ଶ୍ରୀକୃଷ୍ଣ ସ୍ମିତ ହସି କହିଲେ-“କୁରୁ-ମହାଶ୍ମଶାନ ଶବସ୍ତୂପ ମଧ୍ୟରେ ଗାନ୍ଧାରୀ ନିଜ ପୁତ୍ରମାନଙ୍କୁ ଥରେ ଦେଖିବା ପାଇଁ ତାଙ୍କର ଅନ୍ଧପଟ୍ଟିକା ଉନ୍ମୋଚନ କରିବା ଉଦ୍ଦେଶ୍ୟରେ ତୁମକୁ ସ୍ମରଣ କରିଅଛନ୍ତି।”
ଯୁଧିଷ୍ଠିର କହିଲେ-“ଏବା କି କଷ୍ଟ କାର୍ଯ୍ୟ? ଏହି ମୁହୂର୍ତ୍ତରେ ମୁଁ ସେହି ଗ୍ରନ୍ଥି ଛିନ୍ନ କରିଦେବି।”
“ଶ୍ରୀକୃଷ୍ଣ ସ୍ମିତ ହସି ପୁଣି କହିଲେ-“କିନ୍ତୁ ଯୁଧିଷ୍ଠିର, ତୁମେ ବିସ୍ମୃତ ହେଉଛ କିପରି, ଶତପୁତ୍ରର ଜନନୀ ଗାନ୍ଧାରୀ ଆଜି ତୁମରି ପାଇଁ ପୁତ୍ରହୀନା। ଗାନ୍ଧାରୀଙ୍କ ଭାବନାରେ ତୁଚ୍ଛ ସିଂହାସନ ପାଇଁ ତୁମର ସର୍ବଗ୍ରାସୀ ଲୋଭ ଓ ଈର୍ଷା ଆଜି କୁରୁକୁଳକୁ ନିଷ୍ପ୍ରଦୀପ କରିଅଛି।”
ଯୁଧିଷ୍ଠିର ଅସହାୟ କଣ୍ଠରେ କହିଲେ-“ସେ ବୃତ୍ତାନ୍ତ ଗାନ୍ଧାରୀ ନ ଜାଣନ୍ତୁ ପଛେ, ଆପଣ ତ ସବୁ ଜାଣନ୍ତି ଅନ୍ତର୍ଯ୍ୟାମୀ!”
ଶ୍ରୀକୃଷ୍ଣ କହିଲେ…“ଏବେ ତୁମେ ଗାନ୍ଧାରୀଙ୍କ ଅନ୍ଧପଟ୍ଟିକା ଉନ୍ମୋଚନ କରିବା ପରେ, ସେ ଯେତେବେଳେ ତୁମର ପାଦତଳେ ପ୍ରିୟ ପୁତ୍ର ଦୁଃଶାସନର ଭୂତଳଶାୟୀ ଶବ ଦେଖିବେ, ସେତେବେଳେ ଶାନ୍ତି ଓ ସାନ୍ତ୍ବନା ପରିବର୍ତ୍ତେ ତାଙ୍କ ପ୍ରାଣରେ ଶୋକବହ୍ନି ଶତଗୁଣରେ ପ୍ରଜ୍ବଳିତ ହେବ ନାହିଁ କି?”
ଯୁଧିଷ୍ଠିର କିଂକର୍ତ୍ତବ୍ୟ-ବିମୂଢ଼ ପରି କହିଲେ-“ତାହା ଯଥାର୍ଥ। କିନ୍ତୁ ଗାନ୍ଧାରୀ ଯେତେବେଳେ ଅନ୍ଧପଟ୍ଟିକାର ଆବରଣ ଉନ୍ମୋଚନ କରିବା ପାଇଁ ମୋତେ ସ୍ମରଣ କରିଅଛନ୍ତି, ମୁଁ କ’ଣ କରିବି କହନ୍ତୁ ନାରାୟଣ! ମୁଁ ନିରୁପାୟ।”
ଶ୍ରୀକୃଷ୍ଣ କହିଲେ….“ଗାନ୍ଧାରୀଙ୍କ ଶତପୁତ୍ର ବିନଷ୍ଟ ହୋଇ-ପାରିଥାନ୍ତି, ତଥାପି ଜୀବିତ ଅଛି ଦୁର୍ଦ୍ଦକ୍ଷ। କୁରୁବଂଶର ଶେଷ ପ୍ରଦୀପ ଦୁର୍ଦ୍ଦକ୍ଷକୁ ଦେଖି ଗାନ୍ଧାରୀଙ୍କ ଶୋକାର୍ତ୍ତ ପ୍ରାଣ ଶାନ୍ତି ଲାଭ କରିବ।”
ଯୁଧିଷ୍ଠିରଙ୍କ କଣ୍ଠସ୍ବର ଶୁଣି ଉତ୍କଣ୍ଠିତା ଗାନ୍ଧାରୀ ପଚାରିଲେ…. “ସଞ୍ଜୟ, ଏ ତ ଯୁଧିଷ୍ଠିତରଙ୍କ କଣ୍ଠସ୍ବର ପରି ମନେହେଉଛି।”
ସଞ୍ଜୟ କହିଲେ…“ଶ୍ରୀକୃଷ୍ଣଙ୍କ ସହିତ ଅଗ୍ରପାଣ୍ଡବ ଯୁଧିଷ୍ଠିର ଆପଣଙ୍କ ପଦବନ୍ଦନା ପାଇଁ ଆସୁଛନ୍ତି।”
ଉଦ୍ବେଳିତା ଗାନ୍ଧାରୀ ଯୁଧିଷ୍ଠିରଙ୍କୁ ଆଲିଙ୍ଗନ କରିବା ପାଇଁ, ଶୂନ୍ୟରେ ଦୁଇ କମ୍ପିତ ଶିରାଳବାହୁ ତୋଳି କହିଲେ….“ଆସ, ଆସ ବାବୁ, ବିଗଳିତ କରୁଣାର ପ୍ରତିରୂପ ଅଗ୍ରପାଣ୍ଡବ ଯୁଧିଷ୍ଠିର…ଆଜି ତୁମେ ଅଗ୍ରକୌରବ ମଧ୍ୟ। ମୁଁ ପାପିନୀ, ମୋର କ୍ରୂରକର୍ମର ଫଳ ଭୋଗ କରିଅଛି। ଏବେ ମୋର ଦୁଶ୍ଛେଦ୍ୟ ଅନ୍ଧପଟ୍ଟିକାର ଗ୍ରନ୍ଥି ଥରେ ଉନ୍ମୋଚନ କରିଦିଅ ପୁତ୍ର, ଯେଉଁ ଶତପୁତ୍ରଙ୍କୁ ଜନ୍ମଦେଇ ସୁଦ୍ଧା ସ୍ବଚକ୍ଷୁରେ କେବେ ଦେଖିନାହିଁ, ଏବେ ସେମାନଙ୍କୁ ପ୍ରଥମ ଓ ଶେଷଥର ପାଇଁ ଦେଖି ମୋର ଅତୃପ୍ତ ନୟନର ଜ୍ବାଳା ପ୍ରଶମିତ କରେ।”
ଗାନ୍ଧାରୀଙ୍କ ବ୍ୟାକୁଳ ନିବେଦନରେ ଯୁଧିଷ୍ଠିର ଅନ୍ଧପଟ୍ଟିକାର ଗ୍ରନ୍ଥି ଛେଦନ କରିବା ପାଇଁ ଅଗ୍ରସର ହେଉଥିଲେ। ଶ୍ରୀକୃଷ୍ଣ ହଠାତ୍ ତାହାଙ୍କର ଗୋଟିଏ ବାହୁ ଧରିପକାଇ ଅସ୍ଫଟ କଣ୍ଠେର ଦୁର୍ଦ୍ଦକ୍ଷକୁ କହିଲେ, “ଦୁର୍ଦ୍ଦକ୍ଷ, ଜନନୀ ଗାନ୍ଧାରୀଙ୍କ ଅନ୍ଧପଟ୍ଟିକା ଉନ୍ମୋଚିତ କର। ପୁତ୍ରହୀନା, ଶତପୁତ୍ରର ଜନନୀ ଗାନ୍ଧାରୀ ତୁମକୁ ସଶରୀର ଜୀବିତ ଦେଖିଲେ ପୁତ୍ରଶୋକ ବିସ୍ମୃତା ହେବେ।”
ଶ୍ରୀକୃଷ୍ଣଙ୍କ ଦୁଇ ରଙ୍ଗାଧରରେ ରହସ୍ୟବିଜଡ଼ିତ ହସ।
ଯୁଧିଷ୍ଠିର କହିଲେ, “ତାହାହିଁ କର ଦୁର୍ଦ୍ଦକ୍ଷ।”
ଯୁଧିଷ୍ଠିରଙ୍କ ନିର୍ଦ୍ଦେଶରେ ତାଙ୍କର ଚିର ଅନୁଗତ ଦୁର୍ଦ୍ଦକ୍ଷ ମୁହୂର୍ତ୍ତକ ମଧ୍ୟରେ ଗାନ୍ଧାରୀଙ୍କର ଅନ୍ଧପଟ୍ଟିକାର ଗ୍ରନ୍ଥି ଛିନ୍ନ କରିଦେଲା।
ଗ୍ରନ୍ଥି ଉନ୍ମୋଚିତ ହେବା ମାତ୍ରେ, ଅନ୍ଧପଟ୍ଟିକାର କୃଷ୍ଣ ଆବରଣ ତଳୁ ଅଗ୍ନ୍ୟୁଦଗାରର ସର୍ବନାଶୀ ଶିକ୍ଷା ଯେପରି ଉଲ୍ଲମ୍ପନ କରିଉଠିଲା। ସେହି କରାଳ, ଦୃଷ୍ଟିର ପୁଞ୍ଜୀଭୁତ ତେଜରେ ଦୁର୍ଦ୍ଦକ୍ଷ, ଦୁଃଶାସନଙ୍କ ଭୂଲୁଣ୍ଠିତ ଶବ ଉପରେ ମୁହୂର୍ତ୍ତକ ମଧ୍ୟରେ ଭସ୍ମରାଶି ପରି ଝରିପଡିଲା।
ଯୁଧିଷ୍ଠିର ଆର୍ତ୍ତନାଦ କରିଉଠିଲେ…“ଏ ପୁଣି କି ଚକ୍ର ଚାଳନା କଲେ ଚକ୍ରୀ? ଦୁର୍ଦ୍ଦକ୍ଷ ଯେ ମୋର ଚିର ଅନୁଗତ।”
ଶ୍ରୀକୃଷ୍ଣ ଅନୁଚ୍ଚ କଣ୍ଠରେ କହିଲେ..“ନୀରବ ରହ ନିର୍ବୋଧ! ଆଜି ଗାନ୍ଧାରୀର ନୟନାନଳରେ ଦଗ୍ଧ ହୋଇଥିଲେ, କାଲି ତୁମେ ହସ୍ତିନାର ସିଂହାସନରେ ଅଭିଷିକ୍ତ ହୋଇଥା’ନ୍ତ କିପରି? ଏହା ରାଜନୀତ-ରାଜନୀତିର ଯଜ୍ଞକୁଣ୍ଡରେ ଏହିପରି ବିଶ୍ବସ୍ତ ଓ ବିଶମ୍ବଦ ଦୁର୍ଦ୍ଦକ୍ଷର ଆହୁତି ଏକ ଦୈନନ୍ଦିନ
ଘଟଣା। ସେଥିରେ ତୁମପରି ଧୀମାନ୍ ବିଚଳିତ ହେବା ଉଚିତ ନୁହେଁ, ଯୁଧିଷ୍ଠିର!”
ସଞ୍ଜୟ ବଜ୍ରାହତ ପରି ଶୋକାପ୍ଳୁତ କଣ୍ଠରେ କହିଲେ…“ଏ କ’ଣ କଲେ ମହାଦେବୀ’ କୁରୁକୁଳର ଏକମାତ୍ର କ୍ଷୀଣ ପ୍ରଦୀପ-ଶିକ୍ଷା ଦୁର୍ଦ୍ଦକ୍ଷକୁ ସୁଦ୍ଧା ସ୍ବହସ୍ତରେ ନିର୍ବାପିତ କରିଦେଲେ।”
ଶ୍ରୀକୃଷ୍ଣ ସମେବଦନାର ଅଭିନୟ କରି କହିଲେ…“ଜନନୀ, କିଏ କହେ ଆପଣ ପୁତ୍ରହୀନ? କୌରବ କିଏ, ପାଣ୍ଡବମାନ ବା କିଏ? ସେମାନଙ୍କୁ ଏବେ ପୁତ୍ରରୂପେ ଗ୍ରହଣ କରନ୍ତୁ।”
ଶ୍ରୀକୃଷ୍ଣଙ୍କ ଦୁଇ ରଙ୍ଗାଧରରେ ରହସ୍ୟ-ବିଜଡ଼ିତ ହସ। ଗାନ୍ଧାରୀ ପାଦତେଳ ଦଗ୍ଧ ଆମ୍ରମୁକୁଳ ପରି ଝରିପଡ଼ିଥିବା ଦୁର୍ଦ୍ଦକ୍ଷର ଭସ୍ମରାଶି ଆଡ଼େ ଚାହିଁ, ଉନ୍ମାଦିନୀ ପରି ଅଟ୍ଟହାସ୍ୟ କରି କହିଲେ…“ବୁଝିଛି ଚକ୍ରୀ, ବୁଝିଛି ତୁମର ଚକ୍ରାନ୍ତ, କିନ୍ତୁ ସୁଦର୍ଶନ ଚକ୍ରର ଚକ୍ରାନ୍ତ ଓ ଶକ୍ତିରେ କେବଳ କୌଣସି ସିଂହାସନ ରହିନାହିଁ କିମ୍ବା ରହିପାରିବନାହିଁ। ପ୍ରତାରିତ ଓ ନିପୀଡ଼ିତ ଆତ୍ମାର ଅଭିଶାପରେ ସବୁ ଦଗ୍ଧ ହୋଇଯିବ, ଭସ୍ମ ହୋଇଯିବ। ତୁମର ମଧ୍ୟ ସେଥିରୁ ନିସ୍ତାର ନାହିଁ ଶ୍ରୀକୃଷ୍ଣ, ସ୍ବଜନ ଦ୍ରୋହ ମଧ୍ୟରେ ସୋମବଂଶଶ ପରି, ବିରାଟ ଯଦୁବଂଶ ମଧ୍ୟ ଦିନ ନିଷ୍ପ୍ରଦୀପ ହୋଇଯିବ। ଦୁମର ପ୍ରିୟ ପୁତ୍ର ପ୍ରଦ୍ୟୁମ୍ନ ସୁଦ୍ଧା ସେଥିରୁ ରକ୍ଷାପାଇବ ନାହିଁ।”
ଉଚ୍ଛ୍ୱସିତ କ୍ରନ୍ଦନର ରୁଦ୍ଧ ଆବେଗରେ ଗାନ୍ଧାରୀ ଦୁର୍ଦ୍ଦକ୍ଷର ଭସ୍ମରାଶି ଉପରେ ଲୋଟିପଡ଼ିଲେ।
ଶ୍ରୀକୃଷ୍ଣଙ୍କ ଦୁଇ ରଙ୍ଗାଧରରେ ଚିରରହସ୍ୟ-ବିଜଡ଼ିତ ସ୍ମିତ ହସ୍ୟରେଖା, ଦ୍ବିତୀୟାର କ୍ଷୀର ଶଶିରେଖା ପରି ବିକ୍ଷୁବ୍ଧ ଅନ୍ଧକାର ମଧ୍ୟରେ ଧୀରେଧୀରେ ମଳିନ ହୋଇ ଆସୁଥିଲା।
ଅସ୍ତାଚଳେର ଇନ୍ଦ୍ରପ୍ରସ୍ଥର ଗରିମାଳା ନେପଥ୍ୟରେ ସର୍ବଦ୍ରଷ୍ଟା ଦିବାକର ମଧ୍ୟ ଅସ୍ତମିତ ହେଉଥିଲେ।
– o –