/  ଅନ୍‌ଲାଇନ୍ ଓଡ଼ିଆ
/  ପ୍ରଶ୍ନୋତ୍ତର
/  

Loading...

ବିଚିତ୍ର କମ୍ପ୍ୟୁଟର

ବିଚିତ୍ର କମ୍ପ୍ୟୁଟର

ବିଜୟ ବାବୁ ମନଧ୍ୟାନ ଦେଇ ଯନ୍ତ୍ରଟିକୁ ପରଖୁ ଥିଲେ। କେତେ ଦିନର ସାଧନା, କେତେ ତପସ୍ୟା- କେବଳ ଗୋଟିଏ କାରଣ ପାଇଁ। ତାଙ୍କର ପିତୃହନ୍ତା କିଏ? ଏହାର ସଠିକ୍‌ ଉତ୍ତର ପାଇବା ପାଇଁ ତାଙ୍କର ଗବେଷଣାର ଏହି ବିରାଟ ଯୋଜନା।

ତାଙ୍କ ମା’ ପ୍ରଭାମୟୀ ଦେବୀଙ୍କଠାରୁ ସେ ଶୁଣିଛନ୍ତି ଯେ, ସେମାନେ ଥିଲେ ବିରାଟ ଧନୀ ଲୋକ। ଦେଶ ବିଦେଶରେ ଚାଲିଥିଲା ସେମାନଙ୍କର ଅପାର ବ୍ୟବସାୟ। ତାଙ୍କ ପିତା ବୀରେନ୍ଦ୍ର ବାବୁଙ୍କ ବାଲ୍ୟବନ୍ଧୁ ସାଧୁଚରଣ ବାବୁ ଜଣେ ଦୁସ୍ଥ କର୍ମଚାରୀ ଭାବେ ସେତେବେଳେ ଯୋଗ ଦେଇଥିଲେ ସେହି ବିରାଟ ବ୍ୟବସାୟ ପ୍ରତିଷ୍ଠାନରେ। ବନ୍ଧୁର ବିଶ୍ବାସଭାଜନ ହୋଇ ଧୀରେ ଧୀରେ ତାଙ୍କ ପ୍ରତିପତ୍ତି ବଢ଼ିବାକୁ ଲାଗିଲା ଏବଂ କିଛି ନ ଥାଇ ବି ସେ ହେଲେ ବ୍ୟାବସାୟର ସହଯୋଗୀ। କ’ଣ ହେଲା କେଜାଣି- ବ୍ୟବସାୟ ଧୀରେ ଧୀରେ ମାନ୍ଦା ହେବାକୁ ଲାଗିଲା, ଆଉ ଦିନେ ଦୈବାତ୍‌ ଦେଖିଲା ବେଳକୁ ବୀରେନ୍ଦ୍ର ବାବୁଙ୍କୁ କରାଯାଇଛି ହତ୍ୟା। ସେତେବେଳେ ଅନେକ କିଛି ଘଟିଥିବାର ଶୁଣାଯାଏ-ପଇସାପତ୍ରର କାରବାର ମଧ୍ୟ। ପୋଲିସ୍‌ ଦୋଷୀକୁ ଧରିପାରେ ନାହିଁ। କିଛିଦିନ ପରେ ସାଧୁଚରଣ ବାବୁଙ୍କ ବ୍ୟବସାୟ ବଢ଼ିବାର ଦେଖାଯାଏ, ଆଉ ବିଜୟବାବୁ ଏବଂ ତାଙ୍କର ମା’ଙ୍କୁ ବ୍ୟବସାୟରୁ ଅଲଗା କରି ଦିଆଯାଏ। ସେତେବେଳକୁ ବିଜୟବାବୁଙ୍କ ପ୍ରାୟ ଦଶ ବର୍ଷ ବୟସ।

ତା’ପରେ ପ୍ରଭାମୟୀ ଦେବୀ ଦୁଃଖେ କଷ୍ଟେ ପୁଅକୁ ମଣିଷ କରିବାକୁ ଜୀବନ ସଂଗ୍ରାମ କରନ୍ତି। ତାଙ୍କର ଇଚ୍ଛାଥାଏ ପୁଅକୁ ପୋଲିସ୍‌ ଅଫିସର କରିବେ ନଚେତ୍‌ କରିବେ ଜଣେ ଓକିଲ, ଯେ କି ଭବିଷ୍ୟତରେ ବୀରେନ୍ଦ୍ର ବାବୁଙ୍କ ହତ୍ୟାକାରୀକୁ ଚିହ୍ନଟ କରିବ ଆଉ ନେବ ପ୍ରତିଶୋଧ। କିନ୍ତୁ ପୁଅର ପଦାର୍ଥ ବିଜ୍ଞାନ ପ୍ରତି ଆଗ୍ରହ ଦେଖି ତାଙ୍କ ମନରେ ଧକ୍କା ଆସେ।

ଆଜି ବିଜୟବାବୁ କମ୍ପ୍ୟୁଟର ବିଜ୍ଞାନର ଜଣେ ଦକ୍ଷ ଇଞ୍ଜିନିୟର। ନୂତନ ପଦ୍ଧତିରେ କମ୍ପ୍ୟୁଟର ଗଢ଼ିବା ହେଉଛି ତାଙ୍କ କାର୍ଯ୍ୟ। ତେଣୁ ପ୍ରଭାମୟୀ ଦେବୀ ନିରାଶ ହୁଅନ୍ତି ଯେ, ପୁଅ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ କାମକୁ ଆସିଲା ନାହିଁ। ବୀରେନ୍ଦ୍ର ବାବୁଙ୍କ ମୃତ୍ୟୁର ପନ୍ଦର ବର୍ଷରୁ ଊର୍ଦ୍ଧ୍ବ ବିତି ଯାଇଥିଲେ ମଧ୍ୟ ପ୍ରଭାମୟୀ ଦେବୀଙ୍କ ଏକମାତ୍ର ଆଗ୍ରହ ତାଙ୍କ ସ୍ବାମୀଙ୍କ ହତ୍ୟାକରୀକୁ ଧରିବା ପାଇଁ। ସେଥିପାଇଁ ବିଜୟ ବାବୁଙ୍କ ଆଜି ବିରାଟ ଯୋଜନା, କିନ୍ତୁ ତାଙ୍କ ମା ଏ ବିଷୟରେ ଅଜ୍ଞ। ସେ ତିଆରି କରିବାକୁ ଚେଷ୍ଟା କରୁଛନ୍ତି ଏପରି ଏକ ସମୟ ଯନ୍ତ୍ର ଯାହା ସାହାଯ୍ୟରେ ଅତୀତର ସବୁ ଜିନିଷର ସତ୍ୟାସତ୍ୟ ନିରୂପଣ କରାଯାଇ ପାରିବ।

ଏହି ବିଚିତ୍ର କମ୍ପ୍ୟୁଟର ଗଠନରେ ମାତି ବିଜୟବାବୁ ଖାଇବା ପିଇବା ମଧ୍ୟ ଭୁଲି ଯାଇଛନ୍ତି। ପୁଅର ଏପରି ପାଗଳପଣ ଦେଖି ପ୍ରଭାମୟୀ ଦେବୀଙ୍କ ମନରେ ଶଙ୍କା ହୁଏ। କିନ୍ତୁ ମା’ଙ୍କୁ ନିଜର ଉଦ୍ଦେଶ୍ୟ ବିଷୟରେ କିଛି ନ କହି ବିଜୟବାବୁ ଲାଗି ପଡ଼ିଥାନ୍ତି ନିଜର ଉଦ୍ଦେଶ୍ୟ ସାଧନ କରିବା ପାଇଁ।

ପଛ ଘଟଣାକୁ ଜାଣିବା ପାଇଁ ସୁଇଚ୍‌ ଟିପି ଯେଉଁଦିନ ବିଜୟବାବୁ କିଛିମାସ ତଳେ ଘଟି ଯାଇଥିବା ଘଟଣାଗୁଡ଼ିକ କମ୍ପ୍ୟୁଟରର ପର୍ଦ୍ଦା ଉପରେ ଦେଖିବାକୁ ପାଇଲେ, ତାଙ୍କର ଆଶା ହେଲା, ନିଶ୍ଚିତ ଭାବରେ ତାଙ୍କର ଗବେଷଣା ଠିକଣା ଦିଗରେ ଗତି କରୁଛି। ସେ ମାସକ ତଳେ କ’ଣ ସବୁ କରିଥିଲେ ସେସବୁକୁ ସ୍ପଷ୍ଟ ରୂପେ ଦର୍ଶାଇ ପାରୁଥିଲା ତାଙ୍କର କମ୍ପ୍ୟୁଟର। ଦୁଇ ମାସରୁ ଊର୍ଦ୍ଧ୍ବ ବିଷୟ ପର୍ଦ୍ଦାରେ ପଡ଼ିବା ସମୟରେ ଚିତ୍ରଗୁଡ଼ିକ ଅସ୍ପଷ୍ଟ ହୋଇ ଯାଇଥିଲା। ତେଣୁ ସମୟର ପଶ୍ଚାତ୍‌ ଗତିକୁ ଆହୁରି ସକ୍ରିୟ କରିବା ପାଇଁ ସେ ଜୋର୍‌ ସୋର୍‌ରେ ଲାଗି ପଡ଼ିଲେ।

ବିଭିନ୍ନ ବ୍ୟକ୍ତିବିଶେଷର ପ୍ରକୃତି, ସେମାନଙ୍କ ଅତୀତର କେତେକ ଘଟଣା, ଘଟଣା ଘଟିଥିବା ସ୍ଥାନମାନଙ୍କର ସୂଚନା ଓ ପରିଚିତ ତଥା ସମୟ-ଏ ସବୁର ଉପଯୁକ୍ତ ସମନ୍ବୟ କରି ପ୍ରୋଗ୍ରାମିଂ କଲେ ସେହି ବ୍ୟକ୍ତିବିଶେଷମାନଙ୍କର ସେହି ନିର୍ଦ୍ଦିଷ୍ଟ ଅତୀତ ସମୟରେ ଏବଂ ସେହି ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ଘଟିଥିବା ଘଟଣାର ବିବରଣୀ ମିଳିବା ସମ୍ଭବପର ଭାବି ବିଜୟବାବୁ ସେ ଦିଗରେ ଅଗ୍ରସର ହେଲେ। ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବିଷୟରେ ସୂଚନା ଦେଇ ସେ ଅନେକ ଜାଣିଥିବା ଘଟଣା ସ୍ଥାନ ଏବଂ ସମୟରେ ପରିସର ମଧ୍ୟରେ ଅତି ସ୍ପଷ୍ଟ ରୂପରେ ପର୍ଦ୍ଦାରେ ଦେଖି ପାରିଲେ। ତାଙ୍କ ନିଜର ଜନ୍ମ ସମୟରେ ପ୍ରଭାମୟୀ ଦେବୀଙ୍କ ପ୍ରସବ ଯନ୍ତ୍ରଣାଠୁ ଆରମ୍ଭ କରି ତାଙ୍କ ଛୋଟ ବେଳର ଅନେକ ଛୋଟବଡ଼ ଘଟଣା ପର୍ଦ୍ଦା ଉପରେ ସେ ସ୍ପଷ୍ଟ ଭାବରେ ଦେଖିବାକୁ ପାଇଲେ। ତେଣୁ ତାଙ୍କ ବାପାଙ୍କ ମୃତ୍ୟୁର ରହସ୍ୟ ଉଦ୍‌ଘାଟନ କରିବା ପାଇଁ ସେ ସେହି ସମୟର ବ୍ୟକ୍ତିବିଶେଷମାନଙ୍କର ତଥା ମୃତ୍ୟୁ ଘଟିଥିବା ସ୍ଥାନ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟିତ ହେଲେ।

ବୀରେନ୍ଦ୍ର ବାବୁଙ୍କ ସାଙ୍ଗସାଥୀଙ୍କ ବିଷୟରେ ବିଜୟ ବାବୁଙ୍କ ଆଗ୍ରହ ଦେଖି ପ୍ରଭାବୀତ ଦେବୀ ଆଶ୍ଚର୍ଯ୍ୟ ହେଲେ।

‘‘ତୋର କମ୍ପ୍ୟୁଟର ବିଜ୍ଞାନରେ ଏ ସବୁର ଟିକିନିଖି କ’ଣ ଦରକାର ବିଜୁ?’’ ପ୍ରଭାମୟୀ ଦେବୀ ପ୍ରଶ୍ନ କଲେ।

‘‘ସେ ବିଷୟରେ ପରେ ବୁଝି ପାରିବ ମା’। ଦେଖିବ ମୋର କମ୍ପ୍ୟୁଟର ଅତୀତ ଭବିଷ୍ୟତ ସବୁ ବିଷୟରେ ସୂଚନା ଦେଇ କିପରି ପୃଥିବୀରେ ଚହଳ ସୃଷ୍ଟି କରିବ।’’

ତା’ପରେ ପ୍ରଭାମୟୀ ଦେବୀ କହିଯାଇଛନ୍ତି ତାଙ୍କର ଆଦ୍ୟ ବୈବାହିକ ଜୀବନର ଅନେକ ଘଟଣା। ‘‘ଛି ପ୍ରଭା!’’ ବୀରେନ୍ଦ୍ର ବାବୁ ବୁଝେଇକି କହୁଥାନ୍ତି, ‘‘ସାଧୁଚରଣ ହେଉଛି ଜଣେ ଅଭାବୀ ଲୋକ-ହେଲେ ଭଲ ମଣିଷଟିଏ। ତା’କୁ ସାହାଯ୍ୟ କଲେ ମାହାଳିଆରେ ଯିବ ନାହିଁ।’’

‘‘ତୁମେ କାହାକୁ ସାହାଯ୍ୟ କଲେ ମୁଁ କାହିଁକି ମନା କରିବି?’’ ପ୍ରଭାମୟୀ ଦେବୀ କହନ୍ତି, ‘‘କିନ୍ତୁ ଜଣେ ନବପରିଚିତ ଲୋକକୁ ଏତେଟା ବିଶ୍ବାସ କରିବା ଆଦୌ ବୁଦ୍ଧିମାନର କାମ ନୁହେଁ।’’

‘‘ସାଧୁଚରଣର ସଚ୍ଚୋଟପଣିଆ ବିଷୟରେ ମୋର ତିଳେ ମାତ୍ର ସନ୍ଦେହ ନାହିଁ।’’ ସ୍ତ୍ରୀଙ୍କ ଅବିଶ୍ବାସକୁ ହସରେ ଉଡ଼େଇ ଦେଇ କହନ୍ତି ବୀରେନ୍ଦ୍ର ବାବୁ, ‘‘ତା ଉପରକୁ ସେ ଧୋକାବାଜ ମଧ୍ୟ ନୁହେଁ। ସର୍ବୋପରି ସେ ଚତୁର ଓ କର୍ମକୁଶଳ।’’

‘‘ଠିକ୍‌ ଶକୁନି ଭଳିଆ।’’

ପ୍ରଭାମୟୀ ଦେବୀଙ୍କ ଚେତାବନୀକୁ ବୀରେନ୍ଦ୍ର ବାବୁ ଖାତିରି କରନ୍ତି ନାହିଁ। ତାଙ୍କ ପରିବାର ତଥା ବ୍ୟବସାୟ ସହିତ ଅତି ଘନିଷ୍ଠ ହୋଇଯାନ୍ତି ସାଧୁଚରଣ ବାବୁ। ପ୍ରଭାମୟୀ ଦେବୀଙ୍କୁ ‘ଭାଉଜ’ ବୋଲି ସମ୍ବୋଧନ କରି ସାଧୁଚରଣ ବାବୁ ନିଜର ଆତ୍ମୀୟତା ପ୍ରକାଶ କରିବାକୁ ଚେଷ୍ଟା କରନ୍ତି। କିଛିଦିନ ଭିତରେ ସେମାନଙ୍କ ବ୍ୟବସାୟର ଅଭୂତପୂର୍ବ ଉନ୍ନତି ଦେଖି ବୀରେନ୍ଦ୍ର ବାବୁ ସ୍ତ୍ରୀଙ୍କ ସନ୍ଦେହକୁ ଥଟ୍ଟାରେ ଉଡ଼େଇ ଦିଅନ୍ତି। ଇତି ମଧ୍ୟରେ ସାଧୁଚରଣ ବାବୁଙ୍କ ସ୍ତ୍ରୀ ମନ୍ଦାକିନୀ ଦେବୀଙ୍କ ସୁଶୀଳ ପ୍ରକୃତି ପ୍ରଭାମୟୀ ଦେବୀଙ୍କ ମନକୁ କିଣି ନିଏ।

ଏହି ପାରିବାରିକ ଘନିଷ୍ଠତାର ସୁଯୋଗ ନେଇ ସାଧୁଚରଣ ବାବୁ ଅତି ନିକଟକୁ ଚାଲି ଆସିଲେ ବୀରେନ୍ଦ୍ର ବାବୁଙ୍କର। ବୀରେନ୍ଦ୍ର ବାବୁଙ୍କୁ ମଦ ଓ ନାଚ ଭିତରେ ବୁଡ଼େଇ ଦେଇ ସାଧୁଚରଣ ବାବୁ ନିଜେ ଧରିଲେ ବ୍ୟବସାୟର ଚାବିକାଠି। ତା’ପରେ ଧୀରେ ଧୀରେ ବ୍ୟବସାୟ ମାନ୍ଦା ହେବାକୁ ଲାଗିଲା। ଆଉ ହଠାତ୍‌ ଦିନେ ମଦ୍ୟପାନ କରୁଥିଲା ବେଳେ ମୃତ୍ୟୁ ଘଟିଲା ବୀରେନ୍ଦ୍ର ବାବୁଙ୍କର-ଆଉ ଗତ ପନ୍ଦର ବର୍ଷରୁ ଊର୍ଦ୍ଧ୍ବ ହେବ ଏହି ମୃତ୍ୟୁ ରହସ୍ୟାବୃତ ହୋଇ ରହିଲା।

ସେହି ସମୟରେ ବିଭିନ୍ନ କର୍ମଚାରୀମାନଙ୍କ ବିଷୟରେ, ସେମାନଙ୍କ ଗୁଣାବଳୀ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବରେ ନୋଟ୍‌ କଲେ ବିଜୟବାବୁ। ତା’ପରେ ପୂର୍ବାପର ଘଟଣା ସବୁକୁ ତାଙ୍କର ନୂତନ କମ୍ପ୍ୟୁଟରରେ ସଠିକ୍‌ ଭାବରେ ଲିପିବଦ୍ଧ କଲେ ବିଜୟବାବୁ। ବାକି ରହିଲା ଏସବୁ ଘଟଣାକୁ ଆଧାର କରି କମ୍ପ୍ୟୁଟର ସାହାଯ୍ୟରେ ବୀରେନ୍ଦ୍ର ବାବୁଙ୍କ ମୃତ୍ୟୁ ଦିନର ସଠିକ୍‌ ଘଟଣା ସଂଗ୍ରହ କରିବା।

କମ୍ପ୍ୟୁଟରକୁ ଠିକ୍‌ ଭାବରେ ସେଟ୍‌ କରି ଅତି ଆଗ୍ରହ ସହିତ ବିଜୟ ବାବୁ ସୁଇଚ୍‌ ଚିପିଲେ। ପାଖରେ ଅତି ଉଦ୍‌ବିଗ୍ନ ହୋଇ ବସିଥାନ୍ତି ପ୍ରଭାମୟୀ ଦେବୀ।

ସେଦିନ ଝିପି ଝିପି ବର୍ଷା ହେଉଥିଲା। ବୀରେନ୍ଦ୍ର ବାବୁ ସାମାନ୍ୟ ଅସୁସ୍ଥ ଥିବାରୁ ବୈଠକଖାନାରେ ବସିଥିଲେ-ପାଖରେ ଥିଲେ ପ୍ରଭାମୟୀ ଦେବୀ ଓ ବିଜୟ। ଛୋଟପିଲା ବିଜୟ ଖେଳନା ଖେଳିବାରେ ବ୍ୟସ୍ତ ଥିଲା। ଏପରି ସମୟରେ ଗେଷ୍ଟ ହାଉସ୍‌ରୁ ଡକରା ଆସିଲା ଶିଳ୍ପପତିଙ୍କୁ।

‘‘ନା-ଆଜି ମୁଁ ଯାଇ ପାରିବି ନାହିଁ। ମୁଁ ଏଇଠି ବିଶ୍ରାମ ନେବି।’’ ବୀରେନ୍ଦ୍ର ବାବୁ କହିଲେ।
‘‘ହଜୁର।’’ ସମ୍ବାଦବାହକ କହିଲା, ‘‘ମେନେଜର ବାବୁ ହେରିକା ସେଇଠି ଆପଣଙ୍କୁ ଅପେକ୍ଷା କରି ବସିଛନ୍ତି।’’
ଲୋକଟି ଚାଲିଗଲା। ତା’ର କିଛି ସମୟ ପରେ ପହଞ୍ଚିଲା ମେନେଜର ସାଧୁ ଚରଣବାବୁଙ୍କ ଜଣେ ଅନ୍ତରଙ୍ଗ କର୍ମଚାରୀ।

‘‘ସାର୍‌, ଆପଣଙ୍କୁ ଅପେକ୍ଷା କରି ସମସ୍ତେ ବସିଛନ୍ତି। ଆପଣ ନ ଗଲେ ସଙ୍ଗୀତ ଆସର ଆରମ୍ଭ ହେବ ନାହିଁ ବୋଲି ମେନେଜର ବାବୁ କହିଛନ୍ତି। ଆପଣ ଆସରଟା ଆରମ୍ଭ କରି ଚାଲି ଆସିବେ-ଖୁବ୍‌ ଶୀଘ୍ର।’’
‘‘ହଉ ତାହା ହେଲେ।’’ ବୀରେନ୍ଦ୍ର ବାବୁ ସୋଫାରୁ ଉଠୁଁ ଉଠୁଁ କହିଲେ, ‘‘ପ୍ରଭା, ମୁଁ ଚଞ୍ଚଳ ଚାଲି ଆସିବି।’’
ପ୍ରଭାମୟୀ ଦେବୀଙ୍କ ବାରଣ ସତ୍ତ୍ବେ ବୀରେନ୍ଦ୍ରବାବୁଙ୍କ ଗାଡ଼ି ଛୁଟିଲା ଗେଷ୍ଟ ହାଉସ୍‌ ଅଭିମୁଖେ।

ଗେଷ୍ଟ ହାଉସ୍‌ର ପ୍ରମୋଦ କକ୍ଷରେ ସୁରା ଓ ନର୍ତ୍ତକୀ ଆଗରୁ ପ୍ରସ୍ତୁତ। ସଙ୍ଗୀତ ଆସର ନାଁରେ ବୀରେନ୍ଦ୍ର ବାବୁଙ୍କୁ ଏକା ଆସିବା ହେଲା, କିନ୍ତୁ ଶିଳ୍ପପତିଙ୍କ ମନଖୁସି କରିବା ପାଇଁ ଆଉ ତାଙ୍କୁ ମାତାଲ କରିବା ପାଇଁ ସେ ଥିଲା ନିତିଦିନିଆ ଫନ୍ଦି। ବୀରେନ୍ଦ୍ର ବାବୁଙ୍କୁ ସେଦିନ ଭଲଲାଗୁ ନ ଥିବାରୁ ସେ ପ୍ରଥମେ ମଦ୍ୟପାନ କରିବା ପାଇଁ ବାରଣ କରିଥିଲେ, କିନ୍ତୁ ନର୍ତ୍ତକୀର କଟାକ୍ଷ ଆଉ ସାନୁନୟ ଅନୁରୋଧ ଧୀରେ ଧୀରେ ତାଙ୍କର ମନୋବଳ ଭାଙ୍ଗି ଦେଲା। ମଦ ପିଉ ପିଉ ବୀରେନ୍ଦ୍ର ବାବୁ ବେଶ୍‌ କିଛି ଉଦରସ୍ଥ କରି ପକାଇଲେ। ଏ ଆଡ଼େ ସ୍ବାମୀଙ୍କ ଆସିବାର ବିଳମ୍ବ ହେବାରୁ ପ୍ରଭାମୟୀବତୀ ଦେବୀ ଗେଷ୍ଟ ହାଉସ୍‌କୁ ଫୋନ୍‌ କରିଥିଲେ, କିନ୍ତୁ ସେତେବେଳେକୁ ସେ ମାତାଲ ହୋଇ ସ୍ତ୍ରୀଙ୍କ ଅନୁରୋଧକୁ ଟାଳି ଦେଇଥିଲେ।

ତା’ପରେ କ’ଣ ସବୁ ଘଟିଥିଲା ସେ ବିଷୟ ପ୍ରଭାମୟୀ ଦେବୀଙ୍କ ପାଇଁ ରହସ୍ୟାବୃତ ହୋଇଥିଲା।

କମ୍ପ୍ୟୁଟର ପର୍ଦ୍ଦା ଉପରେ ତାଙ୍କ ଅଗୋଚରରେ ଘଟିଥିବା ଘଟଣାଗୁଡ଼ିକ ଗୋଟିଏ ପରେ ଗୋଟିଏ ଉଦ୍‌ଭାସିତ ହେବାକୁ ଲାଗିଲା।

ନର୍ତ୍ତକୀ ସହିତ ବୀରେନ୍ଦ୍ରବାବୁଙ୍କ ସାନ୍ନିଧ୍ୟ ଏବଂ ପ୍ରେମାଭିନୟ ଦେଖି ପ୍ରଭାମୟୀ ଦେବୀଙ୍କୁ ଦୌଡ଼ିଯାଇ ତାଙ୍କୁ ସ୍ବାମୀଙ୍କୁ ବାରଣ କରିବାକୁ ଇଚ୍ଛା ହେଲା। ଏମିତି ହୋଇ ପ୍ରାୟ ମଧ୍ୟରାତ୍ର ହୋଇଗଲା। ସେତେବେଳେ କଳାମୁଖା ଲଗାଇ କିଏ ଜଣେ ଆସି ନର୍ତ୍ତକୀକୁ ଇସାରା ଦେଲା। ସେହି ମୁଖାଲଗା ମଣିଷକୁ ଚିହ୍ନିଁବା ପାଇଁ ପ୍ରଭାମୟୀ ଦେବୀ ଚେଷ୍ଟା କଲେ। ଉଚ୍ଚତାରେ, ଆକାରରେ ଏବଂ ଚାଲିବାର ଢଙ୍ଗରେ ସେ ସାଧୁଚରଣ ବାବୁଙ୍କ ଭଳିଆ ଜଣା ପଡ଼ୁଥିଲା। ତାହାହେଲେ ସାଧୁଚରଣ ବାବୁଙ୍କର ହାତ ଥିଲା ତାଙ୍କର ସ୍ବାମୀଙ୍କ ମୃତ୍ୟୁରେ? ମନେମନେ ଭାବିବାକୁ ଲାଗିଲେ ପ୍ରଭାମୟୀ ଦେବୀ।

କମ୍ପ୍ୟୁଟର ପର୍ଦ୍ଦା ଉପରେ ତାଙ୍କ ଅଗୋଚରରେ ଘଟିଥିବା ଘଟଣାଗୁଡ଼ିକ ଗୋଟିଏ ପରେ ଗୋଟିଏ ଉଦ୍‌ଭାସିତ ହେବାକୁ ଲାଗିଲା।

ତା’ପରେ ନର୍ତ୍ତକୀ ଆଉ ଥରେ ମଦ ଗ୍ଲାସ୍‌ ଧରାଇ ଦେଲା ବୀରେନ୍ଦ୍ର ବାବୁଙ୍କୁ। ଦୌଡ଼ିଯାଇ ମଦ ଗ୍ଲାସ୍‌କୁ ଫିଙ୍ଗି ଦେବାର ଇଚ୍ଛା ହେଲା ପ୍ରଭାମୟୀ ଦେବୀଙ୍କର। କିନ୍ତୁ ଯାହା ଘଟିଯାଇ ଥିଲା ତାହା ପୁନରାବୃତ୍ତି ହିଁ ହେଉଥିଲା କମ୍ପ୍ୟୁଟର ପର୍ଦ୍ଦାରେ। ଏଥର ମଦ୍ୟପାନ ପରେ ହଠାତ୍‌ ଗୋଟିଏ ଚିତ୍କାର କରି ତଳେ ପଡ଼ିଗଲେ ବୀରେନ୍ଦ୍ର ବାବୁ। ଆଉ ସେହି ନର୍ତ୍ତକୀ ଏବଂ କଳାମୁଖା ପିନ୍ଧା ଲୋକ ତରବରରେ ବାହାରିଗଲେ ସେଇଠୁ।

ତା’ପରେ କିଛି ସମୟ ବୀରେନ୍ଦ୍ର ବାବୁଙ୍କ ମୃତଦେହ ଦିଶିଲା ପର୍ଦ୍ଦା ଉପରେ ଏବଂ ବାକି ଯାହା ଘଟିଥିଲା ତାହା ପ୍ରଭାମୟୀ ଦେବୀ ଜାଣିଥିଲେ।

ପିତାଙ୍କର ମୃତ୍ୟୁପାଇଁ ଯେଉଁ କଳାମୁଖା ପିନ୍ଧା ମଣିଷ ଜଣକ ଦାୟୀ ତାକୁ ସଠିକ୍‌ ଭାବରେ ଜାଣି ନ ପାରି ବିଜୟବାବୁ ଚିନ୍ତାରେ ବୁଡ଼ି ରହିଲେ। ସେହି ନର୍ତ୍ତକୀ ଯେ ବର୍ତ୍ତମାନ ସାଧୁଚରଣ ବାବୁଙ୍କ ବ୍ୟବସାୟର ଜଣେ ବଡ଼ ଅଂଶୀଦାର-ଏହାର କାରଣ ବିଜୟବାବୁଙ୍କୁ ଅନେକ ଚିନ୍ତାରେ ବୁଡ଼େଇ ରଖିଲା।
‘‘ସାଧୁଚରଣବାବୁଙ୍କୁ ତାହା ହେଲେ ଧରିବାକୁ ହେବ। ସେ ହିଁ ପିତାଙ୍କ ମୃତ୍ୟୁ ପାଇଁ ଦାୟୀ।’’ ମା’ଙ୍କୁ ବିଜୟବାବୁ କହିବାକୁ ଲାଗିଲେ।

‘‘ତୋର ସନ୍ଦେହ ହୁଏତ ସତ।’’ ବୁଝେଇବାକୁ ଲାଗିଲେ ପ୍ରଭାମୟୀ ଦେବୀ, ‘‘କିନ୍ତୁ ସାଧୁଚରଣବାବୁଙ୍କ ସାମାଜିକ ପ୍ରତିଷ୍ଠା ଯେତିକି ଅଛି, ଅକାଟ୍ୟ ପ୍ରମାଣ ନ ପାଇଲେ ତାହା ସନ୍ଦେହରେ ହିଁ ରହିଯିବ। ତେଣୁ ନର୍ତ୍ତକୀ ମାନସୀ ଦେବୀଙ୍କ ଠାରୁ କେମିତି କରି ସତ ଘଟଣାକୁ ହାସଲ କରିବାକୁ ହେବ।’’

କିଛି ସମୟ ଚିନ୍ତା କରିବା ପରେ ବିଜୟବାବୁଙ୍କ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା। ମାନସୀ ଦେବୀଙ୍କ ସହିତ ତାଙ୍କ ସାମାଜିକ ସମ୍ବନ୍ଧ ଭଲ ଥିଲା। ତେଣୁ ତାଙ୍କୁ ରାତ୍ରଭୋଜନ ପାଇଁ ନିମନ୍ତ୍ରଣ କରି ତାଙ୍କ ସାମ୍‌ନାରେ ନାଟକର ଶେଷ ଦୃଶ୍ୟକୁ କମ୍ପ୍ୟୁଟର ପର୍ଦ୍ଦାରେ ଆଉ ଥରେ ଉଦ୍‌ଭାସିତ କରିବାର ଯୋଜନା କରାଗଲା।

ତା’ପରେ ଯୋଜନା ମୁତାବକ ମାନସୀ ଦେବୀ ସେମାନଙ୍କ ଘରକୁ ଆସିଲେ। ରାତ୍ରଭୋଜନ ପରେ ଅନେକ ଖୁସି ଗପ ହେଲା। ମାନସୀ ଦେବୀ ବିଜୟବାବୁଙ୍କ ନୂତନ ଉଦ୍ଭାବନ ପାଇଁ ତାଙ୍କୁ ବଧାଇ ଦେଲେ। ତା’ପରେ ସେହି କମ୍ପ୍ୟୁଟରର କରାମତି ଦେଖିବା ପାଇଁ ଆଗ୍ରହର ସହିତ ଡ୍ରଇଂ ରୁମ୍‌ରୁ ସୋଫାସେଟ୍‌ ଉପରେ ବସି ପଡ଼ିଲେ। ମାନସୀ ଦେବୀଙ୍କର ଅତି ପରିଚିତ ସେହି ସୋଫାସେଟ୍‌। ସେହି ସୋଫାସେଟ୍‌ ଉପରେ ହିଁ ସେହି ଦିନର ପ୍ରେମ ଅଭିନୟ କରାଯାଇଥିଲା। ଟିକିଏ ଶଙ୍କିଗଲେ, ମାନସୀ ଦେବୀ। କିନ୍ତୁ ନିଜର ମନର ଭାବନାକୁ ମନରେ ଦବେଇ ରଖି ସେ କମ୍ପ୍ୟୁଟର ପର୍ଦ୍ଦା ଆଡ଼କୁ ନିବିଷ୍ଟ ଚିତ୍ତରେ ଅନେଇ ରହିଲେ। ପର୍ଦ୍ଦାରେ ଯେଉଁ ଚିତ୍ରସବୁ ତାଙ୍କ ଆଖି ଆଗରେ ଭାସିଗଲା ତାହା ଦେଖି ସେ ଅସ୍ତ ବ୍ୟସ୍ତ ହୋଇ ପଡ଼ିଲେ। ଶୀତ ରାତିରେ ବି ତାଙ୍କ ମୁଣ୍ଡରୁ ଗମ୍‌ଗମ୍‌ ଝାଳ ବାହାରିବାକୁ ଲାଗିଲା। ସେଦିନର ଶେଷଦୃଶ୍ୟ-ଶେଷ ମଦ ଗ୍ଲାସ୍‌ ଦେବାର ଅଭିନୟ ପର୍ଦ୍ଦା ଉପରେ ଦେଖି ସେ ଶଙ୍କିତ ହୋଇ ପଡ଼ିଲେ। ତାହାହେଲେ ଏସବୁ ଘଟଣାର ଚଳଚ୍ଚିତ୍ର ଉଠେଇଛି କିଏ? ଭୟରେ ଉତ୍ତେଜିତ ହୋଇ ପଡ଼ିଲେ ମାନସୀ ଦେବୀ।

‘‘ମାଉସୀ, ଆପଣଙ୍କୁ ବ୍ୟସ୍ତ ଲଗୁଛି କି?’’ ବିଜୟବାବୁ ପ୍ରଶ୍ନ କଲେ, ‘‘ଏ ପର୍ଦ୍ଦାରେ ଯେଉଁ ଚିତ୍ରସବୁ ଦେଖାଗଲା ସେ ସବୁ ରେକର୍ଡ଼ିଂ କରି ସାଧୁଚରଣବାବୁ ସାଇତି ରଖିଥିଲେ। ଆପଣଙ୍କ ବ୍ୟବସାୟିକ ଉନ୍ନତିରେ ଈର୍ଷାନ୍ବିତ ହୋଇ ଆପଣଙ୍କ ଦୋଷ ପଦାରେ ପକାଇବା ଉଦ୍ଦେଶ୍ୟରେ ସେହି କେସେଟ୍‌ଟି ମୋତେ ସେ ନିଜେ ଆଗ୍ରହରେ ଆଜି ଦେଇଛନ୍ତି।’’

‘‘ସାଧୁଚରଣ ବାବୁ, ବଦମାସ୍‌।’’ ବାହାରି ପଡ଼ିଲା ମାନସୀ ଦେବୀଙ୍କ ମୁହଁରୁ, ‘‘ବୀରେନ୍ଦ୍ର ବାବୁଙ୍କ ମୃତ୍ୟୁ ପାଇଁ ସେ ହିଁ ଦାୟୀ। କଳାମୁଖା ପିନ୍ଧି ଉନ୍ମାଦନାକାରୀ ତରଳ ପଦାର୍ଥ ସେ ହିଁ ମୋତେ ଦେଇଥିଲା।’’
ଏହାକହି ନିସ୍ତେଜ ହୋଇ ସୋଫାସେଟ୍‌ରେ ପଡ଼ିଗଲେ ମାନସୀ ଦେବୀ।

ଏ ସବୁ ଘଟଣାର ରେକର୍ଡ଼ିଂ ସେହି କମ୍ପ୍ୟୁଟର ସ୍ବତଃ କରି ପକାଇଥିଲା।

ପୋଲିସ୍‌ ଇନିସ୍‌ପେକ୍ଟର ଏହି ସବୁ ଚାକ୍ଷୁଷ ପ୍ରମାଣ ଦେଖିଲା ପରେ ରାତି ବାରଟାରେ ସାଧୁଚରଣ ବାବୁଙ୍କ ବଙ୍ଗଳାରେ ପହଞ୍ଚି କବାଟ ଠକ୍‌ ଠକ୍‌ କଲେ। ରାତି ବାରଟାରେ ଜଣେ ଇନିସପେକ୍ଟରକୁ ନିଜ ଘରେ ଦେଖି କ୍ରୋଧରେ ଜଳି ଉଠିଲେ ସାଧୁଚରଣବାବୁ।

ଅନୁଚ୍ଚ ସ୍ବରରେ ଅତି ଭଦ୍ର ଭାବରେ ଏରେଷ୍ଟ ୱାରେଣ୍ଟ ଦେଖାଇ ପୋଲିସ୍‌ ଇନିସ୍‌ପେକ୍ଟର କହିଲେ, ‘‘You are under arrest’’.
‘‘କାରଣ?’’ ଗର୍ଜି ଉଠିଲେ ସାଧୁଚରଣବାବୁ।

‘‘ଦଫା ତିନିଶହ ଦୁଇ। ବୀରେନ୍ଦ୍ର ବାବୁଙ୍କ ହତ୍ୟାକାରୀ ଆପଣ।’’

ପୋର୍ଟିକୋରେ ଠିଆ ହୋଇଥିବା ଜିପ୍‌ରେ ନର୍ତ୍ତକୀ ମାନସୀ ଦେବୀଙ୍କୁ ଦେଖି ସାଧୁଚରଣବାବୁ ପ୍ରମାଦ ଗଣିଲେ।

ଧୀର ଗତିରେ ତାଙ୍କ ପାଦ ଦୁଇଟା ଆଗେଇ ଗଲା ଜିପ୍‌ ଆଡ଼କୁ।

RATING

11 VIEWS
0 COMMENT

Share To

ଅମୂଲ୍ୟକୃଷ୍ଣ ମିଶ୍ର

ଜଣେ ବିଶିଷ୍ଟ ଶିକ୍ଷାବୀତ୍‌ ଏବଂ ବିଜ୍ଞାନ ଶିକ୍ଷକ ସହିତ ସାହିତ୍ୟିକ ଭାବେ ଡ.ଅମୂଲ୍ୟ କୃଷ୍ଣ ମିଶ୍ର(୧୯୩୨-୨୦୦୧) ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ। ଏକାଧାରରେ ଜଣେ ନାଟ୍ୟକାର ଓ ଗାଳ୍ପିକ ଭାବେ ଶ୍ରୀ ମିଶ୍ର ଅନେକ କ୍ଷୁଦ୍ରଗଳ୍ପ ସହିତ ବିଜ୍ଞାନଭିତ୍ତିକ ଲେଖାମାନ ରଚନା କରିଥିଲେ। ତାଙ୍କ ରଚନାଗୁଡ଼ିକରେ ଥିବା ଚରିତ୍ରମାନଙ୍କରେ ପାଠକ ଏକ ଆତ୍ମୀୟତା ଭାବର ପରିଚୟ ପାଇଥାଏ। ତାଙ୍କ ରଚିତ ଓ ପ୍ରକାଶିତ ପୁସ୍ତକମଧ୍ୟରେ ‘ଜୟୀ ରାଜଗୁରୁ’ ଓ ‘ସାଲବେଗ’ ଆଦି ନାଟକ, ‘ମାୟାବିନୀ’, ‘ଝଡ଼ର ଶେଷ’ ଆଦି ଏକାଙ୍କିକା, ‘ମାଡାମ୍‌ କ୍ୟୁରୀ’ ଓ ‘ଅଲିଭା ଶିଖା’ ଜୀବନୀ ପୁସ୍ତକ ସହିତ ‘ବିବସ୍ତ୍ର ଭାନୁମତୀ’, ‘ଧର୍ମାବତାର’ ଆଦି ଗଳ୍ପ ସଙ୍କଳନ ଅନ୍ୟତମ।

କ୍ରମେ ସବିଶେଷ →
-: ଆଉ କେତୋଟି ଗଳ୍ପ :-
-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପୋରକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ →
ଶୀର୍ଷପୃଷ୍ଠା TOP