(୧)
ଶୁଣ ହେ ମଣିଷ ଭାଇ!
ଝୁରି ସରିବାକୁ ବୁଡ଼ି ମରିବାକୁ ମଣିଷ ଜନମି ନାହିଁ।
ଶତ ହତାଶ୍ୱାସେ ସାରିବ ସଂସାର ନିରାଶେ ନିବିଡ଼ ଅନ୍ଧାରେ,
ଚିର ଶୃଙ୍ଖଳିତ, ଲାଞ୍ଛିତ, ବଞ୍ଚିତ, ପୀଡ଼ିତ କଷଣ କାରାରେ,
ଏ ନୁହେଁ ମାନବ ନିୟତି
ଧ୍ୱଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ ନୁହେଁ ଏ ବିଶାଳ ଜଗତୀ
ଶୁଣ ହେ ମଣିଷ ଭାଇ!
ଆମୃତ ଦୀପ୍ତି ସନ୍ତାନ ତୁମେ ମରଣ ତୁମର କାହିଁ?
(୨)
ଶୁଣ ଶୁଣ ନରନାରି!
ବିଳାସର ଲୀଳା ନିକେତନ ବିଶ୍ୱ ନୁହଁଇ ସତତ କାହାରି!
କୃର ଅତ୍ୟାଚାରେ ଦଳିବ ଦୁର୍ବଳେ ରକ୍ତେ ପିପାସା ଶମିବ
ନତଶିରେ ସୁଖେ ଶ୍ରୀପାଦେ ଅରପି ଆପଣାକୁ ଆପେ ବଧିବ
ଏ ନୁହେଁ ବିଧାତା ବିଚାର,
ଧ୍ୱଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ ନେହେଁ ଏ ସୁନ୍ଦର ସଂସାର।
(୩)
ଶୁଣ ଶୁଣ ବିଶ୍ୱବାସି!
କରମର ଶୁଭ ଭୁବନ ଏହିଟି କରମରେ ଶ୍ରମ ନାଶି,
ଉଠ ଦେବ ତେଜେ ତେଜି ଲାଜ ଭୟ ଅପମାନ ଅହମିକା,
ଅଶୁତ୍ୱ ଦେବତ୍ୱ ପରୀକ୍ଷାରେ ଜୟୀ ଲଭ ବୀରତ୍ୱର ଟିକା
ଋଣୀକର ଭବରାଣେ
ତ’ଙ୍କ ରଚା ଚରାଚର ତରାଣରେ ବଳି ଦିଅ ନିଜ ପ୍ରାଣେ।
(୪)
ଶୁଣ ଶୁଣ ଅରିନ୍ଦମ!
ଷଡ଼ରିପୁଜିତ, ଦେବତା ପୂଜିତ ତାରାଦଳେ ତବାସନ।
ଶତ କ୍ଷତଶିରେ ଶୋଣିତ ଶ୍ରାବରେ ନୁହଁ କ୍ଳିଷ୍ଟ ନୁହଁ କ୍ଷୀଣ,
ଶତ କଳୁଷର କଳଙ୍କ କାଳିରେ ନୁହେଁ ହୀନ ନୁହଁ ଦୀନ,
ବିଧାତାର ବରପୁତ୍ର
ଯୁଗାନ୍ତ-ମୃତ୍ୟୁ ରଜ୍ଜୁ ଛିଣ୍ଡାଇ ଧର ହେ ଜୀବନ ସୂତ୍ର।
=O= =O= =O= =O= =O= =O= =O= =O=
ବି.ଦ୍ର: ଉକ୍ତ କବିତାଟି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କଦ୍ୱାରା ୧୯୨୯ ମସିହାରେ ଲିଖିତ ଓ ପ୍ରକାଶିତ ପୁସ୍ତକ “ସ୍ଫୁଲିଙ୍ଗ”ରୁ ଆନୀତ।