ବିଧାନସଭାର ଫଳ ଥିଲା ଅମୀମାଂସିତ। …ଗଣକଂଗ୍ରେସ କିମ୍ବା ଜନ ସଂକେତ – କାହାରି ପାଖରେ ସେହି ମ୍ୟାଜିକ୍ ଏକାଅଶି ନ ଥିଲେ।
ଶହେ ଷାଠିଏ ସଭ୍ୟ ବିଶିଷ୍ଟ ବିଧାନସଭାରେ ଏକାଅଶି ଜଣ ହାତଟେକା ସଭ୍ୟ ନ ଥିଲେ ରାଜ୍ୟପାଳ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ଗଣକଂଗ୍ରେସ ନେତା ଜନ୍ମେଜୟ କିମ୍ବା ଜନ ସଂକେତ ନେତା ସନାତନ ବାବୁଙ୍କୁ ଡାକିବେ ନାହିଁ। ମନ୍ତ୍ରିମଣ୍ଡଳ ଗଢ଼ିବା ପାଇଁ ତ ନିର୍ବାଚନ, ଏତେ…
ଗତଥର ଅନ୍ୟ କେତୋଟି ସାନ ସାନ ଆଞ୍ଚଳିକ ଦଳର ସଭ୍ୟଙ୍କୁ ହାତ କରି ବିଧାନସଭାରେ ନିଜ ସପକ୍ଷରେ ୯୬ ଜଣ ଏମ୍.ଏଲ୍.ଏଙ୍କୁ ଏକାଠି କରି ଜନ୍ମେଜୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥର ନିଜର ଗଣକଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳ ମିଶାଇ ନିର୍ବାଚିତ ଏମ୍.ଏଲ୍.ଏ ସଂଖ୍ୟା ୭୮ରେ ପହଞ୍ଚିଛି। …ପୁଣି ଜଣେ ମାତ୍ର ଆଠଟି ଅଧିକ ଭୋଟରେ ଜୟଯୁକ୍ତ ହୋଇଛି। ନିର୍ବାଚନ ମକଦ୍ଦମା ଅବଶ୍ୟମ୍ଭାବୀ। ଭୋଟ ଆଉଥରେ ଯଦି ଗଣାଯାଏ ଫଳ ବିପରୀତ ହୋଇପାରେ।
ଜନ ସଂକେତ ଅବସ୍ଥା ମଧ୍ୟ ତଦୃପ। ଦଳର ନେତା ବହୁ ତୁମ୍ବିତୋଫାନ କରି ଛଅସ୍ତରି ସ୍ଥାନ ଦାଖଲ କରିଛନ୍ତି। ଦୁଇଜଣ ସ୍ବାଧୀନ ଭାବରେ ଲଢ଼େଇ କରି ଜିତି ଥିଲେ। ସେମାନଙ୍କ ଓଠ ହାତ ଧରି ମନ୍ତ୍ରିମଣ୍ଡଳ ଗଢ଼ାହେଲେ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ପୁଣି ଦଳକୁ ଫେରାଇ ଆଣିଛନ୍ତି। ମନ୍ତ୍ରିମଣ୍ଡଳ ଗଠନ କରିବାର ସମ୍ଭାବନା ଦେଖିଲେ ସେ ଦୁହେଁ ଜନ ସଂକେତ ଗୁହାଳରୁ ଡିଆଁ ମାରି ବିପକ୍ଷ ତମ୍ବୁରେ ପଶିଯାଇ ପାରନ୍ତି।
ନବକୋଶଳ ରାଜ୍ୟର ଏଇ ଜଟିଳ ରାଜନୈତିକ ପରିସ୍ଥିତିର ସମାଧାନର ଚାବିକାଠି ଭଂଜଗଡ଼ର ପଦ୍ମନାଭଙ୍କ ହାତରେ, ଚାରିଜଣ ଆଦିବାସୀ-ହରିଜନ ନିର୍ବାଚିତ ସଭ୍ୟ ପକେଟରେ ପୂରାଇ ସେ ବୁଲୁଛନ୍ତି। ସେଇ ଚାରିଜଣ ଯୋଉ ଦଳକୁ ସମର୍ଥନ କରିବେ ସେଇ ଦଳ ନବକୋଶଳ ରାଜ୍ୟରେ ମନ୍ତ୍ରିମଣ୍ଡଳ ଗଢ଼ିବ।
ଗଣ କଂଗ୍ରେସକୁ ସମର୍ଥନ କଲେ ଜନ୍ମେଜୟଙ୍କ ମୁଖ୍ୟମନ୍ତ୍ରୀ ଗାଦି ସୁରକ୍ଷିତ ହୋଇ ରହିବ। ଜନ ସଂକେତ ଦଳକୁ କଲେ ସନାତନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ। ସେଥିପାଇଁ ଭୋଟ ଗଣତିର ଟ୍ରେଣ୍ଡ ଜଣାପଡ଼ିବା ମାତ୍ରେ ଫଳାଫଳ ଘୋଷଣାକୁ ଅପେକ୍ଷା କରି ଦୁଇଦଳର ଦୂତ ଖେଦିଗଲେ ଭଂଜଗଡ଼।
ସନାତନ ପଟ୍ଟନାୟକଙ୍କ ଦୂତ ନିର୍ବାଚିତ ଚାରିଜଣଙ୍କୁ ଡାକି କହିଲା-ଦେଖ ଭାଇ! ତମେ ଚାରିଜଣ ବିରୋଧୀ ଦଳର ପ୍ରାର୍ଥୀଭାବରେ ଜିତିଛ। ଗଣ କଂଗ୍ରେସ ପ୍ରାର୍ଥୀଙ୍କ ବିରୁଦ୍ଧରେ ଲୋକେ ଭୋଟ ଦେଇ ତମକୁ ଜିତାଇଛନ୍ତି। ତେଣୁ ଏକ ବିକଳ୍ପ ଅଣ ଗଣ-କଂଗ୍ରେସୀ ମନ୍ତ୍ରିମଣ୍ଡଳ ଗଠନ ପାଇଁ ତମକୁ ଜନାଦେଶ ମିଳିଛି। ଏ ଜନାଦେଶ ମାନି ତମେ ଚାରିଜଣ ଜନସଂକେତ ଦଳକୁ ସମର୍ଥନ କରିବା ଦରକାର। ସନାତନ ବାବୁ ମୁଖ୍ୟମନ୍ତ୍ରୀ ହେଲେ ତମେ ଚାରିଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବ। ତମେ ଯିଏ ଯେଉଁ ବିଭାଗ ଚାହିଁବ-ସେ ବିଭାଗ ଦିଆଯିବ। ମୁଁ ଗୋଟାଏ ଚିଠା ଲେଖି ଆଣିଛି। ତମେ ଚାରିଜଣ ଜନସଂକେତ ଦଳ ସରକାରକୁ ସମର୍ଥନ କରୁଛ ବୋଲି ଜଲ୍ଦି ଦସ୍ତଖତ କରିଦିଅ। ଜନ୍ମେଜୟ ବାବୁ ତମକୁ ନାନା ପ୍ରଲୋଭନ ଦେଖାଇବ। ଲୋଭରେ ନ ପଡ଼ିଲେ ପୋଲିସ୍ ପଠେଇ ଧମକେଇବ। ଭାଇମାନେ! ପ୍ରଲୋଭନ ଆଉ ଧମକ ଗଣତନ୍ତ୍ରର ଶତ୍ରୁ। ନବକୋଶଳ ରାଜ୍ୟରେ ଜନସଂକେତ ଦଳ ହିଁ ଲୋକପ୍ରିୟ ସରକାର ଗଢ଼ିପାରିବ। ଦିଅ ଦସ୍ତଖତ କରିଦିଅ-ଯେତେ ଶୀଘ୍ର, ସନାତନ ବାବୁ ମନ୍ତ୍ରିମଣ୍ଡଳ ଗଢ଼ିବେ, ତମେ ସବୁ ମନ୍ତ୍ରି ହେବ-ଧର କଲମ-ମାର ଦସ୍ତଖତ।
ସନାତନଙ୍କ ଦୂତ କହି କହି ଥକି ଗଲେ। ତାଙ୍କ ପାଟି ଘୋଳି ହୋଇଗଲା। କିନ୍ତୁ ଭଂଜଗଡ଼ର ସେଇ ଚାରି ମୂର୍ତ୍ତି ମୌନ ପାଲଟିଗଲେ। ହରିଜନ ଏମ୍.ଏଲ୍.ଏ ବହୁ କଷ୍ଟରେ କୁନ୍ଥେଇ କୁନ୍ଥେଇ କହିଲେ-ଆମେ ଦସ୍ତଖତ ଦେଇସାରିଛୁ।
ଦୂତ ବିଚଳିତ ହୋଇ ପଚାରିଲେ- ସେ ଦସ୍ତଖତ କାହା ପାଖର ଅଛି?
ଅନ୍ୟ ତିନିଜଣ ଆଦିବାସୀ ଏମ୍.ଏଲ୍.ଏ ସମସ୍ବରରେ କହିଲେ-ଆମର ନେତା ପଦ୍ମନାଭ ନାୟକ। ତାଙ୍କ ପାଖରେ ଦସ୍ତଖତ କରି କାଗଜ ଦେଇ ଦେଇଛୁ। କାଗଜ ବନ୍ଧା ପଡ଼ିଛି। ଯିଏ ଟଙ୍କା ଦେଇ ମୁକୁଳାଇ ପାରିବ, ସେ ରାଜା ହେବ।
ନବକୋଶଳ ରାଜନୀତିର ଚାବିକାଠି ପଦ୍ମନାଭ ହାତକୁ ଚାଲି ଯାଇଛି ଜାଣି ସନାତନଙ୍କ ଦୂତ ପାଗଳ ଭଳି ତାକୁ ଖୋଜି ବୁଲିଲା।
ପଦ୍ମନାଭ ଆଦିବାସୀ। ହେଲେ ବିଚିତ୍ର ତା’ର କାରବାର। ଚରମ ଦାରିଦ୍ର୍ୟ ଭିତରେ ବଢ଼ିଥିଲେ ବି, ପିଲାଦିନୁ ବଡ଼ଲୋକ ହେବା ପାଇଁ ଗୋଟିଏ ସ୍ୱପ୍ନ ସେ ମନରେ ପୋଷଣ କରି ଆସିଛି। ତାର ଗରିବ ବାପା ମାଆ ଜଣେ ଗୋରା ସାହେବଙ୍କ ପାଖରେ ଫାଇ ଫରମାସ ଖଟିବା ପାଇଁ ପଠାଇ ଦେଇଥିଲେ। ସେଇ ସାହେବ ଆଦିବାସୀ ପିଲାଟିକୁ ପାଠ ପଢ଼ାଇ ମଣିଷ କରିଦେଲେ। ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ୍ କଲା ପରେ ଭଂଜଗଡ଼ ଆଦିବାସୀ ଅଞ୍ଚଳରେ ମିଶନାରୀ କାମ କରୁଥିବା ସେଇ ସାହେବଙ୍କ ସହାୟତାରେ ସେ ସହରକୁ ଗଲା ପାଠ ପଢ଼ିବା ପାଇଁ। ବି.ଏ. ପାଶ୍ କରି ଏମ୍.ଏ. ପଢ଼ୁଥିବା ବେଳେ ଜଣେ ଆଇ.ଏ. ପରୀକ୍ଷାର୍ଥୀ ବ୍ରାହ୍ମଣ କନ୍ୟାକୁ ଟିଉସନ କରୁଥିଲା। ପାଠ ପଢ଼ାରୁ ପ୍ରେମ, ପଳାୟନ ଓ ଶେଷରେ ବିବାହ। ଏମ୍.ଏ. ପରୀକ୍ଷା ଆଉ ଦେଲା ନାହିଁ ପଦ୍ମନାଭ। ବ୍ରାହ୍ମଣୀ ପତ୍ନୀଙ୍କୁ ସାଙ୍ଗରେ ଧରି ଭଂଜଗଡ଼ ଫେରି ଆସିଲା। ପତ୍ନୀ ହିଁ ତା ମନରେ ଉପରକୁ ଉଠିବାର ଆଶା ଜଗାଇ ଦେଇଥିଲା। କଣ୍ଟ୍ରାକ୍ଟରୀ କରି କିଛି ଟଙ୍କା ଜମାଇଥିଲା। ନିର୍ବାଚନରେ ଏଇ ଚାରିଜଣ ପ୍ରାର୍ଥୀଙ୍କ ପାଇଁ ସେ କିଛି ଟଙ୍କା ଖଟେଇଥିଲା। ତାର ଭାଗ୍ୟ ଭଲ ଚାରିଜଣଯାକ ପ୍ରାର୍ଥୀ ଜିତିଗଲେ, ଆଉ ନିର୍ବାଚନ ଫଳ କୌଣସି ଦଳ ବା ଏକକ ମେଣ୍ଟକୁ ଏକକ ସଂଖ୍ୟା ଗରିଷ୍ଠତା ଦେଲା ନାହିଁ। ସେହି ସୁଯୋଗକୁ ବ୍ୟବହାର କରି ରାତାରାତି କୋଟିପତି ହୋଇଯିବାର ଏକ ଯୋଜନା ସେ କରିବସିଛି।
ସେ ଜାଣିଥିଲା ଏଇ ଚାରିଜଣ ଏମ୍.ଏଲ୍.ଏଙ୍କ ଦସ୍ତଖତର ସମର୍ଥନରେ ହିଁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବ। ଦେଶକୁ ଲୁଟି କରିବ। ଏଇ ଚାରିଜଣ ହାଣ କୁରାଢ଼ିର ବେଣ୍ଟ ହେବେ। ତାହାହେଲେ ସେ କାହିଁକି ନିଜର ମୁନାଫା ଉଠାଇ ନେବ ନାହିଁ? ପ୍ରତି ଏମ୍.ଏଲ୍.ଏଙ୍କ ସମର୍ଥନ ପାଇଁ ସେ ଯଦି କୋଡ଼ିଏ, ପଚିଶି ଲକ୍ଷ ଦାବି କରେ-ଦାବି ପୂରଣ କରିବାକୁ ସନାତନ କିମ୍ବା ଜନ୍ମେଜୟ କେହି ମନା କରିପାରିବେ ନାହିଁ। ଟଙ୍କା ଦେଇ ଏମ୍.ଏଲ୍.ଏ କିଣିଲେ ତ ଦେଶକୁ ଲୁଟି କରିବାର ସୁଯୋଗ ମିଳିବ।
ସେ ନିଜର ଅନୁଗତ ଚାରିଜମ ଏମ୍.ଏଲ୍.ଏଙ୍କୁ ଡାକି କହିଲା-ଦେଖ ଗଦାଧର, ବୀରବର, ବାଇଧର, ହଳଧର! ସେମାନେ ସମସ୍ତେ ତମକୁ ମନ୍ତ୍ରୀ କରିବାର ପ୍ରତିଶ୍ରୁତି ଦେବେ। କିନ୍ତୁ ମନ୍ତ୍ରୀତ୍ୱ ହେଲା… ଗଛର ଛାଇ- ଏଇ ଅଛି ଏଇ ନାହଁ। ଦି’ମାସ ପରେ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଇ ପୁଣି ନିର୍ବାଚନ ହେଲେ ଲଢ଼ିବା ପାଇଁ ତମେ ଟଙ୍କା ପାଇବ କେଉଁଠୁ? ଅସଲ ହେଲା ନଗଦ ନାରାୟଣ। ତମେ କାଗଜ ଦସ୍ତଖତ କରି ମତେ ଦେଇଦିଅ-ମୁଁ ଜଣ ପିଛା ଦଶଲକ୍ଷ ଆଣିଦେବି। ତମକୁ ନିଜ ଖର୍ଚ୍ଚରେ ସବୁ ତୀର୍ଥ ଦର୍ଶନ କରାଇ ଆଣିବି। ରାଜି?
ବିନା ପଇସାରେ ତୀର୍ଥ ଭ୍ରମଣ, ଆଉ ଦଶଲକ୍ଷ ନଗଦ ନାରାୟଣ!
ପ୍ରସ୍ତାବଟା ଶୁଣି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଖି ଡୋଳା ଗୋଲ୍ ଗୋଲ୍ ଦହିବରା!
ସେମାନେ ବାହାରିଗଲେ ତୀର୍ଥ ଦେଖି।
ନବକୋଶଳ ରାଜ୍ୟରେ ଲୋକପ୍ରିୟ ସରକାର ସ୍ଥାପନା କରିବା ପାଇଁ ଶାଳମଞ୍ଜି, କେନ୍ଦୁପତ୍ର ଠିକାଦାର, ଇଷ୍ଟେଟ୍ ବିଲଡ଼ର୍ସମାନେ ନୋଟ୍ ଭରି ସୁଟ୍କେଶ୍ମାନ ଧରି ରାଜଧାନୀର ତାରକାଖଚିତ ହୋଟେଲ ସବୁ ଦଖଲ କରିନେଲେ। ଜନ୍ମେଜୟ ବାବୁ ଓ ସନାତନ ବାବୁ ଏମ୍.ଏଲ୍.ଏ ଧରିବା ପାଇଁ ଚାରିଆଡ଼େ ଚାର ପଠାଇଲେ। କିନ୍ତୁ କାହାନ୍ତି ସେ ଚତୁର୍ଦ୍ଧାମୂର୍ତ୍ତି ; ତାଙ୍କର ନେତା ପଦ୍ମନାଭ ନାଏକ!
ପୁରୀ-ତିରୁପତି ଦର୍ଶନ ସାରି ଗଦାଧର-ହଳଧର-ବାଇଧର-ବୀରବର ଗୋଟିଏ ଛୋଟ ହୋଟେଲରେ ମାଲ୍ ପିଇ ଆରାମ କରୁଥିଲେ। ପଦ୍ମନାଭ… ଟେଲିଫୋନରେ ସନାତନ ଆଉ ଜନ୍ମେଜୟଙ୍କ ସହିତ ଏମ୍.ଏଲ୍.ଏଙ୍କ ଦର କଷାକଷି କରିବାକୁ …।
ଏଇ ସମୟରେ ଏକ ଅଘଟଣ ଘଟିଗଲା। ହଠାତ୍ ପୋଲିସ୍ ସେ ଛୋଟ ହୋଟେଲ ଉପରେ ଚଢ଼ାଉ କରି ବେଶ୍ୟାବୃତ୍ତି କରୁଥିବା କେତେଜଣ ବାରାଙ୍ଗନାଙ୍କ ସହିତ ନିଶାଗ୍ରସ୍ତ ଚାରିଜଣଙ୍କୁ ଧରି ଥାନାକୁ ନେଇଗଲା। ସେମାନେ ବାହାର ଝିଅମାନଙ୍କୁ ହୋଟେଲକୁ ନେଇ ସମ୍ଭୋଗରେ ମାତିଥିଲେ ବୋଲି ଥାନାରେ ଗୋଟେ ଅଭିଯୋଗ ଦାଏର୍ ହୋଇଗଲା।
ପଦ୍ମନାଭ ଖବର ପାଇ ଆସି ଥାନାବାବୁଙ୍କ ଉପରେ ଖୁବ୍ ତୁମ୍ବି ତୋଫାନ ଗଲା। ଚାରିଜଣ ଧୃତ ବ୍ୟକ୍ତି ଏମ୍.ଏଲ୍.ଏ ବୋଲି ପରିଚୟ ଦେଇ କହିଲା- ଏ ଚାରିଜଣ ନବକୋଶଳ ରାଜ୍ୟ ନୂତନ ମନ୍ତ୍ରିମଣ୍ଡଳର ଭାଗ୍ୟବିଧାତା। ରାଜ୍ୟପାଳ ଆସନ୍ତା ସୋମବାର ଦିନ ବିଧାନସଭା ଅଧିବେଶନ ଡାକିଛନ୍ତି। ସେଠାରେ ଗଣକଂଗ୍ରେସ ଓ ଜନସଂକେତ ଦଳର ଶକ୍ତି ପରୀକ୍ଷା ହେବ। ଯେଉଁ ଦଳର ପ୍ରାର୍ଥୀ ବାଚସ୍ପତି ନିର୍ବାଚିତ ହେବେ, ସେଇ ଦଳ ନେତାଙ୍କୁ ରାଜ୍ୟପାଳ ମନ୍ତ୍ରିମଣ୍ଡଳ ଗଠନ କିରବାକୁ ଡାକିବେ, ଆଉ ସେ ଭାଗ୍ୟ ନିଷ୍ପତ୍ତି କରିବ। ତେଣୁ ନୂତନ ମନ୍ତ୍ରିମଣ୍ଡଳର ଭାଗ୍ୟବିଧାତାଙ୍କୁ ତୁରନ୍ତ ଖଲାସ କର, ତା ନହେଲେ ମନ୍ଦ ଫଳ ଭୋଗିବ।
ନିଶୁଆ ଥାନାବାବୁ ନିଶରେ ହାତ ମାରି ଉତ୍ତର ଦେଲେ-ଏମ୍.ଏଲ୍.ଏ ବୋଲି ପ୍ରମାଣ କାହିଁ?
ପଦ୍ମନାଭର ହଂସା ଉଡ଼ିଗଲା। ନିର୍ବାଚନ ଫଳାଫଳ ଘୋଷିତ ହେବାମାତ୍ରେ କାଳେ କିଏ ଏ ଚାରିଜଣଙ୍କୁ ନିଜ ଗୁହାଳକୁ ଆଡ଼େଇ ନେବ-ସେଥିପାଇଁ ଏମ୍.ଏଲ୍.ଏ ଆଇଡ଼େଣ୍ଟିଟି କାର୍ଡ଼ ଆଣିପାରି ନାହାନ୍ତି। ନିଶୁଆ ଥାନାବାବୁଙ୍କୁ ପ୍ରମାଣ ଦେଖାଇବେ କ’ଣ?
ଏ ଚାରିଜଣଙ୍କୁ କେବଳ ଭାରପ୍ରାପ୍ତ ମୁଖ୍ୟମନ୍ତ୍ରୀ ଜନ୍ମେଜୟ ସାହାଯ୍ୟ କରିପାରନ୍ତି। ସେ ଗୋଟାଏ ଥର ଫୋନ୍ କଲେ କାମ ହୋଇଯିବ।
ପଦ୍ମନାଭ ଜନ୍ମେଜୟଙ୍କୁ ଗୋଟାଏ କଲ୍ ବୁକ୍ କଲେ। ଆରପଟୁ କେୟାରଟେକର ମୁଖ୍ୟମନ୍ତ୍ରୀଙ୍କ କଣ୍ଠସ୍ୱର ଭାସି ଆସିଲା- କିଏ ପଦ୍ମନାଭ? କ’ଣ ଘଟଣା? ସେ ଚାରିଜଣ କାହାନ୍ତି। ସେମାନେ ଯଦି ମୋତେ ସମର୍ଥନ ନ କରିବେ ତାହା ହେଲେ ଆଉ ଥରେ ନିର୍ବାଚନ କରେଇବି। ସେ ଚାରିଜଣ ଶିଶୁପାଳ ହେବେ। ବୁଝିଲ ନା ନାହିଁ? ଠିକ୍ ଅଛି। ମୁଁ ପୋଲିସ୍ ଗାଡ଼ି ପଠାଉଛି, ସେ ଚାରିଜଣଙ୍କୁ ଉଦ୍ଧାର କରି ମୋ କୋଠୀକୁ ନେଇ ଆସିବ।
ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ପୋଲିସ୍ ଭ୍ୟାନ୍ ଆସି ପହଞ୍ଚିବା ମାତ୍ରେ ଗଦାଧର, ବୀରବର, ହଳଧର ଆଉ ବାଇଧରଙ୍କୁ ଥାନାବାବୁ ଗାଡ଼ିରେ ଚଢ଼ାଇ ଦେଇ ସାଲ୍ୟୁଟ୍ ପକାଇଲେ।
ସେମାନଙ୍କ ସହିତ ଗାଡ଼ିରେ ଯିବା ପାଇଁ ପଦ୍ମନାଭ ଉଠୁଥିଲା। ଡ୍ରାଇଭର ତାକୁ ଯୋର୍ କରି ଓହ୍ଲାଇ ଦେଲା। କହିଲା-ଏମ୍.ଏଲ୍.ଏ ବାବୁମାନେ ମାମୁଁ ଘରକୁ ନ ଯାଇ କାଲି ସକାଳୁ ରାଜଭବନରେ ପ୍ୟାରେଡ଼ରେ ଯୋଗ ଦେବେ। ଆପଣ ସେମାନଙ୍କ ସହିତ ଯିବା ପାଇଁ ଅର୍ଡ଼ର ନାହିଁ।
ଧୂଆଁ ଉଡ଼ାଇ ଗଣତନ୍ତ୍ରର ଗାଡ଼ି ଚାଲିଗଲା। ଗୋରୁମାନେ ଗୁହାଳକୁ ଚାଲିଗଲେ।
ଗାଈଆଳ ପଦ୍ମନାଭ ନାଏକ ଫେରି ଆସିଲେ, ସେଇ ଛୋଟ ଦୁର୍ନୀତିଗ୍ରସ୍ତ ହୋଟେଲକୁ। ଚକେଗଲେ ବାରହାତ। ଆଉ କେବେ ଭୋଟ ହେବ କେଜାଣି?