ସେଦିନ ଏକ ବାଳିକା ନଦୀ ପାଖକୁ ଯାଇ
କହିଲି ଅୟୀ ଇଚ୍ଛାବତୀ ବାଳିକା ନଈ।
ମୋ ଦେଖିବାରେ ତମ ଇଚ୍ଛାର ପଟ୍ଟାନ୍ତର ନାହିଁ
କେବେ ଶାନ୍ତ ନୀରା, କେବେ କାନ୍ତ ତାରା ଓ ପୂର୍ଣ୍ଣଗର୍ଭା
କେବେ ଖରସ୍ରୋତା ଓ ପୁଣି କେବେ ଶୁଷ୍କ ଗର୍ଭା
ଅୟୀ ଇଚ୍ଛାମୟୀ-ପ୍ରୀତିଗନ୍ଧା ବାଳିକା ନଈ।

ତମେ ଅନୁପମା, ତମର ଉପା ଓ ଉପମେୟ ନାହିଁ
ତମେ ମୋ ବୁକୁରେ ମିଶିଯାଅ, ବହିଯାଅ ଆଜିଠୁ
ଆଉ ହଜି ଯାଅ କବିତାର ଉତ୍ତାଳ ସ୍ରୋତରେ
ଯେଭଳି ସ୍ରୋତସ୍ବତୀ ମିଶିଯାଏ ନୀଳ ସମୁଦ୍ରରେ
ଯେଭଳି ପ୍ରଭାତୀ ତାରା ହଜିଯାଏ ଉଦୟ ରଶ୍ମୀରେ
ତମେ ପାଲଟି ଯାଅ କାବ୍ୟ, ମାନସୀ ଏ କବି ପାଇଁ
କିଏ କାହାକୁ ଛାଡି ବଞ୍ଚିପାରେ ତମେ କବି
ଯାଣି ନାହିଁ ଏଇ କଥା-
ବିନାଶ୍ରୟେ ନ ବର୍ତ୍ତନ୍ତି କବିତା ବନିତା ଲତା
ଚତୁରିକା ବାଳିକା ନଦୀଟି ଇଷି ହସି କିନ୍ତୁ ସର୍ପଟିଏ
ବାଢିଥିଲା-ପ୍ରୀୟ କବି ଏଥିରେ ଆପତ୍ତି ନାହିଁ
ହେଲେ ଛୋଟ ଏକ ସର୍ତ୍ତଟିଏ ରଖିବାକୁ ହେବ
ସର୍ବକାଳୀନ କାବ୍ୟ ପ୍ରବାହକୁ ଅପ୍ରତିହତ ରଖିବା ପାଇଁ।

ସବୁ ଋତୁରେ ମୋତେ ତମେ ଋତୁପର୍ଣ୍ଣା
ଓ ଚିରସ୍ରୋତା ରଖିପାରିବ କି ନାଁ, ମୁଁ ସନ୍ଦେହୀ
ଯଦି ସମର୍ଥ ତେବେ କଥା ଦିଅ ମୁଁ ରାଜି ମୋ ପାଇଁ
ଏଭଳି ଅସମ୍ଭବ ସର୍ତ୍ତ ସାକାର କରିବାର ନୁହଁ ଯେଣୁ
ଧନ୍ୟବାଦ ଅୟୀ ଚତୁରିକା ବାଳିକା ନଦୀ କହି
ମୁଁ ବିମୁଖ ହୋଇ ମୋ ବାଟରେ ଆଗେଇ ଆସିଲି ଏଣୁ
କିଛିବାଟ ଆଗେଇ ଆସିଲାବେଳେ ମୋ ଆଖିରେ

ପଡିଲା ପୁରାଣ ବିଦିତ, ପୁଷ୍ପାଛାଦିତ ଏକ କଦମ୍ବ ବୃକ୍ଷ
ଭାବିଲି ବାଳିକା ନଦୀ ସିନା ସର୍ତ୍ତ ବାଢିଲା
ଏଥର କଦମ୍ବ ଗଛକୁ ଆପଣେଇବାର ପ୍ରୟାସ କରାଯାଉ
ଓ କହିଲି ତମେ ଯମୁନା ତଟ, ନଟନାଗର ଷୋଳ ସହସ୍ର
ଗୋପନାରୀଙ୍କୁ ପ୍ରଣୟ ଚେତନାରେ ସତତଃ ଉଦ୍‌ବେଳିତ
କରି ଆସିଛି ହେ ବରେଣୀ କଦମ୍ବ ବୃକ୍ଷ।

ତମକୁ ନେଇ ମୁଖର ହୋଇ ଉଠିଛନ୍ତି ବହୁରସ ବିଦୃଧ
ପ୍ରଣୟ କବି ରସୀକତା ଓ ସୌଦର୍ଯ୍ୟ ଭରା କାବ୍ୟ କୃତୀରେ
ତମ ପାଖରେ ମୁଁ ଆଜି ନତଜାନୁ, ଯଦିପାର
ବିଦଗ୍ଧ କାବ୍ୟ ଚେତନାର ଚଉବର୍ଗ କିଛି ଏ ଶୁନ୍ୟ ହାତରେ
ଭରି ଦିଅ ମୁଁ ଅନୁଋଣୀ ରହିବି ଜନ୍ମ ଜନ୍ମାନ୍ତରରେ
କଦମ୍ବ ଗଛ କହିଲା ଦିଆନିଆ ହେଉଛି ସୃଷ୍ଟିର ରୀତୀ
ତମର ଅଭିଳାଷା ସାକାର କରିବାରେ ଆପତ୍ତି ନାହିଁ ମୋର
କିନ୍ତୁ ଗୋଟିଏ ପ୍ରତ୍ୟାଶା ମୋ ପାଇଁ ନୁହେଁ; ଧରା ପାଇଁ
କଥା ଦିଅ ଗିରି ଶୃଙ୍ଗରେ ବିରଚିତ ମୋର ଘର ସଂଚାର ସବୁ କାଳ ପାଇଁ
ପ୍ରଶମିତ କରୁଥିବା ସବୁ ପ୍ରୋଷିତ ଉର୍ତ୍ତୁକା ନାୟୀକାଙ୍କ
-ଉଚ୍ଚାଟିତ ଶୀତଳ ଦହନ
ସେଇଥିଲେ ମୁଁ ଭାବିବି ପ୍ରତିଦାନେ ମୁଁ ପାଇଲି ଅମୂଲ୍ୟ ରତନ।

ଏଥର କିଂକର୍ତ୍ତବ୍ୟ ବିମୂଢ ହୋଇ ସାଧୁବାଦ ଜଣାଇ
କଦମ୍ବ ବୃକ୍ଷ ଠାରୁ ବଦାୟ ନେଲାବେଳେ କହିବି କହିବିନାହିଁ
ଅନେକ ହଁ ଓ ନାହିଁକି ନିତି କହିଥିଲି
“କବିତା ବନିତା ଲତା” କାହାଠାରୁ ବିଦଗ୍ଧ କବିର
-କିଛି ପାଇବାର ନାହିଁ
କବିତା ଭିତରୁ ଆସେ: ବାହାରର ଆଶ୍ରୟର ପ୍ରୟୋଜନ ନାହିଁ।