ସଦାନନ୍ଦ ତ୍ରିପାଠୀ
ଗଞ୍ଜାମ ଜିଲ୍ଲାର ଶେରଗଡ଼ ନିକଟସ୍ଥ କୃପାସିନ୍ଧୁପୁର ଶାସନଠାରେ, ୧୯୫୬ରେ ଜନ୍ମିତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ନିଜର ଯୁକ୍ତିସିଦ୍ଧ ଓ ବ୍ୟଙ୍ଗାତ୍ମକ ଶୈଳୀର ଗଳ୍ପ ରଚନା ପାଇଁ ଜଣାଶୁଣା। ତାଙ୍କର ଗଳ୍ପରେ କଳାତ୍ମକ ସୃଜନୀଶକ୍ତି ସାଙ୍ଗକୁ ସୂକ୍ଷ୍ମ ଅବବୋଧ ପାଇଁ ହିଁ ସେ ପାଠକମାନଙ୍କର ପ୍ରିୟ।
ତାଙ୍କର କୃତିଗୁଡ଼ିକ ମଧ୍ୟରେ, ‘ଅନ୍ୟଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ’, ‘ରଙ୍ଗନାଥ ଘଡ଼େଇ’, ‘ଯେଝା ବାଟରେ ଯିଏ’, ‘ବନ୍ୟା ଓ ଅନ୍ୟାନ୍ୟ’, ‘ନିଜ ନିଜ ନିୟମ’, ‘ଅପ୍ରିୟ ମଣିଷ ଓ ଅନ୍ୟାନ୍ୟ ଚରିତ୍ର’, ‘ସବୁ କିଛି ପୂର୍ବ ନିର୍ଦ୍ଧାରିତ’, ‘କାବେରୀ ଦେବୀଙ୍କ ସ୍ବାମୀ ଓ ଅନ୍ୟମାନେ’, ‘ସତୀ’, ‘ପ୍ରେମଶୀଳାର ମୀନ ରାଶି’, ‘ଅର୍ଦ୍ଧାଙ୍ଗିନୀ’, ‘କବିର ସମୟ’, ‘ନାଚାର ଷୋଡ଼ଶୀ’ ଆଦି ଉଲ୍ଲେଖନୀୟ। ଦୁଇଟି ଉପନ୍ୟାସ ମଧ୍ୟ ରଚନା କରିଥିବା ଶ୍ରୀ ତ୍ରିପାଠୀଙ୍କର ରଚନା ହିନ୍ଦୀ, ଇଂଲିଶ୍, ତେଲୁଗୁ ଓ ସିନ୍ଧି ଭାଷାରେ ଅନୁଦିତ ଓ ପ୍ରକାଶିତ।
ଦୁଇଟି ପ୍ରବନ୍ଧ ସଂକଳନ ଏବଂ ‘ଶ୍ରେଷ୍ଠ ଗଳ୍ପ’ ସଂକଳନର ସମ୍ପାଦନା କରିବା ସହିତ ହାସ୍ୟବ୍ୟଙ୍ଗ ପତ୍ରିକା ‘ହରିବୋଲ’ର ସମ୍ପାଦନା ସହ ସେ ଜଡ଼ିତ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଭୁବନେଶ୍ବର ପୁସ୍ତକ ମେଳା ପୁରସ୍କାର, ଚନ୍ଦ୍ରଭାଗା ଗଳ୍ପ ସମ୍ମାନ, ପ୍ରଜାତନ୍ତ୍ର ଓ ଝଙ୍କାର ଗଳ୍ପ ପୁରସ୍କାର, ଅଖିଳ ମୋହନ କଥା ସମ୍ମାନ, ସୁରେନ୍ଦ୍ର ମହାନ୍ତି ସ୍ମୃତି ପୁରସ୍କାର, ଉତ୍କଳ ଯୁବଲେଖକ ପରିଷଦ ସମ୍ମାନ, ତୀରତରଙ୍ଗ ଗଳ୍ପ ପୁରସ୍କାର, ଗୋକର୍ଣ୍ଣିକା ଗଳ୍ପ ପୁରସ୍କାର, ସୁବ୍ରତ ସ୍ମାରକୀ ପୁରସ୍କାର, ଧ୍ବନିପ୍ରତିଧ୍ବନି ଗଳ୍ପ ପୁରସ୍କାର ଆଦି ଅନେକ ସମ୍ମାନରେ ସମ୍ବର୍ଦ୍ଧିତ ଏହି ଗାଳ୍ପିକ।
ଛାତ୍ର ଜୀବନରେ ଜଣେ ଅଗ୍ରଣୀ ଛାତ୍ରନେତା ତଥା ସୁବକ୍ତା ଭାବେ ଚର୍ଚ୍ଚିତ ଶ୍ରୀ ତ୍ରିପାଠୀ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ସହିତ ଆଇନରେ ଡିଗ୍ରୀ ହାସଲ ପରେ କିଛି ଦିନ ଶିକ୍ଷକତା ଏବଂ ପରେ ୧୯୮ ୨ଠାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ରେ କାର୍ଯ୍ୟକରି ଅବସର ନେଇ ସାହିତ୍ୟ ସର୍ଜନା ଜାରି ରଖିଛନ୍ତି।