ବିଶାଳ ଘଞ୍ଚ ବଣ। ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ। ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ। ବିଶ୍ବ ବନ ଦିବସରେ ପାଖ ସହରରେ ସଭାଟିଏ ହେଲା। ମନ୍ତ୍ରୀ ଆସିଥିଲେ। ତେଣୁ ସହରର ବହୁ ବରିଷ୍ଠ ସରକାରୀ କର୍ମଚାରୀ ମଧ୍ୟ ସନ୍ଧ୍ୟାରେ ଅନ୍ୟାନ୍ୟ କାର୍ଯ୍ୟ ଛାଡ଼ି ସେ ସଭାରେ ଉପସ୍ଥିତ ଥିଲେ। ଢେର ଭାଷଣ ହେଲା। ଶେଷକୁ ମନ୍ତ୍ରୀ କହିବାକୁ ଉଠିଲେ। ଜଙ୍ଗଲର ସଂରକ୍ଷଣର ଆବଶ୍ୟକତା ଉପରେ ଲମ୍ବା ଭାଷଣ ଦଉ ଦଉ ସେ କହି ପକାଇଲେ ମୁଁ ଶୁଣିଛି, ଏ ବଣ ଭିତରେ ଜଣେ ସିଦ୍ଧିଯୋଗୀ ଅଛନ୍ତି। ତାଙ୍କ ମନ୍ତ୍ର ବଳରେ ଯଦି ବାଘ ଆସି ବଣରୁ କାଠ କାଟୁଥିବା ଆଉ ଚୋରାଚାଲାଣ କରୁଥିବା ଲୋକମାନଙ୍କୁ ଖାଇଯାନ୍ତା ତାହେଲେ ବୋଧେ ଏ ଜଙ୍ଗଲଟି ରକ୍ଷା ପାଇଯାନ୍ତା। ଉପସ୍ଥିତ ଲୋକେ ଯେଉଁମାନଙ୍କ ମଧ୍ୟରେ ସରକାରୀ ଅମଲା ହିଁ ଅଧିକ ଥିଲେ, ମନ୍ତ୍ରୀଙ୍କ ଏମନ୍ତ ଲଘୁ ଓ ତରଳ କଥାରେ ହୋ ହୋ ହୋଇ ହସି ଉଠିଲେ।
ସେଇ ଯେଉଁ କହନ୍ତିନି, ବେଳେ ବେଳେ ମଣିଷ କଣ୍ଠରେ ବ୍ରହ୍ମା ଆସି ବସି ଯାଆନ୍ତି, ଆଉ ସେତେବେଳେ ମଣିଷ ଯାହା କହେ ତା ସତ ହୋଇଯାଏ- ଠିକ୍ ସେଇ ଘଟଣାଟି ଘଟିଲା। ମନ୍ତ୍ରୀଙ୍କ କଥା କେମିତି କେଜାଣି ସିଦ୍ଧ ଯୋଗୀଙ୍କ କାନରେ ପଡ଼ିଗଲା ଆଉ ସେ ମନ୍ତ୍ରୀଙ୍କ କଥା ଅନୁସାରେ କାର୍ଯ୍ୟ କରିଦେଲେ।
ପରଦିନ ସହରରେ ହୁଲସ୍ତୁଲ! ସବୁଠିଁ ଗୋଟିଏ ଖବର-ମନ୍ତ୍ରୀଙ୍କୁ ବାଘ ଖାଇଯାଇଛି।