ମଧ୍ୟ-କାର୍ତ୍ତିକର ଗୋଟିଏ ଶୀତ-ନୀରବ ସନ୍ଧ୍ୟା। ପୃଥିବୀ ବୁକୁରେ ବିସ୍ତୀର୍ଣ୍ଣ ଗାଲିଚା ପରି ପଡ଼ିରହିଛି ସବୁଜ ନିର୍ଜନ ପ୍ରାନ୍ତର-ଅତି ନିର୍ଜନ ଅଥଚ ପ୍ରାଣବାନ୍‌। ପ୍ରାନ୍ତରର ପଶ୍ଚିମ ଉପକଣ୍ଠରୁ ଏବେ ମଧ୍ୟ ସୂର୍ଯ୍ୟର ଶେଷରାଗ ଲିଭିଯାଇ ନାହିଁ ସମ୍ପୂର୍ଣ୍ଣ। ସେହି କ୍ରମମ୍ଳାନବତୀ ସନ୍ଧ୍ୟାରେ ନିଜର ଆସ୍ତରଣ ଛାଡ଼ି ମୁଣ୍ଡ ଟେକିଲା କୃଷ୍ଣସାରଟିଏ। ମୁହୂର୍ତ୍ତେ କୃଷ୍ଣସାରର ଲୋମ କୂପେ କୂପେ ଛାଇଗଲା ସୁବର୍ଣ୍ଣ- ତା’ପରେ ଗଲା ଲିଭି।

କୃଷ୍ଣସାର-ସବଳ, ସଜୀବ କୃଷ୍ଣସାର। ଅଙ୍ଗେ ଅଙ୍ଗେ ତା’ର ଆଦ୍ୟ ଯୌବନର ନୂତନ ଆଗମନୀ, ଅଥଚ କିପରି ନିଷ୍ପ୍ରଭ ମ୍ଳାନ ଆଉ ମଗ୍ନ ମନୋରଥ।
କୃଷ୍ଣସାର ମୁଖ ଫେରାଇଲା ପୂର୍ବ ନଭକୁ, ଯେପରି କାହାର ପ୍ରତୀକ୍ଷାରେ-କେହି ନାହିଁ। କୃଷ୍ଣସାରର ଯୂଥ ଏବେ ମଧ୍ୟ ଆସି ନାହିଁ ଶସ୍ୟ ଆହରଣ ପାଇଁ। ତଥାପି ଅନେକ ଡେରି।

ସୂର୍ଯ୍ୟ ଗଲାଣି ଲିଭି ପ୍ରାୟ। ଅଥଚ ଆଜିର ଏ ଚନ୍ଦ୍ରୋଦୟ ବିଳମ୍ବିତ କାହିଁକି? ଶିଶିର ପଡ଼ି ଆସିଲାଣି। ଘାସରେ ପାଦ ପକାଇ ଚାଲିଲେ ଏଇ ମୁହୂର୍ତ୍ତଟା ଅତି କରୁଣ ମନେହୁଏ। ଓଃ! ଅତି କରୁଣ- ଯେପରି ସମଗ୍ର ପୃଥିବୀ ନୀରବରେ ବିଳାପ କରିଉଠୁଛି। ଶିଶିରସିକ୍ତ ଏ ସର୍ବଂସହା ଧରଣୀ, ଦିଗନ୍ତ ଘେରି ନୀରବତାର ହାହାକାର, ସୂର୍ଯ୍ୟର ସତ୍ତା ଲୁପ୍ତପ୍ରାୟ, ଅଥଚ ତ୍ରୟୋଦଶୀ ଶଶୀ ଅନାଗତ। ଅତି କରୁଣ ଓ ମୁହୂର୍ତ୍ତ-ଅଜି ପୀଡ଼ିତ କରେ ଏ ମୌନାବତୀ ଭୀରୁ ସନ୍ଧ୍ୟା। ଠିକ୍‌ ଏଇ ମୁହୂର୍ତ୍ତରେ ଚକ୍ରବାକର ଛାତି ଫାଟେ।
ଉପରକୁ ଦୃଷ୍ଟିକ୍ଷେପ କଲା କୃଷ୍ଣସାର। ଇଗଲ ଆସ୍ତେ ଆସ୍ତେ ଚକାଭଉଁରୀ ଖେଳି ଆସୁଛି ତଳକୁ, ନିହାତି ପାଖରେ। ଏଇ ଇଗଲ-ବୃହତ୍‌, ଅଥଚ ସୁନ୍ଦର। ଆକାଶର ଧାରେ ଧାରେ ଉଡ଼ିବୁଲେ ଏଇ ଇଗଲ-ଆଉ ଶିକାର କରେ। କୃଷ୍ଣସାର ଏଇ ମାଟିର ଧରଣୀକୁ ସବୁ ସମୟରେ ଲକ୍ଷ୍ୟ କରିଛି ଇଗଲକୁ ଅନେକ ଦିନ ଧରି। ଆଃ-ଇଗଲ କି ସୁନ୍ଦର। ଦୁଇଟା ମୁକ୍ତ ପକ୍ଷାଘାତରେ ସେ ପବନ ପହଁରିଯାଏ ଅନାୟାସରେ।

ଇଗଲ ଯେପରି ଝଂକାର ଅଗ୍ରଦୂତ। ସକାଳ ଆଉ ସନ୍ଧ୍ୟା ସେ ବୁଲେ, ଆଉ ବୁଲେ। ଇଗଲ ମଧ୍ୟ ଅନେକ ଦିନ ଧରି ଲକ୍ଷ୍ୟ କରେ, ମାଟିର ଏଇ କୃଷ୍ଣସାରକୁ। ଅତି ସୁନ୍ଦର ଏଇ ଦୀର୍ଘକାୟ କୃଷ୍ଣସାର-କି ଚଞ୍ଚଳ। ଘୂର୍ଣ୍ଣବେଗରେ ସେ ଛୁଟିପାରେ ନିଜକୁ ପୃଥିବୀର ଶ୍ୟାମଳିମା ସହିତ ଏକାକାର କରିଦେଇ। କି ସୁନ୍ଦର କୃଷ୍ଣସାରର ଆକର୍ଣ୍ଣଲମ୍ବିତ ଦୁଇଟି ଲୋଚନ। କି ଭୟଙ୍କର ତା’ର ମୋଟା ମୋଟା ଶିଙ୍ଗଗୁଡ଼ାକ। ପୁରୁଷର କି ସୌଷ୍ଠବ-ଅଥଚ କେତେ ନିରୀହ, କେତେ ଶାନ୍ତ ସେ। ମର୍ମସ୍ପର୍ଶୀ ତା’ର ନୀରବ କରୁଣ ପ୍ରତୀକ୍ଷା।
ଏଇ-ଇଗଲ୍‌ ଆସିଗଲା ଖୁବ୍‌ ନିକଟକୁ। ସିଧା ଆସି ସେ ବସି ପଡ଼ିଲା କୃଷ୍ଣସାର ପାଖରେ। କୃଷ୍ଣସାର ମଧ୍ୟ ଅଭିନନ୍ଦନ ଜଣାଇଲା। ତା’ପରେ ହଠାତ୍‌ କୃଷ୍ଣସାର ଛଳନା କରି ପଚାରେ-
“ତୁମ ଏ ଧରଣୀରେ ଇଗଲ?”

ଇଗଲ କହେ, “ନା-ଅତି କ୍ଳାନ୍ତ ଲାଗିଲା ଏ ଉଡ଼ି ବୁଲିବା-ତା’ ଛଡ଼ା ମୋର ଗୋଟାଏ ଡେଣା ଜଖମ ହୋଇଯାଇଛି ଝଡ଼ରେ।”
କୃଷ୍ଣସାର ଭାବପ୍ରବଣ ହୋଇଉଠେ-“ସତରେ ଇଗଲ, ତୁମେ ଏ ପୃଥିବୀକୁ ଆସିଛ ଓଃ! ଏତେ ଦିନର ପ୍ରତୀକ୍ଷା-ମୁଁ ଭାରି ଭଲପାଏ ତମୁକୁ।”
ଇଗଲ୍‌ କୁହେ, ମୁଁ ବି କୃଷ୍ଣସାର! ମୁଁ ବି…. ଅତି କ୍ଳାନ୍ତ ମୁଁ।

ଇଗଲ୍‌ ଅତି ଅସ୍ଫୁଟ ଭାବରେ ପ୍ରକାଶ କରେ ନିଜକୁ, ଆଉ ଆସ୍ତେ ଆସ୍ତେ ଦୁଇଟି କ୍ଷୁଦ୍ରପାଦରେ ଲମ୍ପଦେଇ କୃଷ୍ଣସାର ଦେହକୁ ଆଉଜି ଆସେ।
କରୁଣ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯାଇଛି। ଆକାଶରେ ଅନେକ ଦୂର ଉଠି ଆସିଛି ଚନ୍ଦ୍ର।
ତରଳ ରୂପାରେ ଧୋଇ ହୋଇଯାଇଛି ଇଗଲର କୋମଳ ଶରୀର, ଆଉ କୃଷ୍ଣସାରର ଦେହେ ଖାଲି ରୂପା-ଆଉ ରୂପା।

ଦୁହିଁଙ୍କ ଆଖିରେ ନୀରବ ଅଶ୍ରୁ, କିନ୍ତୁ କାହିଁକି ଏ ଅହେତୁକୀ ଅଶର ଦରଦୀ ପ୍ଳାବନ?
କୃଷ୍ଣସାର ତା’ର ଈଷତ୍‌-ଦୀର୍ଘ ମୁହଁଟି ନେଇ ଆସ୍ତେ ଇଗଲର କୋମଳ ପର ଉପରେ ରଖେ, ଆଉ କହେ- “ତୁମେ ଅତି କୋମଳ ଇଗଲ! ଇସ୍‌ ଝଡ଼ର ପକ୍ଷୀ, ଅଥଚ ଏତେ କୋମଳ।”
ଇଗଲ୍‌ ତୃପ୍ତିରେ ଚକ୍ଷୁ-ତାରକା ଦୁଇଟି ମୁଦ୍ରିତ କରି ଆଣେ କେବଳ। କିଛିଦିନ ବିତିଯାଏ।

କୃଷ୍ଣସାର ପଚାରେ, “ତୁମ ଆଗରୁ କେବେ ପୃଥିବୀକୁ ଆସିଥିଲ?” ଇଗଲ୍‌ କହେ- “ଅନେକ ଥର ଆସିଛି, ଅନେକ ଥର। ଶିକାର କରିବା ପ୍ରବୃତ୍ତିଟା ଯେପରି ମୋର ନିହାତି ରକ୍ତଗତ। ଆକାଶରେ ଉଡ଼ୁ ଉଡ଼ୁ ଯେତେବେଳେ ଦେଖେ, ନିରୀହ ମେଷଯୂଥ ତୃଣ ସନ୍ଧାନରେ ବାହାରନ୍ତି, ଆନନ୍ଦରେ ନାଚି ଉଠେ ମୁଁ। ତା’ପରେ ନିହାତି ଗୋଟାଏ ହିଂସ୍ର ଆନନ୍ଦରେ ଘୂରି ଘୂରି ମୁଁ ଓହ୍ଲେଇ ଆସେ ପୃଥିବୀ ଉପରକୁ। ଆଉ ଏ ନଖ ଦେଖୁଛ କେତେ ତୀକ୍ଷ୍ଣ, ଆଉ ଶିକାରୀ ନଖ। ଏଇ ନଖରେ ଅନେକ ଅନେକ କୋମଳ ମେଷ ଶିଶୁ ମୁଁ ଝାମ୍ପି ନେଇ ଉଡ଼ିଯାଇଛି ଉପରକୁ। ସେଇ ପାହାଡ଼-” ଇଗଲ୍‌ ଆଉ କହିପାରିଲା ନାହିଁ- କେବଳ ଆଖି ଦୁଇଟାକୁ ଧୀରେ ଧୀରେ ଛୋଟ କରି ଆଣି ଅନେଇ ରହିଲା ସେହି ପାହାଡ଼ ଚୂଡ଼ାକୁ, ତୁଙ୍ଗ ଗିରିଚୂଡ଼ା। ତା’ଉପରେ ନୀଳ ଆକାଶର ଧୂସର ବାଦଲ ଲହଡ଼ା ମାରୁଛି-କୃଷ୍ଣସାର ବି ଅନେଇ ରହେ ସ୍ଥିର ଦୃଷ୍ଟିରେ।
-କିଛି ସମୟ ପରେ କୃଷ୍ଣସାର ପ୍ରକୃତିସ୍ଥ ହୋଇ ପଚାରେ, “ତା’ପରେ? ତା’ପରେ?” ଇଗଲ୍‌ ପ୍ରକୃତିସ୍ଥ ହୁଏ।

“ତା’ପରେ ମୁଁ ସେହି ନିର୍ବୋଧ ନିରୀହ ମେଷ ଶିଶୁକୁ ନେଇ ଉଡ଼ିଯାଏ ସେହି ପାହାଡ଼ର ଚୂଡ଼ାକୁ। ଏହି ନଖରେ ସେମାନଙ୍କର ଛାତି ଚିରେ। ସେମାନଙ୍କ ଉଷ୍ଣ ରକ୍ତ ସ୍ରୋତରେ ନିଜର ଥଣ୍ଟ ବୁଡ଼େଇ ଦେଇ ଆକଣ୍ଠ ପାନ କରେ। ଭାରି ଭଲ ଲାଗେ ସେମାନଙ୍କ ଲୁଣି ଲହୁ। ବଡ଼ ତୃପ୍ତି ଦିଏ ସେମାନଙ୍କର ନରମ ମାଂସ।”

ଉତ୍ତେଜିତ ହୋଇ ଉଠେ ଇଗଲ୍‌। କିପରି ଗୋଟାଏ ହିଂସ୍ର ଆନନ୍ଦରେ ତା’ର ପରଗୁଡ଼ାକ ଫୁଲି ଉଠନ୍ତି ଭୟାନକ ଭାବରେ। ବିସ୍ଫୋରିତ ଆଖି ଦୁଇଟାରେ ସେ ଚାହିଁରହେ କେବଳ।
ଅଥଚ ନରୀହ କୃଷ୍ଣସାର ଆଶ୍ବସ୍ତିର ନିଃଶ୍ବାସ ନିଏ। ଯେପରି ସେ ଅନୁଭବ କରିପାରୁ ନାହିଁ-ସମର୍ଥନ କରିପାରୁନାହିଁ ଏ ହିଂସ୍ର ଆନନ୍ଦ। ତଳକୁ ଅନାଏ। ତଳେ ସବୁଜ ଦୃଶ୍ୟର ମଦୁଆ ଗନ୍ଧ। ମାଟିର ମାତାଲ ନିଶା।
ଏଇ ପୃଥିବୀ ଓଃ! କୃଷ୍ଣସାର ଏତେ ଭଲପାଏ ଏଇ ପୃଥିବୀକୁ।

Pages: 1 2 3