ବୈଶାଖର ପିଆଲାରେ ଶୂନ୍ୟ ହେଲା
ଚଇତାଳି ସୁରା
ତୃଣ ପଲ୍ଲବ ଚିବୁକରେ ନିଃଶେଷିତ
ଶିଶିରର ବୁନ୍ଦା
ବସନ୍ତର ଆୟୁଷ ଶେଷ
କୋକିଳ ଯେ ନିରୁଦ୍ଦେଶ
ବୈଶାଖ ଆସିଲା,
ବୈଶାଖୀରେ ଝୁଲି ଝୁଲି
ବୈଶାଖ ଆସିଲା।

ପ୍ରଥମ ସକାଳରେ ଭାସି ଆସେ
ମଲ୍ଲୀର ମହକ
ଯାମିନୀ ସୁଗନ୍ଧିତ ଯୂଇ, ହେନା, ଜାଇ
ଆଉ ରଜନୀଗନ୍ଧା ତ
ନୂତନ ବର୍ଷାରମ୍ଭେ
ସୁଗନ୍ଧିତ ଚଉଦିଗେ
ବୈଶାଖ ଆସିଲା,
ବୈଶାଖୀରେ ଝୁଲି ଝୁଲି
ବୈଶାଖ ଆସିଲା।

ଶାଗୁଣାର କଣ୍ଠେ ଶୁଭେ
କ୍ଲାନ୍ତିର ବିଳାପ
ଶୂନ୍ୟାକାଶେ ମଧ୍ୟେ ମଧ୍ୟେ
ବିଦ୍ୟୁତ ବିଭାସ
କ୍ଷଣିକ ବଜ୍ରଧ୍ବନି ସାଥେ
ସତେକି ତାଣ୍ଡବେ ମାତି
ବୈଶାଖ ଆସିଲା,
ବୈଶାଖୀରେ ଝୁଲି ଝୁଲି
ବୈଶାଖ ଆସିଲା।