ପଦ୍ମପଲାଶ-ଲୋଚନ….ଅର୍ଦ୍ଧେନ୍ଦୁଲଲାଟ…ଚନ୍ଦ୍ରମୁଖ….ଜବାଧର….ଗୋଲାପଗଣ୍ଡ….ମୃଣାଳବାହୁ……ଚମ୍ପକାଙ୍ଗୁଳି- ଜୀବନ୍ତ ଓ ଯୌବନକୁ ଘେନି ତ କାବ୍ୟ। ଏ ତ ଗୋଟାଏ କଙ୍କାଳ-ଉଲଗ୍ନ…ନିରଳଙ୍କାର; କାହାର ଗେଲବସର ପୁତ୍ର ଥିଲା ସେ। କାହାର ଅଲିଅଳି କନ୍ୟା? କାହାର ପ୍ରିୟାପତ୍ନୀ? ତ୍ୟାଗନିଷ୍ଠ ତରୁଣ ନା ସୁରୂପସୀ ତରୁଣୀ? ନାଗରିକ ନା ଗ୍ରାମୀଣ? ମୁଲିଆ ନା ମଜଦୁର? କୃଷକ ନା କବି? ସୁଶିକ୍ଷିତ ନା ଗଣ୍ଡମୂର୍ଖ? ବିଦଗ୍ଧ ନା ବାବଦୁକ? ନର୍ତ୍ତକୀ, ଅଭିନେତ୍ରୀ ନା ସୁଗାୟିକା? ଗ୍ରାମ ଯାତ୍ରାରେ ରଜା ହୋଇ ବାହାରୁଥିଲା ନା ରଙ୍ଗିଆ ଦୁଆରୀ? ଏ ଘଟ ପାଟୁଆ ନା ଦଣ୍ଡନାଟୁଆ? ଟାଉଟର ମକଦ୍ଦମାଖୋର ନା ନିତାନ୍ତ ସରଳ, ଉଦାସୀ, ସାଧାରଣରେ ଅତି ସାଧାରଣ? ବହୁକୁଟୁମ୍ବୀ ଦୁଃଖୀ ନା ଧନୀ, ନିରପତ୍ୟ? କିଏ ସେ? ଚିହ୍ନିବାର କିଛି ବି ଉପାୟ ନାହିଁ …?

କଙ୍କାଳ ସେ; ସେଇ ତା’ର ପରିଚୟ-ରୂପହୀନ ନିର୍ଗୁଣ ସେ! …. ସତ୍‌ କି ଅସତ୍‌ ଥିଲା, ଜ୍ଞାନୀ କି ଗୌରବାନ୍‌ ଥିଲା, ପରକୁ ଆପଣାର କରି ଜୀବନ ବିତାଇଥିଲା କି ସ୍ୱାର୍ଥ ଚିନ୍ତାରେ ପରମାର୍ଥ ବିସ୍କୃତ ହୋଇଥିଲା, ଜାଣିବାର କିଛି ହେଲେ ବାଟ ନାହିଁ। କେତେ ଜମିଜମାର ମାଲିକ ଥିଲା ସେ? କାହାର ଜମିଦାର, ମହାଜନ, କାହାର ଖାତକ? ମର୍ତ୍ତ୍ୟମଣ୍ଡଳରେ କେଉଁଠି ତା’ର ବାସସ୍ଥାନ ଥିଲା? କୁଟୀରରେ ନା ସୌଧରେ? ତରୁତୃଣଭରା କାକଳି ଝଂକୃତ ପଲ୍ଲୀରେ ନ ଯାନବାହାନ ଗର୍ଜିତ ନଗରରେ? କାହାର ଅଭିଭାବକ, ଗୁରୁ ବା ଦିଶାରୀ ଥିଲା ସେ? କାହାର ମହାପ୍ରସାଦ ବନ୍ଧୁ, ଜ୍ଞାତିକୁଟୁମ୍ବ, ସମୁଦି ବା ଶଶୁର? ଶଳା ବା ସୋଦର! ନାମହୀନ, ସଂଜ୍ଞାହୀନ, ଗୋତ୍ରହୀନ। ମୃତ୍ୟୁ ତାର ମାନବିକ ପରିଚୟକୁ ନିଶ୍ଚିହ୍ନ କରି ଦେଇଛି। ପୃଥିବୀର ଡୋରି ଛିଣ୍ଡିଛି; ନବଜନ୍ମରେ ନୂତନ ସମ୍ପର୍କ ଗଢ଼ି ଉଠିନାହିଁ। ପ୍ରେତ ତା’ର-ନିଃସଙ୍ଗ, ମ୍ରିୟମାଣ-ଘୂରି ବୁଲୁଛି ମଶାଣିରୁ ମଶାଣି- ଘରୁ କେଦାର, ଯେଉଁଠି ତା’ର ଆକର୍ଷଣୀୟ କିଛି ଥିଲା। ଦେହ ଲୋପ ପାଇଛି; ବାସନା ପୂରି ନଥିଲା ତା’ର, ସେଇ ତାକୁ ବୁଲାଉଛି ହୁଏତ।

ଅଳ୍ପଦିନ ତଳେ ହୁଏତ ତା’ର ଶୁଦ୍ଧିକ୍ରିୟା ହୋଇଥିବ। ଦୁଆରେ ଘଟ ବସିଥିବ, ତୁଠକୁ କେତେ କିଏ ଖୋଜାଲୋଡ଼ା ହୋଇ ଆସିଥିବେ। ଗାଁ ମୁଣ୍ଡରେ ପୁଅ ବେଳିକିଆ ଦେଇ ଆସିଥିବ। ପାଗହାଣ୍ଡି ସେଇଠି ଜଳଜଳା ହାଣ୍ଡି ପାଲଟିଥିବ। ଜ୍ଞାତିକୁଟୁମ୍ବ ପିତାଭାତ ଖାଇଥିବେ।
‘ଘର ଘରଣୀ ଦେହ କିଳାଉଥିବ
ଘେନି ଜ୍ଞାତିକୁଟୁମ୍ବ ଶୁଦ୍ଧ ହୋଇବ। ’

କଥା ସତ ଫଳିଥିବ। କାନ୍ଥ ଚାଳ ବାଡ଼େଇ ତାକୁ ତଡ଼ିଥିବେ। ଧାର ଉଧାରେ ସରୁ ବା ମରୁ, ବ୍ରାହ୍ମଣ ଭୋଜନ ବା ଭାଇଭାତ ଦବାକୁ ପଡ଼ିଥିବ! ବନ୍ଧୁ କୁଟୁମ୍ବଙ୍କୁ, ପୁରୋହିତଙ୍କୁ ନୂଆଲୁଗା ପିନ୍ଧେଇବାକୁ ହୋଇଥିବ। ବନ୍ଧୁବାନ୍ଧବଙ୍କ ଘରୁ ଭାରଥୋର ଲମ୍ବିଥିବ-ଅଙ୍ଗାଏ ବସା ଦହି, ଅଙ୍ଗାଏ କଞ୍ଚାଚୁଡ଼ା, ଅଙ୍ଗାଏ ହୁଡ଼ୁମ୍ବ, ଅଙ୍ଗାଏ ଚୁଡ଼ାପୁଆ ବା ଛାଚିଖଇ, ଭାରେ ଦୁଧ, ଭାରେ ପାଚିଲା କଦଳୀ, ଭାରେ ମହାପ୍ରସାଦ କିମ୍ବା ଭାରେ ଗଜବନ୍ତଳ ଓ ଖୁମ୍ବଆଳୁ।

ମହାଜନମାନେ ମହାପ୍ରସାଦ ପାଇ ବିଦାକି ନେଇ ଲମ୍ବ ହୋଇ, ଶୋଇଥିବା ପୁତ୍ର ମୁଣ୍ଡରେ ପଦରଜ ଝାଡ଼ି କଲ୍ୟାଣ କରି ଯାଇଥିବେ। ଧାର ଧାର ଲୁହ ଭିତରେ ଭିତରେ ଅଦେହୀ ସେ, ଟୋପାଟିଏ ଲୁହ ଢାଳି ନ ପାରି ବିଦାୟ ନେଇଥିବ। ରାଇ ଶୀତଳାଇ ପୁଅ ତା’ର ଅସ୍ଥିକୁ ଘଡ଼ିରେ ପୁରାଇ ପୋତି ଦେଇଥିବ, ପରେ ଗଙ୍ଗାରେ ପକାଇବାଲାଗି।

ବିଲରେ ବୁଲି ବୁଲି ପୁଅ ସାଙ୍ଗେ ଭେଟଣା ହେବ। ତୋଟା ବାଡ଼ିରେ ରହିଲେ ପିଲାଏ ଡରିବେ; ଏ ବିଲବାଡ଼ି ତା’ର କେଡ଼େ ପ୍ରିୟ ଥିଲା। ଆଜି ତା’ର କିଛି କରିବାର ନାହିଁ, ହିଡ଼ରେ ଭୁଷା ପଡ଼ିଲେ କିମ୍ବା ଭାଙ୍ଗି ପାଣି ବୋହିଗଲେ ସେ କେବଳ ଜଳଜଳ ଚାହିଁଥିବ, ଧୋଇ ମରୁଡ଼ି ହେଲେ କି ବତାସରେ ପଲା ଉଡ଼ିଗଲେ ସେ ବ୍ୟସ୍ତବିକଳ ହେଉଥିବ, ଘରେ କୋରଖ ପଶିଲେ କି ଡକେଇତି ହେଲେ ସେ କଲବଲ, ଛଟପଟ ହେଉଥିବ; କିନ୍ତୁ ତା’ର କରିବା ଲାଗି କିଛି ନଥିବ-ଅଦେହୀ ସେ-ଗୃହହୀନ-ବନ୍ଧୁ କୁଟୁମ୍ବହୀନ, ଶ୍ରାଦ୍ଧରେ ତା’ର ପ୍ରାପ୍ୟ ମୁଠାଏ ପିଣ୍ଡ। ବଡ଼ବଡ଼ିଆ ଡକା ଦିନ, ଟିକିଏ ଆଲୁଅ। ଅନ୍ଧାରରେ ଆସି ସେ ଆଲୁଅରେ ପ୍ରେତଲୋକକୁ ଫେରି ଯାଇଥିବ। ଗୟାରେ ଶେଷ ପିଣ୍ଡଦାନ ପରେ ସେ ହୋଇଥିବା ବିସ୍ମୃତ। ଜୀବନରୁ ମୃତ୍ୟୁ, ପ୍ରେତଲୋକରୁ ଜୀବନ, ଲୋକ ବହୁତ ଦୂରେଇ ଯାଇଥିବ। ଜୀବନ ସହିତ ତା’ର ଲୁଚକାଳି ଖେଳ ଏହିପରି ଶେଷ ହୋଇଥିବ।

ଏବେ ଗୋଟାଏ ଯନ୍ତ୍ର ସେ, ଅଦ୍ୟାବଧି ଦୁଶ୍ଚିନ୍ତା ଜଞ୍ଜାଳହୀନ ପୂତ ନିର୍ମଳ ଗୋଟାଏ ଛାଞ୍ଚ, ଛିନ୍ନବିଛିନ୍ନ, ଇତସ୍ତତଃ ନିକ୍ଷିପ୍ତ ଆସ୍ଥିକୁ ହୁଏତ ସଂଲଗ୍ନ କରାହୋଇଛି; ପ୍ରଫେସର୍‌ ଶିକ୍ଷା ଦେଇଛନ୍ତି-କେଉଁଠି କେଉଁ ଅସ୍ଥି, କେଉଁ ଶିରାପ୍ରଶିରାର ଅସ୍ତିତ୍ୱ, କେଉଁଠି କେଉଁ ରୋଗ ହୁଏ କିପରି ବ୍ୟାପେ, କେଉଁଠି କିପରି ଅସ୍ତ୍ରୋପଚାର କରିବାକୁ ହୁଏ। ମୃତ୍ୟୁ ଜୀବନକୁ ଦେଇଛି ଏଇ ଦକ୍ଷିଣା, ଅଭିଜ୍ଞତାରୁ ଶିଖାଇବ, ଅନୁଭୂତିରୁ ମର୍ମଜ୍ଞାନ ଦେବ, ଚିକିତ୍ସା ଓ ଅସ୍ତ୍ରୋପଚାରର ରିହରସାଲ ହେବ ଏଠି! ମୃତ୍ୟୁ ଅପ୍ରୟୋଜନୀୟ ନୁହେଁ, ଜୀବନ୍ତ ଜୀବନର ପରିପୂରକ ସେ; ଭୂମିକା। ଜୀବନର ସମୀକ୍ଷା ଲାଗି ପ୍ରେକ୍ଷାଗାରର ପରୀକ୍ଷିତ ଦ୍ରବ୍ୟ ପରି ମୃତ୍ୟୁର ଆତ୍ମଦାନ ଏକାନ୍ତ ମହନୀୟ। ମୃତ୍ୟୁ ଜୀବନର ବୈତାଳିକ, ସଂହାର ସୃଷ୍ଟିର ସଂବାହକ, ପ୍ରଳୟସର୍ଜନର ଆବାହକ।

ଦିନେ କୁଟୁମ୍ବ ପୋଷଣରେ ତା’ର ପ୍ରୟୋଜନୀୟ ଭୂମିକା ଥିଲା, କିନ୍ତୁ ସାମାଜିକ ବା ସାଂସ୍କୃତିକ କାର୍ଯ୍ୟରେ ଥିଲା ସେ, ନିତାନ୍ତ ଅଦରକାରୀ। ଏବେ ତା’ ବିନା ଆନାଟମି ବା ଫିଜିଓଲଜି ଶିକ୍ଷାଦାନ ଅସମ୍ଭବ। ପ୍ରଫେସରଙ୍କ ହାତବାରିସି ସେ, ଛାତ୍ରମାନଙ୍କର ପରୀକ୍ଷାର୍ଣ୍ଣବର କର୍ଣ୍ଣଧାର।

ସେତେବେଳେ ଡାକ୍ତରଖାନାରେ ଏଇ କଙ୍କାଳଟାକୁ ଦେଖି କେତେ କ’ଣ ଭାବି ଯାଉଥିଲା- ଏହାର ମୁଖ ନାହିଁ, କିନ୍ତୁ ଏତେ ମୁଖର କିପରି ସେ? ଚକ୍ଷୁହୀନ; କିନ୍ତୁ ମୋର ଅନ୍ତରକୁ ନିରେଖି କିପରି ଦେଖୁଛି ସେ? ନିରିନ୍ଦ୍ରିୟ; କିନ୍ତୁ ମୋର ମନର ଭାବନାକୁ ସତେ ଯେପରି ପଢ଼ିପାରୁଛି ସେ!

ଭାବୁ ଭାବୁ କେତେବେଳେ ମୋତେ ଛାଇନିଦ ଲାଗିଆସିଲା ଜାଣେ ନାହିଁ। ସ୍ୱପ୍ନରେ ମନ ବ୍ୟାଥାତୁର ହୋଇ ଉଠିଥିଲାବେଳେ ସେଇ କଙ୍କାଳ ଯେପରି କି ମୋତେ ପଚାରିଲା-ଚିହ୍ନିପାରୁ ନାହାଁନ୍ତି? … ମୋ ଠାରେ ଜୀବନର କି ସଙ୍କେତ ଅଛି ଯେ, ଆପଣ ଚିହ୍ନିବେ? …. ନାମହୀନ….ଧାମହୀନ….ଆକୃତିହୀନ….ମୋ ପଛରେ ସବୁ କାହାଣୀ ସାଙ୍ଗସାଥୀ ଭୁଲି ଯାଇଛନ୍ତି, ମୋ ଆଗର ସବୁ ସ୍ୱପ୍ନ କଳ୍ପନା ଅପସରି ଯାଇଛି।

ଆମେ ପରା ଗୋଟିଏ କୋଠରୀରେ ଥିଲେ! ଆପଣଙ୍କର ବେଡ୍‌ ନମ୍ବର-୧, ମୋ ବେଡ୍‌ ନମ୍ବର- ୩, ଆପଣ ଶ୍ୱାସରୋଗୀ, ପ୍ରସିଦ୍ଧ କବି, ତେଣୁ ଆପଣଙ୍କ ପାଖେ ଡାକ୍ତର ଓ ବହୁ ବିଶିଷ୍ଟ ଲୋକ ଭିଡ଼ ଜମେଇଥାନ୍ତି। ମୋ ପାଖରେ ତ ଜାଣ ଗୋଟିଏ କ୍ଲାସ୍‌ ହୁଏ। ଷ୍ଟ୍ରେଥୋସ୍କୋପ୍‌ କାନ୍ଧରେ ପକାଇ ବଡ଼ ଡାକ୍ତରଙ୍କ ଲେକ୍‌ଚର୍‌ ସତେ ଯେପରି ଛାତ୍ରଛାତ୍ରୀମାନେ ପିଇ ଯାଉଥାନ୍ତି! ବ୍ରଜବାବୁ ଆମ ଦୁହିଁଙ୍କୁ ଅପରେସନ୍‌ କରିଥିଲେ। ମୋର ସାତଘଣ୍ଟାର ଅପରେସନ୍‌, ଅତି ଜଟିଳ – କାନସର୍‌କୁ ଏଣେ ହଳଦିଆ କାମଳ, ଶରୀର ରକ୍ତହୀନ, ବୟସ ୫୦ରୁ ଊର୍ଦ୍ଧ୍ୱ, ମୃତ୍ୟୁ ସୁନିଶ୍ଚିତ- ଦରିଦ୍ରକୁ କର୍କଟରୋଗ ଧରିବାର ସିଧାସଳଖ ଅର୍ଥ ଏଇଆ, କିନ୍ତୁ ଡାକ୍ତର ଚାଷୀ ପରି ନିଲଠା। ଚିକିତ୍ସା କରିବା ତାର କର୍ତ୍ତବ୍ୟ, ଯେପରି ଚାଷ କରିବା କୃଷକର କର୍ମ। ଫସଲ ହେବ କି ନାହିଁ, ରୋଗୀ ବଞ୍ଚିବ କି ନାହିଁ, କୃଷକ ବା ଡାକ୍ତର କହିଦେଇ ନ ପାରନ୍ତି। ପୁଣି ରୋଗର ପରୀକ୍ଷା ନିରୀକ୍ଷା ଲାଗି ବହୁ ଦେହ ଲୋଡ଼ା ପଡ଼େ! ମୂଷିକ, ରାବିଟ୍‌ ବା ମର୍କଟର ଦେହପରି ଦେହ। ପୁଣି କଥା ଅଛି –
ଉପାୟ କର …..
ବଞ୍ଚେଇବା ଲାଗି ଚେଷ୍ଟା କରୁ କରୁ ମରିଗଲେ ଦୁଃଖ ନାହିଁ; କିନ୍ତୁ ନିଶ୍ଚେଷ୍ଟ ହୋଇ ମରିବାକୁ ଦେବା ଅଧମତା!
ଏଇ ଅପରେସନ୍‌ ସଫଳ ହେଲେ ମୂଲ୍ୟବାନ ଶ୍ରୀଅଙ୍ଗମାନଙ୍କରେ ଅପରେସନ୍‌ ଛୁରି ଲାଗିବ। ଡାକ୍ତରଙ୍କ ସାହସ, ପ୍ରତିଷ୍ଠା ବଢିବ, ହୁଏତ ଜଗତ୍‌ବିଖାତ ହୋଇଯିବେ ସେ। ଦିଗେ ଦିଗେ ତାଙ୍କୁ ଡକରା ପଡ଼ିବ, ଲକ୍ଷ୍ମୀ ସୁପ୍ରସନ୍ନା ହେବେ!

ସାତଘଣ୍ଟା କାଳ ଟେବୁଲ୍‌ରେ ପକାଈ ମୋତେ ଅପରେସନ୍‌ କରା ହୋଇଥିଲା। ଖାଇବାଲାଗି ଡାକ୍ତରଙ୍କୁ ଅବସର କାହିଁ? ଅପରେସନ୍‌ ବେଳେ ତାଙ୍କ ପାଟିରେ ରସଗୋଲା, ସନ୍ଦେଶ ମଡ଼ା ହୋଇଥିଲା, କଫି ପିଆଇଦିଆ ହୋଇଥିଲା। ଡାକ୍ତର, ପ୍ରକୃତରେ ମହାଯୋଗୀ ସେ। ଅସୀମ ତାଙ୍କର ଧୈର୍ଯ୍ୟ, କଷ୍ଟସହିଷ୍ଣୁତା ଉଦ୍ୟମ ଜୀବନମୂର୍ଚ୍ଛା, ସାହସ ଅଚଳନ୍ତି। ଯେପରି ସମବେଦନାପ୍ରବଣ ମାନବ, ସେହିପରି ସୁକୌଶଳୀ ବିଜ୍ଞାନୀ ସେ।

ଅପରେସନ୍‌ ତାଙ୍କ କାର୍ଯ୍ୟର ପ୍ରଥମ ଅଧ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟରେ ବହୁ ଡାକ୍ତର ବିଫଳ ହୋଇଥାନ୍ତି। କାରଣ ଚିକିତ୍ସା ଲାଗି ଡାକ୍ତରୀବିଦ୍ୟା ଯଥେଷ୍ଟ ନୁହେଁ, ପଦେ ପଦେ ମାନବିକତା ଆବଶ୍ୟକ ହୋଇଥାଏ।

ମୋ ଅପରେସନ୍‌ ଲାଗି ଡାକ୍ତର ବ୍ରଜେନ୍ଦ୍ର ରକ୍ତ ଚାନ୍ଦା କରି ବୁଲିଥିଲେ। ଅନେକ ବୋତଲ ରକ୍ତ ଦିଆ ନ ଗଲେ ରୋଗୀ ବଞ୍ଚିବ ନାହିଁ। ଧନୀ ରୋଗୀ, ଧନୀ ଛାତ୍ର, ଦାନବୀର ସ୍ୱନାମଧନ୍ୟମାନଙ୍କଠାରୁ ବ୍ରଜବାବୁ ବୋତଲ ବୋତଲ ରକ୍ତ, ଡେକୋଡ୍ରନ୍‌ ଇଞ୍ଜେକ୍‌ସନ୍‌, ଚାନ୍ଦା କରି ଆଣିଥିଲେ। ସହକାରୀ ଡାକ୍ତର, ହାଉସ୍‌ ସର୍ଜନ, ନର୍ସ, ବେହେରା ସମସ୍ତଙ୍କର ମୋ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଥିଲା। ଏହା ମୁଖ୍ୟ ଡାକ୍ତରଙ୍କ କଡ଼ା ନଜର ଯୋଗୁଁ; ନିଜ ୱାର୍ଡରେ ଦୃଢ଼ ଶୃଙ୍ଖଳା ରକ୍ଷା କରିବାକୁ ଚେଷ୍ଟିତ ଥିଲେ ମୁଖ୍ୟ ଡାକ୍ତର। ନର୍ସ ଇଞ୍ଜେକ୍‌ସନ୍‌ ପରେ ଇଞ୍ଜେକ୍‌ସନ୍‌ ଫୋଡି ଚାଲିଥିଲେ, ଦେହ ଜଡ଼ ପାଲଟି ଯାଇଥିଲା। ଭୀଷ୍ମଙ୍କ ଶରଶଯ୍ୟାର ଅନୁଭବ ହୋଇଥିଲା ମୋର। ଏଣେ ଗ୍ଲୁକୋଜ୍‌, ତେଣେ ଅକ୍‌ସିଜେନ୍‌। ଡାକ୍ତର ମୋ ଲାଗି ପକେଟ୍‌ ଶୂନ୍ୟ କରିଥିଲେ-ଅସହାୟ ପ୍ରତି ଯେତିକି ସମବେଦନା, ଆତ୍ମପ୍ରତିଷ୍ଠା ଲାଗି ସେତିକି ବ୍ୟାକୁଳତା ଥିଲା ତାଙ୍କର।

ଆଜି ଶୁଖ କି ଦୁଃଖ ମୋତେ କିଛି ସ୍ପର୍ଶ କରୁନାହିଁ; କିନ୍ତୁ କେତେଦିନ ତଳର ଡାକ୍ତରଖାନାର ସେଇ ଜୀବନ … ଆଃ ! ସେଭଳି ଦୁର୍ଭାଗ୍ୟ ନ ପଡ଼ିଲେ କିଏ ହାସପାତାଳକୁ ଆସେ? ଡାକ୍ତର ଦୁଃଖ କଷ୍ଟ ଦେଖି ଦେଖି, ସେଥିପ୍ରତି ଉଦାସୀନ ସେ। ରୋଗୀର ବିକଳ ଚିତ୍କାର ତା’ର କାନରେ ବାଜେ ନାହିଁ। ସମ୍ମୁଖରେ କରାଳ ମୃତ୍ୟୁ, କିନ୍ତୁ ସେ ବିଚଳିତ ନୁହେଁ। ରୋଗ ବ୍ୟାଧିର ଯନ୍ତ୍ରଣା, ମୁମୂର୍ଷୁର ହା-ହାକାର ମଧ୍ୟରେ ନିର୍ଲଜ ପ୍ରେମଲୀଳା-ତରୁଣ ଡାକ୍ତର……ତରୁଣୀ ନର୍ସ-ଅନାସକ୍ତ ରାତ୍ରିର ଗଭୀର ନିର୍ଜନତାକୁ ନଷ୍ଟ କରି ଦିଅନ୍ତି ସେମାନେ। ବେଦନାତୁର ଚିତ୍କାର, ସୁସ୍ଥୀର କୋଳାହଳ, ମାନିନୀର ମାନଭଞ୍ଜନ, ଜଗୁଆଳି କୁକୁରର ଗର୍ଜନ ମଧ୍ୟରେ ବହୁ ନିଦ୍ରାହୀନ ରଜନୀ ବିତିଯାଏ। ବହୁ ନାସ୍ତିବାଚକ ମଧ୍ୟରେ ରୋଗୀ ଜୀବନ- ମରଣ ସଂଗ୍ରାମ ଚାଲିଥାଏ। ଶେଯରେ ମସାରି ନାହିଁ, କଳରେ ଜଳ ନାହିଁ, ଷ୍ଟୋଭ୍‌ରେ କିରାସିନି ନାହିଁ, ଷ୍ଟୋର୍‌ରେ ଔଷଧ ନାହିଁ, ବେହେରାର ସଙ୍କୋଚ ନାଇଁ, ନର୍ସର ଲଜ୍ଜା ନାହିଁ, ଜୀବିକା ଅର୍ଜନର ମାନବତା ନାହିଁ। କେବଳ ମାର୍ଜାର ଏଠି ସୁସ୍ଥତମ! ସମସ୍ତଙ୍କ ପ୍ରତି ସମଦର୍ଶୀ। ରୋଗୀଙ୍କ ଦୁଗ୍ଧ, ପାଉଁରୁଟି ଉପରେ ତା’ର ଆଖି। କୌଶଳୀ ଯନ୍ତ୍ରୀପରି ବାକ୍ସଟି ଖୋଲି ସେ ଘେନିଯାଏ କେବଳ କଲ୍ୟାଣ କାମନାରେ, ବହୁ ଆହାରରେ ରୋଗୀର ରୋଗ ବଢ଼ିବ ବୋଲି। ସେହିପରି ସମବେଦନାଶୀଳ ଡାକ୍ତର ଓ ବେହେରା। ବେହେରା ବଧିର, ରୋଗୀର ଆହାର ଉପରେ ତାର ଆଖି, ଔଷଧ ଉପରେ ଡାକ୍ତରର ଶ୍ୟେନ ଦୃଷ୍ଟି।

ପଦାରେ ଗଦାଗଦା ଆବର୍ଜନା-ବାନ୍ତି, ମଳମୂତ୍ର, ନର୍ଦ୍ଦମା ଜଳ, ଫମ୍ପା ପଇଡ଼, ଫଳ-ଚୋପା, ଛେପ ଖଙ୍କାର ବୃଷ୍ଟି। ବଡ଼ ଅସହ୍ୟ ଏ ଜୀବନ।

ଏଇ ଫୋଡ଼ାଫୋଡ଼ି ଜଞ୍ଜାଳ କୋଳାହଳ ମଧ୍ୟରେ ମୁଁ ପାଞ୍ଚଟି ଦିନ ବଞ୍ଚିଥିଲି। ଷଷ୍ଠ ଦିନ ଡାକ୍ତର ଡାକ୍ତରାଣୀ, ନର୍ସ, ଛାତ୍ର, ହାଉସ୍‌ ସର୍ଜନ ମହାବିନାୟକ ଶୈଳକୁ ବଣଭୋଜି କରି ଗଲେ। ସେଦିନ ସେମାନଙ୍କ ଆନନ୍ଦର ଗୁଞ୍ଜନ ଧ୍ୱନି ମଧ୍ୟରେ ଚିତ୍ତ ମୋର ଶଙ୍କାଶୀଳ ହୋଇ ଉଠିଲା-‘କଳ୍ପନାମୂଳେ କାଳ ଥାଇ’ ସତେ ସେଦିନ ଭଗବାନ ଡାକ୍ତଖାନା ଛାଡ଼ି ଚାଲିଗଲେ। ଡାକିଲେ କେହି ଶୁଣନ୍ତି ନାହିଁ, ଦେଖି ବି କିଛି କେହି ଦେଖନ୍ତି ନାହିଁ। ଅକ୍‌ସିଜେନ୍‌ ସରିଲା, ସଂଜ୍ଞା ମୋର ଲୋପ ପାଇ ଆସିଲା।

ସଢ଼ୁ ମୁଣ୍ଡପାଖେ ବସି ପ୍ରଳାପ କରୁଥାଏ- ବିକଟ ଦାରିଦ୍ର୍ୟର କାହାଣୀ; ଯାହା ମୁଣ୍ଡକୁ ପାଗଳ କରିଥାଏ। ମୃତ୍ୟୁକୁ ନିକଟରେ ଆଣେ…. ହଇରେ ତୁ ତ ଏଠି ଏମିତି ପଡ଼ି ରହିଲୁ-କରଜ ଶୁଝା ହେବ କେମିତି? ଘରେ ବଢ଼ିଲା ଝିଅ, କେମିତି ତାକୁ ହାତକୁ ଦି’ହାତ କରିବୁ? ସବୁ ଅଳଙ୍କାର ପତ୍ର, ବାସନକୁସନ ତ ବନ୍ଧା ପଡ଼ିଛି, ମୁକୁଳା ହେବ କେମିତି? ଧାନ ତ ଧୋଇ ଯାଇଛି, ଦୁହାଳ ଗାଇ ଛଡ଼େଇଲାଣି। ପିଲାଏ ଏବେ ଚଳିବେ କେମିତି?

…. ଏସବୁ ଶୁଣିବା ଅପେକ୍ଷା ମରିବା ଭଲ। କେତେବେଳେ ମୋର ଚେତା ବୁଡ଼ିଗଲା ଜାଣେ ନାହିଁ। ଡାକ୍ତର ଆସି ବହୁ ଫୋଡ଼ାଫୋଡ଼ି କରିଥିବେ, ଯମ ଡାକ୍ତରଙ୍କ ମଧ୍ୟରେ ବହୁ ଟଣା ଓଟରା ଲାଗି ଯାଇଥିବ। ଶେଷକୁ ଯମର ଜୟ ଜୟକାର। ପ୍ରଫେସରଙ୍କ ବାର ବର୍ଷର ତପସ୍ୟା ଗୋଟିଏ ଦିନରେ ଶୁଖୁଆପୋଡ଼ାରେ ଶେଷ ପାଇଗଲା। …. ପ୍ରେତ ରୂପରେ ମୁଁ ବୁଲୁଥାଏ, ଶୁଣୁଥାଏ ପୁତ୍ରର ବ୍ୟାକୁଳ କ୍ରନ୍ଦନ, ଅଶ୍ୱାସନା ଦେବାର ଉପାୟ ଦିଶୁ ନ ଥାଏ।

ପାଖ ରୋଗୀମାନଙ୍କ ଅସ୍ୱସ୍ତି, ମୁର୍ଦ୍ଦାର ପାଖରେ ଶୋଇ ପାଟିକି ଆହାର ପାନୀୟ ନେବେ କିପରି? ବହୁ ଆପତ୍ତି, ଅଭିଯୋଗ ପରେ ଲାଲ୍ କମ୍ବଳଟି ମୁହଁରେ ଘୋଡ଼ାଇ ଦେଇ ବେହେରାମାନେ ମୋ ଖଟଟି ଝିଙ୍କି ନେଲେ ବାହାର ବାରଣ୍ଡାକୁ। ଖଟ ଚାରିପଟେ ପରଦା ବେଢ଼ାଇ ଦିଆହେଲା। ବାରଣ୍ଡାରେ ଦି’ପହର ପର୍ଯ୍ୟନ୍ତ ଶବଟି ପଡ଼ି ରହିଲା। ମେହେନ୍ତରଙ୍କ ହାତେ ଝିଙ୍କାହୋଇ ପଦାକୁ ଗଲି; କିନ୍ତୁ ମଶାଣିକି ନିଆହେଲି ନାହିଁ। ଗାଆଁରୁ ଭାଇମାନେ ଆସି କୋକେଇ ବାନ୍ଧିଲେ, ଖାନ୍‌ନଗରକୁ ବୋହି ନେଲେ-‘ରାମ୍‌ ନାମ ସତ୍ୟ ହେ’। ବଟ ବେହେରା ମୁଁ, ଦେଖୁଥାଏ ସବୁ ରଙ୍ଗ। ବେହେରାମାନେ ଅଡ଼ି ବସିଲେ- ପଇସା ନ ଦେଲେ ମଡ଼ା ଛାଡ଼ିବୁ ନାହିଁ। ଏଇ ଦୂରବସ୍ଥାରେ ଲୁହ ପୋଛୁ ପୋଛୁ ପୁଅ ଦୁଇଟଙ୍କା ବକ୍‌ସିସ୍‌ ଦେଲା।

ମଡ଼ା ପୋଡ଼ିବାଲାଗି ହାତରେ ତ ଗୋଟିଏ ପଇସା ନାହିଁ। ମାଲ ଭାଇମାନେ ମୋତେ ଖାନ୍‌ନଗରରେ ଫିଙ୍ଗିଦେଇ ଆସିଲେ; ନାମକୁ ମାତ୍ର ଖୋଳି ମୁର୍ଦ୍ଦାର ଉପରେ ଗଣ୍ଡିଏ ମାଟି ଘୋଡ଼ାଇ ଦେଇଥିଲେ। ସେମାନେ ମଶାଣିରୁ ଯାଉ ନ ଯାଉ କୁଆ, କୁକୁର ବିଲୁଆ, ଶାଗୁଣା ଆସି ଝାମ୍ପି ପଡ଼ିଲେ; କିନ୍ତୁ ମୁର୍ଦ୍ଦାରକୁ ଖଣ୍ଡିଆ ଖାବରା କରିବା ଆଗରୁ ମେହେନ୍ତରମାନେ ପହଞ୍ଚିଯାଇଥିଲେ, ହାତରେ ଚିତା ଉଞ୍ଚ ଠେଙ୍ଗା। ଠେଙ୍ଗାଦେଖି ତା’ର ଅର୍ଥ ବୁଝି ବିଲୁଆ, କୁକୁର ଶତ୍ରୁତା ଭୁଲି କିଆଗୋହିରି ଭିତରେ ଛପିଗଲେ। ଶାଗୁଣା ଏକ ଦୃଷ୍ଟିରେ ଚାହିଁଥାନ୍ତି।

ମେହେନ୍ତରମାନେ ବଟ ବେହେରାକୁ ଆନାଟମି ଡିପାର୍ଟମେଣ୍ଟକୁ ଘେନିଗଲେ-ଦାମ୍‌ ଦେଢ଼ଶ ଟଙ୍କା !! ବଟ ବେହେରା ଜୀବନକାଳରେ ଗାଈ ଗୋଟାକୁ ବିକିଥିଲା ୩୦୦ଟଙ୍କା ଦାମ୍‌ରେ; କିନ୍ତୁ ଏବେ ତା’ର ନିଜର ମୁର୍ଦ୍ଦାର ବିକ୍ରି ହେଲା ୧୫୦ ଟଙ୍କା ଦାମ୍‌ରେ। ପ୍ରତିବାଦ କରିବାକୁ କେହି ନାହିଁ। ବିଲୁଆ ଶାଗୁଣା ଅବଶ୍ୟ ଅଭିଶାପ ବର୍ଷିଥିବେ…କଟାକଟି, ସିଝାସିଝି, ଯୋଡ଼ାଯୋଡ଼ି ପରେ ମୋର ନବକଳେବର ହେଲା। ଡାକ୍ତରଖାନା ହେଲା ମୋର ଚିର ବନ୍ଦୀଘର। ଡା. ବ୍ରଜେନ୍ଦ୍ର ମୋତେ ଚିହ୍ନିପାରୁ ନାହାଁନ୍ତି। ଆମ ୱାର୍ଡର ସେଇ ନର୍ସ, କେହି ମୋତେ ଚିହ୍ନିପାରୁ ନାହାଁନ୍ତି। ତଥ୍ୟ ଶିକ୍ଷା ଦେଇଛି, କାହାକୁ ଜଣକୁ ହେଲେ ସତ୍ୟଶିକ୍ଷା ଦେଇପାରି ନାହିଁ-

‘ଅହନ୍ୟଗନି ଭୂତାନି ହଚ୍ଛନ୍ତି ଯମମନ୍ଦିରମ୍‌
ଶେଷଃ ସିରତ୍ୱମିଚ୍ଛନ୍ତି କିମାଶ୍ଚର୍ଯମତଃପରମ୍‌’

ଏଇ କଲେଜ୍‌ରୁ ଡାକ୍ତର ବାହାରୁଛନ୍ତି, ମଣିଷ ଉତ୍ତୁରି ନାହାନ୍ତି। ଦୁଃଖୀ ଦରିଦ୍ର ଚିକିତ୍ସାର। ମୂଲ୍ୟ ଦେଇ ନପାରି ମରୁଛି। ଡାକ୍ତରର ଦୃଷ୍ଟି ପୁଞ୍ଜିପତିର ଦୃଷ୍ଟିପରି ରକ୍ତଶୋଷୀ, ବହୁ ଜୀବନଜୀବୀ ହୋଇଛି!

…..ମୋର ନିଦ ଭାଙ୍ଗିଗଲା- ଆଖି ଆଗରେ ଗହୀରା ଗହୀରା ଆଖି, ଭୟଙ୍କର ଦନ୍ତସବୁ-ବଟବେହେରା-ତା’ର ଚେହେରା ଉପରେ ଦିଶୁଛି, ନଟ ବେହେରା-ଭଜନୀ ଭୋଇ-ରାଧୁଆ ବାରିକ-ସାଧୁଆ ମଳିକ, ହଗୁରା ପଧାନର ଛାଇ, ଏଇ ମୁହୂର୍ତ୍ତରେ କେତେ ପ୍ରାଣର ଶେଷ ନିଃଶ୍ୱାସ ବହୁଛି ମୋର ଛାତିରେ ଏକ ଦୀର୍ଘଶ୍ୱାସ ହୋଇ! … ଯାହାକୁ ପରଖି ଡାକ୍ତର କହୁଛନ୍ତି ଏ ଏକ ରୋଗ, ଦୂରାରୋଗ୍ୟ ଶ୍ୱାସରୋଗ ମନୋବୈଜ୍ଞାନିକ। ବ୍ୟାଧିର ମୂଳ ଆଧିରେ; କିନ୍ତୁ ଅଧିକାର ମୂଳ କେଉଁଠି? ବଟ ବେହେରା, ନଟ ସୋଇଁ, ଅନନ୍ତା ମାଝି ଏହାର ଉତ୍ତର ଦେଇ ପାରିବେ।