ଗୋଟିଏ ବାପର ଥିଲେ ତିନିପୁଅ। ସେମାନେ ସବୁ ବଡ଼ ହୋଇଗଲେ। ବାହାହେଲେ। ଘରକୁ ଆସିଲେ ତିନିବୋହୂ। ତିନି ବୋହୂଙ୍କର ମଧ୍ୟ ଗୋଟିଏ ଗୋଟିଏ ପିଲା ଜନ୍ମ ହେଲେ। କ୍ରମେ ଘରଟି ହୋଇଗଲା ଗୋଟିଏ ଏକାନ୍ନବର୍ତ୍ତୀ ପରିବାର। ସବୁ ଭାଇଙ୍କ ଭିତରେ ସାଧାରଣ ଭାବେ ସ୍ନେହ ସୌହାର୍ଦ୍ଦ୍ୟ ଥିଲା। ବୋହୂମାନେ ମଧ୍ୟ ମିଳିମିଶି ଚଳୁଥିଲେ। ସୌଭାଗ୍ୟର କଥା ଯେ-ପରିବାରଟିରେ କୌଣସି ମନୋମାଳିନ୍ୟ ନ ଥିଲା।

କିନ୍ତୁ ତିନିଭାଇ ଧର୍ମରେ ହିନ୍ଦୁ ହେଲେ ବି ପ୍ରତ୍ୟେକେ ନିଜ ନିଜ ମତାନୁସାରେ ଧର୍ମ ପାଳୁଥିଲେ। ବଡ଼ଭାଇ ଥିଲେ ପରମ ବୈଷ୍ଣବ। ମଥାରେ ତିଳକ, ବେକରେ ତୁଳସୀମାଳି, ବାଁ ହାତରେ ତମ୍ବା କଡ଼ା ଓ ପାଞ୍ଚଆଙ୍ଗୁଳିରେ ରାମ ଓ କୃଷ୍ଣଙ୍କ ନାମ ଖୋଦିତ ତମ୍ବା ମୁଦି। ତାଙ୍କ ଠାକୁର ଘର ଅଲଗା। ସେଠି ରାମାଭିଷେକ ଫଟୋ ରଖି ପୂଜା କରାଯାଏ। ଶାଳଗ୍ରାମ ପୁଜା ହୁଏ ଓ ହନୁମାନଜୀଙ୍କର ଫଟୋକୁ ମଧ୍ୟ ପୁଷ୍ପ ତୁଳସୀ ଦେଇ ପୁଜା କରାଯାଏ। ପ୍ରତିଦିନ କର୍ପୂର ଆଳତି ହୁଏ ଓ ତିଳକଲାଗି ହୁଏ। କ୍ଷୀରୀ, ଖେଚୁଡ଼ି ଡାଲମା, ପିଠା, ପଣା ଭୋଗହୁଏ।

ସବାସାନ ପୁଅ ଶାକ୍ତମତରେ ପୁଜା ଉପାସନା କରନ୍ତି। ତାଙ୍କର ଠାକୁରଘର ଅଲଗା। ସେ ରୁଦ୍ରାକ୍ଷ ମାଳା ଓ ରକ୍ତଚନ୍ଦନ ମାଳା ପିନ୍ଧିଥାନ୍ତି। ଦେହଯାକ ଚନ୍ଦନରେ ଓଁ ହ୍ଲିଂ କ୍ଲୀଂ ଛପା ହୋଇଥାଏ। ସେ ନାଲିପାଟ ପିନ୍ଧନ୍ତି। ଠାକୁରଘରେ ଶାୟିତ ଶିବଙ୍କ ଉପରେ ଉଲ୍ଲଗ୍ନା, ଆଲୁଳାୟିତା କେଶ, ଭୟଙ୍କରୀ କାଳୀ ହାତେ ଜିଭ କାଢ଼ି ଠିଆ ହୋଇଥିବାର ଏକ ଫଟୋ ପୂଜାହୁଏ। ମହିଷାମର୍ଦ୍ଦିନୀ ଦୁର୍ଗା ଓ ବ୍ୟାଘ୍ରବାହିନୀ ମଙ୍ଗଳା ଠାକୁରାଣୀଙ୍କ ଫଟୋ ମଧ୍ୟ ପୂଜାହୁଏ। ତାଙ୍କ ପାଖେ ମନ୍ଦାର ଫୁଲ ସଜାହୋଇଥାଏ ଏବଂ ପ୍ରତିଦିନ ମାଛମାଂସ ତରକାରି ସହ ଦିନେ ଦିନେ ସାମାନ୍ୟ ମଦ ମଧ୍ୟ ଭୋଗ ହୁଏ।

ମାତ୍ର ମଝିଆଁ ଭାଇଙ୍କର କୌଣସି ସ୍ୱତନ୍ତ୍ର ମତ ନଥିଲା କି ତାଙ୍କର ସେ ଆଡ଼କୁ ମନ ନ ଥିଲା। ସେଥିପାଇଁ ତାଙ୍କର ସ୍ୱତନ୍ତ୍ର ଠାକୁର ଘର ନ ଥିଲା। କିନ୍ତୁ ତାଙ୍କର ଥିଲା ଏକ ସ୍ୱତନ୍ତ୍ର ବୈଠକ ଘର। ସେ ବୈଠକ ଘରେ ସେ ସବୁ ଦେବଦେବୀଙ୍କର ଫଟୋ ରଖିଥିଲେ। ବୁଦ୍ଧ ଓ ଯିଶୁଖ୍ରିଷ୍ଟଙ୍କ ଫଟୋ ବି ରଖିଥିଲେ। ପବିତ୍ର କୋରାନ୍‌ର କେତେକ ମନ୍ତ୍ର ମଧ୍ୟ ଫଟୋ ବନ୍ଧାଇ କରି ରଖିଥିଲେ। ମୋଟ ଉପରେ ସେ କାନ୍ଥଯାକ ସବୁ ଦେବଦେବୀ ଓ ସାଧୁସନ୍ଥ ବାବାଜି ବେଷ୍ଣବମାନଙ୍କ ଫଟୋ ଟଙ୍ଗା ହୋଇଥିଲା। ମଝିଆ ଭାଇ କାହାକୁ ପୂଜାଧ୍ୱଜା କରୁ ନଥିଲେ। ମାତ୍ର ସବୁ ଫଟୋରେ ସବୁଦିନ ଲାଗି ନାଇଲନ୍‌ ଫାଇବର୍‌ ନିର୍ମିତ ବିଭିନ୍ନ ରଙ୍ଗର କୃତ୍ରିମ ଫୁଲର ମାଳା ଲମ୍ବିଥିଲା। ହଁ-ମୁଁ କହିବାକୁ ଭୁଲିଯାଇଛି ଯେ, ମଝିଆଁ ଭାଇ ରାଜନୀତି କରୁଥିଲେ ଓ ଦୁଇଥର ଚେୟାର୍‌ମେନ୍‌ ହେଲାପରେ ଓ ମାତ୍ର ଥରେ ଭୋଟରେ ହାରିଗଲା ପରେ ଏବେ ଗୋଟିଏ ଧର୍ମ-ନିରପେକ୍ଷ ରାଜନୈତିକ ଦଳର ନେତା ରୂପେ ଏମ୍‌. ଏଲ. ଏ. ହୋଇଛନ୍ତି। ତେଣୁ ସେ ତାଙ୍କର ବୈଠକଖାନାଟିକୁ ମନେକରନ୍ତି ଏକ ଧର୍ମ-ନିରପେକ୍ଷ ଉପାସନା ଗୃହ। କାରଣ ସେ ଗୋଟିଏ ଗୃହରେ ରାସଲୀଳା ପ୍ରମତ୍ତ ଶ୍ରୀକୃଷ୍ଣଙ୍କ ସହିତ କ୍ରୁଶବିଦ୍ଧ ଯିଶୁଖ୍ରୀଷ୍ଟ ଓ ଧ୍ୟାନରତ ବୁଦ୍ଧଙ୍କ ସହିତ ଉଲଗ୍ନ ମହାବୀରଙ୍କୁ ଏକ ଧର୍ମନିରପେକ୍ଷ ସୂତ୍ରରେ ବାନ୍ଧି ରଖିଛନ୍ତି। ଏଥିପାଇଁ ରାଜନୀତିକ ନେତା ମଝିଆଁଭାଇ ଖୁବ୍‌ ଗର୍ବ ମଧ୍ୟ ଅନୁଭବ କରୁଥିଲେ ଏବଂ ସେଥିପାଇଁ ସବୁ ଧର୍ମ ଓ ସମ୍ପ୍ରଦାୟର ଭୋଟଦାତାମାନେ ତାଙ୍କ ବୈଠକ ଖାନାରେ ଆସି ରୁଣ୍ଡ ହେଉଥିଲେ। କିନ୍ତୁ ସେ ଘରେ କେବେ ଗୀତା, ଭାଗବତ, ଚଣ୍ଡୀ, ବାଇବେଲ୍‌, କୋରାନ୍‌ ଆଦି ପାଠ ହେଉ ନ ଥିଲା।

ଦିନକର କଥା! ସେଦିନ ବଡ଼ଭାଇ ତାଙ୍କର କେତେକ ବୈଷ୍ଣବ ବନ୍ଧୁଙ୍କୁ ସଂକୀର୍ତ୍ତନ ଓ ପ୍ରସାଦସେବନ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ଠିକ୍‌ ସେହିଦିନ ସାନଭାଇ ତାଙ୍କର କେତେକ ଶାକ୍ତ ବନ୍ଧୁଙ୍କୁ ଚଣ୍ଡୀପାଠ ଓ ପ୍ରସାଦ ସେବନ ଲାଗି ନିମନ୍ତ୍ରଣ କରିଥିଲେ ଏବଂ ସେହିଦିନ ମଧ୍ୟ ମଝିଆଁଭାଇ ଆସନ୍ତା ନିର୍ବାଚନ ଲାଗି ପ୍ରସ୍ତୁତି ପାଇଁ ତାଙ୍କର କେତେଜଣ ମିନିନେତା ବନ୍ଧୁଙ୍କୁ ତାଙ୍କ ଗୃହରେ ଆଲୋଚନା ଓ ଭୋଜନ ଲାଗି ନିମନ୍ତ୍ରଣ କରିଥିଲେ।

କିନ୍ତୁ ବର୍ତ୍ତମାନ ଦୁଇଭାଇଙ୍କ ଭିତରେ ଆମିଷ ନିରାମିଷ ରନ୍ଧନ ଲାଗି ବିବାଦ ଦେଖାଦେଲା। ବୈଷ୍ଣବ ଉପାସକ ବଡ଼ଭାଇ କହିଲେ- “ମୁଁ ଆଜି ଭାଗବତ ପାରାୟଣ ଓ ସଂକୀର୍ତ୍ତନ ଲାଗି ବୈଷ୍ଣବ ଭାଇମାନଙ୍କୁ ପ୍ରସାଦ ସେବନ କରାଇବି। ତେଣୁ ଆମଘରେ ଆଜି ନିରାମିଷ ରନ୍ଧାହେବ।” ଶାକ୍ତ ଉପାସକ ସାନଭାଇ କହିଲେ- “ଆଜି ମୁଁ ମୋର ଶାକ୍ତ ଭାଇମାନଙ୍କୁ ଚଣ୍ଡୀପାଠ ପାଇଁ ଓ ଆମିଷପ୍ରସାଦ ସେବନ ପାଇଁ ଡାକିଛି। ତେଣୁ ନିଶ୍ଚୟ ମାଛ ତରକାରି ହେବ। କାରଣ ମାଛମାଂସ ନ ଥିଲେ କାଳୀମାତା ସେ ତରକାରୀ ଚାହିଁବେ ନାହିଁ।”

ରାଜନୈତିକ ନେତା ମଝିଆଭାଇ ଏକଥା ଶୁଣୁଥିଲେ ଚୁପ୍‌ ହୋଇ। କିଛି କ୍ଷଣ ପରେ ସାମାନ୍ୟ ମୁରୁକି ହସି ବଡ଼ଭାଇ ଓ ସନଭାଇଙ୍କ ଉଦ୍ଦେଶ୍ୟରେ କହିଲେ- “ଠିକ୍‌ ଅଛି। ଏଇ ସାମାନ୍ୟ କଥା ନେଇ ଆମର ଏକ ଏକନ୍ନବର୍ତ୍ତୀ ପରିବାରରେ ବିଭେଦ ସୃଷ୍ଟି ହେବ? ତା’ ହେଲେ-ଆମେ ଆମର ଏଇ ମହାନ୍‌ ଦେଶ ଭାରତକୁ ଏକାଠି ରଖିବା କିପରି? ତୁମେମାନେ ଗୋଟେ କଥା କର। ସବୁ ପରିବା, ଡାଲି ଓ ମାଛ କି ମାଂସ ଏକାଠି ମିଶାଇ ଗୋଟେ ଘାଣ୍ଟ ବା ଜନ୍ତାଳ କରି ରାନ୍ଧ। ଶେଷରେ ଗରମମସଲା ପକାଇ ଯେଝା ଠାକୁରମାନଙ୍କ ପାଖେ ଭୋଗ ଲଗାଅ। କେବଳ-ବୈଷ୍ଣବ ପୂଜାଗୃହରେ ଯେଉଁ ତରକାରି ଭୋଗ ଲଗାଇବ ସେଥିରୁ ପରିବାତକ କାଢ଼ିଦେବ। ବାସ୍‌-ଦୁଇଭାଇଙ୍କ କଥା ରହିଲା। ଏବେ ସେଇ ଘାଣ୍ଟ ବା ଜନ୍ତାଳ ତରକାରି ମୋର ରାଜନୀତିକ ବନ୍ଧୁମାନଙ୍କୁ ଖାଇବାକୁ ଦିଅ। ଆମ ଧର୍ମନିରପେକ୍ଷ ନେତେମାନେ ସବୁକୁ ଏକାଠି ମିଶାଇ ଖାଇଦେବୁ। ଆମର କିଛି ବାଛବିଚାର ନାହିଁ। ବୁଝିଲ।”

ପାଠକେ! ଏବେ ଆପଣମାନେ ସବୁକଥାର ମର୍ମ ବୁଝିଲେ ତ?