(୧) ପ୍ରଦୀପ
ନିରଳସ ଏକ ନୀରଭ ଭାବୁକ ସରି
ସନ୍ଧ୍ୟାର ଏହି ସ୍ତିମିତ ପ୍ରଦୀପ ଚାହେଁ
କ୍ଷିପ୍ର ମାନସେ ଚିନ୍ତା ହଜିଲା ପରି
ସମୀରଣେ ଶିଖା ଶୂନ୍ୟେ ମିଳାଇଯାଏ।

(୨) ସିନ୍ଧୁ
କିଏ କହିବ ତା ଅନ୍ତର ତଳେ
କିବା ଦୁଃସହ ଆବେଗ ଫୁଟେ
ଯୁଗ ଯୁଗ ଧରି ଉନ୍ମାଦ ସମ
କାହିଁକି ପଡ଼େ ସେ କାହିଁକି ଉଠେ।

(୩) ଝରା ଶେଫାଳି
କେଉଁ ଦେବତାର କ୍ଷଣିକ ଆଶିଷ
ଶୁଭ୍ର ପାଖୁଡ଼ା ଧରି
ସୁନ୍ଦର ଏହି ଶରତ ସକାଳେ
ଭୂତଳେ ପଡ଼ିଲୁ ଝରି।

(୪) ପୁଷ୍ପିତା ଲତା
ପହିଲି ଫୁଲଟି ଧରି
ହସେ ନବ ପ୍ରସୂତିକା ଲତା
ମୁଖେ ତା’ ଉଠିଛି ଫୁଟି
ଅନୁପମ ବାତ୍ସଲ୍ୟ ମମତା।

(୫) ପ୍ରକୃତି
ଦିବସେ ଆବରୁ ଧୋବ ପହରଣ
ନୀଳଛିଟ ଶାଢ଼ି ନିଶାରେ,
ତାପସୀର ବେଶେ କେବେ ଆସୁ
କେବେ ବାସକସଜ୍ଜା ରୂପରେ।

(୬) ଲୀଳା-କନ୍ଦୁକ
ଦୁଇ ହାତେ ଦୁଇ କନ୍ଦୁକ ଘେନି
ଖେଳେ ପ୍ରକୃତି ବସି-
ଉଷା-କରେ ଧରେ ରକ୍ତିମ ରବି
ପ୍ରଦୋଷର କରେ ଶଶୀ।

(୭) ଷଟ୍‌ଋତୁ
ରୂପେ ନିରୂପମା ଛଅଟି ଭଉଣୀ
ଗୋଟିଏ ଗରଭୁଁ ଜାତ,
ମୃଦୁ ପାଦ ପାତେ ଆସନ୍ତି ମରତେ
ଧରି ଜଣେ ଆନ ହାତ।

(୮) ମେଘ
ଶୂନ୍ୟ ବିହଗ କେଉଁ ରାଇଜର
କାଉଁରୀ ମନ୍ତ୍ର ଜାଣେ,
ପକ୍ଷ୍ମ ମେଲିଲେ ବିଶ୍ୱେ ଖେଳଇ
କୋଟି ଭାବ କୋଟି ପ୍ରାଣେ।

(୯)ବିଜୁଳି
କଳା କାହା ପାଟଶାଢ଼ିର
ଦୀପ୍ତ କନକ ଧଡ଼ି ସେ?
କିଏ କହେ ଏହି ଚପଳା
ହେବ ବରଷା ବଧୂର ମେଖଳା

ନଭ-ବନେ ଅବା ଲତିକା
ଘନ-ତରୁରେ ରହିଛି ଜଡ଼ି ସେ
କଳା କାହା ପାଟଶାଢ଼ିର
ଦୀପ୍ତ କନକ ଧଡ଼ି ସେ?

(୧୦) ବଜ୍ର
କେଉଁ କ୍ରୁଦ୍ଧ ଦୁର୍ବାସାର
ଅଭିଶାପ-ବାଣୀ ଏଇ ଶୁଭେ
ଆତଙ୍କ ପଡ଼ଇ ମହା-
ମେରୁଠାରୁ ତରୁ ଲତା ଦୂବେ।

(୧୧) ଇନ୍ଦ୍ରଧନୁ
କୁଆଡ଼େ କେହି ନାହିଁ ମେଲାଇ ଦେଲା କିଏ
ଆକାଶ ପଥ ଧାରେ ରଙ୍ଗ ଛତାଟିଏ
ମୁଗ୍‌ଧେ ଚାହୁଁଚାହୁଁ କେ ପୁଣି ଦେଲା ବୁଜି
କାହାର ଛତା କିଏ ନ ହେଲା ତିଳେ ବୁଝି

(୧୨)କୁଆଁତାରା
ସରଗ ନଈର ପରାଚୀ ତୁଠରେ
ପ୍ରଭାତ ସିନାନ ସାରି
ଗୃହେ ଚଳେ ଉଷା ଏଇ ପଦୁଅଁଟି
ସରାଗେ ଗଭାରେ ମାରି।

(୧୩) ସାଧବ ବୋହୂ
ଏ ଲଗନେ ସତେ କେଉଁ ମାଆ ତା’ର
ଝିଅକୁ କରିଲା ବିଦା;
ଆଖି ପାଉନାହିଁ ଦିଗ ଦିଶୁ ନାହିଁ
ଚାହିଁଲେ ନୟନ ସିଧା।

ପଥେ ଚାଲେ ବୋହୂ ସଘନେ ଗଗନେ
ଗରଜେ ଅଶନି ଭାଟ
ଥିର ପାଦ ପାତେ ପ୍ରିୟ ଭବନେ ତା
ପହରି ଏ ନାଲିପାଟ।

– O –

(ଉକ୍ତ କବିତା ମାଧ୍ୟମରେ କବି ପ୍ରକୃତିର ବିଭିନ୍ନ ଦୃଶ୍ୟକୁ କ୍ଷୁଦ୍ର କ୍ଷୁଦ୍ର ପଦ ମାଧ୍ୟମରେ ସରଳ ଭାଷାରେ ଚମତ୍କାର ଢଙ୍ଗରେ ପ୍ରକାଶ କରିଛନ୍ତି)