କେହି ଛୁଇଁନାହୁଁ କାହାକୁ, ପଦେ ବି
କଥା କହିନାହୁଁ କେହି,
କିଏ ସେ ପରତେ ଯିବ ଯେ ଏପରି
ସାରା ରାତି ଗଲା ପାହି?
ଆଗରୁ ତମକୁ ଯାହା ଜାଣିଥିଲି
ତମେ ଖାଲି ତାହା ନୁହଁ,
ତମେ ଅଶରୀରୀ ଅଥଚ ମୋ ପାଖେ
ସବୁବେଳେ ରହିଥାଅ।
କେତେ ରୂପେ ଦିଶୁଥାଏ,
ମୋ ଦାସାନୁଦାସ କେବେ ତ କେବେ ମୋ
ସଂହାରକାରୀ ହୁଅ।
ତମେ ନୀଳକଇଁ ରଙ୍ଗର ଛୁରୀ
ମତେ ଚିରି ଦେଇଯାଅ,
ଚାହିଁଲା ବେଳକୁ ମୁଁ ନୁହେଁ ତମେହିଁ
ରକ୍ତରେ ବୁଡ଼ିଥାଅ।
ଆହା କରୁ କରୁ ହସି ହସି ତମେ
ମୋ ବାଟ ଆଗୁଳି ବସ,
ନ ଚାହିଁବି ବୋଲି ଆଖି ବୁଜି ଦେଲେ
ହୃଦୟ ଭିତରେ ଦିଶ।
ନ ଶୁଣିବି ବୋଲି ସ୍ୱର
କାନ ରୁନ୍ଧି ଦେଲେ ତମେ ଅଭିଳାଷ
ପାଲଟି ଅଥୟ କର।
ରାତିରେ ତମକୁ ମୁଁ ଛୁଇଁଲି ନାହିଁ
କାଳେ ଛୁଇଁଦେବା ପରେ
ତମେ ଯେଉଁ ପାଣି ଯେଉଁ ପବନ ମୁଁ
ମିଶିଯିବି ତା’ ଭିତରେ,
କାଳେ ଜନ୍ମ ଜନ୍ମ ତମକୁ ଲୋଡ଼ିବା
କର୍ମଫଳ ସରିଯିବ,
କାଳେ ମୋ ଚେତନା ବାହାରେ ତମର
କେଉଁ ରୁପ ରହିଯିବ।
ପ୍ରାଣ ଯାଉ, ପ୍ରାଣ ରହୁ,
ପାଇ ନ ପାଇବା ନ ପାଇ ପାଇବା
ଦୁଃଖ ସୁଖ ଲାଗିଥାଉ।

