କଳି ଘୋଟିଲା ଚାରିଦିଗେ
ମୁଖେ ପ୍ରଭୁଙ୍କୁ ଡାକ ସର୍ବେ॥
କଥା ହେଲାଣି ଅସମ୍ଭାଳ
ଏ ପିଣ୍ଡ ପ୍ରାଣକୁ ସମ୍ଭାଳ॥

କାଳ ଯେ ଗୃହେ ପଶିଲାଣି
ରୋଗ ପରାୟ ଗ୍ରାସିଲାଣି॥
କରିବ ଅଙ୍ଗେ ଅଙ୍ଗେ ପୀଡ଼ା
ବ୍ରହ୍ମାଣ୍ଡେ ପଡ଼ିଯିବ ମଡ଼ା॥

କାଳିକା ବୁଲୁଛି ସଂସାରେ
ଶ୍ରୀହସ୍ତେ ଛେଦୁଛି ଚକ୍ରରେ॥
କାରଣ ପଥ ଏବେ ଖୋଜ
ମନରେ ହେତୁ କରି ବୁଝ॥

କର୍ମ ଧଇଲେ ସାରତୁକ୍ୟ
ତେବେ ସେ ଯିବ କ୍ଷୟ ପାପ॥
କହୁଛି ମିଥ୍ୟା ନୁହେଁ ସତ୍ୟ
ଭଣିଲେ ଭୀମ ଅରକ୍ଷି॥

ଖରାପ ହେବ ଦେଖ ଦେଖ
ବିଅର୍ଥେ ବ୍ରହ୍ମାଣ୍ଡର ଲୋକ॥
କ୍ଷୟ ଯାଉଛି କଳିଭୋଗ
ଆସୁଛି ସତ୍ୟାବଦିର ଯୁଗ॥

କ୍ଷିତିରେ ପଡ଼ୁଛି ବିପତ୍ତି
ଧର୍ମକୁ ଧର ଧର ଚେତି॥
କ୍ଷମା ପାଇବ ଯେବେ ଥୋକେ
ସତ୍ୟ ଉଚ୍ଚାର କର ମୁଖେ॥

ଖଳବଳରେ ନବଖଣ୍ଡ
ନାଶୁଛି ଏ ପିଣ୍ଡ ବ୍ରହ୍ମାଣ୍ଡ॥
କ୍ଷୁଦ୍ର ବୁଦ୍ଧିକୁ ଦୂରକର
ଶ୍ରୀନାମ ବ୍ରହ୍ମେ ଅନୁସ॥

ଖଡ଼ଗ ଘେନି ଯୋଗିନୀଗଣ
ବ୍ରହ୍ମାଣ୍ଡେ କଲେଣି ଭ୍ରମଣ॥
ଖଳ ଲାଗିଛି କଳି ସତ୍ୟ
କହଇ ଭୀମ ଅରକ୍ଷିତ॥

ଗର୍ଭ ପୋଡ଼ୁଛି ଆଦିଶକ୍ତି
ଖପର ଫେରୁଛି ପୃଥ୍ୱୀ॥
ଗୁରୁ ଚରଣେ ସେବା କର
ନାମକୁ ଧ୍ୟାଇ ଅନୁସର॥

ଗତି ପାଇବ ଯେବେ ନିଶ୍ଚେ
ପ୍ରଭୁଙ୍କୁ ଡାକ ଏବେ ଉଚ୍ଚେ॥
ଜ୍ଞାନର ହୁଅ ପରିଚାର
ବିହିତ କର୍ମମାନ କର॥

ଗେରସ୍ତ ଭାରିଯା ସହିତେ
ବୃଦ୍ଧ ବାଳକ ଅଛ ଯେତେ॥
ଗୃହ କୁଟୁମ୍ବ ଆଦିକରି
ସମସ୍ତେ ଡାକ ହରିହରି॥

ଗଗନେ ଘୋଟିଲାଣି ପାପ
ତିନିଭୁବନେ ତ୍ରୟଲୋକ॥
ଗୀତେ ପ୍ରବନ୍ଧ କରି ଲେଖ
ଭଣେ ପାମର ଭୀମ ମୁର୍ଖ॥

(ବୁଦ୍ଧ ପୂର୍ଣ୍ଣିମା ହେଉଛି ସନ୍ଥକବିଙ୍କ ଜୟନ୍ତୀ। ଏହି ଉପଲକ୍ଷେ ସନ୍ଥ କବିଙ୍କ ଲିଖିତ ‘ଅଷ୍ଟକ ବିହାରୀ ଗୀତା­’ର କିଛି ଅଂଶ ପାଠକମାନଙ୍କ ପାଇଁ ପ୍ରକାଶିତ।)