ପ୍ରାୟ ଦେଢ଼ମାସ ହେଲା ନରହରିଙ୍କ ଘରେ ମହା ଗୋଳମାଳ ଲାଗିଛି, ସକାଳୁ ସନ୍ଧ୍ୟା ଓ ସନ୍ଧ୍ୟାରୁ ପୁଣି ରାତି ଅଧଯାଏ ପ୍ରଚଣ୍ଡ ପାଟିତୁଣ୍ଡ କୋଳାହଳ। କେତେବେଳେ କିଏ କାହାକୁ ମାରୁଛି, କିଏ ବା କାନ୍ଦରେ ଘର ଫଟାଇ ଦେଉଛି। ଗ୍ରୀଷ୍ମକାଳୀନ ବର୍ଷା ସମୟର ଆନ୍ଦୋଳିତ ମେଘରାଶି ଆକାଶରୁ ହଠାତ୍ ଦୁମ୍ଦାମ୍ କୁଆପଥର ଅସରାଏ ବର୍ଷି ଟିକିଏ ଶାନ୍ତ ହେଲାପରି, କିଏ ବା ରାଗି ପାଟିକରି ପରେ ବିଧା ଗୋଇଠା ମାଡ଼ରେ ସେ ରାଗ କିଛି ସମୟ ପାଇଁ ଖଲାସ କରୁଛି। ଦୁଇ ଚାରିଟା ଠେଙ୍ଗା ବାଡ଼ି ଭାଜିଗଲାଣି, କାହା ମୁଣ୍ଡ ଫାଟିଲାଣି, କାହାର ହାତ ଗୋଡ଼ ଜଖମ ହେଲାଣି, ତଥାପି କଳିର ବିରାମ ନାହିଁ। ମନର କ୍ରୋଧ ହିଂସା, ମାନ ଅଭିମାନ, କେତେବେଳେ ମୁହଁର ଫାଙ୍କା ଶବ୍ଦରେ କେତେବେଳେ ବା ହାତ ଗୋଡ଼ର ଭାରମୟ ଓଜନି।
ନରହରିଙ୍କ ଦୁଇ ପୁଅ ନୀଳକଣ୍ଠ ଓ ରାମଚନ୍ଦ୍ର। ବୟସରେ ଅଳ୍ପ ସାନ ବଡ଼। ଦୁହେଁ ବେଶ୍ ଖୁସିବାସରେ ଚଳୁଥିଲେ। ଗ୍ରାମର ଲୋକେ ତାଙ୍କର ମେଳ ଦେଖି ତାଙ୍କୁ ‘ରାମ ଲକ୍ଷ୍ମଣ’ ନାମ ଦେଇଥିଲେ। ଆଗ ନୀଳକଣ୍ଠର ଭାର୍ଯ୍ୟା ଆସିଲା, ତାକୁ ମଧ୍ୟ ଲୋକେ ‘ସୀତା’ ବୋଲି କହିଲେ, ମାତ୍ର ରାମଚନ୍ଦ୍ରର ଭାର୍ଯ୍ୟା ଆସିଲା ଦିନୁ ଘରେ ନାନା ଖଳ। ସେ ଟିକିଏ ନ ଥିଲା ଘର ଝିଅ। ବାପଘରୁ ସାମାନ୍ୟ କିଛି ବୋଝଭାର ଆଣି ପହିଲି ପାଳି ଆସିଥିଲା, କିନ୍ତୁ ସେ ବୟସରେ ପିଲା ଓ ରୂପରେ ଟିକିଏ ସୁନ୍ଦର ହୋଇଥିବାରୁ ଶାଶୁ ଶ୍ବଶୁର ତାକୁ ଆହ୍ଲାଦ କରୁଥିଲେ। ତାହା ଦେଖି ନୀଳକଣ୍ଠର ଭାର୍ଯ୍ୟା ଦିନକୁ ଦିନ, ଅଇଘରା ଗଦା ପରି ଅଧିକ ଅଧିକ କହୁଳିବାକୁ ଲାଗିଲା। ଶେଷରେ ଦିନେ ହଠାତ୍ ଜଳି ଉଠି, ଜିଦ୍ଧରି ବସି କହିଲା, “ନା, ରାମ ଭିନ୍ନ ନହେଲେ, ମୁଁ ଅନ୍ନ ଛୁଇଁବି ନାହିଁ।”
ପ୍ରଥମେ ପ୍ରଥମେ ନୀଳକଣ୍ଠ ଓ ରାମଚନ୍ଦ୍ର ରାତିରେ ଶୋଇଲାବେଳେ ମଧୁଶଯ୍ୟା ପରେ ଆପଣା ଆପଣା ଭାର୍ଯ୍ୟାଠାରୁ ଭାଇଭାଗ ବାଣ୍ଟିବାର ମନ୍ତ୍ର ଗୋପନରେ ଗ୍ରହଣ କରୁଥିଲେ, ମାତ୍ର କିଛିଦିନ ମଧ୍ୟରେ ଅନନ୍ତପୁରରେ ନରହରିଙ୍କ ଘର ବିଧି ମତେ ଗୋଟିଏ ଚାଟଶାଳୀରେ ପରିଣତ ହେଲା। ଭାଇଭାଗ ବଣ୍ଟା ବିଦ୍ୟା ସେଠାରେ ଯେ କେବଳ ସେହି ଘରର ଦୁଇଜଣ ନବବିବାହିତ ଯୁବକ ଶିଖିଲେ, ତାହା ନୁହେଁ, ସେ ଗ୍ରାମରେ ଓ ଅନ୍ୟାନ୍ୟ ଗ୍ରାମର ଅନ୍ୟ କେତେକ ଲୋକ ମଧ୍ୟ କ୍ରମେ ସେଠାରେ ମନ୍ତ୍ର ନେଇଯିବାର ସୁବିଧା ପାଇଲେ। ଫଳରେ ଅନନ୍ତପୁରର ସେ ଘରଟି ସେହି ସମଗ୍ର ଅଞ୍ଚଳର ଗୋଟିଏ ପ୍ରସିଦ୍ଧ କେନ୍ଦ୍ରସ୍ଥଳ ହୋଇପଡ଼ିଲା।
ଘର ଦାଣ୍ଡପଟେ ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ଭିତରେ ଯେପରି କଳହ ଏବଂ ପିଟାପିଟି, ବାରିପଟେ ତାଙ୍କର ଦୁଇ ପ୍ରେୟସୀଙ୍କ ମଧ୍ୟରେ ତା’ଠାରୁ ଆହୁରି ଅଧିକ। ମୋଟ ଉପରେ ନରହରିଙ୍କ ଛୋଟିଆ ଘର ଖଣ୍ଡିକରେ ଦୁଇଆଡ଼େ ଦୁଇଟି କ୍ଷୁଦ୍ର ମହାଭାରତ ଯୁଦ୍ଧ, କିନ୍ତୁ ନରହରିଙ୍କର ଜିଦ୍ ଯେ ସେ ଭାଗ ବଣ୍ଟାଇ ଦେବେ ନାହିଁ। ସେ କହନ୍ତି, “ତୁମେମାନେ ମୋ ଅନ୍ତେ ଯାହା କରିବ, ମୁଁ ଜିଇଥିଲା ଯାଏ ଏ ସମ୍ପତ୍ତିରେ ହାତଦେଇ ପାରିବି ନାହିଁ, କି ବାଣ୍ଟି ପାରିବି ନାହିଁ।” ଭଦ୍ରଲୋକ କେତେଥର ଆସି ଫେରି ଗଲେଣି। ନରହରି ପୁଅ ବୋହୂଙ୍କର ହାତ ଗୋଡ଼ ଧରୁଛନ୍ତି, ନତମସ୍ତକ ହେଉଛନ୍ତି, କହୁଛନ୍ତି, “ଆଉ କେଇଟା ବର୍ଷ ବଞ୍ଚିବି ଅବା ମୁଁ? ଏହି ତ ତୁମ୍ଭ କଳିଗୋଳ ଦେଖି ବୁଢ଼ୀ ଆଖି ବୁଜିବା ଉପରେ ବସିଲାଣି। ଧନ ମୋର, ବାପ ମୋର, ମା’ ମୋର ମିଳିମିଶି ଚଳ, ମୁଁ ମଲେ ତେଣିକି ଯାହା କରିବ। କେତେ କଷ୍ଟରେ ଏହି ହାତରେ ଧନ ସମ୍ପତ୍ତି କରିଛି, ମୋ ଦେହ ସହିବ କିପରି?’’ ଏହା କହି, ସେ ଯେଉଁ ହାତରେ ଧନ ସମ୍ପତ୍ତି କରିଥିଲେ, ତାହା ଦେଖାନ୍ତି; ମାତ୍ର ପୁଅ ବୋହୂ ଦେଖନ୍ତି ନାହିଁ, ଆଖି ବୁଜି ରହନ୍ତି।
ଅନନ୍ତପୁରର ସୋମନାଥ ସେ ଅଞ୍ଚଳର ଦଶ ପାଞ୍ଚ କୋଶ ଆୟତନ ମଧ୍ୟରେ ଜଣେ ବିଶେଷ ଜଣାଶୁଣା ଲୋକ। ବାଡ଼ି ଆଗରେ ଗୋବାଏ ଜମିବାଡ଼ି ନାହିଁ, ପେଟରେ ବିଦ୍ୟା ମଧ୍ୟ ନାହିଁ, ଘରେ ପିଲା ପିଟିକା ନାହାନ୍ତି, କେବଳ ମାମୁ ମାଇଁ ଦୁଇ ପ୍ରାଣୀ। ତେବେ ତାଙ୍କର ଇଲମ ଅଛି। ପୋଲିସ୍ ଥାନାରୁ ଯେ ପଇସାଟିଏ ପାଏ, ସେ ବାଘ ପାଟିରୁ ଆହାର କାଢ଼ିନେଲା ପରି କଠିନ କାର୍ଯ୍ୟ କରେ। ସୋମନାଥ ଥାନାରୁ ବର୍ଷକେ ଦଶପଚିଶ ଟଙ୍କା, ଆମ୍ବଦିନେ ଆମ୍ବଟାଏ, ପଣସ ସମୟରେ ପଣସଟାଏ ପାଇଥାନ୍ତି। ତା’ଛଡ଼ା, ଟରଣିଗିରି କରି ସେ ଅଞ୍ଚଳର ଲୋକଙ୍କୁ ସହରର ଓକିଲ ମୁକ୍ତାର ମୋହରିରଙ୍କ ପାଖକୁ ପଠାଇବା ମଧ୍ୟ ତାଙ୍କର ଆଉ ଏକ ପେସା। ସେଥିରେ ସେମାନଙ୍କଠାରୁ ପାଉଣାରୁ ତାଙ୍କୁ ଅଂଶ ମିଳେ। ଏ ସବୁରେ ତାଙ୍କର ଛୋଟିଆ ପରିବାରଟି ଖାଇ ପିନ୍ଧି ବେଶ୍ ଚଳିଯାଆନ୍ତି।
ସୋମନାଥଙ୍କ ପରାମର୍ଶରେ ନୀଳକଣ୍ଠ ବାପା ନରହରି ଓ ଭାଇ ରାମଚନ୍ଦ୍ରଙ୍କୁ ପକ୍ଷ କରି ଦେବା ଅଦାଲତରେ ସମ୍ପତ୍ତି ବଣ୍ଟରା ମକଦ୍ଦମା ଦାଏର କଲା। ରାମଚନ୍ଦ୍ର ସଙ୍ଗେ ସଙ୍ଗେ ନୀଳକଣ୍ଠ ନାମରେ ଫଉଜଦାରି ଅଦାଲତରେ ଏକ ମାରପିଟ ମକଦ୍ଦମା ଚଳାଇଲା। ତାହା ମଧ୍ୟ ସେହି ସୋମନାଥଙ୍କ ମନ୍ତ୍ରଣାରେ। ସେ ଅଞ୍ଚଳର ଦୁଇଜଣ ମହାଜନ ଏକ ଏକ ପକ୍ଷ ଆବୋରି ନେଇ ମକଦ୍ଦମା ଖର୍ଚ୍ଚ ନିମନ୍ତେ ଟଙ୍କା ପଇସା ଯୋଗାଇଲେ। ସେମାନଙ୍କ ମନ୍ତ୍ରଣା ଓ ମହାଜନମାନଙ୍କ ଅର୍ଥରେ ମକଦ୍ଦମା ଦୁଇଟି ବେଶ୍ ଧମାଧମ ଚାଲିଲା। ଓକିଲ, ମୁକ୍ତାର ଓ ମୋହରିରମାନେ ହାତରେ ଦୁଇ ଚାରି ପଇସା ଧରିବାକୁ ପାଇଲେ।
ନରହରିଙ୍କ ସମ୍ପତ୍ତି ମଧ୍ୟରେ ଚବିଶ ଦସ୍ତିରେ ସାତମାଣ ଦୁଇପା ଶାରଦ ଜମି, ଦୁଇମାଣ ବଗାଏତ, ପାଞ୍ଚମାଣ ପଡ଼ିଆ, ମିହ୍ନା ଡିହରେ ଦୁଇ ବଖରା ଘର, ସତରଟା ନଡ଼ିଆ ଗଛ, ଗୋଟିଏ ଓଦାଖିଆ ଗାଈ, ହେଳେ ବଳଦ ଓ ଗୋଟିଏ ମହାଦେବଙ୍କର ବୁଲା ଷଣ୍ଢ। ଏହାଛଡ଼ା ବାସନକୁସନ, ଲୁଗାପଟା, ହାଣ୍ଡିକୁଣ୍ଡେଇ ଆଦି ମଧ୍ୟ ଏକ ଅନୁପାତରେ ବେଶ୍ ଥିଲା।
ମକଦ୍ଦମା ଅନେକ ଦିନ ଚାଲିଲା, ଅନେକ ସାକ୍ଷ୍ୟ ପ୍ରମାଣ ନିଆଗଲା। ଫଉଜଦାରି କଚେରିରେ ନୀଳକଣ୍ଠକୁ ଜରିମାନା ହେଲା। ତହୁଁ ସେ କସରତରେ ତଳେ ପଡ଼ିଗଲା ମାଲ ପରି, ପୁଣି ହୁଁକାର କରି ଉଠିଲା। ମହାଜନଙ୍କ ଟଙ୍କାର ଝଣ୍ ଝଣ୍ ଶବ୍ଦ ଓ ସୋମନାଥଙ୍କ ପରାମାର୍ଶ ସେ ହୁଁକାରକୁ ଆହୁରି ଟାଣ କରି ପକାଇଲା। ଫଳରେ ରାମଚନ୍ଦ୍ରକୁ ଥାନା ହାଜତ ଭିତରେ ଯାଇ ହାଜର ହେବାକୁ ହେଲା। ସୋମନାଥ ଗୋପନରେ ଦାରୋଗାଙ୍କ ସହିତ ପରାମର୍ଶ କରି ଟଙ୍କା ପଇସାର ସ୍ରୋତ ବୁହାଇ, ତା’ର ଖସିବା ବାଟ ସରଳ କରି ନଥିଲେ, ମକଦ୍ଦମା ବିଚାରରେ ହୁଏ ତ ରାମଚନ୍ଦ୍ରକୁ ଜେଲ୍ଖାନା ଯିବାକୁ ପଡ଼ିଥାଆନ୍ତା। ଫଉଜଦାରି ଅଦାଲତର ଏ ସବୁ ଗୋଳମାଳ ଏଣେ ଚାଲିଥିବାବେଳେ, ଦେବାନି ଅଦାଲତରେ ହାକିମ ରାୟ ଦେଲେ ଯେ ବାପ ଓ ଦୁଇ ପୁଅଙ୍କ ଭିତରେ ସମ୍ପତ୍ତି ତିନି ଭାଗରେ ବିଭକ୍ତ ହେବ।
ରେଳ ଷ୍ଟେସନରେ ଯାତ୍ରୀମାନେ ଚାଲବୁଲ, କଥାବାର୍ତ୍ତା, ଗୋଳମାଳ, କିଣାବିକା, ଖିଆପିଆ କରୁଥାଆନ୍ତି, କାହାରି କିଛି ଧୋକା ନଥାଏ, ମାତ୍ର ହଠାତ୍ ଘଣ୍ଟା ବାଜିଗଲେ, ଗାଡ଼ି ଛାଡ଼ିବାକୁ ବିଳମ୍ବ ଥିଲେ ସୁନ୍ଧା ଯେପରି ସେମାନେ, ଯେ ଯାହା ସ୍ଥାନକୁ ଯାଇ ଜାଗା ଆବୋରି ବସି ପଡ଼ନ୍ତି, ଦେବାନି ଅଦାଲତ ହାକିମଙ୍କ ହୁକୁମରେ ନୀଳକଣ୍ଠ ଓ ରାମଚନ୍ଦ୍ର ସେହିପରି ତାଙ୍କର ନିତ୍ୟନୈମିତ୍ତିକ କଳିଗୋଳ ପିଟାପିଟି ଆଦି ଛାଡ଼ିଦେଇ, ଟିକିଏ ସ୍ଥିର ହୋଇ ବସିଗଲେ। ସମ୍ପତ୍ତିର ତାଲିକା ହେଲା। ଜମିବାଡ଼ି, ବାସନକୁସନ, ଲୁଗା ପଟା-ଘରର ଯାବତୀୟ ଆସବାବ, କୁଲା ଛାଞ୍ଛୁଣୀ ପର୍ଯ୍ୟନ୍ତ ସ୍ଥାବର ଅସ୍ଥାବର, ଚଳିନ୍ତି ଅଚଳନ୍ତି-ସକଳ ସମ୍ପତ୍ତି ତାଲିକାରେ ଭୁକ୍ତ ହେଲା। ବଣ୍ଟରା କରିବାର ଦିନ ମଧ୍ୟ ଧାର୍ଯ୍ୟ କରାଗଲା। ପଞ୍ଚାୟତ ଭଦ୍ରଲୋକ ସ୍ଥିରହୋଇ ରହିଲେ।
ଭଦ୍ରଲୋକମାନେ ଏକତ୍ର ନୋହିପାରିବାରୁ ସମ୍ପତ୍ତି ବିଭାଗ କରିବାରେ କିଛି ବିଳମ୍ବ ଘଟିଲା। ଏପରି ସମୟରେ ଦିନ ହଠାତ୍ ଅଦାଲତ ଚପରାସୀ ଘର କୋରଖ କରିବାକୁ ଆସି ହାଜର। ସମ୍ପତ୍ତି ବଣ୍ଟା ନୋହିଥିଲେ ସୁଦ୍ଧା ନୀଳକଣ୍ଠ ଓ ରାମଚନ୍ଦ୍ର ମହାଜନ ଟଙ୍କାରେ ପୃଥକ୍ ଅନ୍ନର ବ୍ୟବସ୍ଥା କରିଥିଲେ, ସେହି ଘର ଭିତରେ ଅଲଗା ଅଲଗା ଦୁଆର ଫିଟାଇ, ଭିନ୍ନ ଭିନ୍ନ ସ୍ଥାନରେ ରୋଷେଇ ଘରର ଚୁଲି ପକାଇଥିଲେ। ନରହରି ସାନ ପୁଅ ରାମଚନ୍ଦ୍ରଙ୍କ ରୋଷଇରେ ଓ ତାଙ୍କ ଭାର୍ଯ୍ୟା ବଡ଼ପୁଅ ନୀଳକଣ୍ଠଙ୍କ ପାଖରେ ଖାଉଥିଲେ। ଅଦାଲତ ଚପରାସୀ ଅସ୍ଥାବର ସମ୍ପତ୍ତି ବାହାର କରିବା ନିମନ୍ତେ ଘରେ ପଶିବାକୁ ଯିବାରୁ ନୀଳକଣ୍ଠ ରାମଚନ୍ଦ୍ରର ଦୁଆର ଓ ରାମଚନ୍ଦ୍ର ନୀଳକଣ୍ଠର ଦୁଆର ଦେଖାଇବାରେ ଲାଗିଲେ। ଜଣେ କହିଲ, “ଚପରାସୀ ବାବୁ, ଏ ଘର ନୁହେଁ ସେ ଘର।” ଆର ଜଣକ କହିଲା, “ହଜୁର, ସେ ସଇତାନ କଥା ଶୁଣନ୍ତୁ ନାହିଁ, ସେହି ଘର।” ମାତ୍ର ଚପରାସୀ ଘର ବାଛିବାରେ ଅସୁବିଧା ହେଲାନାହିଁ।
ନୀଳକଣ୍ଠ ଓ ରାମଚନ୍ଦ୍ର ଉଭୟଙ୍କର ଦୁଇ ମହାଜନ। ତା’ ସମ୍ପତ୍ତି ଚିହ୍ନଟ ଦେବାକୁ ଆସିଥିଲେ। ଚପରାସୀ ଉଭୟ ଦ୍ବାରବାଟେ ଘରେ ପଶି ସମୁଦାୟ ଅସ୍ଥାବର ସମ୍ପତ୍ତି ଗୋଟି ଗୋଟି କରି ବାହାର କରି ନେଲା। ଏପରିକି ଲିପିଲା ମାଟି ଗୋବର ଲଣ୍ଡା ସୁଦ୍ଧା ରଖିଲା ନାହିଁ। ମହାଜନମାନେ ମକଦ୍ଦମା ଖର୍ଚ୍ଚ ଲାଗି ଯେତେ ଟଙ୍କା କରଜ ଖାତାରେ ଲେଖି ଦେଇଥିଲେ, ସେ ସବୁ ଅଦାଲତରେ ଏକତରଫା ଡିଗ୍ରୀ ହୋଇଥିଲା।
ନୀଳକଣ୍ଠ ଓ ରାମଚନ୍ଦ୍ର ଚପରାସୀକି ବାଧା ଦେବାକୁ ଗଲେ, ମାତ୍ର ଚପରାସୀ ସରକାରୀ ତକମା ପିନ୍ଧିଛି, ଅଦାଲତର ହୁକୁମ ଆଣିଛି, ସେ ବଳରେ ସେ ପର୍ବତ ଟାଳିପାରେ, ଚନ୍ଦ୍ର ସୂର୍ଯ୍ୟଙ୍କୁ ଆଗୁଳି କରିପାରେ। ସେ ରାଗିଲା, ଗାଳିଦେଲା ଏବଂ ମନ ଓ ମୁହଁର ବ୍ୟବହାର ଛଡ଼ା ହାତର ବାଡ଼ି ଖଣ୍ଡ ମଧ୍ୟ କାର୍ଯ୍ୟରେ ଲଗାଇଲା। ଏଥିପୂର୍ବେ ନୀଳକଣ୍ଠର ବାଡ଼ି ରାମଚନ୍ଦ୍ର ମୁଣ୍ଡରେ ଏବଂ ରାମଚନ୍ଦ୍ରର ଠେଙ୍ଗା ନୀଳକଣ୍ଠ ପିଠିରେ କେତେଥର ପଡ଼ିଛି, କେତେଥର ଦାରୋଗାଙ୍କ ବେତ ଉଭୟଙ୍କ ପିନ୍ଧା ଲୁଗା ତଳେ ଦେହର ଚମ ଉପରେ ଲମ୍ବା ଲମ୍ବା ରକ୍ତବର୍ଣ୍ଣ ଚିହ୍ନମାନ ତିଆରି କରିଛି। ସେତେବେଳେ ନୀଳକଣ୍ଠ ଗାଳି ମାଡ଼ ଅପମାନ ଖାଇଲେ, ରାମଚନ୍ଦ୍ର ଖୁସି ହେଉଥିଲା, ରାମଚନ୍ଦ୍ର ଉପରେ ପ୍ରହାର ବସିଲେ, ନୀଳକଣ୍ଠର ହୃଦୟ ଆନନ୍ଦରେ ନାଚୁଥିଲା। ଆଜି କିନ୍ତୁ ହଠାତ୍ କି ପରିବର୍ତ୍ତନ ହେଲା! ଅଦାଲତ ଚପରାସୀର ବ୍ୟବହାରରେ ପ୍ରତିବାଦ କରିବା ପାଇଁ ନୀଳକଣ୍ଠ ଓ ରାମଚନ୍ଦ୍ର ଏକତ୍ର ବାହାରିଲେ। କହିଲେ, “ଚପରାସୀ, ତୁମେ ଜିନିଷ ନେବ ତ, ମାରିବ କିଆଁ? ସେ ହେଉ, ମୁଁ ହୁଏ- କାହାରି ଦେହରେ ହାତ ଲଗାଇଲେ ତୁମେ ଦେଖିବ, ଆମେ ଦେଖିବୁ।”
ଅସ୍ଥାବର ସମ୍ପତ୍ତି ଯଥା ସମୟରେ ନିଲାମ ହେଲା। ମାତ୍ର ସେଥିରୁ ମହାଜନମାନଙ୍କ ପାଉଣାର ଚଉଠେ ସୁଦ୍ଧା ଉଠିଲା ନାହିଁ, ସୁତରାଂ ସେମାନେ ଜମିବାଡ଼ି ଆଦି ସ୍ଥାବର ସମ୍ପତ୍ତି ନିଲାମ କରାଇ ବାକି ଟଙ୍କା ଆଦାୟ କରିନେଲେ। ନରହରି ଦୁଇପୁଅଙ୍କ ବିବାହ ସକାଶେ ବିଧିମତେ କରଜ ତମସୁକ ଲେଖିଦେଇ ଯେଉଁ ମହାଜନଠାରୁ ଭିନ୍ନ ଭିନ୍ନ ସମୟରେ ଦୁଇଶ ଟଙ୍କା ଋଣ ଆଣିଥିଲେ, ସେ ଜାତିର ପଣ୍ଡା ବ୍ରାହ୍ମଣ। ବୈଦିକମାନଙ୍କ ସହିତ ବିବାହ ସମ୍ପର୍କ ତାଙ୍କର ଚଳେ ନାହିଁ। ତଥାପି ସେ ନରହରିଙ୍କ ଏକମାତ୍ର କନ୍ୟାକୁ ବିବାହ ଜିଦ୍ ଧରିଥିଲେ। ନିଜ ବଂଶମର୍ଯ୍ୟାଦା ରକ୍ଷା କରିବା ନିମନ୍ତେ ନରହରି ସେ ପ୍ରସ୍ତାବରେ ନାରାଜ ହୋଇ କନ୍ୟାକୁ ଅନ୍ୟତ୍ର ସତ୍କୁଳରେ ଦେଇଥିଲେ। ବିବାହ ପରେ ଚଉଠି ଦିନ କନ୍ୟା ଅବଶ୍ୟ ମରିଗଲା, କିନ୍ତୁ ତା’ର ଚିତାଗ୍ନିରୁ ସମଗ୍ର ଉତ୍ତାପ ମଧୁ ପଣ୍ଡାଙ୍କ ମୁଣ୍ଡରେ ଯାଇ ଜମା ହୋଇରହିଲା। ମଧୁ ପଣ୍ଡା ଜଣେ ବେଶ୍ ବୁଡ଼ାମାରି ରହିବା ଲୋକ। ସୁଧ ମୂଳ ହିସାବ କରି ନରହରିଙ୍କ ଠାରୁ ତମସୁକ ବାବଦ ସମୁଦାୟ ସାତଶ ତେଷଠି ଟଙ୍କା ପାଞ୍ଚଅଣା ଆଠପାହୁଲା ଅଧେ ବୁଝି ନେଇଥିଲେ ସୁଦ୍ଧା ଦଲିଲଟି ତାଙ୍କୁ ଉଆପସ ଦେଇ ନଥିଲେ।
ନରହରି ଦଲିଲ ମାଗିଲାବେଳେ କହିଥିଲେ, “ଦଲିଲ ନେଇ ଆଉ କ’ଣ ଚାଟିବ, ମହାପାତ୍ରେ? ଟଙ୍କା ତ ଦେଲେ, ଗଲା। ଆଉ ଦଲିଲରେ କ’ଣ ଥାଏ?” ନରହରି ସେଦିନ ଦଲିଲ ନ ନେଇ ଅବଶ୍ୟ ଫେରି ଆସିଲେ, ମାତ୍ର ତା’ପରେ କେତେଥର ଯାଇ ମାଗିଛନ୍ତି। କେତେବେଳେ ମଧୁ ପଣ୍ଡା କହନ୍ତି, “ପୁଅ ପାଖରେ ଅଛି, ଆଉ ଦିନେ ଆସିବ।” ଆଉ କେକେବେଳେ କହନ୍ତି, “ସିନ୍ଦୁକର କୁଞ୍ଚିକାଠି ହଜିଯାଇଛି, ଯାଅ, ମୁଁ ପରେ ପଠାଇଦେବି।” ମାତ୍ର ନରହରି ଚାଲିଗଲେ, ନିଜେ ନିଜକୁ କହନ୍ତି, ଏ ଜିନିଷ ହାତରୁ ଛାଡ଼ିବାର ନୁହେଁ। ଏ ଯେତେଦିନ ମୋ ପାଖରେ ଅଛି, ସେ ବ୍ରାହ୍ମଣ ଟୋକାର ଚୁଟି ମୋ ହାତରେ ରହିଛି। ସଜ ଉଣ୍ଡି ଦିନେ ଦେଖିବି, କେମିତି ଭଟ୍ଟ ମିଶ୍ର ସାଆନ୍ତ ସେ, ଆଉ ମୁଁ ହାଡ଼ି ପାଣରୁ ହୀନ।”
ନୀକକଣ୍ଠ ଓ ରାମଚନ୍ଦ୍ରଙ୍କ ମହାଜନମାନେ ନରହରିଙ୍କ ସମଗ୍ର ସ୍ଥାବର ଅସ୍ଥାବର ସମ୍ପତ୍ତି ନିଲାମ କରାଇ ନିଜ ନିଜ ପାଉଣା ଅସୁଲ କରିନେଲା ପରେ ମଧୁ ପଣ୍ଡା ସେ ପୁରୁଣା ଦଲିଲ ବାବଦ ତିନିଶ ଅଶୀ ଟଙ୍କାର ଡିଗ୍ରୀ ଆଣି ପହଞ୍ଚିଲେ। ତାହା ଦେଖି ନରହରି ତଟସ୍ଥ। ସବୁ ସମ୍ପତ୍ତି ଯାଇ କେବଳ ଘରର ଛପରଟି ବାକି ଥିଲା। ଡିହଖଣ୍ଡି ମିହ୍ନା ହୋଇଥିବାରୁ ତାହା ନିଲାମରେ ଯାଇ ନଥିଲା। ମହାଜନମାନେ ନରହରିଙ୍କ କାକୁତି ମିନତି ଶୁଣି ଘରର ଭୁଆସୁଣୀ ବୋହୂମାନଙ୍କୁ ପଦାରେ ନ ପକାଇବା ପାଇଁ ଛପରଟି ଛାଡ଼ି ଯାଇଥିଲେ। ମଧୁ ପଣ୍ଡା ଛପରଟି ଭାଙ୍ଗି ନିଲାମ କରାଇଲେ, ସେଥିରୁ ତାଙ୍କର ସମୁଦାୟ ପ୍ରାପ୍ୟ ଟଙ୍କା ଉଠିବା ତ ଅସମ୍ଭବ। ସୁତରାଂ, ତାଙ୍କର କ୍ରୋଧାନଳ ଉପରେ ପାଣି ସିଞ୍ଚି ତାକୁ ଶାନ୍ତ କରିବା ନିମନ୍ତେ ନରହରି ନିଜର ଦୁଇ ନେତ୍ରରୁ ଅଶ୍ରୁଧାରା ଢାଳିବାକୁ ନିଜ ଘର ଛପର ନିଲାମଲବ୍ଧ ଧନ ଖାଇ ଦେବାନି ଫାଟକରେ ରହିଲେ। ତାଙ୍କୁ ରହିବାର ବାସ ଓ ଖାଇବାର ଭାତ ଲାଗି ଚିନ୍ତା କରିବାକୁ ପଡ଼ିଲା ନାହିଁ।
ଏଣେ ନୀଳକଣ୍ଠ ଓ ରାମଚନ୍ଦ୍ର ମା’ ଏବଂ ଭାର୍ଯ୍ୟାମାନଙ୍କୁ ଧରି ଘର ଭିତରୁ ପଦାକୁ ବାହାରି ଦେଖିଲେ ଯେ ତାଙ୍କୁ ଆଶ୍ରୟ ଦେବାକୁ ଜଗତରେ ସ୍ଥାନ ନାହିଁ। ବାଘ ବାଘୁଣୀଦଳ ବନରେ ମରାମରି, ଲଢ଼ାଲଢ଼ି ହେଉଥାନ୍ତି, ଶିକାରୀ ଆସିବାର ଦେଖିଲେ ହଠାତ୍ ଯେପରି ଯାଇ ଏକା କୋଟରରେ ସମସ୍ତେ ପଶନ୍ତି, ବର ଭାର୍ଯ୍ୟା, ଚାରିଜଣ ସେହିପରି ବିରହ କାତର ବୁଢ଼ୀଟି ସହିତ ଯାଇ ଗ୍ରାମ ବାହାରେ ବରଗଛ ଛାଇରେ ବସି କାନ୍ଦିଲେ, ଭାଗ୍ୟକୁ ନିନ୍ଦିଲେ, ମହାଜନମାନଙ୍କୁ ଗାଳିଦେଲେ, ସୋମନାଥଙ୍କ ସାତପୁରୁଷର ଶ୍ରାଦ୍ଧ କଲେ, ମଧୁ ପଣ୍ଡାଙ୍କ ଉପରେ ଅଭିଶାପ ବର୍ଷିଲେ। ଜୀବନର ଅନେକ ଦିନ ଏକ ଘର ମଧ୍ୟରେ ରହି ସୁଦ୍ଧା ସେମାନେ ଏ ପ୍ରକାର ଏକତ୍ବ କେବେହେଲେ ଅନୁଭବ କରି ନଥିଲେ। ଆଜି ସମସ୍ତଙ୍କର ଏକ ଉଦ୍ଦେଶ୍ୟ, ଏକ କର୍ତ୍ତବ୍ୟ, ଏକ ଲକ୍ଷ୍ୟ। ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ମଧ୍ୟରେ ଭ୍ରାତୃଭାବର ଉଦୟ ହେଲା। ଚମ୍ପା ସହିତ ଲକ୍ଷ୍ମୀ ଯାଆ ହୋଇ ପରସ୍ପର ପ୍ରତି ସ୍ନେହ ମମତା ଦେଖାଇ ଚଳିଲେ। ବୁଢ଼ୀ କ୍ରମେ ପତିଙ୍କ ବିଚ୍ଛେଦ ଯାତନା ଅଳ୍ପ ଅଳ୍ପ ଭୁଲି, ପୁଅ ଓ ବୋହୂମାନଙ୍କ ସହିତ ରହିବାର ଅଭ୍ୟସ୍ତ ହୋଇ ଆସିଲେ।
ଯେଉଁଦିନ ଦେବାନି ଫାଟକରେ ନରହରିଙ୍କର କାଳ ହେଲା, ତାଙ୍କର ଶବ ଆଣି ଦାହକରି, କ୍ରିୟା ଧରିବାକୁ ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ହାତେ ପାହୁଲାଟିଏ ସୁଦ୍ଧା ନାହିଁ। ତେବେ ଚମ୍ପା ଓ ଲକ୍ଷ୍ମୀ ଦୁହିଁଙ୍କ ହାତେ ପଟେ ପଟେ ବଳା ଥିଲା ପୁଷ୍ପିତ ଲତାର କୁଡ଼ମା ଶେଷ ଫୁଲ ଗଣ୍ଡାକ ପରି। ଶ୍ମଶାନରେ ନରହରିଙ୍କ ଚିତା ଜାଳିବା ନିମନ୍ତେ ତାହା ମଧ୍ୟ ପରିଶେଷରେ ଝଡ଼ି ପଡ଼ିବାକୁ ରହିଥିଲା।
-୦-