
* ମୁଁ ଓ ତୁମେ *
ମୁଁ ଯେ ପାହାନ୍ତି ପହର ଦୂର ଦିଗନ୍ତର
ମଉଳା ଚନ୍ଦ୍ରଲେଖା
ତମେ କାକର ପଖଳା ସୌମ୍ୟ ସକାଳ
ସୂର୍ଯ୍ୟ କିରଣ ମଖା ।୧।
ତମେ ସ୍ବପ୍ନ ବିଭୋର ପ୍ରଥମ ପ୍ରଣୟ
ଖିଆଲି ମନର ନିଶା
ମୁଁ ଯେ ଝରା ଶେଫାଳିର ଉଜୁଡ଼ା ଅତୀତ
ଦହନର ପରିଭାଷା
ତମେ ସମ୍ଭାବନାର ଆଲୋକଧାରା, ମୁଁ
ମୁଦ୍ରିତ ଦୀପଶିଖା…।୨।
ତମେ ପ୍ରୀତି-ପିଆଲାର ସଜ ଅନୁଭୂତି
ଜିଇଁବାର ମିଠା ଲୋଭ
ମୁଁ ଯେ ତଳ ବରଡ଼ାର ହାହାକାର ଭରା
ଅନ୍ତିମ ଅନୁଭବ
ତମେ ଫଗୁଣ ବନର ସବୁଜ ମାୟା, ମୁଁ
ଝରା ପତ୍ରର ଶାଖା…।୩।
* ଜୀବନ *
ଜୀବନକୁ ବେଳେବେଳେ ବୁଝି ହୁଏନା
ସବୁଥାଇ ବଞ୍ଚିବାକୁ ଇଚ୍ଛା ହୁଏନା ।୧।
ଆଖି ଥାଇ ବେଳେବେଳେ ସ୍ବପ୍ନ ମିଳେନା
ପାଦଥାଇ ଚାଲିବାକୁ ପଥ ମିଳେନା
ବେଳେବେଳେ ଦୁଃଖ ଆସେ ସହି ହୁଏନା
ମନକଥା କାହା ଆଗେ କହି ହୁଏନା
ଅଭିମାନ ଆସେ ମନେ ଅଭିଯୋଗ କରି ହୁଏନା…।୨।
ମନ ଖୋଜେ ମନପାଇଁ ଏମିତି ସାଥୀ
ବୁଝୁଥିବ ଦୁଃଖସୁଖ ସେନେହ ପ୍ରୀତି
ଜୀବନରେ ସାଥୀ ମିଳେ ପ୍ରୀତି ମିଳେନା
ସୁଖ ଟିକେ ଖୋଜୁ ଖୋଜୁ ମିଳେ ଯନ୍ତ୍ରଣା
ପ୍ରତିବାଦ ଆସେ ମନେ
ପ୍ରତିଶୋଧ ନେଇ ହୁଏନା…।୩।


ଆପଣଙ୍କ ଏଇ “ଜୀବନ” ଗୀତିପାଠରେ ଯେଉଁ ପରିପ୍ରକାଶ କରିଛନ୍ତି ତାହା ଅବର୍ଣ୍ଣନୀୟ। ଜୀବନର ଭାଷାକୁ ଆପଣ ପରିପ୍ରକାଶ କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ।
ଗୀତି କବିତା ଦୁଇଟି ଅତୀବ ମନଛୁଆଁ ହୋଇଛି। ସୁନ୍ଦର ଶବ୍ଦ ବିନ୍ୟାସ, ଭାବର ପ୍ରବାହ ପ୍ରାଞ୍ଜଜ ହୋଇ ସରସ କବିତା ହୋଇଛି।
Peasants Kumar Das, Saket,New Delhi, Delhi.