
ଚୁପ୍ ଚାପ୍ ବସିଥିଲି
ମଝିରେ ମଝିରେ ଚାହିଁ
ଉଇଲଗା ଛାତେ
ଗଣୁଥିଲି କଡ଼ି କାଠ ବର୍ଗା
ଜୀର୍ଣ୍ଣ ପାଣ୍ଡୁଲିପି ତଳେ
ପାଶୋରା ପ୍ରେମର ଛିନ୍ନ ଚିଠି ପରି
ହଠାତ୍ ଆଖିରେ ପଡ଼େ
ଏକ ଖୋଲା ଝର୍କା।
ପଲକେ ଝଲସି ଉଠେ ସୁଦୂର ପ୍ରସାରୀ
ଆକାଶ ପ୍ରାନ୍ତର ଆଉ ଇସ୍ପାତ ସହର
କାରଖାନାର କିଛି ଅଂଶ,
ଧୁଆଁର କୁଣ୍ଡଳି
ଦେଖାଯାଏ ଯେ ଟିକକ,
ତାହାରି ଭିତରେ ସୁଦୂର ନିକଟ ହୁଏ
ବିଶ୍ୱପ୍ରାଣ ଉଠଇ ମର୍ମରି।
ଆଶ୍ଚର୍ଯ୍ୟ ଏ ଅନୁଭୂତି,
ସେଦିନ ଯେହେତୁ
ଭାଷା ସୀମା ବିବାଦର
ମୁଁ ଏକ ଆସାମୀ
ଜୀବନେ ପ୍ରଥମ କରି ସମାଜଠୁ
ବିଛିନ୍ନ ହବାର ଜ୍ୱାଳାରେ ଅସ୍ଥିର
ଜଳୁଥିଲି ବିଦ୍ରୋହ ଶପଥେ
ଭାଙ୍ଗିବାର ବହୁ ଚେଷ୍ଟା କରି
ହାଜତ କବାଟ, ବ୍ୟର୍ଥ ଯେବେ
ଏକ ନୀଳ ଅଗ୍ନିଳ ସଙ୍କେତ
ଦିଏ ଖୋଲା ଝର୍କା ମତେ।
ଏବଂ ସେ ସଙ୍କେତ ତଳେ
ବନ୍ଦୀ କବି ପ୍ରାଣ
ଶୂନ୍ୟେ ନଭେ ଦେଖଇ
ଯେଉଁ ରୌଦ୍ରର ଦହନ
ସେ ଦହନ ଦଗ୍ଧ ଦାହେ
ବୀଜାଣୁ ଅଙ୍କୁର ପରି
ପୁରାପୁରି ନିହତ ନ ହେଲେ
ମୁକ୍ତିର ଆଲୋକ-
ସ୍ୱପ୍ନ ବହୁଦୂରେ ଜାଣି
ମୁଁ ବି ଜଳି ଉଠିଥିଲି
ଅଶାନ୍ତ ଆଗାମୀ।
ଆଉ ସେଇଦିନୁ ଜଳୁଚି ବି’
ସବୁ କିଛି ଜାଳିଦେବା
ରକ୍ତାକ୍ତ ଶପଥେ ଲାଲ କୃଷ୍ଣଚୂଡ଼ା
ଜାଣିଚି ମୁଁ ମେଘେ-
ମନ୍ଦ୍ରେ ଝଡ଼ର ବିଦ୍ୟୁତେ,
ଆସିବଇ ଡକା
ତେଣୁ କରିଛି ଅପେକ୍ଷା
ଆଖି ଆଗେ ସେଇ ଖୋଲା ଝର୍କା॥