ଏବେ ଗ୍ରୀଷମ କାଳ ଗଲା। ବରଷା ଋତୁ ପ୍ରକାଶିଲା।
ସକଳ ଋତୁଙ୍କର ସାର। ଶସ୍ୟ ସମ୍ପଦ ମଞ୍ଚ ପୁର।
ମେଘେ ମିଳିଲେ ଶୂନ୍ୟପଥେ। ବିଜୁଳି ଶବଦ ସଙ୍ଗତେ।
ଭୂମି, ସାଗର, ଶୂନ୍ୟେ ବ୍ୟାପି। ନୀଳ ଜୀମୂତ ବିଶ୍ବରୂପୀ।

ଯେମନ୍ତେ ନିବିଡ଼ ଆକାଶ। ଭୂମିର ରସ ଅଷ୍ଟମାସ।
ଆଦିତ୍ୟ କରିଥିଲା ଗ୍ରାସ। ସେ ତାପ କଲା ମେଘ ନାଶ।
ମହୀମଣ୍ଡଳ ଦୁଃଖ ଚାହିଁ। ଜଳ ଛାଡ଼ିଲା ତୋଷ ହୋଇ।
ଘୋର ଶବଦେ ମେଘମାଳ। ଗର୍ଜିଣ ବରଷନ୍ତି ଜଳ।

ପ୍ରାଣୀ ଜୀବନ ଜଳ ରାଶି। କରୁଣା ଚିତ୍ତରେ ବରଷି।
ପୃଥିବୀ ରବିତପ୍ତ ଗ୍ରାସେ। ତାପିତ ଥିଲା ଅଷ୍ଟମାସେ।
ଜଳ ପାଇଲେ ତୋଷ ଚିତ୍ତେ। ତପସ୍ବୀ ଜନଙ୍କର ମତେ।
ତପସ୍ୟା ଫଳ ଯେହ୍ନେ ପାଇ। ଭୁଞ୍ଜନ୍ତି ଅତି ସୁଖୀ ହୋଇ।

ଖଦ୍ୟୋତ କୀଟ ନିଶାମୁଖେ। ଜଗତ ଆବୋରିଲେ ସୁଖେ।
ପାଷାଣ୍ଡେ ଯେହ୍ନେ କଳିଯୁଗେ। ବେଦ ନିନ୍ଦନ୍ତି ଯୋଗ ମାର୍ଗେ।
ମଣ୍ଡୁକେ ମେଘ ନାଦ ଶୁଣି। ଗର୍ଜନ୍ତି ଆବୋରିଣ ପାଣି।
ଅଳପ ନଦୀଏ ପୁରିଲେ। ଲହରୀ ମତେ ଉଛୁଳିଲେ।

ନାନା ପ୍ରକାରେ ଶସ୍ୟ ରାଶି। ଏଣେ ପୁରିତ ମହୀ ଦିଶି।
ଛତୁ ଯେ ଛତ୍ର ପ୍ରାୟ ହୋଇ। ରାଜାର ପ୍ରାୟେ ଦିଶେ ମହୀ।
ଶସ୍ୟ ସମ୍ପଦ କ୍ଷେତ୍ର ମତେ। ଦେଖି ସାନନ୍ଦ ପ୍ରାଣୀ ଚିତ୍ତେ।
ଅଶେଷ ଜୀବ ଜଳ ସ୍ଥଳେ। ଜଳ ଭକ୍ଷିଲେ କୁତୂହଳେ।

ଦିନକୁ ଦିନ ପୁଷ୍ଟ ହୋଇ। ହରି ସେବକ ପ୍ରାୟ ଦେହୀ।
ସମୁଦ୍ର ନଦୀଙ୍କର ମେଳ। ଲୋଡ଼ି ପାଇଲେ ପୂର୍ଣ୍ଣ ଜଳ।
ଅଳପ ଯୋଗୀଙ୍କର ଚିତ୍ତ। ଯେହ୍ନେ ଚଞ୍ଚଳ ଗୁଣେ ଗ୍ରସ୍ତ।
ପର୍ବତେ ଜଳଧାରଚୟ। ପଡ଼ନ୍ତେ ନ କରନ୍ତି ଭୟ।

କୃଷ୍ଣ ଆଶ୍ରିତ ପ୍ରାଣୀ ଯେହ୍ନେ। ଦୁଃଖିତ ନୁହନ୍ତି ବ୍ୟସନେ।
ପଥ ହୋଇଲା ତୃଣମୟ। ବାଟର ନ ମିଳିଲା ଥୟ।
ବ୍ରାହ୍ମଣ ବେଦ ପାଶୋରିଲେ। ଯେମନ୍ତ ହ୍ବନ୍ତି ପଚାରିଲେ।
ଜଗତ ବନ୍ଧୁ ମେଘମାଳେ। ବିଜୁଳି ନ ରହେ ନିଶ୍ଚଳେ।

ଗୁଣୀ ପୁରୁଷଙ୍କର ତୁଲେ। ବିଟପୀ ମନ ଯେହ୍ନେ ଟଳେ।
ଶବଦ ତୁଲେ ଇନ୍ଦ୍ର ତାପ। ଗଗନେ ଶ୍ବେତ ସାତ ରୂପ।
ଗର୍ଜନ୍ତି ଗୁଣେ ହୋଇ ଯୁତେ। ନିର୍ଗୁଣ ପୁରୁଷ ଯେମନ୍ତେ।
ଚନ୍ଦ୍ର ନ ଦିଶେ ମେଘାଛନ୍ନେ। ମିଥ୍ୟା ବଚନେ ସତ୍ୟ ଯେହ୍ନେ।

ମୟୁରେ ଗିରି ପୃଷ୍ଠେ ଥାଇ। ନୃତ୍ୟ କରନ୍ତି ମେଘ ଚାହିଁ।
ଅତିଥି ଦେଖି ବିଦ୍ବଜ୍ଜନେ। ଯେସନେ ତୋଷ ହ୍ବନ୍ତି ମନେ।
ବୃକ୍ଷଙ୍କ ମୂଳେ ଜଳରାଶି। ଫଳ ପଲ୍ଲବ ଯେ ପ୍ରଶଂସି।
ତପର ଅନ୍ତେ ଫଳ ପାଇ। ତପସ୍ବୀ ଯେହ୍ନେ ତୁଷ୍ଟ ହୋଇ।

ବରଷା ଦେଖି ନର ନାରୀ। ଯେସନେ ଗୃହ ବାସ କରି।
ଜଳ ପ୍ରବାହେ ବନ୍ଧ ଭାଙ୍ଗେ। ଯେହ୍ନେ ପାଷାଣ୍ଡେ ବେଦମାର୍ଗେ।
ମେଘ ପବନ ଯୋଗେ ବଳି। ଅମୃତ ପ୍ରାୟ ଜଳ ଛାଡ଼ି।
ବିପ୍ରଙ୍କ ବୋଲେ ମହୀପାଳେ। ଯେହ୍ନେ ଦିଅନ୍ତି ଦାନ କାଳେ।

ବରଷା ରସେ ବନ ଭୂଇଁ। ଖର୍ଜୁର ଜମ୍ବୁମୟ ହୋଇ।
ଗୋରୁ ଗୋପାଳ ସଙ୍ଗେ ଘେନି। ବନେ ବିଜୟ ଅନ୍ତର୍ଯ୍ୟାମୀ।
ଗାଈଏ ସ୍ତନଭର ହୋଇ। କର୍ଦମେ ନ ପାରନ୍ତି ଯାଇ।
କୃଷ୍ଣର ଡାକ ଶୁଣି କର୍ଣ୍ଣେ। ନିକଟେ ମିଳିଲେ ବହନେ।

ବନରେ ଯେତେ ଜନ୍ତୁ ଥିଲେ। ଗିରି କାନନ ଆଶ୍ରେ କଲେ।
ସକଳ ବୃକ୍ଷେ ମଧୁଦ୍ରବ୍ୟ। ବରଷା ଋତୁର ସ୍ବଭାବ।
ଗାଈ ଚରାନ୍ତି ବୃନ୍ଦାବନ। ଭକ୍ଷନ୍ତି କନ୍ଦମୂଳମାନ।
ବସନ୍ତି ବୃକ୍ଷଙ୍କର ତଳେ। ଦିନ ହରନ୍ତି ବୃଷ୍ଟିବେଳେ।

ଦଧି ଅନ୍ନହିଁ ଘରୁ ଆଣି। ଜଳ ନିକଟେ ଚକ୍ରପାଣି।
ଗୋପାଳ ମେଳେ ବେନି ଭାଇ। ଭୁଞ୍ଜନ୍ତି ଶିଳାପରେ ଥୋଇ।
କୋମଳ ଘାସେ ପଶୁମାନେ। ଶୁଅନ୍ତି ନିଦ୍ରିତ ଲୋଚନେ।

(ଏହି କବିତାଟି ‘ଶ୍ରୀମଦ୍ ଭାଗବତ’ ଗ୍ରନ୍ଥ, ଦଶମ ସ୍କନ୍ଧର ଏକାଦଶ ଅଧ୍ୟାୟରୁ ଊଦ୍ଧୃତ ହୋଇଛି)