ଦେଖରେ ତାରା ଦେଖ ଆକାଶେ
ତୁମରି କବି ଲୋତକେ ଭାସେ
ଏ ଧୂଳି ତଳେ କାଙ୍ଗାଳ ବେଶେ ଭ୍ରମର କିବା ଭିକ୍ଷାର ଆଶେ।
ମଳିନ କ୍ଷୀଣ ଧୂସର ଦେହ
ଭାଙ୍ଗିଛି ତା’ର ଆକାଶ-ଗେହ
ଭୂତଳେ ପଡ଼ି ପରାଣ ତା’ର ମାଗଇ ସୁଖ ମାଗଇ ସ୍ନେହ।
ଦେଖରେ ବନ ଦେଖରେ ଗିରି,
ତୁମରି କବି କି ହତଶିରୀ
ଭୁବନ ତାକୁ ବଞ୍ଚିତ କରି ଯାତନା ଦାଗ ଦେଇଛି ଚିରି।
ଦେଖରେ ଦେଖ ବସନ୍ତ ବାଆ
ବିକଳେ କବି ଭ୍ରମର ଆହା
ତୁମରି ଚିର ଖେଳର ସାଥୀ ନ ଲଭି କାହିଁ ଭରସା ସାହା।
ଦେଖରେ ପିକ ଦେଖରେ ଶୁକ
ଲଭିଛି କବି କି ଗୁରୁ ଦୁଃଖ
ତୁମରି ସ୍ବର ନୁହେଁ ମଧୁର ଲାଗଇ ଆଜି ବିକଳ ରୂକ୍ଷ।
ନ ପାରେ ତୁମ ସଙ୍ଗତେ ଉଡ଼ି
ବେଦନା ତଳେ ଯାଇଛି ବୁଡ଼ି
ପବନ ତାକୁ ଠକିଲା ଆଜି ସପନ ଏବେ ଦେଲା ଘଉଡ଼ି।
ଦେଖ ଗୋଲାପ ଦେଖ ଲୋ ଯୂଇ
କବି ଲଲାଟେ ଅଧର ଛୁଇଁ,
ଜଳଇ ମହା ହୁତାଶ ତହିଁ ଲାଗଇ ପାଦେ ତପତ ଭୂଇଁ।
ଦେଖ ସାଗର ଦେଖ ଗୋ ନଦୀ
ପୂରୁବ ସ୍ନେହ ରହିଛି ଯଦି
ହତାଶ ଆଜି ତୃଷିତ କବି ଭୁବନ ଗୋଟା ପୃଷ୍ଠରେ ଲଦି।
ପରାଣ ପ୍ରିୟ ଦେଖ ହେ ଶଶି
କ୍ଳାନ୍ତ ଏ କବି ନୟନେ ହସି
ଦେଖରେ ଦେଖ କଜଳ ଘନ, ନିରାଶେ ପଥେ ରହିଛି ବସି।
ଏତିକି ଖାଲି ଅଛି ଆଶ୍ବାସ
ତୁମେ ଯେ ମୋର ଦୁଃଖର ଆଶ
ହତାଶ ଗାଥା ଶୁଣାଇ ତାକୁ ତୁମରିଠାରେ ରଖି ବିଶ୍ବାସ।