ସକାଳ ପାହିଲେ
ଏହି ଝରକା ମୋତେ ଦେଖାଏ
ଖଣ୍ଡିଏ ନେଳିଆ ଆକାଶ
ଯେଉଁଠି ସୁରୁଜ ଉଡୁଥାଏ
ନାଲି ନାଲି ଡେଣା ଝାଡ଼ି ଝାଡ଼ି
ଆଉ ଦେଖାଏ
କିଚିରି ମିଚିରି ଗୀତ ଗାଇ ଗାଇ
ଏ ଡାଳରୁ ସେ ଡାଳକୁ ଡ଼େଉଁଥିବା
ଚଢେଇମାନଙ୍କୁ, ଯେଉଁମାନେ
ଶିକ୍ଷା ଦିଅନ୍ତି
ସ୍ୱାଧୀନତା ହିଁ ଶାନ୍ତିର ପ୍ରତିଶବ୍ଦ।
ଏ ଝରକା ଲେଖିଛି
ଅନେକ ପ୍ରେମ କାହାଣୀ।
ଭାବ ଦିଆନିଆ, ହାତ ଠରାଠରିରୁ
ଆରମ୍ଭକରି ଆତ୍ମାକୁ ଆତ୍ମାରେ ମିଳନ
କରେଇବା ପର୍ଯ୍ୟନ୍ତ
ସବୁ କାହାଣୀର ପାଣ୍ଡୁଲିପି
ଏ ଝରକା ଲେଖିଛି।
ଝରକାରାଣୀରୁ ଘରଣୀ
ହେବା ପର୍ଯ୍ୟନ୍ତ,
ଝରକା ହିଁ ମୁକସାକ୍ଷୀ।
ଥରେ ଭାବିଲ ଦେଖି
ଝରକା ନ ଥିବା ଗୋଟିଏ ଘରକଥା
ଯେଉଁଠି ପବନର ଗଳାଚିପି
ହତ୍ୟାକରେ ଘରର ଚାରିକାନ୍ଥ,
ସତେ ଯେମିତି
ସମ୍ବିଧାନ ବିହୀନ ଦେଶଟିଏ
ଯେଉଁଠି ଜୟ ହୁଏ ଅଧର୍ମର
ଗର୍ବରେ ମୁଣ୍ଡଟେକି ଚାଲନ୍ତି
ଚୋର, ଡକାୟତ, ବଲାତ୍କାରୀ
ଏବଂ ହତ୍ୟାକାରୀମାନେ।
ସମୟ ସାଥିରେ ତାଳଦେଇ
ପରିବର୍ତ୍ତନଶୀଳ ଏ ଝରକା।
କାଠ କଣ୍ଟାର ବନ୍ଧନରୁ ମୁକ୍ତହୋଇ
କାଚ ଏବଂ ଆଲୁମିନିୟମ ଫ୍ରେମ
ଭିତରେ ଆବଦ୍ଧ ଏ ଝରକା କରିଛି
ସଫଳତା ଭିତରେ ପରିବର୍ତନ
ଏବଂ ପରିବର୍ତନ ଭିତରେ
ସଫଳତାର ମୂଲ୍ୟାଙ୍କନ।
ଅସ୍ତବ୍ୟସ୍ତ ଜୀବନ ଭିତରେ
ହଜିଯାଇଥିବା ପ୍ରାଣ ଟିକକ
ସତେ ଯେମିତି ଆବିଷ୍କାର କରେ
ଏକ ନୂତନ ପୃଥିବୀ,
ଯେତେବେଳେ ପଶିଆସେ
ତୁହାକୁ ତୁହା କୋହଲା ପବନ
ଝରକାର ଫାଙ୍କଦେଇ।
ପରାଧିନତା ଭିତରେ ସ୍ୱାଧୀନତାର
ଦୈର୍ଘ୍ୟ ପ୍ରସ୍ଥ ଆକାର ପ୍ରକାର
ତୁଳନା କଲାପରେ ଇଛାହୁଏ
ଉଡିଯିବାକୁ ପକ୍ଷୀଟିଏ ହୋଇ
ଡେଣା ଝାଡ଼ି ଝାଡ଼ି ଗୀତ ଗାଇ ଗାଇ।