନ ଥିଲା। ଲରି ଛାଡ଼ିବା ସମୟ ହୋଇଥିଲା। ଆଭା ବସିଲା ମହିଳାସନରେ, ଆଉ ମୁଁ ଓ ଦେବାନ୍ ବସିଲୁ ପୁରୁଷାସନରେ।
ଭିକ୍ଷା ଯେଉଁ ଭିକ୍ଷୁକ ମାଗେ, ସେ ଯେ କାହିଁକି ଲରି ଛାଡ଼ିବା ବେଳକୁ, ଟ୍ରେନ୍ ଡବା ଭିତରେ, ପରୀକ୍ଷା ଦେଇଗଲା ବେଳକୁ, ହୋଟେଲ ଦୁଆର ମୁହଁରେ, ସିନେମା ଗୃହ ଆଗରେ ହାତ ପତେଇଦିଏ, ତାହା ବୁଝିବା ମନସ୍ତାତ୍ତ୍ବିକମାନଙ୍କ ପକ୍ଷରେ ସହଜ ହୋଇପାରେ। ପ୍ରାଚୁର୍ଯ୍ୟ ଓ ତୃପ୍ତି ପାଖେ ଦୈନ୍ୟ ଓ ଅଭାବ, କର ପତେଇ ଯେଉଁ ଅଭିଯୋଗ ବାଢ଼େ, ସେଥିରେ ରହସ୍ୟ ଅଛି, ଗ୍ଲାନି ବି ଅଛି।
ବସ୍ର ଚାରିଟା ଚକ ଘୂରିବାକୁ ଆରମ୍ଭ କରିଛି କି ନାହିଁ, ଗୋଟିଏ ପଙ୍ଗୁ, ଦେବାନ ବାବୁଙ୍କୁ ହାତ ପତେଇ ଦେଇଛି। ଅଥର୍ବ ସେ, ପଡ଼ିଯିବାର ଭୟ ତାହାର ଥିଲା। ସେହି ଭୟକୁ ଭ୍ରୁକ୍ଷେପ ନ କରି ସେ ଦଉଡ଼ି ଦଉଡ଼ି ଯୋଡ଼ ହାତରେ ମାଗୁଥାଏ “ପଇସାଟିଏ, ଗୋଟିଏ ପଇସା- ହେ, ବାବା।’’
ଦେବାନଙ୍କ ମୁହଁରେ ବିରକ୍ତି ଓ କ୍ରୋଧର ଚିହ୍ନ। ଶେଷ ମୁହୂର୍ତ୍ତକୁ ସେ ଆବିଷ୍କାର କଲେ ଯେ, ଟିଫିନ ବାକ୍ସ ଆଭା ସଜାଡ଼ି ଆଣିଛି, ଅଥଚ ଷ୍ଟେଟ୍ର ପ୍ରସିଦ୍ଧ ରାଜୋଦ୍ୟାନ କୂପର ସ୍ବଚ୍ଛ ନୀର ସେ ସୋରେଇରେ ଆଣିପାରି ନାହିଁ। ଆଭାକୁ ସେ ସେଇଠି ଚେତେଇ ଦେଇଥିଲେ ଯେ, ବମ୍ବେ ବା କଲିକତା ଗଲେ ମଧ୍ୟ ରାଜକୂପର ଜଳ ନେବାକୁ ସେ ଭୁଲନ୍ତି ନାହିଁ। କାରଣ ବାଟରେ ଘାଟରେ ଯାହା ତାହା ପାଣି ପିଇବା ଅର୍ଥ ମୃତ୍ୟୁ। ତା’ରେ ଏହି ପଙ୍ଗୁଭଳି ଭିଖାରୀଗୁଡ଼ାକ ସଂସ୍ରବରେ ଯେଉଁ ମାଟିପାଣି ଆସୁଛି, ତାହା ସହିତ ସୁସ୍ଥ ଜୀବ ସଂଯୋଗ ରଖିଲେ ପ୍ରାଣ ଆଉ ରହିବ ନାହିଁ।
ଡ୍ରାଇଭର୍ ବସ୍ ଛାଡ଼ିପାରୁ ନାହିଁ। ଦେବାନଙ୍କର ଅସୁବିଧା ହୋଇଛି। ବସ୍ ବି ସେହି ଷ୍ଟେଟ୍ ଭିତରେ ଯାଏ। ଡ୍ରାଇଭରର ମନ ଖରାପ। ପ୍ରଥମେ ହାତ ଯୋଡ଼ି ସେ ଷ୍ଟିଅରିଂ ଚକ୍ରକୁ ନମସ୍କାର କରିସାରିବା ପରେ ଏ ଯେଉଁ ଦୁର୍ଯୋଗ, ସେଥିରେ ତାର ରାଗ ହେଲା ବିଚାରା ଭିଖାରୀ ଉପରେ। ଅକଥ୍ୟ ଭାଷାରେ ସେ କହିବାକୁ ଆରମ୍ଭ କରିଛି। ଦେବାନ ବାବୁ ବି ସମର୍ଥନ କଲେ।
‘‘ଏଗୁଡ଼ାକ ଚୋର, ବଦମାସ, ବ୍ୟବସାୟ ଖୋଲିଛନ୍ତି- ବାହାର, ବାହାର।”
ମୋ ପାଖରେ ଦୋପଇସିଟିଏ ନ ଥିଲା। ଚାରଣି
– ସେତିକି ବଢ଼େଇ ଦେଲି। ବସ୍ ଚାଲିଲା।
ଖରା, ଧୂଳି ଓ ଆଣ୍ଠୁଯାକି ବସି ରହିବାର କଷ୍ଟରୁ ମୁଁ ତ୍ରାହି ପାଇଲି। ଘନଛାୟା ତଳେ ମୁଁ ବିଶ୍ରାମ କଲି। ଦେଖିଲି, ମୋର ଜଣେ ଅଧ୍ୟାପକ ବନ୍ଧୁ ଆଠମଲ୍ଲିକ ବସ୍ରେ ଯାଉଛନ୍ତି। ଆଳାପ ହେଲା। ବିଜ୍ଞାନର ଅଧ୍ୟାପକ ସେ, ତେଣୁ କଥା କଥାକେ ତାଙ୍କ ତୁଣ୍ଡରୁ ବାହାରେ ଆମେରିକା-ଆମେରିକାର ସଭ୍ୟତା, ଆମେରିକାର ସ୍ଲାଇସ୍କ୍ରେପର (ନଭଶ୍ଚୁମ୍ବୀ ଅଟ୍ଟାଳିକା), ଆମେରିକାର ପୁରୁଷ ଓ ସ୍ତ୍ରୀ, ଆମେରିକାର ଉଦ୍ଭିଦ, ଆମେରିକାର ଜାନ୍ତବ, ଆମେରିକାର ଫ୍ରି ଲଭ୍ (ଶସ୍ତା ପ୍ରଣୟ) ଇତ୍ୟାଦି।
ମତେ ସେଇଠି ସେ କହିଲେ-
“ଆଜି ଗୋଟାଏ ଆମେରିକାନ୍ ମାଗାଜିନରୁ ମୁଁ ପଢ଼ିଛି, ପୁରୁଷ ଓ ସ୍ତ୍ରୀର କେଶରାଶିରୁ ଉତ୍କୃଷ୍ଟ ବିସ୍କିଟ୍ ଓ ପାଉଁରୁଟି ତିଆରି ହୋଇପାରୁଛି। ତେଣୁ ନେହେରୁ ସରକାର ତଥା ମହତାବ ସରକାର (ଓଡ଼ିଶା ସରକାର ସେ କହନ୍ତି ନାହିଁ, କାରଣ ବ୍ୟକ୍ତିବିଶେଷର ନାମ ଧରିଲେ ଯେ ବ୍ୟକ୍ତିତ୍ବର ପରିସ୍ଫୁରଣ ହୁଏ, ତାହା “ଓଡ଼ିଶା” ବା “ଭାରତ” କହିବା ଦ୍ବାରା ପ୍ରକଟିତ ହେବ ନାହିଁ।) ନାପିତମାନଙ୍କ ଦ୍ବାରା କେଶ ସଂଗ୍ରହାଳୟ ସ୍ଥାପନ କରି ସେଥିରୁ ବିସ୍କିଟ୍ ଓ ପାଉଁରୁଟି ଆମଦାନୀ କରି ଦେଶକୁ ଖାଦ୍ୟ ସଙ୍କଟରୁ ରକ୍ଷା କରନ୍ତୁ।”
“-ବାବୁ, କିଛି ଖାଇନି, କିଛି ଦିଅ ବାବୁ, ଭଗବାନ ଭଲ କରିବେ।”
ବଡ଼ ପିଲାଟି ତୁଣ୍ଡରୁ ଏ କଥା ବାହାରିଛି, ସାନ ପିଲା କନାଖଣ୍ଡେ ଦେଖାଇ ଭିକ୍ଷା ଚାହୁଁଛି।
ବିଜ୍ଞାନ ଅଧ୍ୟାପକ କେଶ ସଂଗ୍ରହ ବ୍ୟବସ୍ଥାରୁ ଏପରି ଦାନ ଦାକ୍ଷିଣ୍ୟ ଦେଖାଇବା ପାଇଁ ଆଦୌ ପ୍ରସ୍ତୁତ ନ ଥିଲେ। ତା’ପରେ ଦୁଇ ଭିକ୍ଷୁ ବାଳକଙ୍କର ମୁଣ୍ଡରେ କେଶର ଚିହ୍ନବର୍ଣ୍ଣ ବି ନାହିଁ। ରୋଗ ଓ ଖାଦ୍ୟାଭାବ, ଅଧ୍ୟାପକଙ୍କର କେଶ ସଂଗ୍ରହ ବ୍ୟବସ୍ଥାକୁ ଆଗରୁ କାର୍ଯ୍ୟକାରୀ କରିଦେଇଛି।
ଅଧ୍ୟାପକ ଆରମ୍ଭ କଲେ-“ହୋପ୍ଲେଶ, ଏମାନଙ୍କ ଯୋଗୁଁ ଦେଶ କ୍ରମେ ଅବନତି ଆଡ଼କୁ ଯାଉଛି। ଆପଣ ଜାଣନ୍ତି, ଆମେରିକାରେ ଭିକ୍ଷୁକ ସମସ୍ୟା ନାହିଁ। ସମସ୍ତେ କର୍ମଠ, ଉପାର୍ଜନକ୍ଷମ। ଏମାନଙ୍କୁ କିଛି ଦେବା ଅର୍ଥ ଦେଶର ଉନ୍ନତି ଉପରେ କୁଠାରାଘାତ କରିବା।”
ଅଧ୍ୟାପକଙ୍କଠାରୁ ନାସ୍ତିବାଣୀ ଶୁଣି ଭିଖାରୀ ଦୁଇଟି ମତେ ଚାହିଁଲେ। କାରଣ ଅଧ୍ୟାପକଙ୍କର ବିମୁଖଭାବ ତାଙ୍କର ଆଶା ଉପରେ କୁଠାରାଘାତ କରି ସାରିଥିଲା।
ପାଖ ପିଜୁଳି ଦୋକାନୀକୁ ଆଠଣିଟାଏ ଭଙ୍ଗେଇବାକୁ ଦେଇ ସେଥିରୁ ଦୁଇଅଣା ଦୁହିଙ୍କୁ ମୁଁ ଦେଇଦେଲି।
ସମୟ ହୋଇଥିଲା। ବସ୍କୁ ଆସିଲି। ଅଧ୍ୟାପକ ବନ୍ଧୁ ବିଦାୟ ଘେନି ଅନ୍ୟ ବସ୍ରେ ବସିଲେ।
ପର ବିଶ୍ରାମସ୍ଥଳ ହେଉଛି ଅନୁଗୋଳ। ଯାନରୁ ଓହ୍ଲାଇ ମୁଁ ଦେଖିଲି, ଆଭା ଝାଉଁଳିବା ଭାବରେ ରହିଚି। ଦେବାନ ବାବୁଙ୍କର ଉପଭୋଗ ପାଇଁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ରହିଥିଲେ ବି ସେହି ରାଜୋଦ୍ୟାନର ଜଳ ଅଭାବରୁ ତାହା ଏ ପର୍ଯ୍ୟନ୍ତ ବ୍ୟବହୃତ ହୋଇ ନାହିଁ।
ସ୍ବାସ୍ଥ୍ୟ ବିଷୟରେ ଏତେ ସତର୍କ ଥିବା ଦେବାନ୍ ବାବୁଙ୍କୁ ମୁଁ ପ୍ରଶଂସା ନ କରି ରହିପାରିଲି ନାହିଁ। କୌଣସି ବନ୍ଧୁଙ୍କ ଘରୁ ଭଲ ପାଣି ମଗାଇ ତାଙ୍କୁ ବ୍ୟବହାର କରିବାକୁ କହିଲି। ଆଭା ଯେପରି ପ୍ରାଣ ଫେରିପାଇଛି। ଅନିଚ୍ଛାସତ୍ତ୍ବେ ଦେବାନ୍ ବାବୁ ତାହା ଗ୍ରହଣ କରିବାକୁ ରାଜି ହେଲେ।

ନାଲି ରାସ୍ତା ଉପରେ ମୁଁ ଟିକିଏ ପାଦ ଖେଳେଇ ଆଣୁଛି; ଶୁଣିଲି ସେହି ଚିରଶ୍ରୁତ କାକୁବାଣୀ-
“ଦିଅ ବାବୁ, ଅନ୍ଧୁଣୀ, ପୁଅ ଗେରସ୍ତ କେହି ନାହାନ୍ତି, ଦିଅ ବାବୁ ପଇସା ଅଧଲାଏ। ଗରିବର ଦୁଃଖ ବୁଝ।”
ମୁଁ ଫେରି ଚାହିଁଲି। ଗୋଟିଏ ଅନ୍ଧୁଣୀ ବୁଢୀ ବିଖ୍ୟାତ ତୈଳବୀଜ ବ୍ୟବସାୟୀ ମାରୁଆଡ଼ିକୁ ହାତ ପତେଇ ନିଜର ଦୁଃଖ ଜଣାଉଛି।
“-ହଟ୍ଯାଓ, କୁଛ ନେହିଁ, ଉଡ଼ିଶ୍ୟା କଙ୍ଗାଳ ଦେଶ୍।”
ଶେଠଜୀ ଏତକ କହି କମର ଉପର ଲୁଗାକୁ ଆଉରି ଭିଡ଼ରେ ବାନ୍ଧିଦେଲେ।