କୃଷ୍ଣସାର ହସେ-ଛଳନା କରେ। “ତାହାହେଲେ ଏଥର ମତେ ବୋଧହୁଏ ଶିକାର କରିବାକୁ ଆସିଥିଲ ତୁମେ?”
ଦୁଃଖ କରେ ଇଗଲ୍। ତା’ ଆଖିରେ ଜମିଆସେ ବିନ୍ଦୁ ବିନ୍ଦୁ ଅଶ୍ରୁ। “ଛିଃ, କୃଷ୍ଣସାର ଏତେ ଅମଙ୍ଗଳ କଥା କହିବନି ଆଉ କେବେ-ମୁଁ ତୁମକୁ ଭଲପାଏ- ମୁଁ ତୁମ ପାଖକୁ ଆସିଥିଲି ଆତ୍ମନିବେଦିତା-ଠିକ୍ ଝଡ଼ରେ ଆହତ ଭୀରୁ କପୋତୀ ପରି। ତା’ଛଡ଼ା କୃଷ୍ଣସାର। ତୁମେ କେଡ଼ ସୁନ୍ଦର। କେଡ଼େ ଶକ୍ତ ତୁମର ମାଂସପେଶୀ। କି କ୍ଷିପ୍ର ତୁମର ଗତି। ଆଉ କି ଚଞ୍ଚଳ ତୁମର ଦୁଇଟା ଚପଳ ଚତୁର ନୟନ। ତୁମର ଶିକାର-ମୋର କ୍ଷମତା କାହିଁକି, କଳ୍ପନାର ବି ବାହାରେ। ମୁଁ ତୁମ ପାଖରେ ପରାଜିତ।”
କୃଷ୍ଣସାର ତା’ର ନରମ ମୁହଁରେ ଇଗଲ୍ର ଲୁହ ପୋଛିଦିଏ। ଏକା ସାଙ୍ଗରେ ରହନ୍ତି ଇଗଲ୍ ଓ କୃଷ୍ଣସାର।
ସ୍ନେହର ପୀଡ଼ାରେ ପରସ୍ପର ନିକଟରୁ ନିକଟତର ହୋଇଆସନ୍ତି। କୃଷ୍ଣସାର ଆଉଁଶି ଦିଏ ଇଗଲ୍ର କୋମଳ ପର-ଆଉ ଇଗଲ୍ ଫୁଲି ଫୁଲି କାନ୍ଦେ କୃଷ୍ଣସାରର ଏକ ଅନହୁତି ସ୍ନେହରେ। ଇଗଲ୍ କେବଳ ମର୍ମେ ମର୍ମେ ଅନୁଭବ କରେ ଏ ନିବିଡ଼ ସାନ୍ଦ୍ର ସ୍ନେହ। ଲୋମ କୂପେ କୂପେ ସେ ରୋମାଞ୍ଚିତ ହୁଏ।
କେବେ କେଉଁ କରୁଣ ଅପରାହ୍ନରେ କୃଷ୍ଣସାର କହେ- “ଇଗଲ୍, ତୁମେ ସହି ପାରିବନି ମୋର ଏ ସ୍ନେହ।”
ଇଗଲ୍ ନୀରବ ରହେ- ଆଖିରେ ସେହି ଅହେତୁକୀ ଅଶ୍ରୁ।
ଇଗଲ୍ର ଯୂଥ ଆସି ଆକାଶ ଛାଇ ଦିଅନ୍ତି ଝଡ଼ର ପାଞ୍ଚଜନ୍ୟ ନିନାଦ କରି। ଆପେ ଆପେ ହସନ୍ତି, ଆଉ ବିଦ୍ରୂପ କରନ୍ତି ଧରଣୀର ଇଗଲ୍କୁ। କୁହନ୍ତି, “ଆଶ୍ଚର୍ଯ୍ୟ! ଝଡ଼ର ଇଗଲ୍ ପୁଣି ଯାଇ ପୃଥିବୀର କୃଷ୍ଣସାରର ଭୁଜବଲୁରୀ ଭିତରେ! ହାୟ, ମାଂସାଶୀ ଇଗଲ୍ ପୁଣି ଯାଇ କୃଷ୍ଣସାର ସହିତ ତୃଣଭୁକ୍!”
ବିଦ୍ରୂପର ଶ୍ଳେଷ ଅତୀତ ହୋଇଯାଏ।
ନାଚିନାଚି ଅସରନ୍ତି ଶସ୍ୟ କାଙ୍ଗାଳ କୃଷ୍ଣସାରର ଯୂଥ ସବୁଜ ପୃଥିବୀ ଉପରେ। ବିଦ୍ରୂପ କରନ୍ତି କୃଷ୍ଣସାରକୁ। ବେଳେବେଳେ ସହାନୁଭୂତିର ସ୍ବରରେ କହନ୍ତି-“ହାୟ କୃଷ୍ଣସାର! ଅକୁଣ୍ଠ ଭିତ୍ତରେ ତୁମେ ଢାଳି ଦେଉଛ ତୁମର ଭଲପାଇବା-ନିଃଶେଷ କରି ଦେଉଛ ତୁମର ଶକ୍ତି-ତୁମର ପ୍ରତିଭା-ତୁମର ଯୌବନ ଗୋଟାଏ ମଶାଣି ଆଲୁଅ ପଛରେ। ଆହତ ସେ ଝଡ଼ର ଇଗଲ୍-ପୃଥିବୀରେ ଓହ୍ଲେଇଛି-ପୁଣି ଯିବ ଉଡ଼ି-ଶିକାରୀ ଇଗଲ୍-ଝଡ଼ର ଇଗଲ।”
ଏ ବିଦ୍ରୂପ ବିନ୍ଧେ ଦୁହିଁଙ୍କୁ-ଆହତ ହୁଅନ୍ତି ଉଭୟେ। କୃଷ୍ଣସାର କୁହେ, “ନାଁ ଇଗଲ୍, ଶୁଣ ନାହିଁ ଏମାନଙ୍କର କଥା-ଏମାନେ ଭ୍ରାନ୍ତ, ଏମାନେ ଆମର ଶତ୍ରୁ- ଏମାନେ ଈର୍ଷା କରନ୍ତି ଆମର ଏଇ ଭଲପାଇବାକୁ। ସମ୍ଭବ-ଆକାଶର ଇଗଲ୍ ଓ ଧରଣୀର କୃଷ୍ଣସାର ମଧ୍ୟରେ ଭଲପାଇବା ସମ୍ଭବ-ନିଶ୍ଚୟ ସମ୍ଭବ।”
ତ୍ରସ୍ତ ଇଗଲ ଆଉଜି ଆସେ କୃଷ୍ଣସାରର ପଶମ କଅଁଳ ଦେହକୁ, ଆଉ ଆସ୍ତେ କୁହେ, “ହଁ ସମ୍ଭବ କୃଷ୍ଣସାର!”
ଦିନ ବିତିଯାଏ।
ଅନେକ ଦିନ।
ଇଗଲକୁ ଭଲ ଲାଗେ ନାହିଁ ଏ ପୃଥିବୀ।
ସେ କୃଷ୍ଣସାର ପରି ଶୁଣିପାରେ ନାହିଁ ପୃଥିବୀର ସଙ୍ଗୀତ। ସେ ତୃପ୍ତି ପାଇପାରେ ନାହିଁ ତୃଣ ଭୋଜନ କରି। ଶିକାର କରିବା ପ୍ରବୃତ୍ତିଟା ଯେପରି ତା’ ଭିତରେ ଚେଇଁ ଉଠେ ବାରମ୍ବାର। ଇସ୍! ଯଦି ସେ ଥରେ ପାରନ୍ତା ଶିକାର କରି ଏଇ କୃଷ୍ଣସାରକୁ। ହଉନା ବଳବାନ ଏ କୃଷ୍ଣସାର-ହଉନା ତା’ର ଅତି ପ୍ରିୟ- ତଥାପି ଯଦି ସେ ଥରେ ପାରନ୍ତା। ଦିବାସ୍ବପ୍ନ ଦେଖେ ଇଗଲ। ସେ ନିଜେ ତା’ର ଶାଣିତ ନଖଗୁଡ଼ାକରେ କୃଷ୍ଣସାରକୁ ଝାମ୍ପି ନେଇ ଚାଲିଯାଛି ସେଇ ପର୍ବତ ଚୂଡ଼ାକୁ- ଅତର୍କିତରେ ଛାତି ଚିରି ସେ ପିଇଚାଲିଛି ଉଷ୍ଣ ରକ୍ତପ୍ରବାହ। କି ତୃପ୍ତି। କି ଆନନ୍ଦ! ତା’ପରେ ନିରୀହ ମେଷ ଶିଶୁଙ୍କର କ୍ଷୁଦ୍ର ଉପେକ୍ଷିତ ଅସ୍ଥିମେଳରେ ମିଶି ଏକାକାର ହୋଇଯାଉଛି କୃଷ୍ଣସାରର ଅପେକ୍ଷାକୃତ ବୃହତ୍ତର ଅସ୍ଥି ରାଶି। ଈସ୍! ସେ କ’ଣ ଭାବୁଛି। ପୁଣି ଆଖିରେ ଭରି ଆସେ ଅଶ୍ରୁ। ଭୀଷଣ ଦ୍ବନ୍ଦ୍ବ। ସେ ଶିକାର ଚାହେଁ- ଅଥଚ କୃଷ୍ଣସାର ତା’ର ଅତି ପ୍ରିୟ।
ଦିନେ ହଠାତ୍ ଇଗଲ କୁହେ, “କୃଷ୍ଣସାର। ମତେ ଚାଲିବାକୁ ଖୁବ୍ କଷ୍ଟ ହେଲାଣି। ଦେଖୁ ନାହିଁ, ମୋର ଗୋଡ଼ଗୁଡ଼ାକ କେଡ଼େ ଶୀର୍ଣ୍ଣ। କିନ୍ତୁ ମୋର ଡେଣା ଖୁବ୍ ଶକ୍ତ।”
କୃଷ୍ଣସାର ହସି ହସି କୁହେ, “ଭୟ କର ନାହିଁ ଇଗଲ। ମୋର ପିଠିରେ ବସ। ମୁଁ ତମକୁ ବହି ନେଇ ଯାଇପାରିବି ଚିର ଜୀବନ। ମୁଁ ତୁମକୁ ନେଇ ଯାଇପାରିବି ଏଇ ମୋ’ର ଅତି ପ୍ରିୟ ଶିଳାରାଶି ଭିତରେ। ମୁଁ ତୁମକୁ ନେଇ ଡେଇଁ ଯାଇପାରିବି ଯେ କୌଣସି ପ୍ରଶସ୍ତ ଝରଣା।”
ଘୃଣାରେ ଇଗଲର ନାସିକା କୁଞ୍ଚିତ ହୋଇଆସେ।
ନା, ସେ କାହା ଉପରେ ନିର୍ଭର କରି ଚଳିପାରିବ ନାହିଁ-ସେ ବଞ୍ଚିପାରିବ ନାହିଁ ପରାଙ୍ଗପୁଷ୍ଟ ହୋଇ। ତାକୁ ଉଡ଼ିଯିବାକୁଇ ହେବ। ସେ ଝଡ଼ର ଇଗଲ-ଶିକାରୀ ଇଗଲ। ଇଗଲ କୁହେ-“ଛିଃ! କ’ଣ କହିବେ ସମସ୍ତେ? ତୁମର ପକ୍ଷ ନାହିଁ ମୁଁ ଜାଣେ, କିନ୍ତୁ ଯଦି ଉଡ଼ିବାକୁ ଚାହଁ, ଆମେ ମୋର ମଧ୍ୟ ଅଛି ଅଶେଷ ଶକ୍ତି, ମୁଁ ତୁମକୁ ମୋର ପକ୍ଷରେ ନେଇଯିବି। ଉଡ଼ିବା ଆକାଶରେ। କି ସୁନ୍ଦର ସେଇ ସୁନୀଳ ଆକାଶ! ମିଶିଯିବା ଗୋଟିଏ ବିନ୍ଦୁ ହୋଇ। ତା’ପରେ ଆସିବ ଝଡ଼, ଆଉ ସେ ଝଡ଼ର ମଦ ପିଇବା ଉଭୟେ।”
କୃଷ୍ଣସାର କୁହେ- “ନା ଏଇ ଧରଣୀରେ ରହିବା ଇଗଲ। କି ସୁନ୍ଦର ଏଇ ସବୁଜ ଧରଣୀ। ମଦୁଆ ଏ ମାଟିର ଗନ୍ଧ-ଏକ ପାହାଡ଼ର ବିଚିତ୍ର ଶିଳାରାଶି-ସ୍ବଚ୍ଛ ଝରଣାର ପାଣି- କି ଚମତ୍କାର ଏଇ ଧରଣୀର ସଙ୍ଗୀତ।”
ହାୟ! ଇଗଲ ସହିତ କୃଷ୍ଣସାର ଉଡ଼ିପାରେ ନାହିଁ ବା କୃଷ୍ଣସାର ସହିତ ଇଗଲ ଚାଲିପାରେ ନାହିଁ।
x x x x x
ଏତିକି ଗପ। ଗପଟାକୁ ଟେବୁଲ ଉପରେ ପକାଇ ଦେଇ ଯାଇଥିଲି ବାହାରକୁ। ଫେରିଲାବେଳକୁ ପ୍ରାୟ ସନ୍ଧ୍ୟା। ଆସି ଘରର ସୁଇଚ୍ଟାକୁ ଜଳାଇ ଦିଏତ କାଉଚ୍ ଉପରେ ହାତରେ ଗପଟାକୁ ଧରି ବସିରହିଛି ସୁଜାତା। ସୁଜାତା! ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏକାବେଳକେ। ଏଇ ସୁଜାତା, ଯେ ମୋ’ ପାଖକୁ, ରାଗରେ ଆଉ ଘୃଣାରେ ଘରକୁ ଆସିବା ଦୂରେ ଥାଉ, ଚିଠି ମଧ୍ୟ ଦିଏ ନାହିଁ, ସେଇ ସୁଜାତା ପୁଣି ଏଠି- ପୁଣି ମୋର ଅନୁପସ୍ଥିତିରେ। ସୁଜାତା କୁହେ, “ଏଟା ତା’ର ଅଭିମାନ-ସେ ଦୂରରୁ ରହି ମତେ ଅନୁଭବ କରିବାକୁ ଚାହେଁ।” କିନ୍ତୁ କି କ୍ରୂର ଏ ଅଭିମାନ! କି ନିଷ୍ଠୁର ଏ ସଚେତନ ଅବହେଳା। ଛାଡ଼।
ନିଜର ଭାବନାକୁ ଗୋପନ ରଖି ହଠାତ୍ ହସି କହିଲି-
“ଚା’ ଖାଇବ ସୁଜାତା?”
“ହଁ”
ଚା’ ପିଆଲାରୁ ମୁହଁ ଫେରାଇ ସୁଜାତା କହିଲା-“ତା’ପରେ ଲେଖକ। କେବେ ଆପଣଙ୍କର କୃଷ୍ଣସାର ଉଡ଼ି ଶିଖିବ ବା ଇଗଲ ଚାଲି ଶିଖିବ?”
ମୁଁ କହିଲି- “ନା, ସେମାନେ ସେହିପରି ରହିଯିବେ।”
ତିର୍ଯ୍ୟକ୍ ଦୃଷ୍ଟି ଫେରାଇ ସୁଜାତା କହିଲା, “ଇଗଲର ମନୋବୃତ୍ତି ଆପଣ ଲକ୍ଷ୍ୟ କରିଛନ୍ତି ଏଇ କେତେ ଦିନ ଧରି?”
ସଂକ୍ଷେପରେ କହିଲି, “ପ୍ରୟୋଜନ ନାହିଁ।”