ଅଧାଅଧି ଭୋଜନ ହୋଇଯିବା ପରେ ଜଣେ ପଙ୍ଗତିଆ ଲୋଭରେ ଖଣ୍ଡେ ମାଛକୁ ପାଣିରେ ଧୋଇ ଖାଇଦେବା ପାଇଁ ଇଚ୍ଛାକରି ସରା ଭିତରୁ ଖଣ୍ଡିଏ ମାଛ ଆଙ୍ଗୁଠିରେ ଆଡ଼େଇବାକୁ ଚେଷ୍ଟା କଲା। ଏଁ! ଏ କ’ଣ! ତା’ ଦେହ ଶୀତେଇ ଉଠିଲା। ଯାହା କିଛି ଖାଇଥିଲା ସେସବୁ ଆଉ ପେଟ ଭିତରେ ସ୍ଥିର ହୋଇ ରହିପାରିଲେନି। ମୁକ୍ତି ପାଇଁ ପ୍ରବଳ ବେଗରେ ଊର୍ଦ୍ଧ୍ବମୁଖ ହେଲେ। ଗୋଟାଏ ମଧ୍ୟମ ଧରଣର ବେଙ୍ଗ। ପେଟରେ ପଦାର୍ଥମାନଙ୍କୁ ଆଉ ସେ ଚାପିରଖି ପାରିଲେନି। ଭକ୍କରି ସେଇ ପତର ଉପରେ ଓକାଳି ପକାଇଲା। ସମବେଦନା ଜ୍ଞାପନ କଲାପରି ଆହୁରି ୪/୫ ଜଣ ଅ-ଅ-ହୋଇ ଓକାଳି ପକାଇଲେ। ପଙ୍ଗତ ଆଇନ କାନୁନ ନମାନି ଦଳେ ଉଠି ପଳେଇଲେ। ତିଅଣରେ ବେଙ୍ଗଟାଏ ପଡ଼ିଥିଲା, ସେହି ତିଅଣକୁ ସମସ୍ତେ ଟିକିଏ ଟିକିଏ ଚାଖିଛନ୍ତି, ଏଇଟା ପଙ୍ଗତ ଭିତରେ ବାରୁଦ ରଞ୍ଜକର ନିଆଁ ପରି ଖେଳିଗଲା। ସମସ୍ତେ ଅସ୍ବସ୍ତି ଓ ଭବିଷ୍ୟତ ପେଟ ଗଣ୍ଡଗୋଳ ଆଶଙ୍କା କରି ଉଠି ପଳେଇଲେ।
ବିଜୁଳି ସାହାବଙ୍କ ମୁହଁରେ ଆଉ କଥା ନାହିଁ। ନଟବାବୁ ରାନ୍ଧୁଣିଆ ଉପରେ ଚଢ଼ଉ କରନ୍ତେ ସେ ମୁହେଁ ମୁହେଁ ହାଙ୍କିଦେଲା- “ଓଲଟା ଆମକୁ ଦୋଷ, ବିଜୁଳି ସାହାବଙ୍କ କାମ। ସମସ୍ତେ ବିଜୁଳି ଅଫିସ୍ର ଲୋକ, ବିଜୁଳି ଫୁତ୍ଫୁତ୍ କରୁଥିଲ କାହିଁକି? ନିଆଁ ପାଣି, ଫୁତୁଫୁତୁକୁ ଧରି ବସୁଛ। କାହିଁକି ଏ ଫୁତୁଫୁତିଆ ବିଜୁଳି ରଖିଛ? ବିଜୁଳି ଉପରେ ଯଦି ଅକ୍ତିଆର ନଥିଲା ଦଶ ପନ୍ଦରଟା ଡେ-ଲାଇଟି ରଖିଲନି। ଆନ୍ଧାରରେ ଆମେ କଅଣ କରିବୁ? ଅନ୍ଧାରରେ ବେଙ୍ଗ କେମିତି ଡେଇଁ ପଡ଼ିଛି। ଲୁଣର ଅନ୍ଦାଜ ବି ରହିବ କେମିତି?”
ନଟବାବୁ କାନରେ ହାତଦେଇ ସେଠାରୁ ପଳେଇଲେ। ତେଣେ ଭଦ୍ରବ୍ୟକ୍ତିମାନେ ଉପହାର ସବୁ ନେଇ ଗୋଟିଏ କୋଠରୀରେ ପଡ଼ିଥିବା ଟେବୁଲ ଉପରେ ଥୋଇଦେଇ ପଦାକୁ ପଳାଇଥାନ୍ତି। ପେଟ ଭିତରେ ଶହୀଦ ବେଙ୍ଗର ଆର୍ତ୍ତନାଦ ସେମାନଙ୍କ ଯେପରି ଶୁଭୁଥାଏ। କେମିତି ଘରକୁ ପଳେଇବେ ତା’ର ବାଟ ଦିଶୁ ନଥାଏ। ବହୁତ ଉପହାର ଥୁଆ ହୋଇଗଲା। ଶୁଖିଲା ମୁହଁରେ କେବଳ ଓଠ ଦୁଇଟାକୁ ଜବରଦସ୍ତି ମେଲାଇ ବିଜୁଳି ସାହାବ ଜଣଜଣଙ୍କୁ ବିଦାୟ ଦେଉଥାନ୍ତି। ଉପହାର କୋଠରୀ ପାଖରେ ଭିଡ଼ ସାମାନ୍ୟ କମିଛି କି ନାହିଁ, ବିଜୁଳିବତି ପୁଣି ଫୁତ୍ ହୋଇଗଲା। ଜଣେ କିଏ ବଡ଼ ପାଟିରେ ଥଟ୍ଟେଇ କରି କହିଦେଲା, “ଏଥର ବମ୍ବେଇରେ ଗଣ୍ଡଗୋଳ।” ଆଉ ଜଣେ କହିଲା- “ହଁ, ଗଣ୍ଡଗୋଳଟା ପଛେଇ ପଛେଇ ଯାଉଛି। ପହିଲେ ଚଉଦୁଆର ତା’ପରେ ଢେଙ୍କାନାଳ, ତା’ପରେ ହୀରାକୁଦ, ଏଥର ବମ୍ବେଇରେ ନିଶ୍ଚୟ ହେବ।”
ବିଜୁଳି ଆସିବାରେ ଡେରି ହେବାରୁ ପେଟ୍ରୋମାକ୍ସ ଲଣ୍ଠନ ସବୁ ପୁଣି ଅଣାଗଲା। ଭଦ୍ୟବ୍ୟକ୍ତିମାନେ ତମ୍ବୁ ଭିତରୁ ଧୀରେ ଧୀରେ ବାହାରି ଯାଉଥାଆନ୍ତି। ଠିକ୍ ଏତକିବେଳେ ମେଙ୍ଗା ନାୟକେ ଦେଖିଲେ ଯେ, କିଏ ଜଣେ ଗୋଟାଏ ନଳିବତି ଆବୋରି ଠିଆହୋଇ କଅଣ କରୁଛି। ପୂର୍ବ ଅନ୍ଧାରବେଳେ ଗୁଡ଼ାଏ ନଳିବତୀ ଚୋରି ହୋଇଯାଇଛି। ଚୋରଙ୍କ ଉପରେ ପ୍ରଚଣ୍ଡ ରାଗ ଥିଲା। ସେ ଦାନ୍ତ କଡ଼ମଡ଼େଇ ଗୋଟାଏ ବାଡ଼ି ଧରିଲେ। ପାଦ ଚିପି ଚିପି ସେ ଲୋକଆଡ଼େ ଚାଲିଲେ। ମୁର୍ଖ ଚୋରଟାଏ, ବାଘ ଆସି ପଛରେ ହେଲାଣି ତାକୁ ମାଲୁମ ନାହିଁ। ଦୃଢ଼ ମୁଷ୍ଟି କରି ମେଙ୍ଗାବାବୁ ଜମେଇ ଦେଲେ ଏକ ଜବର ପାହାର। ଲୋକଟା ‘ବୋପାଲୋ’ ବୋଲି କହି ବସିପଡ଼ିଲା। ପାଟି ବାରିନେବାରୁ ମେଙ୍ଗାଙ୍କ ହାତରୁ ବାଡ଼ିଟା ଖସିପଡ଼ିଲା। ସେ କାକୁସ୍ଥ ହୋଇପଡ଼ି ପଚାରିଲେ- “ପହଲି କିରେ? ଓଃ କି ଭୁଲଟାଏ ନ କଲି। ହଇରେ ତୁ ଏଠି କଅଣ କରୁଥିଲୁ?”
“ଇଲୋ ବାପା ମରିଗଲି। ବତିଟା କଡ଼ପଟିଆ ଥିଲା, କାଳେ ଚୋର ନେଇଯିବ ସେଥିଲାଗି ତାକୁ ଧରି ଠିଆ ହୋଇଥିଲି, ଲୋ ବାପା ମରିଗଲି।”
ଖବରଟା ରାଷ୍ଟ୍ର ହୋଇଗଲା। ସେ ଗୋଟାଏ ପେଟ୍ରୋମାକ୍ସ ଲଣ୍ଠନ ନେଇ ଦେଖିଲା ବେଳକୁ ପହଲିଙ୍କ ମୁଣ୍ଡରୁ ଝରଝର ରକ୍ତ ବୋହୁଛି। ସଙ୍ଗେ ସଙ୍ଗେ ତାକୁ ଡାକ୍ତରଖାନା ନିଆଗଲା। ଅପରାଧୀ ପରି ମେଙ୍ଗାବାବୁ ତା’ ସଙ୍ଗେ ସଙ୍ଗେ ଚାଲିଲେ।
ଏଥର ଖୁବ୍ ଡେରିରେ ବିଜୁଳି ଆସିଲା। ସାହାବ ଉପହାର ଘର ଭିତରକୁ ପଶିଯାଇ ଦେଖିଲେ, ଗୁଡ଼ିଏ ଜିନିଷ ହରଣଚାଲ। ତା’ ପରିବର୍ତ୍ତେ କଳାକନାରେ ଗୁଡ଼ିଆ ହୋଇଥିବା ଗୋଟାଏ ବଡ଼ ପୁଡ଼ିଆ।
ଏଇଟା ତ ଆଗରୁ ନଥିଲା। କୌତୁହଳୀ ହୋଇ ସେ ତାକୁ ଫିଟାଇଲେ। ବଡ଼ ପୁଡ଼ିଆ ଭିତରେ ଆଉ କେତୋଟି ଛୋଟ ପୁଡ଼ିଆ। ଗୋଟିଗୋଟି କରି ଖୋଲି ତା’ ଭିତରେ ଥିବା ଚିଠି ଓ ଅଜବ ଉପହାର ସବୁ ଦେଖିଲେ। ଲେଖାଥିଲା-
“ବାବୁ! ନମସ୍କାର ନିଅନ୍ତୁ। ଆପଣଙ୍କ କୁମ୍ପାନୀ ହରଦମ୍ ଯେମିତି ଆଲୁଅ ଲିଭଉଛି ସେଥିରେ ମୋର ବହୁତ ମହମବତି କାଟ୍ତି ହୋଇଛି, ଆପଣ ଏମିତି କଲେ ମୋର ବେପାରରେ ଆହୁରି ଉଠିଆ ହେବ। ଆପଣଙ୍କ ଗୁଣ ସୁମରି ଏ ମହମବତିଟି ଆପଣଙ୍କ ସାଦି ବଖତରେ ଭେଟି ଦେଲି।”
“ଆମର ପକେଟମାରୁ ବେପାରରେ ଖୁବ୍ ବଡ଼ତି ହୋଇଛି। ଆପଣଙ୍କ ଯୋଗୁଁ ଏବ ବଡ଼ତି। ଏ ପକେଟକଟା କଇଁଚିଟା ଉପହାର ଦେଲି।”
“ଆପଣଙ୍କ ଯୋଗୁଁ ମାରୁଆଡ଼ି ଦୋକାନମାନଙ୍କରୁ ବହୁତ ଥାନ ଶାଢ଼ୀ, ଲୁଗା ଉଠାଇ ଆଣି ପାରିଛୁ। ଏ ଥାନଟି ଦେଲୁ। ନିମକହାରାମି ଆମେ କେବେ କରିବୁନି।”
ଆଉ ଗୋଟିଏ ଚିଠିର ଦୁଇ ଚାରିଧାଡ଼ି ପଢ଼ି ତାକୁ ଘୃଣାରେ ଚିରି ପକାଇଲେ। ସମୁଦାୟ ପଢ଼ିବା ତାଙ୍କ ଧୈର୍ଯ୍ୟର ବାହାରେ ଥିଲା। ଉପହାର ଥିଲା ଗୋଟିଏ ବ୍ରେଷ୍ଟଟାଇଟ୍। ସେଟାକୁ ସେ ପଦାକୁ ଫୋପାଡ଼ି ଦେଲେ।
ଆଉ ଗୋଟାଏ ଚିଠିରେ ଲେଖାଥିଲା-ଆପଣଙ୍କ ଯୋଗୁଁ ଆମେ ବିଲକୁଲ କାମ ନ କରି ବହୁବାର ଦରମା ପାଇଛୁ। କୃତଜ୍ଞତାର ନିଦର୍ଶନ ସ୍ବରୂପ ଏହି ସିଗାରେଟ୍ ବାକ୍ସଟିକୁ ଦେଲୁ।
ମୁହଁଟି ଶୁଖାଇଦେଇ ବିଜୁଳି ସାହାବ ସେ ଘର ଭିତରୁ ବାହାରି ଆସିଲେ ଓ ପଦାରେ ଗୋଟିଏ ଚଉକିରେ ବସିପଡ଼ିଲେ। ଜଣେ ଆସି ଖବର ଦେଲା, “ଆଜ୍ଞା ପହଲି ଭଲ ଅଛି, ଘା’ଟା ଗୁରୁତର ନୁହେଁ। ସାହାବଙ୍କର ଗୋଟାଏ ସ୍ବସ୍ତିର ନିଶ୍ବାସ ବାହାରିଗଲା।
-୦-