ଆଜି ବିଜୁଳି ସାହାବଙ୍କର ବାହାଘର ଭୋଜି। ବାହାଘର ସରିଥିଲା, ଭୋଜିଟା ଖାଲି ବାକି ଥିଲା। ଜର୍ମାନୀରେ ବିଜୁଳି ଉପରେ ନାହିଁ ନଥିବା କୃତିତ୍ବ ଦେଖାଇ ସେ କଟକ ଫେରିବା ମାତ୍ରେ ଗୁଡ଼କୁ ଜନ୍ଦା ବେଢ଼ିଲା ପରି ଶଶୁରପଲ କାହୁଁ କାହୁଁ ମାଡ଼ିଆସି ବେଢ଼ିଗଲେ। ବିଜୁଳିରେ ସିନା ସାହାବଙ୍କର ତାକତ, ଶଶୁର ଓ ପୁରୋହିତ ପଲଙ୍କୁ ବଳ ଖଟେ କେତେକେ! ଚାହୁଁ ଚାହୁଁ ଚାରିକାତ ମେଲାଇ ପଡ଼ିଗଲେ। ଶେଷରେ ଗୋଟିଏ ଶଶୁରର ଯନ୍ତା ଭିତରେ ମେଣ୍ଢାଟି ପରି ପଶିଗଲେ। ତୋଖଡ଼ମାର ସାହାବ! ବନ୍ଧୁବାନ୍ଧବ କିଛି ଅଳପ ନୁହଁନ୍ତି। ଚେହେରା ଯେମିତି ବ୍ୟବହାର ସେମିତି। ଫଳରେ ଡାକ୍ତର, ଓକିଲ, ବ୍ୟବସାୟୀ ଓ କାନ୍ତରାଟ୍ ଭିତରୁ ବହୁତ ବହୁତ ଲୋକ ତାଙ୍କ ସହ ବନ୍ଧୁତା ଜମେଇ ଦେଇଥିଲେ। ସମସ୍ତେ ଆସି ଜୁଟିବାର ଏଇ ହେଉଛି ଅସଲ ମଉକା।
ବିଜୁଳି ଅଫିସରେ ତିନିଦିନ ହେଲା କାମ ଅଧାଅଧି ବନ୍ଦ। ସବୁ କର୍ମଚାରୀଙ୍କ ତୁଣ୍ଡରେ ସେଇ ଗୋଟିଏ କଥା-ରଖ ହୋ, ସବୁଦିନେ ତ ଲୋକଙ୍କପାଇଁ କାମ କରୁଛୁ, ଏ ଦିନେ ଦି’ଦିନ ସାହାବଙ୍କ ପାଇଁ ଖଟିବା ନାହିଁ? ଆମ ସାହାବ ଆମକୁ କେତେ ଭଲ ନ ପାଉଛି! କେତେ କେତେ ବିପଦରୁ ଆମକୁ ରକ୍ଷା ନ କରିଛି! ତା’ ବଦଳରେ ଆମେ ତାକୁ କଅଣ ଦେଇଛୁ? ଋଣ ଶୁଝିବାର ବେଳ ଆସିଛି।
ଏ କେବଳ କହିବା କଥା ନୁହେଁ। କର୍ମଚାରୀମାନେ କାମରେ ମଧ୍ୟ ହାତ ଦେଖାଇ ଦେଇଥାନ୍ତି। ସାହାବଙ୍କୁ କୁଟାଖିଏ ଦି’ଖଣ୍ଡ କରିବାକୁ ଦେଉ ନଥାନ୍ତି। ସାହାବ ଖାଲି ବାଘମାର୍କା ନୋଟରୁ ଥାକେ ବଡ଼ବାବୁଙ୍କ ହାତରେ ଗୁଞ୍ଜିଦେଇ ନିଶ୍ଚିନ୍ତ। କଅଣ ଆସିଲା, କଅଣ ଗଲା କୋଉଥିରେ ମୁଣ୍ଡ ପୂରାଉ ନଥାନ୍ତି। ଅନ୍ୟମାନଙ୍କ କଥା ପଛକୁ ଥାଉ, ନୁଡ଼ୁବୁଡ଼ିଆ ଗଜିବାବୁଙ୍କର କୋଉଠି ଏତେ ବଳ, ଉତ୍ସାହ ଚିପିଚାପି ହୋଇ ରହିଥିଲା, ତାହା ଦେଖି ସମସ୍ତେ ତାଟକା ହୋଇଗଲେ। ଯେତେକ ନେଣ୍ଟରା ନ ମିଳିବା ଜିନିଷ କୋଉ ଅନ୍ଦିକନ୍ଦି, ବିକନ୍ଦିରୁ ବୋହିଆଣି ଗଦା କରିଦେଲେ। ଭୋଜି ପୂର୍ବଦିନ ରାତିସୁଦ୍ଧା ଦୁଧ, ଦହି, ଛେନା ଓ ମାଛରେ ଘର ଭାସିଲା। ସମସ୍ତେ ଗଜିବାବୁଙ୍କୁ ସାବାସୀରେ ଗାଧୋଇ ଦେଲେ। ଆଉ ଅନ୍ୟମାନେ ଘିଅ, ତେଲ, ଲୁଣ, ଚାଉଳ, ଡାଲି ଆଉ ପନିପରିବା ପିମ୍ପୁଡ଼ି ଲାଗିଲା ପରି ବୋହିବାରେ ଲାଗିଥାନ୍ତି। ଛତ୍ରବଜାର ପରି ଏତେବଡ଼ ପରିବା ପେଣ୍ଠରେ ସେଦିନ କୋବି, ପୋଟଳ ଦେଖିବାକୁ ମିଳିଲା ନାହିଁ। ସବୁଠେଇ ଚର୍ଚ୍ଚା ଚାଲିଛି-‘ଆଃ! ବିଜୁଳି ସାହାବ ଖାନାଟିଏ ଦେବନି ତ, ଖାନାରେ ସମସ୍ତଙ୍କୁ ଭସେଇ ଦେବ।’
କେତେ ଯେ ଲୋକ ନିମନ୍ତ୍ରିତ ହୋଇଥାଆନ୍ତି ତାହା କଳନା କରିବା କାଠିକର ପାଠ। ତେବେ ତାଙ୍କ ଅଫିସ୍ର ସୁଦର୍ଶନ ଡଗର ପ୍ରେସ୍ରୁ ଦୁଇହଜାର ନିମନ୍ତ୍ରଣ ପତ୍ର ଛପାଇ ଆଣିଲାବେଳେ, ଦରଦାମ୍ ନେଇ ଏମିତି ଝକାଝକ୍ ଲଗାଇଥିଲା ଯେ, ଅସମ୍ଭବ ପ୍ରକାରର ଦୁଇ ହଜାର ନିମନ୍ତ୍ରଣ ପତ୍ର ଛପା ହୋଇଛି ବୋଲି ଅନେକ ଲୋକଙ୍କ କାନରେ ବାଜି ଯାଇଥିଲା। ବାହାଘର ପୂର୍ବଦିନ ସବୁ ନିମନ୍ତ୍ରଣ ପତ୍ର ଝାଡ଼ଝୁଡ଼ ହୋଇଗଲା।
ଏତେ ଲୋକଙ୍କ ପାଇଁ ଆୟୋଜନ। କିଛି କଟକଚଣ୍ଡିଆ ବାହାଘର ନୁହେଁ। ଦି’ଟା ଫୁଲହାର ଅଦଳ ବଦଳ ଓ ପାଇକିଆ ମିଠେଇ ହାଣ୍ଡିଟିରେ ସବୁ ଖତମ୍। ଏଥକୁ ଲୋଡ଼ା ଏକ ବିରାଟ ଖନ୍ଦାଶାଳ। ନିମନ୍ତ୍ରିତ ଭଦ୍ରବ୍ୟକ୍ତିମାନେ ବସି ଆରାମରେ ଖାଇଲା ଭଳି ତହୁଁ ବଡ଼ ଏକ ବଢ଼ିଆ ଥାନ। ଖାଇବା ପୂର୍ବରୁ ବସି ଅପେକ୍ଷା କରିବାପାଇଁ ସେମିତି ଏକ ବଡ଼ ଥାନ ଲୋଡ଼ା। ଏସବୁ ଯୋଗାଡ଼ କରିବାରେ କିଛି ଅସୁବିଧା ହେଲାନି। ସାହାବଙ୍କ ଚିଠି ପାଇବା ମାତ୍ରେ ବାରିକ ମିସ୍ତ୍ରୀ ବିଭାଗ ବଡ଼ ବଡ଼ ତମ୍ବୁ ଓ ଟେରାବାଡ଼ମାନ ପଠେଇ ଦେଲେ। ଆଉ ଆଉ କେତେ ବିଭାଗରୁ ଚାନ୍ଦୁଆ, ସତରଞ୍ଜି, ଟେବୁଲ, ଚଉକି, ଫୁଲଦାନୀ ସବୁ ବି ଆସିଗଲା।
କୋଠି ଆଗରେ ଓ କଡ଼ରେ ତମ୍ବୁ ଓ ଟେରାବାଡ଼ ପଡ଼ିବା ପାଇଁ ଥାନ ସଫେଇ ହୋଇଗଲା। ଗୋଟିଏ ତମ୍ବୁରେ ଭଦ୍ରଲୋକ ବସିବେ, ଆଉ ଗୋଟିକରେ ଖାଇବେ। ପାଖରେ ଟେରାବାଡ଼ ପଡ଼ି ଖନ୍ଦାଶାଳ ହେବ, ସେଠୁ ଖାଇବା ଜିନିଷ ବୋହି ଆଣିବାକୁ ଭାରିକିଛି ସୁବିଧା ହେବ।
କାର୍ତ୍ତିକ ମିସ୍ତ୍ରୀ ଦଳେ ମିସ୍ତ୍ରୀଙ୍କୁ ଧରି ଚାହୁଁ ଚାହୁଁ ଥାନ ସଫାକରି ତମ୍ବୁତକ ଠିଆ କରେଇ ଦେଲା। ଭୋଜିର ପୁର୍ବଦିନ ଦି’ପହରକୁ ସବୁ ଠିକ୍ଠାକ୍। ସନ୍ଧ୍ୟାବେଳକୁ ଖନ୍ଦାଶାଳ ଚୁଲିମାନଙ୍କରେ କାଠ ପକେଇ ନିଆଁ ଧରେଇ ଦିଆଗଲା।
କେହି କାହାକୁ ପଚରାଉଚରା ନାହିଁ। ପୂର୍ଣ୍ଣ ଓ ମେଙ୍ଗା ନାୟକ ବିଜୁଳି ତା’ର ଖଞ୍ଜାଖଞ୍ଜିରେ ଲାଗିଗଲେ। କେଉଁଠି ଯେପରି ଟିକିଏ ହେଲେ ଗଣ୍ଡଗୋଳ ନହୁଏ, ସେଥିଲାଗି ବଡ଼ ହୁସିଆରିରେ ତାର ଖଞ୍ଜିଲେ। ଶଗଡ଼ ଶଗଡ଼ ନାଲିବତୀ ଆଣି ଗୋଟାକ ଯାକ ଥାନକୁ ଅତି ସୁନ୍ଦର ଭାବରେ ସଜେଇ ଦେଲେ। ମଙ୍ଗରାଜ, ସାମଲ ଓ ଯଦୁବାବୁ ଭଦ୍ରବ୍ୟକ୍ତିମାନଙ୍କର ବସିବା ଥାନକୁ ଇନ୍ଦ୍ରପୁରୀରେ ପରିଣତ କରିଦେଲେ। ଖାଇବା ଥାନ ବି ସେମିତି ସଜାଗଲା। ବସିବା ଓ ଖାଇବା ଥାନରେ ସବୁଠୁଁ ବେଶି ନଳି ବତି ଖଞ୍ଜି ଦିଆଗଲା-କାଳେ କେତେବେଳେ ଦୈବ ଦୁର୍ଯ୍ୟୋଗକୁ ସୁଟସାଟ୍ ହୋଇଯିବ ସେହି ଡରରେ ଜରୁରୀ ତାର, ଅତି ଜରୁରୀ ତାର ଆଉ ସେମିତିଆ କେତେ କଅଣ ସତର୍କତାମୂଳକ କାମ କରାଗଲା। ଯେତେବେଳେ ସେମାନେ ଜଣେ ଜଣେ ବିଜୁଳିର ପୋକ। ବିଜୁଳି ସାହାବଙ୍କର ପୁଣି ବାହାଘର। ସେଥିରେ କଥା ଥାଏନା!
ଭୋଜି ଦିନ ସୂର୍ଯ୍ୟ ବୁଡ଼ୁ ବୁଡ଼ୁ, ପହଲିବାବୁ ବିଜୁଳିର ପ୍ରଧାନ ଚାବି ଖଟ୍ କରି ଦାବିଦେଲେ। ଓଃ, ସେ କି ଦୃଶ୍ୟ! କୁହୁକଦୀପର ଦୈତ୍ୟ ସତେ କି ଗୋଟାଏ ଅପ୍ସରାପୁରୀ ଆଣି ସେଠି ଲାଥୁକରି ଥୋଇଦେଲା। ପୂର୍ଣ୍ଣ, ମେଙ୍ଗା ଓ ପହଲିବାବୁଙ୍କର ଛାତି ଚାରିଇଞ୍ଚ ଲେଖାଏଁ ଫୁଲିଗଲା। ଦେଖଣାହାରିଏ ହାଁ କରି ଚାହିଁ ରହିଲେ। ଆଉ ସବୁଙ୍କ କଥା ଗାତକୁ ଯାଉ, ନ ଜାଣିଲା ଲୋକେ ବିଜୁଳି ଆଲୁଅର ରୋଶଣି ଦେଖି କହି ପକାଇଲେ- ‘ବିଜୁଳି ସାହାବଙ୍କ ବାହାଘର ହେବ ପରା!’
ପୂର୍ବଦିନ ରାତିରେ ମିଠେଇ କାମ ଗୁଡ଼ିଆମାନେ ସାରି ଦେଇଥିଲେ। ଭୋଜିଦିନ ଦି’ପହର ବେଳକୁ ରାନ୍ଧୁଣିଆମାନେ ଚଟୁ ଧରିଲେ। ରାତି ଆଠଟାକୁ ନିମନ୍ତ୍ରଣ। ସମସ୍ତେ ଧରି ନେଇଥିଲେ ଯେ ଭଦ୍ରଲୋକମାନେ ଆସୁଆସୁ ରାତି ନଅରୁ ଊଣା ହବନି। ଏଇଟା କିଛି ଭୁଲ ଭାବିବା କଥା ନୁହେଁ। ଏଠି ସଭାସମିତି ସନ୍ଧ୍ୟା ଛଅଟାରେ ହବାର ଥିଲେ, ଖୋଦ୍ ସଭାପତି ନଅଟାରେ ସଭାକୁ ବିଜେ କରନ୍ତି। ଏଣୁ ଭଦ୍ରବ୍ୟକ୍ତିମାନେ ଆସୁ ଆସୁ ରାତି ନଅଟା ହେବା କିଛି ବିଚିତ୍ର କଥା ନଥିଲା। ରାନ୍ଧୁଣିଆମାନେ ନାହିରେ ତେଲ ପକେଇ ଧୀରେ ସୁସ୍ଥେ କାମ କରିଚାଲିଲେ। ସମସ୍ତେ ଯାହା ଆଶା କରିଥିଲେ ତାର କିନ୍ତୁ ଓଲଟା କଥାଟା ହେଲା। ଭଦ୍ରବ୍ୟକ୍ତିମାନେ ସାଢ଼େଛଅଟା ବେଳକୁ ଆସି ଭିଡ଼ ଜମେଇଦେଲେ। ପାଛୋଟିଆ ଦିବ୍ୟସିଂହ ଓ ଦୟାନିଧିବାବୁ ଦେଖିଲେ କଥାଟା ଗଣ୍ଡଗୋଳିଆ ହୋଇଯିବ। ଦୁସରା ଲୋକଙ୍କୁ ସେଠି ରଖାଇ ଦୁହେଁ ଧାଇଁଲେ ଖନ୍ଦାଶାଳକୁ।
ସେତେବେଳକୁ ପଲାଉ, ତରକାରି ବିଲ୍କୁଲ୍ ଚୁଲି ଉପରକୁ ଯାଇନି। ରକ୍ଷା ହୋଇଛି ମାଛ, ପରିବାପତ୍ର ସବୁ କିଛି ଛଣାଛଣି ସରିଛି। ଏକା ସାଙ୍ଗରେ କୁହାଟ ଦେଲେ-“ଆରେ ସବୁ ସାରି ଦେଲରେ, ଆରେ ଆମକୁ ଆଜି ବେଜିତ୍ କଲରେ, ଆରେ ଚାହୁଁଛ କଅଣ, ବସାଅ ହଣ୍ଡା, ଚଲାଅ ଚଟୁ, ଆରେ ଚଞ୍ଚଳ କର ନହେଲେ ମାନମହତ ଗଲା। ଆରେ ତୁମର କାନ ଅଛି ନା ନାହିଁ। କୋଉଠୁ ଆସିଥିଲରେ ମରୁଡ଼ିଆ ଦଳ ଦିହରେ ଦି’କଡ଼ର ବଳ ନାହିଁ, ହମହମ ହୋଇ ଆବୋରି ବସୁଛନ୍ତି ପାହାଡ଼କୁ। ଆରେ ହାତ ଚଞ୍ଚଳ କର, ଚାହୁଁଛ କାହାକୁ?”
ଏ କୁହାଟ କାମ ଦେଖେଇଲା। ପୁଜାରୀମାନେ ଚୁଲି ଭିତରକୁ ଜାଳ ଆହୁରି ପେଲିଦେଲେ ଚଟୁ ବୁଲେଇବାରେ ଲାଗିପଡ଼ିଲେ। କାମ ଖୁବ୍ ଆଗେଇଲା। ଦିବ୍ୟସିଂହ ଓ ଦୟାନିଧିବାବୁ କିନ୍ତୁ ଜୋକ ପରି ଲାଗି ରହିଥାନ୍ତି। ପୁଝାରୀଦଳ ଝାଳନାଳ ହୋଇଗଲେଣି। ତଥାପି ଏ ଦୁହିଁଙ୍କର କୁହାଟ ବନ୍ଦ ହେବାକୁ ନାହିଁ। ବିରକ୍ତ ହୋଇ ସେମାନେ ଲେଉଟ ପଦ ଛାଡ଼ିଲେ- “ବାବୁ! ସେମତି ପାଟିତୁଣ୍ଡ ଏଠି ଚଳିବ ନାହିଁ। ଏ ନିଆଁପାଣି କଥା, ଏଠି ବକର ବକର ହେଲେ ସବୁ ଭଣ୍ଡୁର ହେବ।”
ଭଣ୍ଡୁର ହେବା କଥା ଶୁଣି ଦୁହେଁ ଚପିଗଲେ। ଅଧା ତାଉ, ଅଧା ପାକଳା ପାକଳିରେ ରାନ୍ଧୁଣିଆମାନଙ୍କୁ ପଛଆଡ଼େ ଅଣ୍ଟେଇଲେ। ସବୁ ହୋଇଗଲା, ଖାଲି ଲୁଣ, ପଛ ମସଲା, ଆଉ ପଛ ଘିଅ ଦେବାକୁ ବାକି। ଟୋକେଇଏ ଲୁଣ ଥୁଆ ହୋଇଛି। ବଡ଼ ରାନ୍ଧୁଣିଆ ଆଞ୍ଜୁଳାଏ ଲୁଣ ଧରି ମାଛ ତରକାରିରେ ପକାଇବାକୁ ଯାଇଛି, ହଠାତ୍ ଫୁତ୍ ହୋଇଗଲା। ଚାରିଆଡ଼େ ଅନ୍ଧାର। ରାନ୍ଧୁଣିଆ ହାତରୁ ସବୁ ଲୁଣତକ ତରକାରି କରେଇରେ ପଡ଼ିଗଲା। ସହଜେ ତ ସେ ଟିକିଏ ଅନ୍ଧାରକଣା ଥିଲା, ଦିନ ପରି ଆଲୁଅରୁ ହଠାତ୍ ଅନ୍ଧାରରେ ପଶିବାକୁ ଚାରା କାହିଁ ତାର। ସାହାଯ୍ୟ ପାଇଁ ରଡ଼ି ଛାଡ଼ିବାରୁ ତାକୁ ଅନ୍ୟମାନେ ନିରାପଦ ଜାଗାକୁ ଟାଣି ଆଣିଲେ।