ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଉଧାରଶୁଝା

ଫ୍ରାନ୍‌ସ୍‌ ଦେଶର ରାଜଧାନୀ ପାରିସ୍‌। ରାସ୍ତାରେ କେତେ ମଣିଷଙ୍କର ଯାତାୟାତ ଲାଗିରହିଛି। ଦୁଇକଡ଼ରେ ସୁନ୍ଦର ବଡ଼ବଡ଼ କୋଠାମାନ। ଫୁଲବଗିଚାରେ କେତେ କିସମର ଫୁଲ ଫୁଟିଛି।

ସଞ୍ଜ ବୁଡ଼ି ଆସୁଛି। ସହରର ଗୋଟିଏ ବଡ଼ ହୋଟେଲରେ ସଞ୍ଜଭିଡ଼ ଲାଗିଗଲାଣି। ଲୋକଙ୍କର ଉଠିବା ବସିବା ଶବ୍ଦରେ ଘରଟାଯାକ ସରଗରମ ହୋଇ ରହିଛି। ଇନ୍ଦ୍ରପୁରୀ ପରି ଚମତ୍କାର ଖାଇବା ଜିନିଷମାନ ସଜାଇ ହୋଇ ଥୁଆ ହୋଇଛି।

ହଠାତ୍‌ ଚଞ୍ଚଳ ଚକିତ ଭାବରେ ଜଣେ ଯୁବକ ହୋଟେଲ ଭିତରକୁ ପଶି ଆସିଲା। ଅନାଇଦେଲେ ବିଦେଶୀ ବୋଲି ଧରା ପଡ଼ିଯାଉଛି। ଛୋଟିଆ ମୁହଁଟି ଉପରେ ଦାଢ଼ି କେରାକ ବଡ଼ ଅବର୍ଜିଆ ଦିଶୁଛି। ଆଖିଦୁଇଟା ମିଟିମିଟି ହୋଇ ଜଳୁଛି। ବାଳଗୁଡ଼ାକ ନୁଖୁରା। ବେଶପୋଷାକରେ ବାଗସାଗ ନାହିଁ। ସେସବୁ ଆଡ଼କୁ ଯେପରି ଯୁବକଟିର ଆଦୌ କୌଣସି ଦୃଷ୍ଟି ନାହିଁ।

ଖାଲି ଟେବୁଲଟିଏ ପାଖକୁ ଆସି ସେ ଚଉକି ଉପରେ ବସିପଡ଼ିଲା। ସଙ୍ଗେ ସଙ୍ଗେ ପରଷିବାବାଲା ଆସି ବରାଦ ମୁତାବକ ଖାଇବା ଜିନିଷ ଆଣି ଥାଳିରେ ଅଜାଡ଼ି ଦେଇଗଲା। ପରଷା ଶେଷ ନ ହେଉଣୁ ଯୁବକଟିର ହାତ ଚାଲିଛି- ସତେ ଯେପରି ଭୋକରେ ତା’ର ପେଟ ଜଳୁଥିଲା। ବରାଦ ପରେ ବାରଦ ଦେଇ ସେ ପେଟ ପୂରିବାଯାଏ ଖାଇବାରେ ଲାଗିଥାଏ।

କିନ୍ତୁ ଖାଇଲେ ତ ପୁଣି ପଇସା ମଧ୍ୟ ଦେବାକୁ ପଡ଼ିବ! ବେଳସୁଁ ଯୁବକଟି ପରଷିଲାବାଲାକୁ ଡାକି ଚୁପ୍‌ଚୁପ୍‌ ସତ କଥାଟି କହିଦେଲା ‘‘ବର୍ତ୍ତମାନ ମୋ ପାଖରେ ପଇସାଟିଏ ବି ଦେବାକୁ ନାହିଁ। ରାଜନୀତିରେ ଯୋଗ ଦେଇଥିବାରୁ ସରକାର ମୋତେ ଦେଶରୁ ତଡ଼ି ଦେଇଛନ୍ତି। ଯଦି ତୁମେ ବର୍ତ୍ତମାନ ମୋ ପଇସାଟା ଦେଇଦିଅନ୍ତ, ତେବେ ପରେ ମୁଁ ନିଶ୍ଚୟ ତୁମର ଉଧାର ଶୁଝିଦିଅନ୍ତି!’’

ପରଷିଲାବାଲା ଜଳଜଳ କରି ଅନାଇ ରହିଲା। ଧନୀ ସହର ପାରିସ୍‌ରେ ପଇସା ନ ଥାଇ ପୁଣି କିଏ ହୋଟେଲ୍‌ରେ ପଶିବାକୁ ସାହସ କରିବ! ଯାହାହେଉ, ବିଶ୍ୱାସ କରି ସିଏ ଯୁବକଲାଗି ଖର୍ଚ୍ଚଟା ଦେଇଦେଲା। ଯୁବକଟିର ନାମ ହେଉଛି ଲେନିନ୍‌। ତା’ର କେତେଦିନ ପରେ ଋଷିଆରେ ବିପ୍ଳବ ହେଲା। ଜାର୍‌ ସରକାର ତଡ଼ା ଖାଇଲେ, ଲେନିନ୍‌ ଦେଶର ନୂତନ ସଭାପତି ବଛାହେଲେ।

କିନ୍ତୁ ପାରିସ୍‌ ସହରର ସେହି ପଇସା ଉଧାର କରିଥିବା କଥା ସେ ଭୁଲି ନ ଥାନ୍ତି। ସଙ୍ଗେ ସଙ୍ଗେ କେତେକ ଉପହାର ସହିତ ଧାର କରିଥିବା ପଇସାତକ ସେ ସେହି ପରଷିବାବାଲାର ଠିକଣାରେ ପଠାଇ ଦେଲେ। କିଛିଦିନ ପରେ ଗୋଟିଏ ଚିଠି ଓ ପଇସା ଫେରି ଆସିଲା। ଚିଠିରେ ଲେଖା ହୋଇଥିଲା, ‘‘ଦେଶରୁ ତଡ଼ା ଖାଇଥିବା ଜଣେ ଅଭାବଗ୍ରସ୍ତ ଯୁବକକୁ ମୁଁ ପଇସା ଦେଇଥିଲି। ଏଡ଼େବଡ଼ ଗୋଟାଏ ଦେଶର ସଭାପତିକୁ ଉଧାର ଦେଇଥିଲେ ସିନା ବର୍ତ୍ତମାନ ତାଙ୍କରିଠାରୁ ପରିଶୋଧ ନେଇଥାନ୍ତି!’’

ପାଠକୀୟ ଆଦୃତି

109 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଚିତ୍ତରଞ୍ଜନ ଦାସ

ଚିତ୍ତରଞ୍ଜନ ଦାସ (୧୯୨୩-୨୦୧୧) ଏକାଧାରରେ ଜଣେ ମହାନ ଚିନ୍ତାନାୟକ, ବିଶିଷ୍ଟ ଲେଖକ, ଗବେଷକ, ଦାର୍ଶନିକ, ମନୋବିଜ୍ଞାନୀ ଓ ସ୍ୱଧୀନତା ସଂଗ୍ରାମୀ ଥିଲେ। ସେ ୧୪ଟି ଭାଷା ଜାଣିବା ସହିତ ଓଡ଼ିଆ ଏବଂ ଅନ୍ୟ ଭାଷାରେ ୨୦୦ରୁ ଅଧିକ ବିଭିନ୍ନ ପ୍ରକାରର ପୁସ୍ତକ ରଚନା କରିଥିଲେ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ସ୍ଥାପନା କରିଥିଲେ ଜୀବନ ବିଦ୍ୟାଳୟ। ସେ କବିତା, ଭ୍ରମଣ ସାହିତ୍ୟ, ଅନୁବାଦ ସାହିତ୍ୟ, ଶିଶୁ ସାହିତ୍ୟ, ପ୍ରବନ୍ଧ, ରମ୍ୟରଚନା, ଆଲୋଚନା ତଥା ଗବେଷଣା ସମ୍ପର୍କରେ ପୁସ୍ତକ ରଚନା କରିଥିଲେ। ‘ମିତ୍ରସ୍ୟ ଚକ୍ଷୁସା’ ହେଉଛି ତାଙ୍କର ଆତ୍ମଜୀବନୀ ଗ୍ରନ୍ଥ।

‘ଜୀବନ ବିଦ୍ୟାଳୟ’ ପାଇଁ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ, ‘ଓଡ଼ିଆ ଓ ଓଡ଼ିଶା’ ପାଇଁ ୧୯୮୯ରେ ଶାରଳା ଏବଂ ‘ବିଶ୍ୱକୁ ଗବାକ୍ଷ’ ପାଇଁ ୧୯୯୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦ୍ୱାରା ସେ ସମ୍ମାନୀତ ହୋଇଥିଲେ। ତାଙ୍କ ରଚିତ ପୁସ୍ତକ ଗୁଡ଼ିକ ମଧ୍ୟରେ ‘ଶିଳା ଓ ଶାଳଗ୍ରାମ’, ‘ସାଗର ଯାତ୍ରୀ’, ‘ଶିଳାତୀର୍ଥ’ ସହିତ ଅନୁବାଦ ଗ୍ରନ୍ଥ ମଧ୍ୟରେ ଶ୍ରୀଅରବିନ୍ଦଙ୍କ ରଚିତ ଲାଇଫ୍‌ ଡିଭାଇନ ର ଓଡ଼ିଆ ଅନୁବାଦ ଆଦି ଅନ୍ୟତମ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ
Mauna mauni 01

ମୌନାମୌନୀ

ପ୍ରାୟ ଅର୍ଦ୍ଧଶତ ବର୍ଷପୂର୍ବେ ଖଣ୍ଡଗିରି ଓ ତତ୍‌ ଚତୁର୍ଦ୍ଦିଗସ୍ଥ ଉପତ୍ୟକା ଭୂମି ବିବିଧ ଜାତୀୟ ବୃକ୍ଷ ଓ ଲତା, ଜାଲରେ ବେଷ୍ଟିତ ଥିଲା। କେବଳ ଗୁମ୍ଫା ଓ…

Rebati 01

ରେବତୀ

ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇଯାଇ ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।” ଜବାବ ନାହିଁ।

Print

ସ୍ମୃତି

ଜେଜେ ଦିନେ ମୋତେ ଡାକି କହିଲେ, ‘ମୋ ହାତ ବାକ୍ସଟା ଆଣ ତ’। ଛୋଟ ହାତ ବାକ୍ସଟି ଖଟ ଉପରେ ଗୋଟେ ପାଖକୁ ଥୁଆ ହୋଇଥିଲା, ଆଣି…

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP