ସେଦିନ ମହାଭାରତ ବିୟୋଗାନ୍ତ ନାଟକର ଶେଷ ଦୃଶ୍ୟ ଦେଖି ଯିବା ପାଇଁ ଯେପରି ଇନ୍ଦ୍ରପ୍ରସ୍ଥର ଗିରିମାଳା ନେପଥ୍ୟରେ ଅସ୍ତାଚଳ ପଥରେ ସର୍ବଦ୍ରଷ୍ଟା ଦିବାକର ଅରୁଣ-ବାହିତ ରଥ ଦଣ୍ଡେ ଅଟକାଇ ଦେଇଥିଲେ।

ମହାଭରତ-ମହାସମର ପରେ ପରିତ୍ୟକ୍ତ କରୁକ୍ଷେତ୍ର, ଧ୍ବଜ ଓ କଳସ ଶୋଭିତ, ମୁକ୍ତା ଓ ମଣିଝର-ବିମଣ୍ଡିତ, କୌରବ ପକ୍ଷର ଅସଂଖ୍ୟ ଭଗ୍ନରଥ, ପୁଣି ତୂଣ, ଧନୁ ଓ ନାରାଚଶୋଭିତ ଏକାଦଶ ଅକ୍ଷୌହିଣୀ ଯୋଦ୍ଧୃ ବର୍ଗଙ୍କର ଶବରାଶି, ଦ୍ବାଦଶ ଯୋଜନ ବିସ୍ତାର କରି, ଶୋଣିତ-ପଙ୍କ ମଧ୍ୟରେ ଇତସ୍ତତଃ ବିକ୍ଷିପ୍ତ ହୋଇ ପଡ଼ିଅଛି। ସେହି ମହା-ଶ୍ମଶାନର ଶବସ୍ତୁପ ମଧ୍ୟରେ ରୋଦ୍ୟାମାନା, ଅସଂବୃତବସନା, ଅବିନ୍ୟସ୍ତକୁନ୍ତଳା, ଦୁର୍ଯ୍ୟୋଧନ ମହିଷୀ ଭାନୁମତୀ ଓ ଅନ୍ୟ କୌରବ-କୁଳ-ନାରୀମାନେ ନିଜ ନିଜର ପ୍ରିୟ ଓ ସ୍ବଜନବର୍ଗଙ୍କୁ ଅନ୍ବେଷଣ କରୁଅଛନ୍ତି। ସେମାନଙ୍କ ମର୍ମାନ୍ତକ କ୍ରନ୍ଦନ, ଶ୍ବାନ, ଶିବା ଓ ଶକୁନମାନଙ୍କର ନାରୀକୀୟ ରଡ଼ିକୁ ସୁଦ୍ଧା ବେଳେବେଳେ ନିମଜ୍ଜିତ କରି ଦେଉଅଛି।

ଶତଶତ ଚିରାଳର ଦୃପ୍ତ ଚପଳତା ମୃତ୍ୟୁର ଅଚଞ୍ଚଳ ଗମ୍ଭୀର୍ଯ୍ୟ ମଧ୍ୟରେ ପ୍ରଶମିତ ହୋଇଅଛି। ଅଶ୍ବମାନଙ୍କର ହ୍ରେଷାରବ, କ୍ରୁଦ୍ଧ ଦନ୍ତାବଳମାନଙ୍କର ବୃଂହତି, ଯୋଦ୍ଧୃବର୍ଗଙ୍କର ପ୍ରମତ୍ତ ଆସ୍ଫାଳନ, ମୃତ୍ୟୁର ପଦାଘାତରେ ସବୁ ନୀରବ ହୋଇଅଛି। କ୍ରନ୍ଦନ ଓ ଶିବାରଡ଼ି ମୁଖରିତ ସେହି ମହାଶ୍ମଶାନ ଉପରେ ଚକ୍ରାକାରରେ ଉଡ଼ି ବୁଲୁଥିବା, ପର୍ଯ୍ୟୁଷିତ ମାଂସଲୋଭୀ ଅଗଣିତ ଶୁକନଙ୍କର ସଞ୍ଚାଳିତ ପକ୍ଷ, କରାଳ ଛାୟାପରି ବିସ୍ତାରିତ ହୋଇଅଛି।

ଇନ୍ଦ୍ରପ୍ରସ୍ଥରେ ଧୃତରାଷ୍ଟ୍ରଙ୍କ ପ୍ରାସାଦ ନୀରବ ଓ ନିର୍ଜନ। ବେଳେବେଳେ ସଞ୍ଜୟ ଓ ବିଦୁରଙ୍କର ଶାନ୍ତ, ଧୀର ପଦଶବ୍ଦ ଧୃତରାଷ୍ଟ୍ରଙ୍କର ମର୍ମଭେଦୀ ଦୀର୍ଘଶ୍ବାସ ଓ ଗାନ୍ଧାରୀଙ୍କର ଅସ୍ପୁଟ କ୍ରନ୍ଦନ, ଭାରାକ୍ରାନ୍ତ ନୀରବତାକୁ ଆଉରି ଘନୀଭୂତ କରି ଦେଉଅଛି।
ଧୃତରାଷ୍ଟ୍ର ଜନ୍ମାନ୍ଧ। ତେଣୁ କରୁକ୍ଷେତ୍ରର ମହାଶ୍ମଶାନରେ, ମହାନିଦ୍ରାର ଧୂଳିଶଯ୍ୟାରେ, ମାନଗୋବିନ୍ଦ ଦୁର୍ଯ୍ୟୋଧନ ସେମତ ଶତପୁତ୍ର, ପୁଣି କର୍ଣ୍ଣ, ଶଲ୍ୟ, ଦ୍ରୋଣ ଓ ଭୂରିଶ୍ରବା ପ୍ରମୁଖ ସଖା ଓ ସୋଦରମାନଙ୍କୁ ଶେଷ ବାର ଦେଖି ଆସିବା ପାଇଁ ତାଙ୍କର ବ୍ୟାକୁଳତା, ଉତ୍କଣ୍ଠା, ଶୋକ ଓ ଦୀର୍ଘଶ୍ବାସ କୌରବ ପ୍ରାସାଦର ଛାୟାଚ୍ଛନ୍ନ ଭିତ୍ତି-ପ୍ରସ୍ତର ଦେହରେ ବାଧା ପାଇ ବାରମ୍ବାର ନୀରବ ହେଉଅଛି।

ମାତ୍ର ଗାନ୍ଧାରୀ ନିଜର ଦୁଇ ଆକ୍ଷିରୁ ଅନ୍ଧ-ପଟ୍ଟିକାର ଆବରଣ ଫିଙ୍ଗିଦେଇ, ମହାନିଦ୍ରାରେ ଶାୟିତ ଶତପୁତ୍ରଙ୍କୁ, ପ୍ରଥମ ଓ ଶେଷବାର ଥରେ ଦେଖିବା ପାଇଁ ଉତ୍କଣ୍ଠିତ ହୋଇ ପଡ଼ିଛନ୍ତି, କିନ୍ତୁ ଅନ୍ଧ-ଧୃତରାଷ୍ଟ୍ରଙ୍କ ପାଣିଗ୍ରହଣ ବେଳେ ସତୀତ୍ବର ପରମ ନିଷ୍ଠାରେ ବ୍ରତଚାରିଣୀ ପରି ଗାନ୍ଧାରୀ ନିଜର ଦୁଇ ଆକ୍ଷିରେ ଅନ୍ଧ-ପଟ୍ଟିକାର ଯେଉଁ ଆବରଣ ବାନ୍ଧିଥିଲେ ତାହାର ବନ୍ଧନ ଦୁଶ୍ଛେଦ୍ୟ ଓ ଗ୍ରନ୍ଧି ଦୁର୍ଭେଦ୍ୟ। ତା’ନ ହେଲେ ସତୀଧର୍ମର ସବୁ ଅଳଙ୍କାର ଭୁଲି, ଆଜି ସେହି ଅନ୍ଧ-ପଟ୍ଟିକାକୁ ଏକ ତୁଚ୍ଛ ପ୍ରତିବନ୍ଧକ ରୂପେ, ପଥର ଧୂଳିରେ ଫିଙ୍ଗି ଦେବା ପାଇଁ ସେ ତିଳେହେଲେ କୁଣ୍ଠିତା ନୁହନ୍ତି।

ଦୁର୍ଯ୍ୟୋଧନ, ଦୁଃଶାସନ, ଦୁର୍ଜୟ, ଦୁରନ୍ତ, ଦୁର୍ଗମ, ଦୁରମ, ଦୁର୍ଭର, ଦୁର୍ବାଳକ ପ୍ରମୁଖ ଶତପୁତ୍ରର ଜନନୀ, ମାତୃତ୍ବ-ଗରବିଣୀ ସୋମବଂଶର ପୂଜନୀୟ ଗାନ୍ଧାରୀ। କର୍ପୃର-ରେଣୁସିଞ୍ଚିତ ତୁଳି଼-ତଳ୍ପରେ ସୁଦ୍ଧା ଯେଉଁମାନଙ୍କୁ ନିଦ୍ରା ସ୍ପର୍ଶ କରୁ ନ ଥିଲା, ଆଜି ସେମାନେ କୁରୁକ୍ଷେତ୍ରର ଶୋଣିତ କର୍ଦ୍ଦମରେ ମହାନିଦ୍ରାରେ ଅଚେତନ। ସେମାନଙ୍କ ଶବରାଶି ଉପରେ ଶ୍ବାନ, ଶିବା ଓ ଶକୁନମାନଙ୍କର ଅଶ୍ଳୀଳ ଚିତ୍କାର ଦ୍ବିତୀୟ ରୌରବ ସୃଷ୍ଟି କରିଅଛି।
ଗୋଟିଏ ଶକୁନପଲର ବିକଟ ରଡ଼ିରେ ଗାନ୍ଧାରୀ ଆର୍ତ୍ତନାଦ କରି ଉଠିଲେ।

ଆଶ୍ରୟ ପାଇଁ ଶୁନ୍ୟରେ ଶୁଷ୍କ-ଚର୍ମବୃତ ଦୁଇ ଶିରାଳ ବାହୁ ତୋଳି, ଅନ୍ଧପଟ୍ଟିକାବୃତା ବୁଢ଼ୀ ଗାନ୍ଧାରୀ ଅସହାୟ କଣ୍ଠରେ ଚିତ୍କାର କଲେ…“ବିଦୁର, ସଞ୍ଜୟ!”
ପରିତ୍ୟକ୍ତ କୌବ-ପ୍ରାସାଦର ପୈଶାଚିକ ନୀରବତା ମଧ୍ୟରେ ଗାନ୍ଧାରୀଙ୍କ ଆକୁଳ ଆହାନ ପ୍ରତିଧ୍ବନି ଉଠାଇ ପୁଣି ନୀରବ ହୋଇଗଲା।

x x x x

ନିଷ୍ଫଳ ଅହଙ୍କାର ଓ ଅଭିମାନରେ ଦୁଇ କମ୍ପିତ ବାହୁ ସ୍ପୀତ କରି, ଊର୍ଦ୍ଧ୍ବକୁ ତୋଳି, ଅନ୍ଧ ଧୃତରାଷ୍ଟ୍ର ଓ ବିଦୁରଙ୍କ ସମ୍ମୁଖରେ ଆସ୍ଫାଳନ କରୁଥିଲେ…“ଭୁଲି ଯାଅ ନାହିଁ ବିଦୁର, ଆଜି ସୁଦ୍ଧା ଏହି ଦୁଇ ବାହୁରେ କୁରୁକୁଳହନ୍ତା ଭୀମ-ସମେତ ପାଣ୍ଡବ ପାଞ୍ଚ ଭ୍ରାତାଙ୍କୁ ଚୂର୍ଣ୍ଣ ବିଚୂର୍ଣ୍ଣ କରି ଦେବାର ଶକ୍ତି ଅକ୍ଷୂର୍ଣ୍ଣ ରହିଅଛି!”

ଧୃତରାଷ୍ଟ୍ର କୌରବ-ସିଂହାସନ ଉପରେ ପ୍ରଚଣ୍ଡ ଜିଙ୍ଘାସାରେ ଶସ୍ତ୍ରାହତ ପଶୁପରି ଗର୍ଜନ କରି ଉଠିଲେ। ତାଙ୍କର କୁଞ୍ଚିତ ଓ ରେଖାଙ୍କିତ ମୁଖମଣ୍ଡଳର ଶିଥିଳ ମାଂସପେଶୀ ଏକ କାଠିନ୍ୟରେ ନିଷ୍ଠୁର ହୋଇଗଲା। ସୁପ୍ତ ଆଗ୍ନେୟଗିରିର ଅନ୍ଧକାର ବିବର ପରି, ତାଙ୍କର ଦୁଇ ଦୃଷ୍ଟିହୀନ ଅନ୍ଧଚକ୍ଷୁରେ ଅଗ୍ନ୍ୟଦ୍‌ଗାର ଯେପରି ଉଲ୍ଲମ୍ଫନ କରି ଉଠିଲା।

ବିଦୁର ଶାନ୍ତ କଣ୍ଠରେ କହିଲେ….“ମହାରାଜ, ଧୃତରାଷ୍ଟ୍ରମାନେ ଚିରକାଳ ଅନ୍ଧ। ସିଂହାସନର ସ୍ବର୍ଣ୍ଣଦୀପ୍ତିରେ କାଳେ କାଳେ ସେମାନେ ଅନ୍ଧ ହୋଇଛନ୍ତି। ଚକ୍ଷୂଷ୍ମତା ଏକମାତ୍ର ଦୃଷ୍ଟି ନୁହେଁ ମହାରାଜ। ପାଣ୍ଡବ ପଞ୍ଚଭ୍ରାତାଙ୍କୁ ସମୂଳେ ବିନାଶ କରିବା ପାଇଁ ଜତୂଗୃହଦାହର ଷଡଯନ୍ତ୍ର ବେଳେ, ବ୍ୟାସ ସରୋବରେ ଆତ୍ମଗୋପନ କରିଥିବା ଦ୍ରୌପଦୀଙ୍କ ପଞ୍ଚପୁତ୍ରଙ୍କୁ ମୃଗୟାବିଳାସରେ ହତ୍ୟା କଲାବେଳେ, କୁରୁସଭାତଳେ କୁଳବଧୂ ଦ୍ରୌପଦୀଙ୍କୁ ବିବସନା କଲାବେଳେ, ପୁଣି ସାମାନ୍ୟ ପାଞ୍ଚଖଣ୍ଡି ଗ୍ରାମପାଇଁ ଶ୍ରୀକୃଷ୍ଣଙ୍କ ଦୌତ୍ୟର ଉତ୍ତରରେ, ‘ସୂଚ୍ୟଗ୍ର ପରିମତି ଭୂମି ଦେବୁନାହିଁ’ ବୋଲି ଦୁର୍ଯ୍ୟୋନ ଆସ୍ଫାଳନ କଲାବେଳେ, ପୁରୋଦୃଷ୍ଟିରେ ଆପଣ ଯଦି ଏ ପରିଣତି କଳନା କରିଥା’ନ୍ତେ ତାହାହେଲେ ଅନୁଶୋଚନାରେ ଆଜି ଆପଣ ଏପରି ତିଳେ ତିଳେ ଦଗ୍ଧୀଭୂତ ହେଉ ନ ଥା’ନ୍ତେ’ କିନ୍ତୁ କେବଳ ଆପଣ ନୁହନ୍ତି, ସବୁ ଧୃତରାଷ୍ଟ୍ର ଆପଣଙ୍କ ପରି ଜନ୍ମାନ୍ଧ।”

ଧୃତରାଷ୍ଟ୍ର କହିଲେ…‘ମାତ୍ର ଭୀଷ୍ମ, କର୍ଣ୍ଣ, ଦ୍ରୋଣ ପରି ମହାବୀର-ମାନେ ପାଣ୍ଡବମାନଙ୍କର ଦ୍ବାରା ଏପରି ପରାଜିତ ହେବେ, ତାହା ତ ମୁଁ ଆଶଙ୍କା କରି ନ ଥିଲି ବିଦୁର।”

ବିଦୁର କହିଲେ…‘‘ସେଥିପାଇଁ ତ ମୁଁ କହେ, ଧୃତରାଷ୍ଟ୍ରମାନେ ଚିରକାଳ ଅନ୍ଧ। ନିର୍ଯ୍ୟତିତ, ନିପୀଡ଼ିତ, ଆର୍ତ୍ତ ଓ ବଞ୍ଚିତର ଦାବୀ, ଆପାତ ଦୃଷ୍ଟିରେ ଯେତେ ଦୁର୍ବଳ ହେଲେ ସୁଦ୍ଧା, ଅକ୍ଷୌହିଣୀ ସେନାର ରଣପ୍ରସ୍ତୁତି ଓ ତ୍ରିପୁର ବିଜୟୀ ଯୋଦ୍ଧାମାନଙ୍କର ଧନୁଷ୍ଟଙ୍କାର ତାହାକୁ ବିଡ଼ମ୍ବିତ କରିପାରିବ ନାହିଁ। କେତେ ଦର୍ପିତ ଇନ୍ଦ୍ରପ୍ରସ୍ଥ, କେତେ ମଦମତ୍ତ ହସ୍ତିନା, କେତେ ଅହଙ୍କାରୀ ବାରୁଣା, ମହାକାଳରେ ଏହିପରି ବାରମ୍ବାର ଭୂଲୁଣ୍ଠିତ ହେବ। ମହାରାଜ, ମହାଭାରତରେ ଐକ୍ୟ ଓ ଶାନ୍ତି କ୍ଷମତାର ଦାମ୍ଭିକତାର ରହିବ ନାହିଁ, ରହିବ ଲାଞ୍ଛିତ, ବଞ୍ଚିତ ଓ ଅପମାନିତକୁ ତା’ର ଯଥାର୍ଥ ଦାବୀରେ ପ୍ରତିଷ୍ଠିତ କରାଇବାରେ, ରହିବ ଔଦାର୍ଯ୍ୟାରେ, କରୁଣାରେ, ଦାକ୍ଷିଣ୍ୟରେ।”

ଇନ୍ଦ୍ରପ୍ରସ୍ଥର ଆକାଶରେ କାଳ ବୈଶାଖୀର ଘୂର୍ଣ୍ଣି ଧୃତରାଷ୍ଟ୍ରଙ୍କ କଣ୍ଠରେ ଯେପରି ଗର୍ଜନ କରି ଉଠିଲା। ବିଦୁରଙ୍କ ପ୍ରତି ପ୍ରଚଣ୍ଡ କ୍ରୋଧରେ ଚିତ୍କାର କରି, ଧୃତରାଷ୍ଟ୍ର କହିଲେ…“ତୁମେ ନା ବିଦୁର, କୌରବର ଅନ୍ନଭୋଜୀ! କୌରବର ଔଦାର୍ଯ୍ୟରେ, କରୁଣାରେ ଦାକ୍ଷିଣ୍ୟରେ, ତୁମେ ନା ଲାଳିତ ପାଳିତ ଓ ବର୍ଦ୍ଧିତ! ଆଜି ସେହି କୌରବମାନଙ୍କର ଚରମ ଦୁର୍ଦ୍ଦିନରେ ଏହି କ’ଣ ତୁମର ପ୍ରତିଦାନ? କୌରବର ଅନ୍ନର ପ୍ରତିଦାନରେ ତୁମ କଣ୍ଠରେ ସମବେଦନାର କ୍ଷୀଣ ବାଣୀ ସୁଦ୍ଧା ନାହିଁ।”
ବିଦୁର ଅବିଚଳିତ କଣ୍ଠରେ ଉତ୍ତର ଦେଲେ…“କିନ୍ତୁ ସତ୍ୟ ଯେତେ କଠୋର ହେଲେ ସୁଦ୍ଧା ଦିନେ ତାହାର ସମ୍ମୁଖୀନ ହେବା ପାଇଁ ପଡ଼ିବ, ମହରାଜ।”

ଧୃତରାଷ୍ଟ୍ର ଚିତ୍କାର କରି ଉଠିଲେ…“କିନ୍ତୁ ସାମାନ୍ୟ ରାଜ୍ୟପାଇଁ ପାଣ୍ଡବମାନଙ୍କ ଦ୍ବାରା, ସଖାନାଶ, ସୋଦରନାଶ, କୁଳନାଶ, ଏହି କ’ଣ ତୁମର ସତ୍ୟ ବିଦୁର? ମୁଁ ବା କିପରି ଭୁଲିବି କହ ବିଦୁର, ଆଜି ସୋମବଂଶର ଦୀପଶିଖା ଗୋଟିକ ପରେ ଗୋଟିଏ ନିର୍ବାପିତ ହୋଇଗଲା। ଅନ୍ଧ ଧୃତରାଷ୍ଟ୍ରର ଅନ୍ଧ ତମିସ୍ରାପରି, ଏହାପରେ ଅତୀତ, ବର୍ତମାନ ଓ ଭବିଷ୍ୟତ ନିରନ୍ଧ୍ର, ସୂଚୀଭେଦ୍ୟ, ନିଷ୍ଠୁର ଅନ୍ଧକାର।”

ବିଦୁର ଶାନ୍ତକଣ୍ଠରେ ଉତ୍ତର ଦେଲେ…“କର୍ମ ଫଳର ଅଲଙ୍ଘନୀୟ ପରିଣତି ରୂପେ ଏହାକୁ ଗ୍ରହଣ କରି ଶୋକ ସମ୍ବରଣ କରନ୍ତୁ ମହାରାଜ, ଶାନ୍ତିଲାଭ କରିବେ। ଆପଣ କୁରୁକୁଳର ଅଗସ୍ତି ରୂପେ କୌରବସମୁଦ୍ର ନିଃଶେଷ କରିଅଛନ୍ତି, ପାଣ୍ଡବମାନେ ତ ଜୀର୍ଣ୍ଣ, କୂପ ମାତ୍ର। ଆଉ କ୍ରୋଧାନଳରେ ପ୍ରଜ୍ବଳିତ ହୋଇ ସେ କୂପକୁ ନିଃଶେଷ କରନ୍ତୁ ନାହିଁ।”

Pages: 1 2 3