
କବିତା: ଗୋଟେ ସରଳ, ତରଳ,
ସାବଲୀଳ କନ୍ୟାର ପ୍ରତିବିମ୍ବ
ଗପ: ଗୋଟେ ଜିଜ୍ଞାସୁ ପୁରୁଷର କାୟା
ଛନ୍ଦରେ ବନ୍ଧା ଭାବର ଘୁଙ୍ଗୁର,
ପାଦେ ପାଦେ ସ୍ରୋତର ତାଣ୍ଡବ
ସଂଳାପ କିନ୍ତୁ ଭଙ୍ଗୁର ପ୍ରତିଥର,
ରଚୁଥାଏ କ୍ଲାଇମେକ୍ସର ପ୍ରଚଣ୍ଡ ମାୟା
ହେଲେ ତମେ!
ଗୋଟେ ଗପ ନା କବିତା?
ଆଖିରେ ଢଳଢଳ ଅସରନ୍ତି କ୍ଷୋବ ଧରି
ଓଠରେ ଝୁଲେଇ ରଖ ଗୋଲାପି ରଙ୍ଗର ନାବ
ଧ୍ୱନି ଯେବେ ଉଦ୍ଗାର କଣ୍ଠରୁ ତୁମର
ଚାରିପାଖ ପ୍ରତିଧ୍ବନିତ ହୁଏ ଓଁ’କାର ନାଦ
ବାହାରେ ବର୍ଷୁ ଥିଲାବେଳେ ରିମଝିମ ବର୍ଷା
ଭିତରେ ବୋହୁଥାଏ ବିଦ୍ରୋହର ପବନ
ମୁହଁରେ ଦିଶେ ଦୁଷ୍ଟ ଏକ ପ୍ରଜାପତିର ସ୍ପଷ୍ଟ ଚିହ୍ନ
ହେଲେ ଚିହ୍ନ ତଳେ ଘୋଘୋ ବିପ୍ଳବର ଗର୍ଜନ
ସତ କୁହ, କିଏ ତୁମେ?
କବିତାର କୁହୁ ନା ଗପର ଗାରିମା?
ଫେରନ୍ତା ସବିତାର ଛାଇ
ନା ଆଖି ମିଟିକା ମାରି ଉଇଁ ଆସୁଥିବା ନକ୍ଷତ୍ରକୁ
ଚାହାଣୀରେ ଖୋସିଥିବା ସେ କହ୍ନେଇ!
କୁହ? କୁହ? କିଏ ତୁମେ?
ତମ ଆକର୍ଷଣରେ ଭୁଲିଲେଣି ପକ୍ଷୀମାନେ ନୀଡ଼
ସମୟର ଅପରାହ୍ନରେ ଓହ୍ଲାଇଲା ପରେ ବି
ଋତୁ ହୁଏ ଜଡ଼ସଡ଼, ଆଂଶିକ ତାତି, ଆଉ ଅଧକ ଜାଡ଼
କିଏ ତୁମେ, ଯାହାକୁ ଆଙ୍କୁଛି ଚିତ୍ରକର
ଯାହାକୁ ସ୍ୱରମାନେ ଲୟରେ ଛନ୍ଦି ଗଢୁଛନ୍ତି ଗୀତ
ମୁଖା ଖୋଲ, ପରିଚୟ ଦିଅ,
କୁହ ଥରେ, କିଏ ତୁମେ?
କେଉଁ ଏକ ପ୍ରେମିକ
ନା ଖୋଦ ପ୍ରେମର ଗୋଟେ ଭାଷାନ୍ତର?