କଥାଟି ସିନା ତିନୋଟି ଗାଁର,କିନ୍ତୁ ଖବରଟା ଦଶପଚିଶି ଗାଁରେ ଜଣାଶୁଣା। ଏ ଗାଁର କୁଆ ରାତି ପାହିଲେ ସେ ଗାଁ ଆକାଶରେ ଉଡ଼ି, ଆର ଗାଁ ଚାଳରେ ବସି କିଛି ବାଛ ବିଚାର ନ ଥାଇ ସବୁଠାରୁ ଆହାର ସଂଗ୍ରହ କରି ଆସେ; ସବୁ ଗାଁରେ ଏକାପରି ଡାକେ। ଏ ଗାଁର ଗାଈଗୋଠ ସେ ଗାଁର ପଡ଼ିଆକୁ ଚରିବାକୁ ଯା’ନ୍ତି। ଏ ଗାଁର ବୁଲା କୁକୁର ଖାଦ୍ୟ ଅନ୍ୱେଷଣ କରି ଅନ୍ୟ ଦୁଇ-ଚାରି ଗାଁରେ ବୁଲିଆସନ୍ତି; କିନ୍ତୁ ଏହି କୁଆ,କୁକୁର ଓ ଗାଈ ଗୋରୁଙ୍କୁ ସେକଥା କେହି କିଛି କହନ୍ତି ନାହିଁ; ମାତ୍ର ଏ ଗାଁର ଲୋକ ଆର ଗାଁକୁ ଗଲେ; ସେ ଗାଁ ପାରହୋଇ ତୃତୀୟ ଗାଁର ଦାଣ୍ଡରେ ଚାଲିଲେ କିମ୍ୱା ସେ ଗାଁର ଲୋକ ଏ ଗାଁକୁ ଆସିଲେ, ଅଥବା ତିନି ଗାଁର କେହି ଲୋକ ଏକାଠି ଭେଟ ହେଲେ, କାହା ମୁହଁରୁ କେତେ କଥା ବାହାରେ। କିଏ କହେ ପାଠର ଦୋଷ, କିଏ କହେ ସମାଜର ଦୋଷ, କିଏ ବା କହେ ପାଠର ଦୋଷ ନୁହେଁ କି ସମାଜର ଦୋଷ ନୁହେଁ, ଦୋଷଟା ହେଉଛି ନୀଳମାଷ୍ଟ୍ରାଣୀର। ନିମାପଡ଼ାର ପାଖପାଖ ତିନୋଟି ଗାଁଦାଣ୍ଡରେ ଏହିପରି କେତେ କଥା ଚାଲେ।
ଏ ନୀଳମାଷ୍ଟ୍ରାଣୀ କିଏ??

ସମୟଟା ଖରାଦିନ ରାତି। ଆକାଶ ଧୂମାୟମାନ। ନିଷ୍ପ୍ରଭ ଚନ୍ଦ୍ର ଆଲୋକରେ ଜଗତଟା ଛାଇଛାଇଆ ଦେଖାଯାଉଛି। ରାତି ପ୍ରାୟ ପହରକୁ ବଳିଯାଇଛି। ଏହି ତିନୋଟି ଗାଁ ଭିତରୁ ଗୋଟିଏ ଗାଁର ଛୋଟ କୁଡ଼ିଆ ଭିତରେ ଦୁଇ-ଚାରି ବୁଜୁଳା ମଇଳା ଲୁଗା ଉପରେ ମୁହଁ ପୋତି ପଡ଼ିରହି ବାଇଶ ବର୍ଷ ବୟସର ଗୋଟିଏ ଯୁବତୀ କେତେ କଥା ଭାବୁଛି। କିଏ ଦେଖିଲେ ହୁଏତ ଭାବିପାରେ, ଯୁବତୀ ଦିନସାରା ପରିଶ୍ରମ କରି ଆସି କ୍ଲାନ୍ତ ହୋଇ ପଡ଼ିଯାଇଛି। ତା’ର ଚେତା ନାହିଁ, କେବଳ ଶାରୀରିକ ଶ୍ରମ ଫଳରେଏ କଡ଼ ସେ କଡ଼ ଲେଉଟାଉଛି; କିନ୍ତୁ ପ୍ରକୃତରେ ତାହା ନୁହେଁ, ତାହା ହେଉଛି ମାନସିକ କ୍ଳାନ୍ତି। ଗତ ତିନି ବର୍ଷ ଭିତରେ ସେ ଏପରିଭାବରେ ମାନସିକ କ୍ଳାନ୍ତି ଭୋଗ କରିଆସିଛି ଯେ, ତା’ର ଅନ୍ତରାତ୍ମା ସେଥିରେ ଦହି ହୋଇଯାଉଛି। ସେ ଆଖିବୁଜି ପଡ଼ିଛି ସତ, ଆଖିକି ତା’ର ନିଦନାହିଁ। ଆଖି ବୁଜି ମଧ୍ୟ ସେ ସବୁ ଦେଖିପାରୁଛି। ତା’ର ମୁଦା ଆଖି ଭିତରେ ଗୋଟାଏ ବିରାଟ ସଂସାର ଦେଖାଯାଉଛି; କିନ୍ତୁ ସେ ସଂସାର ସଂପୂର୍ଣ୍ଣ ଧ୍ୱସ୍ତ-ବିଧ୍ୱସ୍ତ। ସେହି ସଂସାରରେ ରାସ୍ତାଘାଟ ନାହିଁ, କୂଳ ଥଳ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ବି ସ୍ଥାନ ନାହିଁ। ସେ ଦେଖୁଛି ଦଶ-ବାର ବର୍ଷ ତଳର ସବୁ ଦୃଶ୍ୟ। ମାନସଚକ୍ଷୁରେ ତାହା କେଡ଼େ ସୁନ୍ଦର!
ଦେଖୁଛି ସେ ଗୋଟିଏ ବ୍ରାହ୍ମଣ ପରିବାରର ନିରୋଳା କୁଟୀର। ସେହି କୁଟୀର ଭିତରେ ଦୁଇଟି ସନ୍ତାନ ଓ ତାଙ୍କର ପିତୃଦେବ। ମା’ ଦୁଇ ବର୍ଷତଳୁ ଚାଲିଯାଇଛି। ମା’ ଚାଲିଯିବାର ଦୁଃଖ ତାକୁ ଯେତେ ବାଧୁନାହିଁ, ବାଧୁଚି ବାପାଙ୍କୁ। ରାତି ନ ପାହୁଣୁ ଉଠି ବାପା ଗାଁମୁଣ୍ଡ ପୋଖରୀ କୂଳରେ ଥିବା ଠାକୁର ମନ୍ଦିର ହତାଭିତରୁ ଆଞ୍ଜୁଳାଏ ସଜଫୁଲ ତୋଳିଆଣି ଚାଲିଯାଉଛନ୍ତି ବାହାରକୁ, ଆଉ ସେହି ପଲା ଦୁଇଟି ଦାଣ୍ଡପିଣ୍ଡାରେ ବସି ତାଙ୍କୁ ଅପେକ୍ଷା କରି ରହିଛନ୍ତି। ବାପା ଫେରିଆସୁଛନ୍ତି ବେଳ ପହରକୁ, ଘରେ ପୁଣି ଆନନ୍ଦର କୋଳାହଳ ପଡ଼ିଯାଉଛି। ବାପା ସେମାନଙ୍କୁ କ୍ଷଣେ ବୁକୁତଳେ ଜାକିଧରି ସେମାନେ ନଜାଣିଲା ପରି ଆଖିରୁ ଲୁହ ପୋଛି, ଘର ଓଳେଇ, ଚୁଲି ଜାଳି, ରୋଷେଇ ସାରି ଦିଅଁଙ୍କ ଘରେ ପୂଜାରେ ବସି ପଡ଼ୁଛନ୍ତି। ଦିଅଁଙ୍କ ଘରେ ପୂଜା କରିବାକୁ ବସି ସେ ଠାକୁରଙ୍କୁ କେତେ ଯେ କ’ଣ କହୁଛନ୍ତି, ପିଲାମାନେ କିଛି ବୁଝିପାରୁନାହାନ୍ତି।
ଯୁବତୀ ପୁଣି କଡ଼ ଲେଉଟାଉଛି। ଆଖି ଫିଟେଇ ଦେଖୁଛି ସେ ଘରେ କେହି ନାହାନ୍ତି। ତା’ପରେ ପୁଣି ଆଖି ବୁଜୁଛି। ସେ ପୁଣି ଦେଖୁଛି ସେ ଅତୀତର ଚିତ୍ର। ସେହି ଯେଉଁ ମାତୃହୀନ ଦୁଇଟି ସନ୍ତାନ,ସେ ଭିତରେ ସାନଟି ହେଉଛି ଭାଇ। ଭଉଣୀ ଆଠ-ଦଶ ବର୍ଷର। ଭାଇଭଉଣୀ ଦୁହେଁ ଗାଁ ଚାଟଶାଳୀକୁ ଯାଇ ପାଠ ପଢ଼ୁଛନ୍ତି, ଧୂଳି ଧୂସର ହୋଇ ବହି ସିଲଟ ହାତରେ ଧରି ଘରକୁ ଫେରିଲାବେଳେ ମାତୃଶୂନ୍ୟ ସେହି କୁଟୀରରେ ପିତାଙ୍କର ସ୍ନେହ ଆଦର ପାଇ ହସଖେଳରେ ସମୟ କଟାଉଛନ୍ତି।
ଯୁବତୀ ପୁଣି କଡ଼ ଲେଉଟାଇ ସେହିପରି ମାନସ-ଚକ୍ଷୁରେ ଦେଖିଲା,-ଝିଅର ବୟସ ହେଲା, ବାପା ବର ଖୋଜିଆଣିଲେ, ଦୁଆର ମୁହଁରେ ବେଦିରେ ବସି ସମଗ୍ର ଶରୀରକୁ ନୂଆ ଲୁଗାରେ ଘୋଡ଼ାଇହୋଇ ସେ ପୁରୋହିତର ମନ୍ତ୍ରଗାନ ଭିତରେ କାହାର ପାଣି ଗ୍ରହଣକଲା। ଏ କଥା ଦେଖି ଅର୍ଦ୍ଧ-ସୁଷୁପ୍ତ ଅବସ୍ଥାରେ ତା’ର ସେହି ଦେହଟା ଥରିଉଠିଲା। ତା’ର ଲୋମକୂପ କମ୍ପିଉଠିଲା। ସେ ଉଠି ବସିପଡ଼ିବାକୁ ଚେଷ୍ଟାକରି ପୁଣି ସେଇ ମଇଳା ଲୁଗା ଭିତରେ ମୁଣ୍ଡ ଗୁଞ୍ଜି ପଡ଼ିରହିଲା। ଏହାପରେ ଦେଖିଲା ସବୁ ଶେଷ। ବିବାହର ଛ’ ମାସ ପରେ ଏହି ମାତୃଶୂନ୍ୟ କୁଟୀର ଭିତରେ ମାତୃହୀନା କିଶୋରୀର ନିରଭରଣା ଅଙ୍ଗ-ସୌଷ୍ଠବ ସକାଳେ ଝଡ଼ିପଡ଼ିଥିବା ଗଙ୍ଗଶିଉଳି ଫୁଲପରି ପଡ଼ିରହିଲା। ତାକୁ କିଏ ଗୋଟାଇ ନେଇ ଦେବତାଙ୍କ ମସ୍ତକରେ ଦେବ? ସମାଜରେ ସେ ବିଧାନ ନାହିଁ।
ଏ ଦୃଶ୍ୟ ଦେଖୁ ଦେଖୁ ଯୁବତୀର ଦୁଇଆଖିରୁ ଦୁଇଟୋପା ନିର୍ମଳ ଲୁହ ଝରିପଡ଼ି ସେଇ ମଇଳା ଲୁଗା ଭିତରେ କୁଆଡ଼େ ମିଶିଗଲା। ସେତିକିବେଳେ ତା’ ମୁହଁରୁ ଅଜାଣତରେ ପଦେ ବାହାରିପଡ଼ିଲା-“ବୋଉ ଲୋ”!!ବୋଉ ସେଠାରେ ନ ଥିଲା। ସେ ତ ଚାଲିଯାଇଥିଲା ବହୁଦିନ ତଳୁ; ବାପା ବି ଚାଲିଯାଇଥିଲେ। ସେ ଦେଖିଲା, ସେହି କୁଡ଼ିଆ ଭିତରେ ସେହି ନିରାଭରଣା ଝିଅଟିକୁ ବାପା ତାର ପାଠ ପଢ଼ାଇବାରେ ଲାଗିଛନ୍ତି। ସେ ସିଲେଇ ଶିଖିଲା, ସେ ବହିପଢ଼ିଜାଣିଲା, ସେ ଲେଖିପାରିଲା, ସେ ହିସାବପତ୍ର ରଖିପାରିଲା। ଏହିପରି ସମୟରେ ନାରୀ-ଆନ୍ଦୋଳନର ଏକ ଜୁଆର ସେ ଅଞ୍ଚଳରେ ଖେଳିଗଲା। ସେହି ଜୁଆରରେ ତା’ର ବାପା ଭାସିଯାଇ ପାଖ ଗାଁ ପ୍ରାଇମେରୀ ସ୍କୁଲରେ ଝିଅକୁ ଲଗାଇଦେଲେ। ତେଣିକି ତା’ର ନାଁ ହେଲା ‘ନୀଳମାଷ୍ଟ୍ରାଣୀ’।
ଯୁବତୀ ମଇଳା ଲୁଗାଭିତରୁ ମୁହଁ ଟେକି ଦେଖିଲା,ନୀଳମାଷ୍ଟ୍ରାଣୀ ମଧ୍ୟ ତାକୁ ଆଉ ଦେଖାଯାଉନାହିଁ। ବାପା ଚାଲିଯାଇଛନ୍ତି,ଯେଉଁଠାକୁ ଗଲେ-ଆଉ କେହି ଫେରନ୍ତିନାହିଁ,ସେଠାକୁ। ଭାଇ ଚାଲିଯାଇଛି ପାଖରୁ ଦୂରକୁ। ନୀଳମାଷ୍ଟ୍ରାଣୀ ଗଲା କୁଆଡ଼େ? ତିନିଖଣ୍ଡ ଗାଁ ଭିତରୁ ମଝି ଗାଁରେ ନୀଳମାଷ୍ଟ୍ରାଣୀ ‘ମାଷ୍ଟ୍ରାଣୀ’ ହୋଇ ରହିଲା। ତାକୁ ବୁଢ଼ାମାନେ ନିନ୍ଦାକଲେ, ଯୁବକମାନେ ପ୍ରଶଂସାକଲେ, ଛାତ୍ର ଓ ଛାତ୍ରୀମାନେ ମାଆପରି ଦେଖିଲେ। ନୀଳମାଷ୍ଟ୍ରାଣୀ ଏ ଗାଁରେ ପାଠ ପଢ଼େଇ ସେ ଗାଁରେ ତା’ର ସେହି ପିତୃମାତୃହୀନ କୁଡ଼ିଆ ଭିତରକୁ ଫେରିଯାଇ ସ୍ନେହରେ ଭାଇକୁ ମଣିଷ କରିବାରେ ଲାଗିଲା।
ଯୁବତୀ ଛଟପଟ ହୋଇ ମୁହଁମାଡ଼ି ପଡ଼ି ଅତି ବିଚିତ୍ର ଦୃଶ୍ୟ ଦେଖିଲା-ଯେଉଁ ଗାଁରେ ନୀଳମାଷ୍ଟ୍ରାଣୀ ପିଲାଙ୍କୁ ପାଠ ପଢାଉଛି, ସେହି ଗାଁରେ କେତେ ଯୁବକଙ୍କ ଉଦ୍ୟମରେ ଗୋଟିଏ ଯାତ୍ରାଦଳ ବାହାରିଲେ। ‘ରାମଲୀଳା’, ‘କୃଷ୍ଣଲୀଳା’ ଓ ‘ଭାରତଲୀଳା’- ଏହିପରି କେତେ ଲୀଳା ଶିଖିଲେ। ସେହି ଲୀଳା ଭିତରେ ନୀଳମାଷ୍ଟ୍ରାଣୀର ଜୀବନଲୀଳା ଆରମ୍ଭହେଲା। ଭାରତଲୀଳାରେ ଯେ ଅର୍ଜୁନ ହେଲା, ସେ ହେଉଚି ଦୁଇଟି ଗାଁର ସେବାୟତ ମଦନ ଶେଠି, ଯାହାର କି ତୃତୀୟ ଗାଁରେ ଘର। ମଦନା ଲାଖବିନ୍ଧା ଲୀଳାରେ ଅର୍ଜ୍ଜୁନ ହୋଇ ଯେତେବେଳେ ଦ୍ରୌପଦୀ ସ୍ୱୟଂବରରେ ମାଛ ଆଖିକୁ ଶର ବିନ୍ଧିଲା, ସେହି ଶର ଯାଇ ହୃଦୟଚକ୍ର ତଳେ ତଳେ ଅତି ଗୋପନରେ ନୀଳ-ମାଷ୍ଟ୍ରାଣୀ ଆଖିରେ ବାଜିଲା।
ମାନସ-ଚକ୍ଷୁରେ ଏ ଦୃଶ୍ୟ ଦେଖି ସେହି ଯୁବତୀ ସେହିପରି ମୁହଁ ପୋତି ବଡ଼ ଛଟପଟ ହେଲା। ଦେଖିଲା-ମଦନା ଶେଠିର ଶର ନୀଳମାଷ୍ଟ୍ରାଣୀ କି ଅନ୍ଧ କରିଦେଲା। ନୀଳ-ମାଷ୍ଟ୍ରାଣୀ ଆଖି ଥାଇ ଅନ୍ଧ ହୋଇ ଦ୍ରୌପଦୀ ବେଶରେ ତା ସଙ୍ଗେ ସଙ୍ଗେ ଚାଲିଗଲା। ତା’ର ଶିକ୍ଷକତା ଗଲା, ତାର ଭ୍ରାତୃ ସ୍ନେହ ଗଲା, ତାର ସମାଜବନ୍ଧନ ଗଲା। ସେ ଲୋକାପବାଦକୁ ଡରିଲା ନାହିଁ; ସମାଜର ବନ୍ଧନକୁ ମାନିଲା ନାହିଁ, ଗାଁବାଲାଙ୍କ କଥା ଶୁଣିଲା ନାହିଁ। ନିଜର ପିତୃପିତାମହଙ୍କ କୁଟୀର ଛାଡ଼ି ସମାଜର ସକଳ ମମତା ହରାଇ ଚାଲିଗଲା ମଦନା ସାଙ୍ଗରେ।
ଓହୋ, କି ଦାରୁଣ ଦୃଶ୍ୟ! ମାସ ଦୁଇଟା ନୀଳମାଷ୍ଟ୍ରାଣୀ ମଦନା ଘରେ ବୋହୂ ହୋଇ ରହିଲା। ତା’ପରେ ଆସିଲା ଭୀଷଣ ପରିସ୍ଥିତି। ନାଟ ଆଖଡ଼ା ଭାଜିଗଲା। ଅର୍ଜ୍ଜୁନଙ୍କ ଲାଖବିନ୍ଧା ସରିଗଲା। ନୀଳ-ମାଷ୍ଟ୍ରାଣୀର ଦ୍ରୌପଦୀ ବେଶ ଲୁଚିଗଲା। ମଦନା ଖାଇଲା ମଦ। ନୀଳ ମାଷ୍ଟ୍ରାଣୀ ମନାକଲା। ତା’ପରେ ଝଗଡ଼ା, ତା’ପରେ ଅଭାବ, ତା’ପରେ ଲୁଗାବୁଜୁଳା କାନ୍ଧରେ ପକାଇ ନୀଳମାଷ୍ଟ୍ରାଣୀ ଚାଲିଲା ଧୋବଣୀ ବେଶରେ ପୋଖରୀତୁଠକୁ। ଲଜ୍ଜା ଅପମାନ ତା’ ମୁଣ୍ଡ ଉପରେ ଏତେ ଭାର ଦେଲେ ଯେ, ପିଠିରେ ମଇଳା ଲୁଗାର ଭାର ନଥାଇ ମଧ୍ୟ ସେ ସବୁବେଳେ ମୁଣ୍ଡପୋତି ରହିଲା। ଯୁବତୀ ଏତିକିବେଳେ ମଇଳା ଲୁଗା ଭିତରୁ ମୁହଁ ଟେକି କାତର ଭାବରେ କାହାର ଆଶ୍ରୟ ନେବ ବିଚାରି ଉଠି ବସି ଦେଖେ ତ, ସେ ହେଉଛି ସେହି ଅତୀତର ନୀଳମାଷ୍ଟ୍ରାଣୀ। ସେ ହେଉଛି ଆର ଗାଁର ମାତୃହୀନ ଦୁଇଟି ଶିଶୁ ଭିତରୁ ଗୋଟିଏ,ଯେ କି ଖୁବ୍ ଦୂରକୁ ଚାଲିଯାଇଛି।
ସେହି ପୂର୍ବର ନୀଳମାଷ୍ଟ୍ରାଣୀ ଓ ଏବର ନୀଳଧୋବଣୀ ମଇଳା ଲୁଗା ଭିତରେ ପଡ଼ିରହି କ’ଣ ଭାବୁ ଭାବୁ ବେଳ ବୁଡ଼ି ରାତି ହେଲା। ରାତି ଦୁଇପହରକୁ ଗଡ଼ିଲା ପରେ ପଡ଼ିଶାଘରେ ପାଟିତୁଣ୍ଡ ଶୁଭିଲା। ନୀଳଧୋବଣୀ ପାଗଳିନୀ ପରି ଦୁଆର ଫିଟାଇ ପଡ଼ିଶାଘରେ ପଶି କହିପକାଇଲା- ‘‘ଯାହା ଆଣିଚ, ଦିଅ ମୋତେ ଚାଖିବାକୁ।ମୋ ଭାଇରପରା ଭୋଜିଘର?ମୁଁ  ସେଠି ଥିଲେ ପରା ତୁମକୁ ଦେଇଥାନ୍ତି ଭୋଜି, ତୁମକୁ ଦେଇଥାନ୍ତି ଅଇଣ୍ଠା ଭାତ-ତରକାରି। ମୋତେ ତୁମେ ଦେବନାହିଁ?’’ପଡ଼ିଶାଘରର ବୋହୂଏ ମୁଣ୍ଡ ପୋତି ରହି ଭାବିଲେ-ନୀଳମାଷ୍ଟ୍ରାଣୀ ଆହୁରି ଧୋବଣୀ ହୋଇନାହିଁ?
ସେ ଦିନ ଗଲା। ଭାଇର ଭୋଜିଘର କଥା ଭାବି ଭାବି ‘ନୀଳମାଷ୍ଟ୍ରାଣୀ’ତା ଆରଦିନ ତୋଠକୁ ଗଲାନାହିଁ। ଭାଉଜର ବଉଳପାଟ ପଡ଼ିଶାଘରର ବୋହୂ କାଚି କରି ଦେବାକୁ ଆଣିଥିଲା। 
ନୀଳମାଷ୍ଟ୍ରାଣୀ କାକୁତି ମିନତି ହୋଇ କହିଲା -‘‘ମୁଁ କାଚିଦେବି ଲୋ, କାଚିଦେବି! ମୋ ଭାଉଜର ବଉଳପାଟ ମୋତେ ଦିଅ, ମୁଁ ଧୋଇଆଣିବି।’’ ସେଇଆ ହେଲା। ନୀଳ-ମାଷ୍ଟ୍ରାଣୀ ବଉଳପାଟକୁ ଧୋଇଆଣି ଆଉ ପଡ଼ିଶାଘରକୁ ଫେରାଇଲା ନାହିଁ। ତାଗିଦା ଆସିଲା ଆର ଗାଁରୁ। ବଉଳପାଟ ଫେରାଇଲେ ତେଣେ ସେ ଘରେ ଶୁଭକାର୍ଯ୍ୟ ବଢ଼ିବ; କିନ୍ତୁ ଫେରାଇବ କିଏ? ତାହା ଯେ ନୀଳମାଷ୍ଟ୍ରାଣୀ ହାତରେ! ଶୁଣାଗଲା-ନୀଳମାଷ୍ଟ୍ରାଣୀ କହୁଛି, ଭାଇ ନ ଆସିଲେ ଫେରାଇବନାହିଁ।
ଭାଇ ଆସିବ? ଭାଇ ଆସିବ, ଧୋବାଘରକୁ ନାନୀ ବୋଲି ସମ୍ୱୋଧନ କରିବାକୁ? କଥାଟା ଅସମ୍ଭବ ହୋଇଉଠିଲା। ତିନିଖଣ୍ଡ ଗାଁରେ-ଯେଉଁ ଗାଁରେ ନୀଳମାଷ୍ଟ୍ରାଣୀ ଜନ୍ମ ହୋଇଥିଲା, ଯେଉଁ ଗାଁରେ ସେ ମାଷ୍ଟ୍ରାଣୀ ହୋଇଥିଲା ଓ ଶେଷରେ ଆଉ ଯେଉଁ ଗାଁରେ ଧୋବଣୀ ହୋଇ ସେ ଦୁଇ ଗାଁର ଲୁଗା ସଫା କଲା, ସବୁଆଡ଼େ ଚହଳ ପଡ଼ିଗଲା।ତେ ଣେ ଭାଇ ଘରେ ବସି ଭାବିଲା- ‘ଯେ ଥିଲା ନାନୀ, ତା ପାଖକୁ ଯିବ କି ନାହିଁ।’ ରାତି ହେଲା ପହରେ। ଯିବ କି ନାହିଁ ଯିବ କି ନାହିଁ ଭାବି ଭାବି, ଭାଇ କେତେବେଳେ ଯେ ଆସି ଭଉଣୀ ପାଖେ ପହଞ୍ଚିଯାଇଛି ସେ ସମୟ-ଜ୍ଞାନ ତାର ନାହିଁ। ଡାକିଲା-‘‘ନାନି !’’ ସେତିକିବେଳେ ଚଉତା ହୋଇଥିବା ବଉଳପାଟ ଖଣ୍ତି ହାତରେ ଧରି ଆଲୁଳାୟିତକେଶା, ବିବ୍ରତବଦନା, ଅଶ୍ରୁମୁଖୀ ‘ନୀଳମାଷ୍ଟ୍ରାଣୀ’ ଭାଇକୁ ଅନ୍ଧାରରେ ଜାକି ପକାଇ କହିଲା-‘‘ମୁଁ ଚାଲିଆସିଲି ବୋଲି ତୁ ଚାଲିଆସିଲୁ? ଲୋକେ ବୋଲିବେ କ’ଣ? ତୁ ମଧ୍ୟ କୁଳରେ କଳଙ୍କ ଲଗାଇବୁ? ଫେରିଯାଆ, ଫେରିଯାଆ !’’
ଭାଇ ଫେରିଯାଇ ଆନନ୍ଦ-ମୁଖରିତ ତାର ସେହି କୁଡ଼ିଆ ଭିତରେ ଆଲୁଅରେ ଦେଖିଲା- କାହାର ଲୁହ ତା ହାତରେ ଲାଗିଛି, କାହା ସ୍ନେହର ସ୍ପର୍ଶ ତାକୁ ବିଚଳିତ କରିପକାଇଛି, କାହାର ଅନୁତାପ ବାଣୀ ତା ପ୍ରାଣକୁ ମନ୍ଥିପକାଉଛି ।
ବଉଳପାଟ ଭାଇ ହାତରେ ଦେଖି ସମସ୍ତେ ହେଲେ ଅବାକ୍!
 
             
                             
                                                                                                     
                                                                                                    