ଲକ୍ଷ୍ମୀ ସତକୁ ସତ ଲକ୍ଷ୍ମୀ। ନୋହିଲେ କି ତା’ ବିଭାଘରେ ବାପକୁ ସାତଶ ଟଙ୍କା ମିଳନ୍ତା? ଲକ୍ଷ୍ମୀର ବୟସ ୧୪ ବର୍ଷ-ଏତେ ବଡ଼ ଝିଅ ବ୍ରାହ୍ମଣ ଘରେ କିପରି ରହିଲା? ତା’ ବାପର ସେ ଏକାମତ୍ର ଝିଅ। ସାହୁଏ ଝିଅକୁ ବଡ଼ ଯତ୍ନରେ ପାଳୁଥିଲେ। ଭଲ ଖାଇବାକୁ, ପିନ୍ଧିବାକୁ ଦେଉଥିଲେ। ତାଙ୍କ ବନ୍ଦୋବସ୍ତ ଅନୁସାରେ ଲକ୍ଷ୍ମୀ ଗାଁ’ ସ୍ତ୍ରୀମାନଙ୍କଠାରେ ମୁଣ୍ଡ ବନ୍ଧାଇ ଆସେ। ଅନ୍ୟମାନେ ହଳଦୀ, କଳା ଲଗାଇ ଦେହକୁ ବିକୃତ କରନ୍ତି। ଲକ୍ଷ୍ମୀ ପିତାଙ୍କ ଇଚ୍ଛାନୁସାରେ ଗ୍ରାମର ବାଳିକା ବିଦ୍ୟାଳୟକୁ ଆସିଥିବା ମିଷ୍ଟ୍ରେସଠାରୁ ଲୁଗାପିନ୍ଧା ଓ ମୁଣ୍ଡବନ୍ଧା ଶିଖିଛି। ମାନୁ ନ ଥିବାରୁ ଏ ବିଷୟରେ ପୁରୁଣା ରୀତିରେ ବିକୃତ ହେବାକୁ କେହି ଆକଟ କରୁ ନଥିଲେ। ସୁତରାଂ ସେ ବନର ମାଳତୀ ପ୍ରାୟ ସ୍ବଭାବ ହସ୍ତରେ ପ୍ରତିପାଳିତ ହୋଇ ବଢ଼ୁଥିଲା।
ବଳରାମ ଗୋତ୍ରୀ ବ୍ରାହ୍ମଣମାନେ ସମସ୍ତେ ଧନୀ। ଅନନ୍ତପୁର ଗ୍ରାମର ଦୁଃଖୀ ଖୁବ୍ ଊଣା। ଏମାନଙ୍କ ମଧ୍ୟରେ ଝିଅର ଯେତେ ବୟସ ଓ ସୁନ୍ଦରପଣ, ତେବେ ଅଥିକ ଟଙ୍କାରେ ବିକାଯାଏ। ତେଣୁ ଲକ୍ଷ୍ମୀ ବିଭାଘରରେ ଏତେ ଡେରି। ଲକ୍ଷ୍ମୀର ବାପ ଧନୀ ମିଶ୍ର ଲକ୍ଷ୍ମୀର ବୟସ ଗଣି ୧୪୦୦ ଟଙ୍କା ହାଙ୍କି ଅଛନ୍ତି। ଡାକ ଣୁଣି ଅନେକ ବାହୁଡ଼ି ଗଲେଣି। କେହି ୩୦୦ କେହି ୫୦୦ ଯାଏଁ ଗଲେ। ରୂପ, କୁଳ, ଗୁଣ-କିଛି ସାହୁଏ ପତ୍ରରେ ପକାଇଲେ ନାହିଁ। କେବଳ ଟଙ୍କା ଯେ ଦେବ ସେ, ଲକ୍ଷ୍ମୀକୁ ନେବ। କେହି ଗରାଖର ଆଗ୍ରହ ନ ଦେଖି ସାହୁଏ ଏବେ କିଛି ନରମି ଗଲେଣି। ମନର ଭାବ-କେକତଦିନ ଆଉ ଖୋଇବି? ରଖୁଁ ରଖୁଁ ମରିଗଲେ ମୂଳରୁ ଯିବ।
ନାରାୟଣର ବୟସ ବଳେଇ ଗଲାଣି। ଆଜିଯାଏଁ ଭୂତ ପରି ଏକୁଟିଆ। ଲକ୍ଷ୍ମୀ ପରି ପାତ୍ରୀଟିଏ ଆଉ ମିଳିବ ନାହିଁ। ତେଣୁ ୭୦୦ ଟଙ୍କା ଦେବାକୁ ଜବାବ ଦେଲା। କିନ୍ତୁ କାର୍ଯ୍ୟତଃ ଦେଲାବେଳେ ବଡ଼ କଷ୍ଟ ହେଲା। ଚାରିଆଡ଼େ ଅନ୍ଧାର। କାହୁଁ ଏତେ ଟଙ୍କା ଆଣିବ? ସବୁ ଟଙ୍କା ହେଲା। ବାକୀ ଟ.୩୦ ଙ୍କା ଊଣା। ଫହଲାଣ ବଳଦ ବିକିଦେଲା। ଏ ଟଙ୍କା ମହାଜନ ଘରୁ ଘରଡିହ ବନ୍ଧା ଦେଇ ଆଣିଲା। ପିତୃପିତାମହଙ୍କ ଭିଟାମାଟିର ମାୟା, ଚାଷର ଫନ୍ଦି-ସବୁ ମାୟା, ଲକ୍ଷ୍ମୀ ମୁହଁକୁ ଚାହିଁ ଛାଡ଼ିଲା।
ଲକ୍ଷ୍ମୀର ବରଟି ଖୁବ୍ ପାଠୁଆ। ନାମ ନାରାୟଣ। ହେଲେ କ’ଣ ହେବ ଟିକିଏ ଆଡ଼ବାୟା, ଜ୍ଞାନପାଗଳା ଭଳିଆ ବୋଲି ଗ୍ରାମରେ ରାଷ୍ଟ୍ର। ତହିଁରେ ସେ ବି ଏକୁଟିଆ, ଘରେ କେହି ନାହିଁ। ପିଲାଟି ଦିନୁଁ ମା’ ବାପା ଛେଉଣ୍ଡ। ଜଣେ ବାବୁ ସଙ୍ଗରେ ରୋଷେଇ କରୁକରୁ ବିଦେଶ ବାହାରି ଯାଇ ଅନେକ ଦିନ ବିଦେଶ ବୁଲି ଚାକିରି ନ କରି ବ୍ୟବସାୟ କରିବାକୁ ଇଚ୍ଛା କରି, ପ୍ରଥମେ ଗୋଟିଏ ଛୋଟ ଗୋଦାମ କରିଅଛି। ଝୋଟ କିଣିବା ପାଇଁ ଗାଁ ଗାଁ ବୁଲୁବୁଲୁ ଲକ୍ଷ୍ମୀକୁ ଦେଖି ବିଭା ହେବାକୁ ଇଚ୍ଛା କରିବାରୁ, ତା’ ବାପ ନାରାୟଣକୁ ଏକୁଟିଆ ଦେଖି, ଲକ୍ଷ୍ମୀକୁ ଦରିଆରେ ଭସାଇ ଦେବାକୁ ଇଚ୍ଛା ନ କରି ୧୪୦୦ ଟଙ୍କା ହାଙ୍କିଲେ। ଅନିଚ୍ଛା କେବଳ ବାହାନା। ଟଙ୍କା ଦେଲେ ପିଶାଚ ହାତରେ ମଧ୍ୟ ସେ କନ୍ୟାକୁ ଦେବାର ଲୋକ। ନାରାୟଣ ତ ସତ୍ପାତ୍ର। ପ୍ରଜାପତି ଘଟସୂତ୍ର। ଲକ୍ଷ୍ମୀର ବାପ ୧୪ ବର୍ଷକୁ ୧୪୦୦ ଟଙ୍କା ଧରିଲେ। ଭଲ ଲୋକ ୧୪ ବର୍ଷକୁ ୭୦୦ ଟଙ୍କା ଭାଙ୍ଗି ଦେଲେ। ନାରାୟଣ ନିଜର କଷ୍ଟ ଉପାର୍ଜିତ ସମସ୍ତ ସଞ୍ଚିତ ୭୦୦ ଟଙ୍କା ଦେବାକୁ ରାଜି ଅଛନ୍ତି। ତାଙ୍କର ଝୋଟ କାରବାରରେ ବାଧା ହେବ। ଯେହେତୁ କି କିଛି ଧାର ହେବ। ଋଣ ମହାବିଷମ। ବଢ଼ୁବଢ଼ୁ କାହିଁ ଉଠିବ-କିଏ ଜାଣେ? ନାରାୟଣ ଏତେ ଟଙ୍କା ଦେବା କାରଣ କ’ଣ ଲକ୍ଷ୍ମୀର ବୟସ ବେଶୀ। ଗୃହଯୋଗ୍ୟ ହୋଇଛି।
ଘରେ ପଶିଲାକ୍ଷଣି ଘର ସମ୍ଭାଳି ନେବ। କିନ୍ତୁ ଏଇଟା ବଡ଼ କଥା ନୁହେଁ। ଘରକରଣା କ’ଣ ତାଙ୍କର ଲେଖାଯୋଖା ବିଧବା ପିଉସୀ ଚଳାଇ ନେଉ ନ ଥିଲେ କି? ଅସଲ କାରଣ, ନାରାୟଣ, ଲକ୍ଷ୍ମୀର ଚନ୍ଦ୍ରମା ପରି ମୁହଁକୁ ଦେଖି ତାଙ୍କ ଆଖି ଲାଖିଯାଇଛି। ତା’ପରି ତାକୁ ଆଉ କେହି ଦିଶୁ ନାହାନ୍ତି। ସେ ଆଉ ସେ ମୁହଁଟି ଭୁଲିପାରୁନାହିଁ। ସେ ମୁହଁଟି ତା’ ଗୃହପ୍ରାଙ୍ଗଣ ଉଜ୍ଜ୍ବଳ କରିବା ଆଗରୁ ତା’ ପ୍ରାଣାକାଶ ଉଦ୍ଭାସିତ କରିଅଛି। ଆହା! କି ସୁନ୍ଦର, କେତକୀ ଗୌର, ତପ୍ତକାଂଚନନିଭ ବର୍ଣ୍ଣ, ସ୍ବର୍ଣ୍ଣତାଳ ସଦୃଶ ମସୃଣ ଦେହକାନ୍ତି, ତହିଁରେ ଖେଳୁଥିବା ତରଙ୍ଗାୟିତ ସ୍ବପ୍ନାବେଶପୂର୍ଣ୍ଣ ଭ୍ରୂଭଙ୍ଗୀ, ଆକର୍ଣ୍ଣବିସ୍ତୃତ ନୀଳାବ୍ଜ ସଙ୍କାଶନେତ୍ର ଯୁଗଳ, ଅମଳ ଗଣ୍ଡସ୍ଥଳଶୋଭୀ ଚୂର୍ଣ୍ଣକୁନ୍ତଳ, ରକ୍ତାଭ ଅଧରୋଷ୍ଠ ଶଙ୍ଖସଦୃଶ ଗତି, କି ସେ ଅପରୂପ ଲାବଣ୍ୟ! ଏ ଯେ ତରୁଣୀ ଲଲାମ ଅନ୍ତର୍ନିହିତ ରମଣୀରତ୍ନ! ସାତଶ ଟଙ୍କା କି ଛାର! ନାରାୟଣ ସର୍ବସ୍ବ ପ୍ରାଣ ପର୍ଯ୍ୟନ୍ତ ଦେଇପାରନ୍ତେ। କେବଳ ଏତିକି ନୁହେଁ। ନାରାୟଣ ଲକ୍ଷ୍ମୀର କେବଳ ରୂପ ଦେଖିନାହାନ୍ତି, ଗୁଣ ମଧ୍ୟ ଅନୁଭବ କରିଅଛନ୍ତି।
ନାରାୟଣ ଯେତେବେଳେ ଝୋଟ କିଣିବାପାଇଁ ଗାଁ ଗାଁ ବୁଲୁଥିଲେ ସେତେବେଳେ ଲକ୍ଷ୍ମୀ ଅକୁଣ୍ଠିତ ଚିତ୍ତରେ ତାଙ୍କ ସହିତ କଥା କହୁଥିଲା। ପିତା ବାଧା ଦେଲେ ନାହିଁ। କାରଣ ସେ ଜାଣନ୍ତି, ଅର୍ଥଗୃଧ୍ନୁ ପିଶାଚର ସକଳ କାଣ୍ଡ ପୈଶାଚିକ। ଲକ୍ଷ୍ମୀ ସରଳା, ସେ ତ ଆଉ ଜାଣି ନ ଥିଲା ଯେ, ନାରାୟଣ ଗୋଟାଏ ବାଘ, ସାପ, ଅର୍ଥାତ୍ ତା’ ବର। ଲାଜ କରିବା ବା କାହିଁକି? ସମସ୍ତଙ୍କ ଆଗରେ ଯେପରି ହୁଏ, ଝୋଟବାବୁ ଆଗରେ ମଧ୍ୟ ସେପରି। ଲକ୍ଷ୍ମୀଘର କିଛି ନଳିତା କରିଥିଲେ। ନାରାୟଣ ତାଙ୍କ ଘରକୁ ଝୋଟ ନେବାକୁ ଆସି ଲକ୍ଷ୍ମୀର ଘରକରଣା ପାଇଟି, ପାନଭାଙ୍ଗିବା ଢଙ୍ଗ ସବୁ ଦେଖିଥିଲେ। ଦିନେ ଦୂରରୁ ଆସି କ୍ଳାନ୍ତ ହୋଇଥିବାରୁ, ଲକ୍ଷ୍ମୀର ପଡ଼ିଶା ଆନନ୍ଦ ମିଶ୍ରଙ୍କ ଘରେ ଜଳଖିଆ କରି ଲକ୍ଷ୍ମୀପରଷା, ପୁରି, କାକରା, ଛୁଞ୍ଚିପତ୍ର ମଧ୍ୟ ଖାଇ ଯାଇଥିଲେ। ସେହି ସ୍ନେହସୁଧା ପାନ କରି ସେ ଆଉ ଭୁଲି ପାରିଲେ ନାହିଁ। ତେଣୁ ଅବଶେଷରେ ଧନୀ ମିଶ୍ରଙ୍କୁ ୭୦୦ ଟଙ୍କା ଦେଇ ଲକ୍ଷ୍ମୀକୁ ନେବାକୁ ରାଜି ହେଲେ। ଦେଖୁ ଦେଖୁ ସ୍ବୀକାର ଗଲା। ସମ୍ମତି ଆସିଲା। ଧନୀ ମିଶ୍ରର ପିଉସୀ ବାହୁନି କାନ୍ଦିଲେ। ଲକ୍ଷ୍ମୀର କିନ୍ତୁ ବେଶୀ କାନ୍ଦ ନାହିଁ। ଗାଁ ସ୍ତ୍ରୀମାନେ କଥାବାର୍ତ୍ତା ହେଲେ।
୧ମ- ଆ, ଏ କି ଝିଅଟା ଲୋ! ଏ କଥା ତ କେବେ ଦେଖା ନଥିଲା। ଏଡ଼େ ଝୁଅଟା ଆଖିରେ ଲୁହ ନାହିଁ ନା ତୁଣ୍ଡରେ କଥା ନାହିଁ। କି କଳିକାଳ ହେଲା ଲୋ!
୨ୟ- ସେ ଝିଅଟା ତ ସବୁଦିନେ ଏହିପରି। ମୁହଁରେ ଓଢ଼ଣା ଦେବ ନାହିଁ। ତାଳୁ ଓପରେ ଲୁଗା ଥିବ। ବାଟରେ ମିଣିପିଙ୍କୁ ଦେଖିଲେ ପଳେଇ ଲୁଚିବ, କ’ଣ ନା ମୁହଁକୁ ତଳକୁ ହାଣିଦେଇ ଦଶହଜାରି ପରି ଚାଲି ଯାଉଥିବ। ମୋ ଝିଅଟା ମିଣିପଙ୍କୁ ଦେଖି ଚିଲପରି ଦଉଡ଼ିଯିବ। ସେତେବେଳେ ତା’ ଦେହରେ କ’ଣ ଲୁଗା ରହିବ!
୩ୟ-ସେ ବାପ ବି ସେହିପରି। ପିଲାଙ୍କୁ ଆକଟ ସିନା ଭାଇ। ସେ ତ ତାକୁ କିଛି ନ କହି ଗେହ୍ଲା କରେ। ଝୁଅର ସୁନ୍ଦରପଣ ଦେଖେଇ ହୁଏ। ତେଣୁ ତା’ ମନ ବଢ଼ିଯାଇଛି। ସେହିପରି ବୋଲଣା ହେବ, “ଦୁହିତା ଦୁଇ କୁଳକୁ ହିତା, ନୋହିଲେ ପିତା।”
୨ୟ- ସେ କାନ୍ଦିବ କାହିଁକି? ଝୋଟବାବୁ ତ ତା’ର ଚିହ୍ନା! ସେ ତ ତାକୁ ଖାଇବାକୁ ଦେଇଛି। ଜରସମନ ବଢ଼ିବ ବୋଲି ବର କନ୍ୟାର ପରୀକ୍ଷା ହୋଇଯାଇଛି।
୧ମ- ତାକୁ ବି କ’ଣ ଝିଅ ମିଳିଲା ନାହିଁ? ଏଇ ଅଣ୍ଡିରୀଚଣ୍ଡୀକୁ ୭୦୦ ଟଙ୍କା ଦେଇ ନେଲା!
୨ୟ- ପ୍ରଜାପତି ଘଟସୂତ୍ର। ଯେ ଯାହା ହାଣ୍ଡିରେ ଚାଉଳ ପକାଇଛି। ଢୋଲ ବାଇଦ କୋଶେ, ତୁଣ୍ଡ ବାଇଦ ସହସ୍ର କୋଶ। ନାରାୟଣ ଏକଥା ଶୁଣିଲେ। ଶୁଣି ଲକ୍ଷ୍ମୀର ସରଳତା, ସ୍ବାଭାବିକତା, ତାଙ୍କ ପ୍ରତି ଆସକ୍ତି ଓ ତାଙ୍କ ଗୃହକୁ ଆସିବାର ଇଚ୍ଛା ଜାଣିପାରି ସେ ଆନନ୍ଦିତ ହେଲେ। ଯେଉଁ ବାଳିକାଗୁଡ଼ାଏ ବନେଇ ଚୂନେଇ ଅନର୍ଗଳ ବାହୁନିପାରେ ସେ ଧୂର୍ତ୍ତ ବୋଲି ସେ ମନେକଲେ। ଲକ୍ଷ୍ମୀକୁ ସେ ସ୍ବର୍ଗର ଦେବୀ ବୋଲି ମନେ କଲେ ଏବଂ ପୂର୍ବପଠିତ କବିତା ତା’ ଉଦ୍ଦେଶ୍ୟରେ ଆବୃତ୍ତ କଲେ।
“କେବଣ ଅଜ୍ଞାତଲୋକେ ଗୋ ସୁରସୁନ୍ଦରୀ
ଦେଖିଲିଣି ତୋ’ ଲାବଣ୍ୟ ବେନି ନେତ୍ର ଭରି!
ନୀଳନଭେ କୃଷ୍ଣଘନେ ଲୋଳ ସୌଦାମିନୀ-
ରୂପେ, ଦେଖିଥିଲି ତୋତେ ହେ ରୂପ-ଗର୍ବିଣୀ!
ଶାରଦଚନ୍ଦ୍ରିକାଧୌତ ଅନ୍ତରୀକ୍ଷଦେଶେ
ବୁଲୁଥିଲୁ ବରାଙ୍ଗୀରେ ଜ୍ୟୋତ୍ସ୍ନାଶୁଭ୍ର ବେଶେ।
କାଳକ୍ରମେ ଆଗମିଲା ମଧୁର ଯୌବନ
ବହିଲା ହୃଦୟ ବନେ ଦକ୍ଷିଣା ପବନ।
କାହୁଁ ଉଡ଼ିଆସି ତୁ ରେ ବସନ୍ତ-କୋକିଳ
ସେ ବନେ କଲୁ ତା’ ସ୍ବନେ ଆନନ୍ଦ-ଆକୁଳ!”