କାଲିରାତିରୁ ସରିଲାଣି ଏ ଯୁଦ୍ଧ
ବାରିପଟେ ଦିଶିଲାଣି ଧାପେ ଆଲୁଅ,
ସୂର୍ଯ୍ୟ ଉଠିଲାଣି, ଉଠ।
ଆଖିତଳ କଳା ଦାଗ ଆମ ଦୁଃଖ
କେଇଟୋପା ଲୁହରେ ଧୋଇ ଯିବନି ଯେ’!
ଥମି ସାରିଛି କମାଣର ଶବ୍ଦ
ପରୀମାନେ ଆଉ ଉଡ଼ିଯିବେନି
ଆମ ପିଲାଙ୍କ ସ୍ବପ୍ନରୁ, କାହାଣୀରୁ।
ଦେଖ, ପିଲାଏ କେମିତି
ଗୁଡ଼ି ପଛେ ଧାଇଁଲେଣି ଯୁଦ୍ଧ ପଡ଼ିଆରେ,
ଲୁଚକାଳି ଖେଳିଲେଣି
ମୃତଟ୍ୟାଙ୍କ୍ର ଚାରିପଟରେ।
ପକ୍ଷୀ ପିଲାଏ ଖଣ୍ଡି ଉଡ଼ା ଦେଲେଣି
ଏ ଫର୍ଚ୍ଚା ଆକାଶରେ
ବେଶ୍ କିଛିଦିନ ହେବ ବାରୁଦର ଧୂଆଁରେ
ଯିଏ ଗରିଲା ପରି ଦିଶୁଥିଲା,
ଉହୁଁକି ଆସୁଥିଲା।
କଅଁଳା ବାଛୁରୀ ପରି ଫିଟି ଗଲାଣି
ସେନା ଛାଉଁଣୀରେ ବନ୍ଦୀ ସମୟ।
ଆଗପରି ଆପଣାର ଲାଗିଲାଣି ନିଃଶ୍ବାସ,
ଅଫୁଟା ଗୁଳିମାନଙ୍କ ଔଦ୍ଧତ୍ୟକୁ
ଢାଙ୍କି ଦେଲାଣି ବାଲି ବସ୍ତା ତଳୁ
ଗଜୁରି ଉଠିଥିବା ଘାସ।
କେବେଠୁ ସ୍କୁଲ୍ ଯାଇନାହାଁନ୍ତି ପିଲାଏ
ପ୍ରଶ୍ନଯାକ ଚାହିଁ ବସିଛନ୍ତି
ତାଙ୍କ ସାଥେ ଖେଳିବାକୁ,
ସେମାନଙ୍କ କୋଳକୁ ଡେଇଁ ପଡ଼ିବାକୁ
“କିଏ ଜିଣିଲା ଏ ଯୁଦ୍ଧ”- ପଚାରିଲେ
ହାତ ଟେକି ଦିଅନ୍ତି ସଭିଏଁ ଏକାବେଳେ,
ଗୁଡ଼ିଟିଏ କଟିଯାଏ,
ଉଡ଼ିଯାଏ ସୀମା ସେପାରେ
ପିଲାଏ ଉପରମୁହାଁ ଧାଉଁଥାନ୍ତି ତା’ ପଛରେ…।
ଶବ୍ଦ ଉପରେ ଏତେ ଗୁରୁତ୍ବ ଦେଲା ବେଳକୁ ମୂଳ ସ୍ରୋତରୁ ଟିକିଏ ଦୁରେଇ ଗଲେ. କବିତା କିନ୍ତୁ ଭଲ ଲଗିଲା। ବଧେଇ।