ବିସ୍ତୃତ ଏକ ପ୍ରାନ୍ତର ବକ୍ଷରେ କ୍ଷୁଦ୍ର ଜଳପୂର୍ଣ୍ଣ ସରୋବରଟିଏ। ଅନତିଦୂରରେ, ପଥ ପାର୍ଶ୍ବରେ ଗୋଟିଏ ଭଗ୍ନସ୍ତୂପାକୃତି ଦେବାଳୟ। ମୃତଗୌରବ ଦେବାଳୟର ଜୀବନ୍ତ ପ୍ରତୀକ ସ୍ବରୂପ ତାର ଜୀର୍ଣ୍ଣ ଚୂଡ଼ା ଭିତରୁ ଅଶ୍ବତ୍ଥ ବୃକ୍ଷଟିଏ ନିର୍ବିଘ୍ନରେ ବଢ଼ି ଉଠୁଚି।
ସରୋବର ବନ୍ଧର ଝଙ୍କରା ବଟମୂଳରେ ବସିଛନ୍ତି ଦୁଇଟି ପ୍ରାଣୀ-ଜଣେ ତରୁଣ, ଜଣେ ତରୁଣୀ। ତରୁଣ ବନ୍ଶୀ ଛାଡ଼ିଚି! ଆଖି ତାର ଜଳ ଅସ୍ତରଣ ଉପରେ ଲାଖି ରହିଚି। ପ୍ରାନ୍ତର ଶେଷରେ ଆରକ୍ତ ଚକ୍ରବାଳ ଉପରକୁ ତରୁଣୀ ଚାହିଁଛି ଶୂନ୍ୟ ଦୃଷ୍ଟିରେ। ପୌର୍ଣ୍ଣମାସୀ ସନ୍ଧ୍ୟା ଆସନ୍ନପ୍ରାୟ।
ଶାନ୍ତ ଉଦାର ପରିବେଶ। ବାୟୁମଣ୍ଡଳ ବିଚଳିତ କରି କେଉଁ ଦୂର ଅଜ୍ଞାତ ସ୍ଥାନରୁ ବଂଶୀ ବାଜିଲେ। ତରୁଣୀ ଦେହରେ ବିଜୁଳିଭଳି ଏକ ଶିହରଣ ଖେଳିଯାଏ।
ଆଗ୍ରହିତ ସ୍ବରରେ ସେ କହେ,
‘‘ଶୁଣୁଚ, ବଂଶୀ ବାଜୁଚି।’’
ତରୁଣ ନୀରବ।
କିଛିକାଳ ନୀରବରେ ବିତିଯାଏ।
ବଂଶୀସ୍ବନରେ ଆକୁଳତା ସଞ୍ଚରୁଚି।
ଆତୁର କଣ୍ଠରେ ତରୁଣୀ ପୁଣି କହେ,
‘‘ଶୁଣୁଚ, ବଂଶୀ ବାଜୁଚି?’’
ଜଳ ଆସ୍ତରଣ ଉପରେ ଦୃଷ୍ଟି ନିବଦ୍ଧ, ବିଶ୍ବାସଭରା କଣ୍ଠରେ ତରୁଣ କହେ,
‘‘ଦେଖୁଚ, ମାଛର କୌତୁହଳ କିପରି ବଢ଼ୁଚି। ବନ୍ଶୀର ଭେଦ ବୁଝିବା ପାଇଁ କଣ୍ଟାଟିକୁ ବାରମ୍ବାର ପରିକ୍ରମା କରୁଚି। ଉଗ୍ର କୌତୁହଳର ପ୍ରରୋଚନାରେ ଶେଷରେ କଣ୍ଟାଟିକୁ ଗିଳି ବସିବ।’’
କାହାକୁ ଯେପରି ବଂଶୀ ତୁହାଇ ତୁହାଇ ଡାକୁଚି। ସେ ଡାକରା ସ୍ଥାନ କାଳପାତ୍ରର ଅତୀତ। ତରୁଣୀ ଭାବବିହ୍ବଳ ହୋଇପଡ଼େ। ତାର ଶୂନ୍ୟଦୃଷ୍ଟି ଏକ ଅପୂର୍ବ ତନ୍ମୟତା ଭିତରେ ବୁଡ଼ିଯାଏ।
ତରୁଣ ମୁହଁରେ ଉତ୍କଣ୍ଠା ଝଲକି ଉଠିଚି।
‘‘ମାଛ ଏଥର କଣ୍ଟାଟିକୁ ନିଶ୍ଚୟ ଗିଳିବ। ଫେରିଯିବାର ଶକ୍ତି ଆଉ ତାର ନାଇଁ। କି ଏକ ଅମୋଘ ଆକର୍ଷଣରେ ସେ ଜଡ଼ିତ ହୋଇଯାଇଚି।’’
ଚନ୍ଦ୍ରାଲୋକର ମାୟା ଧୀରେ ଧୀରେ ଉନ୍ମୋଚିତ ହେଉଚି।
ଦେବାଳୟ ଚୂଡ଼ାର ଅଶ୍ବତ୍ଥ ଶାଖାରେ ନିଶାଚର ପକ୍ଷୀଟାଏ ରହି ରହି ଚିତ୍କାର କରୁଚି।
ସରୋବର ବକ୍ଷରେ ଚନ୍ଦ୍ରକିରଣ ଝଲମଲ ହେଉଚି।
ରଙ୍ଗମଞ୍ଚର ଆଲୋକ ଆପ୍ଳୁତ ନର୍ତ୍ତକୀ ଭଳି ବିଜନ କଇଁଟିଏ ସମ୍ଭ୍ରମରେ ପାଖୁଡ଼ା ମେଲୁଚି।
ତରୁଣ ବନ୍ଶୀ ଉଠାଇ ଆଣେ। ଶୁଭ୍ର ମାଛଟିଏ ଛଟପଟ ହେଉଚି ବନ୍ଶୀ ଅଗ୍ରରେ। କଣ୍ଟାଟି ତାର ଗଳଦେଶ ବିଦ୍ଧ କରିଚି।
ତରୁଣୀର ମୂର୍ଚ୍ଛିତ ଦେହ ତରୁଣ କୋଳରେ ଢଳିପଡ଼େ।