ଏହି ସମୟରେ ଅନ୍ଧପଟ୍ଟିକାବୃତା, ଶୋକାକୁଳା ଗାନ୍ଧାରୀ, ଉନ୍ମାଦିନୀ ପରି ସେଠାକୁ ଧାଇଁ ଆସି କହିଲେ…“ମହାରାଜ, ଦିନେ ଆପଣଙ୍କ ପାଇଁ ମୁଁ ଆଖିରେ ସ୍ବହସ୍ତରେ ବାନ୍ଧିଥିଲି ଏହି ଅନ୍ଧପଟ୍ଟିକା। ସେହି ବନ୍ଧନର ଦୁଶ୍ଛେଦ୍ୟ ଗ୍ରନ୍ଥି ଆଜି ସ୍ବହସ୍ତରେ ଛିନ୍ନ କରି ଦିଅନ୍ତୁ। ମହାରାଜ’ ଶତପୁତ୍ରର ଜନନୀ ମୁଁ, ଜୀବିତରେ ଯେଉଁମାନଙ୍କୁ ଦେଖି ନାହିଁ, ଆଜି ଅନ୍ତତଃ ମୃତ୍ୟୁର ଶେଷଶଯ୍ୟଯ୍ୟାରେ ସେମାନଙ୍କୁ ଥରେ ଦେଖି ନୟନର ଜ୍ବାଳା ଶାନ୍ତ କରେ।”

ଅନ୍ଧପଟ୍ଟିକାର ଗ୍ରନ୍ଥି ଛିନ୍ନ କରିବାର ନିଷ୍ଫଳ ଉଦ୍ୟମରେ ଶିରାଳ ଅଙ୍ଗୁଳିର ଶତ ନଖାଘାତରେ, ନରକରୋଟୀ ପରି ଦିଶୁଥିବା ଗାନ୍ଧାରୀଙ୍କର ଶୁଷ୍କ ଚର୍ମାବୃତ ମୁଖ ରକ୍ତାକ୍ତ ହୋଇ ପଡ଼ିଥିଲା। ଲୋତକ ଓ ଶୋଣିତର ଧାରା ଗାନ୍ଧାରୀଙ୍କର ମୁଣ୍ଡମଣ୍ଡଳକୁ ଅତ୍ୟନ୍ତ ଭୟଙ୍କର କରି ଦେଇଥିଲା।

ଗାନ୍ଧାରୀ ଶୋକାପ୍ଳୁତ କଣ୍ଠରେ ପୁଣି ଚିତ୍କାର କରି ଉଠିଲେ…‘ମହାରାଜ, ଆପଣଙ୍କ ପାଇଁ ଅନ୍ଧପଟ୍ଟିକାର ଆବରଣ ତଳେ ଚକ୍ଷୁଥାଇ ସୁଦ୍ଧା ମୁଁ ଚିରଜୀବନ ଅନ୍ଧ ରହି ଆସିଅଛି। ଆଜି ମୋ’ପାଇଁ ସେ ଆବରଣ ଥରେ ଉନ୍ମୋଚନ କରନ୍ତୁ ମହାରାଜ।” ଗାନ୍ଧାରୀଙ୍କର ଅନୁରୋଧରେ ଧୃତରାଷ୍ଟ୍ରଙ୍କ ମୁଖମଣ୍ଡଳ ଏକ କୃଷ୍ଣ ମେଘ ଖଣ୍ଡରେ ଯେପରି ଆଚ୍ଛନ୍ନ ହୋଇପଡ଼ିଲା। ଗାନ୍ଧାରୀ ଜାଣନ୍ତି ନାହିଁ, ମାତ୍ର ଧୃତରାଷ୍ଟ୍ର ଜାଣନ୍ତି, ଅନ୍ଧପଟ୍ଟିକାବୃତା ଗାନ୍ଧାରୀଙ୍କର ଦୁଇ ଚକ୍ଷୁରେ ପୁଞ୍ଜୀଭୂତ ହୋଇ ରହିଅଛି ବିଶ୍ବର ଦାବାନଳ। ସେ ଦୃଷ୍ଟି ଥରେ ଫିଟିଲେ ଧୃତରାଷ୍ଟ୍ର ସୁଦ୍ଧା ସେଥିରେ ଭସ୍ମ ହୋଇଯିବେ।

ଗାନ୍ଧାରୀଙ୍କୁ ସାନ୍ତ୍ବସାନ୍ତ୍ୱନା ଦେଇ ବିଦୁର କହିଲେ……“ଶୋକ ସମ୍ବରଣ କରନ୍ତୁ ମହାଦେବୀ’ କିଏ କହେ ଆପଣ ପୁତ୍ରହୀନା? ଅଗ୍ର ପାଣ୍ଡବ ଯୁଧିଷ୍ଠିରଙ୍କ ଅଭୟ ଛାୟାତଳେ, ଦୁର୍ଦ୍ଦକ୍ଷ ଏବେ ସୁଦ୍ଧା ଜୀବିତ। ପଞ୍ଚୁପାଣ୍ଡବ ତ ଆପଣଙ୍କୁ ଜନନୀ ତୁଲ୍ୟ ଭକ୍ତି କରନ୍ତି।”

ଗାନ୍ଧାରୀ ଉନ୍ମାଦିନୀ ପରି ଚିତ୍କାର କରି ଉଠିଲେ….“ମୁଁ ଜାଣେ ମହାରାଜ, ଆଉ ଏ ଅନ୍ଧପଟ୍ଟିକା ଉନ୍ମୋଚିତ ହେବନାହିଁ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଗାନ୍ଧାରୀର ଜୀବନ କେବଳ ଅମାବାସ୍ୟାର ନିରନ୍ଧ୍ର, ନିଷ୍ଠୁର ଅନ୍ଧକାର।”

ଗାନ୍ଧାରୀ ଯେପରି ବାତ୍ୟାବାହିତ ଗୋଟିଏ ଶୁଷ୍କପତ୍ର ପରି ଧୃତରାଷ୍ଟ୍ରଙ୍କ ସମ୍ମୁଖକୁ ଉଡ଼ି ଆସିଥିଲେ, ସେହିପରି ସେଠାରୁ ପୁଣି ସ୍ଖଳିତ ପାଦରେ ଚାଲିଗଲେ।

x x x x

ରଥ ପ୍ରସ୍ତୁତ। ଯୁଧିଷ୍ଠିର ଏକାକୀ ରଥରେ ଉପବେଶନ କରିବା ପାଇଁ ଉଦ୍ୟତ ହେଉଥିଲେ। ଏହି ସମୟରେ ଶ୍ରୀକୃଷ୍ଣ ଦୁର୍ଦ୍ଦକ୍ଷ ସହିତ ହଠାତ୍ ବିପରୀତ ଦିଗରୁ ଆସି ତାଙ୍କୁ ପଚାରିଲେ, “ହସ୍ତିନାର ସିଂହସନରେ ଆସନ୍ନ ଅଭିଷେକର ଉତ୍ସବ ମଧ୍ୟରେ ଏକାକୀ କେଉଁଆଡ଼େ ବାହାରିଲେ ଧର୍ମରାଜ?”

ଯୁଧିଷ୍ଠିର କହିଲେ…“ମାତା ଗାନ୍ଧାରୀ ମୋତେ ସ୍ମରଣ କରି ଅଛନ୍ତି। ତାଙ୍କରି ଦର୍ଶନ ପାଇଁ ବାହାରିଅଛି।”

ଶ୍ରୀକୃଷ୍ଣ କହିଲେ….“ ବହୁକାଳ ଗାନ୍ଧାରୀଙ୍କ ସହିତ ମୋହର ମଧ୍ୟ ସାକ୍ଷାତ ହୋଇନାହିଁ। ତାହାହେଲେ ଚାଲନ୍ତୁ ଅଗ୍ର ପାଣ୍ଡବ। ମୁଁ ଆପଣଙ୍କ ରଥ ଚଳାଇ ନେବି।”

ଯୁଧିଷ୍ଠିର ଏ ପ୍ରକାର ଆକସ୍ମିକତାରେ ବିସ୍ମିତ ହୋଇ ପଚାରିଲେ, “ ଏ ପୁଣି କି ନୂତନ ମାୟା ମାୟାଧର?”

ଶ୍ରୀକୃଷ୍ଣ ସାରଥିର ସ୍ଥାନରେ ବସି ସ୍ମିତ ହସି ଯୁଧିଷ୍ଠିରଙ୍କୁ କହିଲେ….“ମହାଭାରତର ଜୈତ୍ରଯାତ୍ରା ପଥରେ ଯେ ପାଣ୍ଡବଙ୍କ ଜୟରଥ ବାହାରିଥିଲା, ତା’ର ଦିଗ୍‌ଦର୍ଶନରେ କ’ଣ ଆପଣଙ୍କର ସନ୍ଦେହ ହେଉଛି, କୌନ୍ତେୟ?”
ଯୁଧିଷ୍ଠିର ନୀରବ ରହିଲେ।

ଶ୍ରୀକୃଷ୍ଣ ଚିରଦିନ ଏହିପରି ପ୍ରହେଳିକାମୟ!

x x x

କୁରୁକ୍ଷେତ୍ରର ମହାଶ୍ମଶାନ ମଧ୍ୟରେ, ପ୍ରତି-ଶବ-ସ୍ତୁପ ବୁଲି ସଞ୍ଜୟଙ୍କ ସହିତ ଗାନ୍ଧାରୀ ଶତପୁତ୍ରଙ୍କ ସନ୍ଧାନ କରୁଥିଲେ। ଶିବା, ଶକୁନ ଓ ଶ୍ବାନଦଳଙ୍କୁ ଠେଲି, ଗାନ୍ଧାରୀଙ୍କ ହସ୍ତ ଧରି ସଞ୍ଜୟ ତାହାଙ୍କୁ ଆସନ୍ନ ସନ୍ଧ୍ୟାର ବିଷର୍ଣ୍ଣ ଗୋଧୂଳି ମଧ୍ୟରେ ପଥ କଢ଼ାଇ ନେଉଥିଲେ।
ସଞ୍ଜୟ କହିଲେ-‘ମହାଦେବୀ, ଭୂତଳଶାୟୀ ହୋଇ ମହା-ନିଦ୍ରାରେ ଅଚେତନ ହୋଇ ପଡ଼ିଛନ୍ତି, ଏହି ଦେଖନ୍ତୁ ପିତାମହ ଭୀଷ୍ମ। ମୁଖମଣ୍ଡଳରେ ତାଙ୍କର ଅନନ୍ତ ପ୍ରଶାନ୍ତି।”

କିଛି ସମୟ ପରେ ପୁଣି ସଞ୍ଜୟ କହିଲେ-“ଆଉ ରତ-ଚକ୍ରତଳେ ଏଠି ନିଷ୍ପେଷିତ ହୋଇ ପଡ଼ିଛନ୍ତ, ବାହ୍ଲୀକ-ବୀର ସୋମଦତ୍ତ, ମତ୍ତହସ୍ତୀର ଦନ୍ତାଘାତରେ ରକ୍ତାକ୍ତ ହୋଇ ପଡ଼ିଛନ୍ତି ଭୂରିଶ୍ରବା। ମହାଦେବୀ, ଅର୍ଜ୍ଜୁନର ଶରାଘାତରେ ଏଇ ଉତ୍ତାନଶାୟୀ ହୋଇ ପଡ଼ିଛନ୍ତି ମହାବୀର କର୍ଣ୍ଣ।

ବୈଦୂର୍ଯ୍ୟଖଚିତ ତାଙ୍କ କିରୀଟରେ ଅସ୍ତସୂର୍ଯ୍ୟଙ୍କର ଶେଷ କିରଣରେଖା, ପୁତ୍ରର ମସ୍ତକରେ ପିତାର ଆଶୀର୍ବାଦ-ସ୍ନିଗ୍ଧ-ସ୍ପର୍ଶ ପରି ତଥାପି ଲାଗିରହିଛି। ସେହି ଦ୍ୟୁତିରେ କର୍ଣ୍ଣଙ୍କ ମୁଖମଣ୍ଡଳ ଶତଦଳର ସଦ୍ୟତାରେ ତଥାପି ଉଦ୍‌ଭାସିତ।”

ଗାନ୍ଧାରୀ ଶୋକାର୍ତ୍ତ କଣ୍ଠରେ କର୍ଣ୍ଣଙ୍କ ଶବକୁ ଆଲିଙ୍ଗନ କରି କହିଲେ “ଆସ ବାବୁ, ଜନନୀର ବାତ୍ସଲ୍ୟ-ବଞ୍ଚିତ କୌନ୍ତେୟ, ଅଗ୍ର-ପାଣ୍ଡବ। ଦୁର୍ଯ୍ୟୋଧନର ମାନରକ୍ଷା ପାଇଁ ଅପରାଜେୟ ବୀର ତୁମେ, ଆଜି ରଣଭୂମିରେ ଶୋଣିତ-ପଙ୍କରେ ଲୋଟିଅଛ, କିନ୍ତୁ ହେ ସର୍ବଦ୍ରଷ୍ଟା ଦିବାକର, ସର୍ବଶକ୍ତିମାନ୍, ସହସ୍ରଶୀର୍ଷ, ହିରଣ୍ୟଗର୍ଭ, ଅଂଶୁମାଳୀ, ଯେଉଁମାନେ କ୍ଷାତ୍ରଧର୍ମର ପ୍ରତିକୂଳାଚରଣ କରି ଅନ୍ୟାୟ ଯୁଦ୍ଧରେ କର୍ଣ୍ଣକୁ ହତ୍ୟା କରି-ଅଛନ୍ତି ସେମାନଙ୍କ ପାଇଁ କ’ଣ କୌଣସି ଶାସ୍ତି ନାହିଁ? ନାହିଁ? ନାହିଁ”

ଆଉ କିଛି ଦୂର ଅଗ୍ରସର ହେବାପରେ ସଞ୍ଜୟ କହିଲେ-“ଦେବୀ, ଭୀମର ଗଦାଘାତରେ ଏଇ ଧରାଶାୟୀ ହୋଇଛନ୍ତି ଭଗ୍ନଜାନୁ ଦୁଃଶାସନ। ବିବସନା ଦ୍ରୌପଦୀର ଉଲଙ୍ଗ ଜାନୁପ୍ରତି ଅଶ୍ଳୀଳ କଟାକ୍ଷର ପ୍ରତିଶୋଧ ନେବାପାଇଁ ଏହାହିଁ ଥିଲା ଭୀମର ପ୍ରତିଜ୍ଞା। ନୀଳମେଘରେ ବିଦ୍ୟୁତ୍‌ର ଚମକ ପରି, ତାଙ୍କର ପ୍ରଶସ୍ତ ବକ୍ଷରେ ମଣିମୁକ୍ତା ଖଚିତ ଗଳାହାର ତଥାପି ବିଲମ୍ବିତ ରହିଅଛି।… ଚାଲନ୍ତୁ ଦେବୀ, ଜୀବନ-ମୁତ୍ୟୁର ଏହା ତ ଚିରନ୍ତନ ଲୀଳା, ସମସ୍ତେ କର୍ମଫଳର ଅଧୀନ।”

ଗାନ୍ଧାରୀ ଉଚ୍ଛ୍ୱସିତ କ୍ରନ୍ଦନର ରୁଦ୍ଧ ଆବେଗରେ କହିଲେ-“ମୋର ଅନ୍ଧ-ପଟ୍ଟିକା ଥରେ ଉନ୍ମୋଚନ କରିଦିଅ ସଞ୍ଜୟ, ଜୀବନରେ ଯାହାକୁ କେବେ ଦେଖିନାହିଁ, ମୃତ୍ୟୁର ଧୂଳିଶଯ୍ୟାରେ ତାକୁ ଥରେ ଦେଖି ଚିରକ୍ଷୁଧିତ ନୟନର ଜ୍ବାଳା ପ୍ରଶମିତ କରେ।”
ଗାନ୍ଧାରୀଙ୍କଠାରୁ ଅଳ୍ପ ଦୂରେର ଶ୍ରୀକୃଷ୍ଣ ରଥର ଗତି ସ୍ତିମିତ କରିଦେଲେ। ଯୁଧିଷ୍ଠିର ଉଦ୍‌ବିଗ୍ନ କଣ୍ଠରେ ପଚାରିଲେ-“ରଥର ଗତି କାହିଁକି ସ୍ତିମିତ କଲେ ନାରାୟଣ?”

ଶ୍ରୀକୃଷ୍ଣ ସ୍ମିତ ହସି କହିଲେ-“ଯେଉଁମାନେ ଶୋକାର୍ତ୍ତ, ବେଦନାର୍ତ୍ତ, ଦୁଃଖୀ, ସେମାନଙ୍କ ନିକଟକୁ କ୍ଷମତା ଓ ଦର୍ପର ଅଭିମାନରେ ରଥାରୂଢ଼ ହୋଇ ଯିବା ଶୋଭନୀୟ ନୁହେଁ, ସେଥିରେ ସେମାନଙ୍କର ଶୋକର ଗାମ୍ଭୀର୍ଯ୍ୟ ଓ ମର୍ଯ୍ୟାଦା ଲାଞ୍ଛିତ ହୁଏ। ଗାନ୍ଧାରୀ ପୁଣି ସହଜେ ତ ତମର ମାତୃତୁଲ୍ୟା।”
ଯୁଧିଷ୍ଠିର ଅପରାଧୀ ପରି ରଥରୁ ଅବତରଣ କରି କହିଲେ-“ଆପଣ ଯଥାର୍ଥ କହିଅଛନ୍ତି ନାରାୟଣ’ ଶୋକାର୍ତ୍ତ ଗାନ୍ଧାରୀଙ୍କ ନିକଟକୁ ପାଦରେ ଯିବା ହିଁ ମୋ’ପକ୍ଷରେ ସମୀଚୀନ।”

ଦୁର୍ଯ୍ୟୋଧନ ଶବ ନିକଟରେ ବିହ୍ବଳିତା ଗାନ୍ଧାରୀଙ୍କ ନିକଟକୁ ଯୁଧିଷ୍ଠିର ଅଗ୍ରସର ହେଉଥିଲେ। ଶ୍ରୀକୃଷ୍ଣ ତାହାଙ୍କର ଗୋଟିଏ ବାହୁ ଟାଣିଧରି କହିଲେ-“ଗାନ୍ଧାରୀ ତୁମକୁ କାହିଁକି ସ୍ମରଣ କରିଅଛନ୍ତି, ଜାଣିଛ ଯୁଧିଷ୍ଠିର?”
ଯୁଧିଷ୍ଠିର କହିଲେ-“ନା, ତାହା ଜାଣେନା ତ।”

Pages: 1 2 3