କମଳ ଲୋଚନ ଶ୍ରୀହରି। କରେଣ ଶଙ୍ଖ ଚକ୍ର ଧାରୀ॥
ଖଗ ଆସନେ ଖଗପତି। ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ॥

ଗରୁଡ଼ ଆସନେ ମୁରାରି। ଗୋପରେ ରଖିଲେ ବାଛୁରୀ॥
ଘନ କଠିନ କଳେବର। ଘଟଣ ଶ୍ରୀମୁଖ ସୁନ୍ଦର॥

ନନ୍ଦନନ୍ଦନ ଗୋପୀନାଥ। ନିସ୍ତରିଯିବ ନରେ ଚିନ୍ତ॥
ଚନ୍ଦ୍ରମା ପ୍ରାୟେକ ବଦନ। ଚାହିଁଲେ ଖଣ୍ଡେ ଦୁଃଖମାନ॥

ଛତ୍ରୀ ଉତ୍ତମ ଶିରୋମଣି। ଛଟକେ ଆଣିଲେ ରୁକ୍ମିଣୀ॥
ଜଗଜ୍ଜୀବନ ଦାଶରଥି। ଜାନକୀ ଦେବୀ ପ୍ରାଣପତି॥

ଝୀନ ପତନୀ ଅଙ୍ଗେଶୋଭା। ଝଟକେ ବିଦ୍ୟୁ ପ୍ରାୟେ ଆଭା॥
ନୀଳେନ୍ଦ୍ରୀ ଜଳେ ପଦ୍ମ ଆଖି। ନିସ୍ତରିଯିବା ନରେ ଦେଖି॥

ଟେକିଲେ ଦୂବ କରେ ଦାରୁ। ଟାଣପଣରେ ଭାଙ୍ଗେ ମେରୁ॥
ଠଣ ସୁନ୍ଦର ଶିରୋମଣି। ଠିକେ କମଳା ଯାର ରାଣୀ॥

ଡମ୍ବରୁଧର ଯାକୁ ସେବା। ଡରେ ଖଟନ୍ତି ସର୍ବ ଦେବା॥
ଢମ ଯେ କଲା ରାୟେ କଂସ। ଢାଳେ ଅସୁର ଗଲା ନାଶ॥

ଅନନ୍ତ ନାମେ ଅନ୍ତ ନାହିଁ। ଅଣ ଅକ୍ଷରେ ଯାର ଦେହୀ॥
ତପନ କୁଳେ ଅବତରି। ତରିଲେ ଗଉତମ ନାରୀ॥

ଥବିର ପଣେ ମାୟାଗତି। ଥୟ ନ ଜାଣେ ବେଦପତି ॥
ଦରିଦ୍ର ଦାମୋଦର ମିତ୍ର। ଦଣ୍ଡକେ ଦେଲେ କୋଟି ଅର୍ଥ ॥

ଧରଣୀଧର ଶିରୋମଣି। ଧ୍ରୁବଙ୍କୁ ନିସ୍ତାରିଲେ ପୁଣି॥
ନୃସିଂହ ମାଧବ ମୁରାରୀ। ନଖରେ ହିରଣ୍ୟ ବିଦାରି॥

ପରମାନନ୍ଦ ପଦ୍ମନାଭ। ପୂରି ରହିଛ ସର୍ବ ଜୀବ॥
ଫୁଲପଣକୁ ନୋହେ ସରି। ଫୁଲ ମାଳରେ ଦେହ ଭରି॥

ବାଳିକି ବଧ କଲ ହେଳେ । ବନ୍ଧ ବାନ୍ଧିଲ ସିନ୍ଧୁଜଳେ॥
ଭାଙ୍ଗିଲ ରତ୍ନମୟ ପୁର। ଭ୍ରାନ୍ତି ଛାଡ଼ିଲା ଦେବଙ୍କର॥

ମାଇଲ ଅକ୍ଷୟ ରାବଣ। ମହିମା କେ କରୁ ବଖାଣ ॥
ଯାଦବ ବଂଶେ ଜାତହୋଇ। ଜଗତ ଉଦ୍ଧାରିବା ପାଇଁ॥

ରଖିଲ ଜଳରେ ଗଜକୁ। ରାଗେଣ ଛେଦିଣ ଗ୍ରାହକୁ॥
ଲାବଣ୍ୟ ମୂର୍ତ୍ତି ଲକ୍ଷ୍ମୀଧର। ଲୟ କରନ୍ତି ସୁର ନର॥

ଶ୍ରୀପତି ଶ୍ରୀକର ଶ୍ରୀଧର। ଶ୍ରିୟା ଦେବୀଙ୍କ ମନୋହର॥
ସଂସାର ଭିତରେ ଉତ୍ତମ। ସାଧୁଙ୍କ ହିତରେ ଜନମ॥

ଶ୍ୟାମସୁନ୍ଦର କଳେବର। ସକଳ ଦେବେ ପରିଚାର॥
ହରି ବୋଇଲେ ହରେ ଦୁଃଖ। ହରି ଆନନ୍ଦ ମହାସୁଖ॥
କ୍ଷମା ସାଗର ପୀତବାସ। ଭଣିଲେ ବଳରାମ ଦାସ॥

କମଳ ଲୋଚନ ଚଉତିଶା କବିଙ୍କର ଏକ ଅନବଦ୍ୟ କୃତି, ଯେଉଁଥିରେ ବଳରାମ ଦାସ ‘କ’ ରୁ ‘କ୍ଷ’ ପର୍ଯ୍ୟନ୍ତ ଧାରାରେ ଶ୍ରୀବିଷ୍ଣୁଙ୍କ ରୂପ,ଗୁଣ, ସାମର୍ଥ୍ୟ ଓ ଆପଣାର ଭକ୍ତିଭାବ ପ୍ରକଟ କରିଛନ୍ତି।