ଦେଖିଛ କି ମୋ ଓଡ଼ିଶା କୁ …?
ଶୁଭ୍ର ସୈକତ ବେଳା ରେଣୁ ଧୌତ ପୁଣ୍ୟତୋୟା ମୋ ଜନ୍ମଦାତ୍ରୀ ମାଆ କୁ ……
ଏଠି ରେଣୁ ରେ ଝରଇ ମମତା…
ଏଠି ରଶ୍ମିରେ ଝରଇ ତେଜ…
ଏଠି ସର୍ବତ୍ର ଝଂକୃତ ପ୍ରେମ…
ଏଠି ଅଣୁ ପ୍ରତିକୋଣେ ପ୍ରତିଧ୍ବନିତ ହୁଏ ମନୁଷ୍ୟ
ଜାତିପାଇଁ ସ୍ନେହ ଦୟା ଆଉ ଧର୍ମ …!

ଆସିଛ କି ମୋ ଓଡ଼ିଶା କୁ …?
ବନ ଉପବନ ଲତା ଜୀବଜନ୍ତୁ ଗୁମ୍ଫାରେ ଭରା
ମୋ ଉତ୍କଳ କୁ …
ଏଠି ପ୍ରତି ପାଦେ ଲେଖା ଇତିହାସ
ଏଠି ସର୍ଜ୍ଜନା ର ଅଛି ପରିଭାଷା
ଏଠି ଗୁମ୍ଫା ପଥର ରେ ଶିଳାଲେଖ
ଏଠି ଶିମିଳିପାଳ, ଗନ୍ଧମାର୍ଦନ, ଭିତରକନିକା ଓ ଚନ୍ଦକା, ଜୀବ ଜଗତର ରୁପରେଖ!

ଜାଣିଛ କି ମୋ ଓଡ଼ିଶା କୁ …?
ଜୀବନ ପ୍ରଣାଳୀ ଉଛବମୁଖର ଖୁସିର ଶାନ୍ତିର ଧରଣୀକୁ …
ଏଠି ସଇନୀକ ଜାଣେ ବୀର ଭାଷା
ଏଠି ସାଧବ ପୁଅ କରେ ବେଉଷା
ଏଠି ରାଜା ଆଉ ପ୍ରଜା ଜଗାଭକ୍ତ
ଏଠି ନିତି ଦିନ ହୁଏ ମେଳା ମଉଛବ, ଜୀବନଟା ଅଟେ ସ୍ନେହସିକ୍ତ …!

ଶୁଣିଛ କି ମୋ ଓଡ଼ିଶା କୁ …?
ତାର ଜୀବନ ସରଳ, ସମ୍ପର୍କ ନିବିଡ଼,
ବଳିଦାନ ଭରା କଳିଙ୍ଗକୁ
ଏଠି ଖଇରୀ ଖେଳଇ ଗାଁ ଗହଳେ
ଏଠି ଧରମକୁ ଚଣ୍ଡାଶୋକ ଆଦରେ
ଏଠି ବାଜୀ ରାଉତର ବୀର କଥା
ଏଠି କୋଣାରକର ପ୍ରତି ଶିଳାଲିପି ଗାଇଯାନ୍ତି ଧର୍ମପଦର ଅମର ଗାଥା …!

ବୁଝିଛ କି ମୋ ଓଡ଼ିଶା କୁ…?
ଶୈବ, ବୈଷ୍ଣବ ବୌଦ୍ଧଧର୍ମର, ତନ୍ତ୍ର ବୈଦିକ କର୍ମର ମୋର ପବିତ୍ର ଜନନୀକୁ …
ଏଠି କନ୍ଧ ବଣ୍ଡା ବୁଝେ ମାଟି କଥା
ଏଠି ଦୋହରା ବିରସା ଜାତିର ନେତା
ଏଠି ସୁଭଦ୍ରା ତଅପୋଇ ଅଲିଅଳି
ଏଠି ମୋ ଜଗା ଖୁଆଏ ନିତି ସମସ୍ତଙ୍କୁ ଆନନ୍ଦ ବଜାରେ ଷାଠିଏ ପଉଟି ଭୋଗଥାଳି…!