ହେଁଃ! ଯମ ଘରେ ଘାଉଡ଼। ବିଜୁଳି ସାହାବର କାମ ବେଳକୁ ବିଜୁଳି ପାଗଳା ହେଉଛି। ଏ କିଛି କମ୍ ହଟଚମଟର କଥା ନୁହେଁ। ଚାରିଆଡ଼େ କୁହାଟ ଖେଳିଗଲା- ‘ଆଲୁଅ, ଆଲୁଅ, ଆଲୁ’…
ଲୋକ ସିନା ଆଲୁଅ ପାଇଁ ଅପେକ୍ଷା କରିବେ, ହେଲେ ଚୁଲି ଉପରେ ବସିଥିବା ତରକାରି କରେଇମାନେ କଅଣ ସେଥିପାଇଁ ନିଃଶ୍ବାସ ମାରିବେ! ବଡ଼ ରାନ୍ଧୁଣିଆ ଚିଲେଇଉଠିଲା- “ହେ ସନେଇ, ଆରେ ହେ ଦାମା, ହଇରେ ଶତୁରା କରୁଛୁ କଅଣ, ଫି କରେଇରେ ଆଞ୍ଚୁଳେ ଲେଖାଏଁ ଲୁଣ ପକାଇ ଶୀଘ୍ର କରେଇ ସବୁ ଉତାରିଦିଅ, ନହେଲେ ସତ୍ୟାନାଶ ହୋଇଯିବ, ସବୁ ଫିଟିଯିବ। ଆଲୁଅ ପାଇଁ ବସି ରହିଲେ ଦଫା ଶେଷ ହୋଇଯିବ।” କାଠ ଆଲୁଅରେ ଯେତିକି ଆଲୁଅ ହେଉଥିଲା ସେତିକିରେ ଅଣ୍ଡଳା ଉଣ୍ଡୁଳି କରି ଆଞ୍ଜୁଳା ଆଞ୍ଜୁଳା ଲୁଣ ଝପ୍ଝାପ୍ ପକେଇବାରେ ଲାଗିଗଲେ।
ବଡ଼ ରାନ୍ଧୁଣିଆଟା ବିଚରା ହାତଗୋଡ଼ ବାନ୍ଧି ବସିଥାଏ। ସମସ୍ତେ ଲାଗିପଡ଼ି କରେଇ ଓହ୍ଲାଇଲା ବେଳକୁ ପୁଣି ଫତ୍କରି ଚାରିଆଡ଼େ ହାଲୋର ହୋଇଗଲା।
ଏଣେ ଭଦ୍ରବ୍ୟକ୍ତିମାନଙ୍କ ବସିବା ଥାନକୁ ଖୋଦ୍ ବିଜୁଳି ସାହାବ ଧାଇଁଆସି ହାତଯୋଡ଼ି କହିଲେ- “ଆଜ୍ଞା ଆପଣମାନଙ୍କୁ ବଡ଼ କଷ୍ଟ ଦେଲି। ମୁଁ ବଡ଼ ଦୁଃଖିତ। ଏଇଟା ମୋ ଶକ୍ତିର ବାହାରେ। ଚଉଦୁଆର ପେଣ୍ଠରେ ଗଣ୍ଡଗୋଳ ହେତୁ ଏ ଅସୁବିଧା ହୋଇଗଲା। ମୋତେ କ୍ଷମା ଦିଅନ୍ତୁ।”
ଏତକ ଶୁଣିବା ମାତ୍ରେ ସମସ୍ତେ ଚଢ଼ାଚଢ଼ି ହୋଇ କହିଉଠିଲେ-“ଆହା ଆପଣଙ୍କର ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଆମେ ଏପରି ଫୁତ୍ଫାତ୍ରେ ଖୁବ୍ ଅଭ୍ୟସ୍ତ। ଏଇଟା ଆମକୁ କିଛି ନୂଆ ଜିନିଷ ନୁହେଁ। ଆପଣ କିଛି ମନେକରିବେନି।”
ବିଜୁଳି ସହାବ ଅଭୟ ଦେଇ କହିଲେ, “ମୁଁ ସମସ୍ତଙ୍କୁ ସତର୍କ କରାଇଦେଇଛି, ଆଉ ଏହାର ପୁନରାବୃତ୍ତି ହେବନି।”
ତାଙ୍କ କଥା ତାଙ୍କ ମୁହଁରେ, ଚାରିଆଡ଼େ ଘୋର ଅନ୍ଧକାର। ଦି’ତିନିଟା ଖେଚଡ଼ିଆ କଲେଜ ଟୋକା ସେଠି ଥିଲେ, ଘୋଡ଼ାଙ୍କ ପରି ହେଁ ହେଁ ହୋଇ ହସିଉଠିଲେ। ବିଜୁଳି ସାହାବ ଅପଦସ୍ଥ ହୋଇଗଲେ।
ଏଣେ ଖନ୍ଦାଶାଳରେ ପୁଣି ଅନ୍ଧାର ହୋଇଯିବାରୁ ବଡ଼ ରାନ୍ଧୁଣିଆ କହିଲାଗିଲା-“ହଉଥା ପୁଅ କେତେ ଫୁତ୍ଫାତ୍ ହେଉଛୁ ହଉଥା, ଆମ କାମ ଖତମ ହେବା ଉପରେ। ଆରେ ହେ ସନେଇ, ଏ ଶଳେ ବାହ୍ମଣୀବେଙ୍ଗ ଏଠି ଯେମିତି ଫକ୍ଫାକ୍ ହେଉଛନ୍ତି ଏଗୁଡ଼ାଙ୍କୁ ବିଶ୍ବାସ ନାହିଁ। ଯେଉଁ ବଡ଼ବଡ଼ ପରାତ ବାଉଁଶ ଡାଲାସବୁ ସେଠି ଡେରା ହୋଇଛି ସେଗୁଡ଼ାକୁ ଆଣି କରେଇ ସବୁ ଘୋଡ଼ାଇ ଦିଅ।”
ସେତେବେଳକୁ ଜାଳସବୁ ଲିଭାଇ ଦିଆଯାଇଥିବାରୁ ଥାନଟା ବେଶି ଅନ୍ଧାରୁଆ ଜଣାଯାଉଥାଏ। ସନେଇ ଅଣ୍ଡାଳି ଅଣ୍ଡାଳି ବଡ଼ ଡାଲାଟାଏ ଆଣି ଆଗ ମାଛ କରେଇ ଉପରେ ଘୋଡ଼େଇଦେଲାବେଳେ ତାକୁ ଜଣାଗଲା କ’ଣ ଗୋଟାଏ ଯେମିତି ସେ ଡାଲାରୁ କରେଇ ଭିତରେ ପଡ଼ିଗଲା ଓ ଅଧସେକେଣ୍ଡ ପାଇଁ କରେଇ ଭିତରେ ଯେମିତି କ’ଣ ଗୋଟାଏ ପଟ୍ପାଟ୍ ଶବ୍ଦ ହେଲା। ଆଲୁଅ ଆସିଲେ ଦେଖିନେବ ବୋଲି ସ୍ଥିରକରି ସେ ଚୁପ୍ଚାପ୍ ହୋଇ ରହିଲା। ବିଜୁଳି ଆସିବାରେ ଡେରି ହେବାରୁ ପେଟ୍ରୋମାକ୍ସ ଲଣ୍ଠନ କେତୋଟି ଅଣାଗଲା। କେତେ ସେକେଣ୍ଡ ସେସବୁ ଜଳିଛି କି ନାହିଁ ବିଜୁଳି ଫତ୍କରି ଆସିଗଲା।
ବିଜୁଳି ସାହାବ ଏଥରକ ଅତି କାକୁତି ମିନତି ହୋଇ କହିଲେ- “ଆଜ୍ଞା ଦୁଃଖର କଥା ଢେଙ୍କାନାଳ ପାଖରେ ଗୋଟାଏ ଦୁର୍ଘଟଣା ହେବା ଫଳରେ ଏ ସରବରାହ ବନ୍ଦ ହୋଇଗଲା। ଏଇଟା ଚଉଦୁଆର ବାଲାଙ୍କ ଅକ୍ତିଆରରେ ନଥିଲା। ମୁଁ ବଡ଼ ଲଜ୍ଜିତ।”
ଭଦ୍ରବ୍ୟକ୍ତି ପୁଣି ସମସ୍ବରରେ କହିଲେ- “ଆଜ୍ଞା, ଆପଣ କାହିଁକି ତୁଚ୍ଛାଟାରେ ଦୁଃଖ କରୁଛନ୍ତି। ଏଗୁଡ଼ାକ ଆମର ଦିହ ଘଷରା ଯେ। ଏ ଫୁତ୍ଫାତ୍ ଭିତରେ ଚଳିବା ପାଇଁ ଆମେ ଖୁବ୍ ଅଭ୍ୟସ୍ତ।”
ନଳି ଆଲୁଅ ଚାରିପାଞ୍ଚଟା କାହିଁକି ଜଳିଲା ନାହିଁ ତାହା ତନଖି କରିବାପାଇଁ ମେଙ୍ଗା ନାୟକ ଯାଇ ଦେଖେ ତ ସେ ଚାରିପାଞ୍ଚଟା ନଳି ବତିର ଅସ୍ତିତ୍ବ ବିଲ୍କୁଲ୍ ସେଠି ନାହିଁ। ମନେ ମନେ ସେ ଗାଳିଦେବାକୁ ଲାଗିଲା, “ଶଳା ଚୋର, କେତେ ଚଟପଟିଆ! ଏମିତି ଟିକିଏ ସମୟ ଭିତରେ ଚାରିପାଞ୍ଚଟା ନଳିବତି ହାତସଫେଇ କରିଦେଲା। ବାପ୍ରେ ବାପ୍, ଆଉ ଟିକିଏ ଡେରି ହୋଇଥିଲେ ଶଳାଟା କଳାକନା ବୁଲେଇ ଦେଇଥାଆନ୍ତା।”
ସବୁ ଠିକ୍ ଠାକ୍ ହୋଇଯିବାରୁ ଭଦ୍ରବ୍ୟକ୍ତିମାନଙ୍କୁ ଖାଇବା ଥାନକୁ ଡାକି ନିଆଗଲା। ଆସନର ବନ୍ଦୋବସ୍ତ ପରେ ଚର୍ଚ୍ଚାକାରମାନେ ନିଜ ନିଜ କାମରେ ଲାଗିଯିବାକୁ ତିଳେମାତ୍ର ବିଳମ୍ବ କଲେ ନାହିଁ।
ନଟବାବୁ ମହା ହୁସିଆର! ସେ କେତେ ଭୋଜିଭାତ କଥା ଅଙ୍ଗେ ନିଭେଇଛନ୍ତି। କିଏ ଖାଇଲା ମେଞ୍ଚେ ତ କିଏ ଖାଇଲା କେଞ୍ଚେ। ଏଠି ସେସବୁ ଯେପରି ନହୁଏ। ସେଥିପାଇଁ ସେ ଗୋଟାଏ ପରଷୁଆଣି ବାହିନୀ ଆଗରୁ ଗଢ଼ିନେଇଥିଲେ। ଯେତେଟା ଜିନିଷ, ସେତିକି ପରୁଷୁଆଣି ଏକାଥରକେ ତା’ ପଛକୁ ପଛ ହୋଇ ପରଷି ଦେବେ। ଭୁଲ୍ଚୁକ୍ର ଆଉ ପ୍ରଶ୍ନ ନଥିବ।
ଭଦ୍ରବ୍ୟକ୍ତିମାନେ ବସିଯିବା ପରେ ପରଷୁଣିଆ ଫଉଜ କାମରେ ଲଗିଗଲେ। ଏଡ଼େ ବଡ଼ ଲମ୍ବ ପରଷୁଣିଆ ଦଳଙ୍କ ଧାଡ଼ି ଓ ସୁଶୃଙ୍ଖଳ କାମ ଦେଖି ନିଜେ ନଟବାବୁ କୁରୁଳି ଉଠିଲେ।
ଫଉଜ ଥରେ ଘୂରିଆସିବା ସାରିଲେଣି କି ନା ହଠାତ୍ ପୁଣି ବିଜୁଳି ଆଲୁଅ ଫୁତ୍କରି ଲିଭିଗଲା। ପରଷୁଣିଆ ଗୋଟିଏ ନିଶାର କାମ କରି ଯାଉଥିଲେ, ଠିକ୍ ଗୋଟାଏ ଯନ୍ତ୍ରପରି। ଆଖିଝଲସା ଆଲୁଅରୁ ଏକାବେଳକେ ବିଚିକିଟିଆ ଅନ୍ଧାର। ଫଉଜ ଝୁଙ୍କଟାକୁ ସମ୍ଭାଳି ପାରିଲେନି। ସେହି ଅନ୍ଧାରରେ କେତେ ଜାଗାରେ ପରଷି ପକାଇଲେ, କୋଉଠି ପଡ଼ିଲା ଦେଖୁଛି କିଏ। ଜଣେ ଦି’ଜଣ ଧକ୍କା ଖାଇ କଚାଡ଼ି ହୋଇ ପଡ଼ିଲେ। ଗରମ ଗରମ ଜିନିଷ ପଡ଼ିଯିବା ପରଷାଥାଳରୁ ଛିଡ଼ିକି କେତେ ଭଦ୍ରଲୋକଙ୍କ ମୁହଁ, ଲୁଗାପଟା ନଷ୍ଟ କରିଦେଲା। ବେଶି ବିକଳ ଅବସ୍ଥା ହେଲା ପାୟସ ବାଲ୍ଟି ଧରିଥିଲାବାଲାର। ସେ ତା’ ଆଗରେ ପଡ଼ିଯାଇଥିବା ପରଷୁଣିଆ ଉପରେ ଗରମ ପାୟସ ବାଲ୍ଟି ସହିତ କଚାଡ଼ି ହୋଇ ପଡ଼ିଲା। ତାତିଲା ପାୟସ ଜ୍ବାଳାରେ ଦୁହେଁ ବାପାଲୋ ମାଆଲୋ ହୋଇ ଛାଟିପିଟି ହେବାକୁ ଲାଗିଲେ, ଖାଇବାବାଲାଏ ବି ଊଣା ଚେଙ୍କ ପାଇଲେ ନାହିଁ। କାହା ଗାଲରେ, କାହା ମଥାରେ, କାହା ହାତରେ ଫୋଟକାର ପୂର୍ବାବସ୍ଥା ସବୁ ସୃଷ୍ଟି ହୋଇଗଲା। ସଙ୍ଗେ ସଙ୍ଗେ ପେଟ୍ରୋଲମାକ୍ସ ଲଣ୍ଠନ ସବୁ ଆସିଗଲା, ଅବସ୍ଥା ସମ୍ଭଳା ପଡ଼ିଲା। ଆଘାତପ୍ରାପ୍ତ ପରଷୁଣିଆ ଓ ଖାଇଲାବାଲାଙ୍କୁ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା ଦିଆଗଲା।
କିଛି ସମୟ ପରେ ବିଜୁଳି ସାହାବ ନିଜେ ଆସି ଏକ କରୁଣ ରସାତ୍ମକ ବକ୍ତୃତା ଆରମ୍ଭ କଲେ- “ଆଜ୍ଞା, ମୋର ଦୁର୍ଭାଗ୍ୟ। ହୀରାକୁଦରେ ଏକ ଟର୍ବାଇନ୍ର ଖିଲ ବାହାରିଯିବା ଫଳରେ ଏ ଦୁର୍ଘଟଣା ଘଟିଲା। ମୁଁ ଦେଖୁଛି ଦୈବ ମୋର ବାମ ହୋଇଛି। କି ଭାଷାରେ ମୁଁ କ୍ଷମା ମାଗିବି ତାହା ମୁଁ ଭାବି ପାରୁନି।”
ତାଙ୍କର ବକ୍ତୃତା ନ ସରୁଣୁ ଫତ୍କରି ପୁଣି ଆଲୁଅ ଆସିଗଲା। ଭଦ୍ରବ୍ୟକ୍ତିମାନେ ସମଦୁଃଖ ଓ ସହାନୁଭୂତି ପ୍ରକାଶ କରି କହିଲେ- “ଆଜ୍ଞା, ଦୈବ ଉପରେ ହାତ କାହାର। ଆପଣ ବୃଥାରେ କାହିଁକି ମନକଷ୍ଟ କରୁଛନ୍ତି। ଆମର ତ ଏଇଟା ନିତିଦିନିଆ ଦିହଘଷରା କଥା। ଆମ ପାଇଁ ଆପଣଙ୍କର ଚିନ୍ତା କରିବା ଦରକାର ନାହିଁ। ୟା’ଠୁଁ ଢେର୍ ବେଶି କଠିନ ସମୟରେ ବିଜୁଳି ବନ୍ଦକୁ ଆମେ ସମ୍ଭାଳି ନେଇଛୁ। ଏ ତ ଆମକୁ କିଛି ନୁହେଁ।”
ଜଣେ ଡାକ୍ତର କହିଲେ, “ହଠାତ୍ ବିଜୁଳି ଦୀପ ବନ୍ଦ ହୋଇଯିବା ଫଳରେ ଟେବୁଲ ଉପରେ କେତେ ରୋଗୀଙ୍କର ଜୀବନ ଦୀପ ଲିଭିଯାଛି, ଏ କିବା ଛାର।”
ଜଣେ କାରଖାନା ମାଲିକ କହିଲେ, “ଏମିତିଆ ଘଟଣାରେ ବିଜୁଳି ଚୁମ୍ବକ ଅଚଳ ହୋଇଯିବାରୁ ତା’ ଦିହରେ ନଟକିଥିବା ତାତଲା ଲୁହା ଖସିପଡ଼ି ବହୁ ଲୋକଙ୍କୁ ମାରିଦେଇଛି, ଏଠି ତ ଯେମିତି କିଛି ଘଟିନି!”
ଆଲୁଆ ଆସିଲା, ପରଷା ସରିଲା, ଏଥରକ ହାତ ଚାଲିବ। ଧୀରେ ସୁସ୍ଥେ ପଙ୍ଗତିଆମାନେ ଗଣ୍ଡେ ଗଣ୍ଡେ ପଲାଉ ଚାକୁଳେଇ ସାରି ତିଅଣରେ ହାତ ଲଗେଇଲେ। ପାଟିରେ ଦେବା ମାତ୍ରେ ମୁହଁ ନିସିଡ଼ିଗଲା-ଇହି କି ଲୁଣ! ପଙ୍ଗତ ଭିତରେ କିଛି ବାରିବା ଅଭଦ୍ରତା। ତରକାରି ସରାତକ ସମସ୍ତଙ୍କର ସେହିପରି ରହିଲା। ମିଠା, ପାୟସରେ ସମସ୍ତେ କାମ ଚଳେଇ ନେଲେ।