ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ
ବିସ୍ତୀର୍ଣ୍ଣ ପ୍ରକୃତି ଜହିଁ ଦିଗମ୍ବର ବେଶେ
ବୃକ୍ଷହୀନ-ହେମକାନ୍ତ-ସିକତା ବିସ୍ତାର
ମହୋଦଧି ତଟ-ପ୍ରାନ୍ତେ।
ସିନ୍ଧୁ ସିକତାରେ
କ୍ରୀଡ଼ନ୍ତି ନିଶୀଥେ ତହିଁ ଜଳକନ୍ୟାଗଣ
କିଆକୁଞ୍ଜେ ଲୁଚକାଳି,
କୋମଳ ଚରଣ
ବୁଡ଼େନାହିଁ ବାଲୁକାରେ।
ବର୍ଷାରମ୍ଭେ ତହିଁ
ପୁନ୍ନାଗ କୁଶୁମ ଗନ୍ଧ ପ୍ରାଣଦିଏ ଦହି
ବିରହୀ ତରୁଣଙ୍କର।
କ୍ଷୁବ୍ଧ ପାରାବାର
ଢାଳେ ଚୁର୍ଣ୍ଣ-ମରି-ଚୁଡ଼ ଦୀର୍ଘ ଊର୍ମିବାର
ସେ ଭୂମିର ପଦତଳେ,
ତା ଗୁରୁ ଗର୍ଜନ
ରଚେ ତହିଁ ଶାଶ୍ବତିକ ମୃଦଙ୍ଗ ଘୋଷଣ।
ସେହି ଭୂମେ ମୋ କୁଟୀର, ସେ ଦେଶେ କୁରଙ୍ଗୀ
ଚାଲ ସଖି, ତୁମ୍ଭଠାରୁ ଶିଖିବେ ଭ୍ରୂଭଙ୍ଗୀ।