
ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ!
ଶୟତାନ ପାଇଁ ସ୍ତୁତିଗାନ କର ବନ୍ଦ
ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ
ପ୍ରତିବାଦ ସିନା ମୁକ୍ତିର ମଧୁଛନ୍ଦ॥
ଅତ୍ୟାଚାରକୁ ସହିବାର ନାମ ମୃତ୍ୟୁ
ଅନ୍ୟାୟ-ପଦ ବନ୍ଦନା କରେ ମୂର୍ଖ
ମୁକ୍ତିର ପଥେ ପ୍ରତିବାଦ ଚିର ସତ୍ୟ
ଭୀରୁ ମରେ ନୀତି ନ କରି ଯୁକ୍ତି-ତର୍କ॥
ଦୁର୍ବଳ ସହେ ଆତ୍ମାର ଅପମାନ
ନପୁଂସକର ମୁଖେ ଝୁଲୁଥାଏ ଚାବି
କାପୁରୁଷ କରେ କ୍ଷମତାର ଜୟଗାନ
ମୁକ୍ତି ଖୋଜଇ ପାଷାଣ୍ଡ-ପଦ ସେବି॥
ପ୍ରତିବାଦ କରି ଜାଣେନାହିଁ ଯେଉଁ ବ୍ୟକ୍ତି
ଆଖି ବୁଜି ଯିଏ ମିଥ୍ୟାକୁ କହେ ସତ୍ୟ
ସେ କାହୁଁ ଜାଣିବ ଆଲୋକର ମହାଶକ୍ତି
ହୀନ-ସ୍ୱାର୍ଥର ସେ’ତ ପଦସେବୀ ଭୃତ୍ୟ॥
ପ୍ରତିବାଦ ଏକ ଲୋହିତ ଅଗ୍ନିଶିଖା
ଅତ୍ୟାଚାରୀର ଦୁର୍ଗକୁ ପାରେ ଜାଳି
ଅନ୍ଧାରେ ଟାଣେ ମୁକ୍ତି-ଆଲୋକ ରେଖା
ଭଗ୍ନ ହୃଦୟେ ବଜାଏ ବଜ୍ର-ତାଳି॥
ଦଳିତ-ମଥିତ-ଅତ୍ୟାଚାରିତ ଯେତେ
ଭାଗ୍ୟ ଆଦରି ନୀରବେ ରହିଛ ଶୋଇ
ଝରୁଅଛି ନିତି ବିଶ୍ୱର ପଥେ ପଥେ
ପ୍ରତିବାଦ-ସ୍ୱର କଣ୍ଠେ କି ଫୁଟେନାହିଁ??
ରକ୍ତ-ଚାବୁକେ ଖାଉଚ ଶକ୍ତ ମାଡ଼
ଶକ୍ତି ନାହିଁକି ଖୋଲିବାକୁ ଟିକେ ପାଟି?
ନୁହେଁ ନୁହେଁ ଏ’ତ ଜୀବନ ମୁକ୍ତିପଥ
ଏ ଯେ ମରଣର ଦୁର୍ଗମ ଗିରିଘାଟି॥
ତୁମେକି ଜାଣିନ ବୀରର ମୃତ୍ୟୁ ନାହିଁ
ଦୁର୍ବଳ ନିତି ମରଇ ଲକ୍ଷେ ଥର
ଭୀରୁର ଜୀବନେ-ମରଣେ ତଫାତ୍ କାହିଁ?
ଜୀଇବା ମରିବା ସବୁ ତାର ଏକାକାର॥
ସ୍ତୁତିଗାନେ କେବେ ଫିଟେନି ମୁକ୍ତିବାଟ
ନୀରବେ ସହିବା ଆତ୍ମଘାତୀର ନୀତି
ଅନ୍ଧରାଜାର ଦରବାରେ ଯେତେ ଭାଟ
ଜାଣିରଖ କେବେ ଚାଟୁରେ ପାହେନା ରାତି॥
ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ!
ଅନ୍ୟାୟ ଆଗେ ଶାଣିତ ଖଡ଼୍ଗ ତୋଳ
ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ
ଗଣସଂଗ୍ରାମେ ପ୍ରାଣ ହେଉ ଉଦ୍ବେଳ॥