ମୁକ୍ତିପାଇଁ ପ୍ରେରଣା ମନୁଷ୍ୟର ଅନ୍ତର୍ନିହିତ। ସସୀମର ଅସୀମରେ ପହଞ୍ଚିବା ହିଁ ମୁକ୍ତି। ଅସୀମ ଆମର ଅତି ପରିଚିତ, ଅତି ନିକଟ, ଅତି ଘନିଷ୍ଠ; ତଥାପି ଅତି ଦୂର, ଅତି ଅପରିଚିତ। ଅସୀମରେ ଆମର ଜନ୍ମ, ବର୍ଦ୍ଧନ, ଅବସାନ; ଅସୀମକୁ ଆମେ ପ୍ରତି ମୁହୂର୍ତ୍ତରେ ଦେଖୁଛି, ଅନୁଭବ କରୁଛୁ, ସ୍ପର୍ଶ କରୁଛୁ, ଅସୀମ ସହିତ ଖେଳୁଛୁ। ତଥାପି ମନେହୁଏ, ଅସୀମ ଯେପରି କୌଣସି ଦୂରାଗତ ଅତିଥି, ସ୍ବପ୍ନ-ପୁରୀର ମାୟା, ସ୍ବର୍ଗ-ଲୋକର କଳ୍ପନା। ଏଠାରେ ହିଁ ସୃଷ୍ଟିର ବୈଚିତ୍ର୍ୟ, ଜୀବନର ରହସ୍ୟ।

ଅସୀମ ପ୍ରତି ମନୁଷ୍ୟର ଆକାଂକ୍ଷା, ତୃଷ୍ଣା, ଶ୍ରଦ୍ଧା ପ୍ରବଳ। ଜାଣିଶୁଣି ବା ନ ଜାଣି ନ ଶୁଣି ମନୁଷ୍ୟ ଅସୀମ ଆଡ଼କୁ ଚିର ଆକୃଷ୍ଟ। ଏହି ଆକର୍ଷଣ ଓ ଇଚ୍ଛା ହିଁ ମନୁଷ୍ୟର ବିଭିନ୍ନ କ୍ରିୟା କଳାପରେ, ବିଭିନ୍ନ ଉଦ୍ୟମର ମୂଳରେ ଥାଏ। ଧର୍ମ ସସୀମଠାରୁ ଅସୀମ ପର୍ଯ୍ୟନ୍ତ ମାର୍ଗକୁ ସୁଗମ, ସଂଯତ, ଶୃଙ୍ଖଳିତ କରେ; କଳା ତାହାକୁ ସୌନ୍ଦର୍ଯ୍ୟରେ ସମ୍ମୋହନ ରୂପ ଦିଏ; ବିଜ୍ଞାନ ତାହାର କେତୋଟି ଅଦୃଷ୍ଟ ସଙ୍କେତ ଦିଏ; ଜୀବନ ତାହାର ପ୍ରତିରୂପ ଚିତ୍ର ଅଙ୍କନ କରେ। ସବୁ ସେହି ଅସୀମର ଦ୍ୟୋତକ, ପ୍ରକାଶକ; ଅସୀମର ଆହ୍ବାନରେ ସମସ୍ତେ ଚଞ୍ଚଳ, ଅଗ୍ରଗାମୀ।

ବାସ୍ତବ ସାଂସାରିକ ଜୀବନରେ ମନୁଷ୍ୟର ତୃପ୍ତିନାହିଁ। ସେ କୌଣସି ଗୋଟିଏ ପଦାର୍ଥ ପାଇବାକୁ ଇଚ୍ଛାକରେ, ତାହା ପାଏ; କିନ୍ତୁ ତହିଁରେ ସେ ସନ୍ତୁଷ୍ଟ ହୁଏନାହିଁ। ଆଉ କିଛି ପାଇବାକୁ ପୁଣି ବ୍ୟଗ୍ର, ଅଧୀର ହୋଇଉଠେ। ସେ ଭାବନା କରେ, ଗୋଟିଏ ଅବସ୍ଥାରେ ପହଞ୍ଚେ; କିନ୍ତୁ ଦେଖେ ତହିଁରେ ସୁଖର ସତ୍ତା ନାହିଁ, ତାହା ଯେପରି ଗୋଟିଏ ତିକ୍ତ ଶୂନ୍ୟତା। ସେ ପୁଣି ଅନ୍ୟ ଅବସ୍ଥାରେ ଉପନୀତ ହେବାର ଉପକ୍ରମ କରେ। ଏହିପରି ତାହାର ଲାଗିଥାଏ ଚିର ଅସୁଖ ଅଶାନ୍ତି ଜନିତ ନିରବଧି ସଂଘର୍ଷ। ଏ ସଂଘର୍ଷର ମୌଳିକ ତଥ୍ୟ ସେ ପ୍ରାୟ ବୁଝେ ନାହିଁ, ଏଣୁ ବିଶେଷ କ୍ଳେଶ ଅନୁଭବ କରେ। ଏହାହିଁ ସଂସାର ମାର୍ଗର ଅଭ୍ୟସ୍ତ ଲକ୍ଷଣ।

ଏ ସଂଘର୍ଷ ହିଁ ସାକ୍ଷ ଦିଏ, ମନୁଷ୍ୟ ମୁକ୍ତି ଚାହେଁ। ସେ ଅଳ୍ପରେ ସନ୍ତୁଷ୍ଟ ନୁହେଁ, ଅଧିକ ଅଧିକ ଆଶାକରେ। ଯେଉଁ ଅବସ୍ଥାରେ ପହଞ୍ଚିଲେ ଆଉ ଆଶା କରିବାକୁ କିଛି ନ ଥିବ; ପୂର୍ଣ୍ଣକାମ ହେବ, ସେ ଅବସ୍ଥାରୁ ଊଣାରେ ମନୁଷ୍ୟ କେଭେ ସନ୍ତୁଷ୍ଟ ନୋହିବ। ସେ ଅବସ୍ଥା ବା ଠିକ୍ କହିଲେ ଅବସ୍ଥାପିତ ଅବସ୍ଥା ହିଁ ଅସୀମ। କିନ୍ତୁ ମନୁଷ୍ୟ ସସୀମ ଜଗତକୁ ଭ୍ରମରେ ଅସୀମ ବୋଲି ଗ୍ରହଣ କରେ। ଏହା କିନ୍ତୁ ଅସମ୍ଭବ; ସେଥିପାଇଁ ତାହାର କଷ୍ଟ। ଜ୍ଞାନୀ ଲୋକେ ଏ ପରିସ୍ଥିତିର ଅସମ୍ଭାବନା, ବ୍ୟର୍ଥତା ବୁଝନ୍ତି; ଏଣୁ ସାଧାରଣଲୋକଙ୍କ ଠାରୁ ଭିନ୍ନ ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏହା ବୋଲି ସାଧାରଣ ଲୋକ ମଧ୍ୟ ଅସୀମ ଆଡ଼କୁ ଅଗ୍ରସର ନ ହୁଅନ୍ତି, ଏ କଥା କହି ହେବନାହିଁ। ତେବେ ପ୍ରଭେଦ ଏତିକି ହୋଇପାରେ, ଜ୍ଞାନୀ ଯେଉଁ ଲକ୍ଷ୍ୟ ପ୍ରତି ସଚେତ, ସାଧାରଣ ଅଚେତ; ଜ୍ଞାନୀର ପଥ ସରଳ, ସାଧାରଣର କୁଟିଳ; ଜ୍ଞାନୀ ଦ୍ରୁତଗାମୀ, ସାଧାରଣ ଆଳସ୍ୟ ପରାୟଣ; ଜ୍ଞାନୀ ଏବେ, ଏହିଠାରେ, ଏହି ଜୀବନରେ ମୁକ୍ତ; ସାଧାରଣର ମୁକ୍ତ ବହୁଜୀବନ, ବହୁ ଆୟାସ ସାପେକ୍ଷ। ତଥାପି ଅଖଣ୍ଡ ଆନନ୍ଦରେ ସମସ୍ତଙ୍କର ସଞ୍ଚାର, ଶେଷରେ ସେହି ଆନନ୍ଦରେ ସମସ୍ତଙ୍କର ପ୍ରବେଶ। ସେଥିପାଇଁ ପରା ଉପନିଷଦ ବଜ୍ରଗମ୍ଭୀର କଣ୍ଠରେ କହୁଛି, ‘ମହତ୍ ଆନନ୍ଦରୁ ଜଗତର ସୃଷ୍ଟି, ମହତ୍ ଆନନ୍ଦରେ ଜଗତର ସ୍ଥିତି, ସେହି ମହତ୍ ଆନନ୍ଦରେ ପୁଣି ତାହାର ଲୟ।’

କିନ୍ତୁ ପ୍ରଶ୍ନ ଉଠିପାରେ, ମନୁଷ୍ୟ କାହିଁକି ଭୌତିକ ସଂସାରେ ସୁଖୀ ନ ହେବ? ଜଗତର ସୀମାକୁ ମନୁଷ୍ୟ କିପରି ଅତିକ୍ରମ କରିବ? ଏ ଶିକ୍ଷା ବିଷାଦ-ବାଦ (Pessimism) ନୁହେଁ? କଠୋର ଅନୁଭୂତି ଉତ୍ତର ଦିଏ, ନା, ଏ ଶିକ୍ଷା ବିଷାଦବାଦ ନୁହେଁ, ଏହା ନିପଟ ବାସ୍ତବ। ମନୁଷ୍ୟ ବାହାରେ ମନ ମତାଣିଆ ଭାବରେ ଯାହା କହୁନା କାହିଁକି, ହୃଦୟର ଗଭୀର ଅନ୍ତରାଳରେ ଏ ସତ୍ୟ ଉପଲବ୍ଧ କରେ। ଜୀବନରେ ସୁଖ ଗୁଣେ ବଢ଼ିଲେ ଦୁଃଖ ଦଶଗୁଣ ବଢ଼େ। ଫୁଲରେ କୀଟ ଥାଏ, ଚନ୍ଦ୍ରରେ କଳଙ୍କ ଥାଏ। ଆମର ଶାନ୍ତି, ସୁଖ ଭଙ୍ଗ କରିବାପାଇଁ କୌଣସି ନା କୌଣସି କାରଣ ଅହେତୁକ ଭାବରେ ଆମ ଆଗରେ ଠିଆହୁଏ। ମନୁଷ୍ୟ ସହସ୍ର ସହସ୍ର ବର୍ଷ ହେଲା ଏ ମର୍ତ୍ତ୍ୟଲୋକରେ ବଞ୍ଚି ଆସିଛି, ବିରାଟ ସଭ୍ୟତାର ଦୁର୍ଗ ତୋଳିଛି ବୋଲି ଦମ୍ଭ ଧରୁଛି; ତଥାପି ଏ ବିଶଂ ଶତାବ୍ଦୀରେ ଦେଖୁଛି, ପ୍ରଥମ ଶତାବ୍ଦୀ ଅପେକ୍ଷା ତାହାର ଜୀବନ କୌଣସି ପ୍ରକାର ନିରାପଦ ନୁହେଁ। ଧନର ଅଭାବ ନାହିଁ, ବିଳାସରେ ସେ ମାତିଛି। ତଥାପି ଅଭାବ ଅପେକ୍ଷା ବିଳାସର ଆତିଶଯ୍ୟ ଅଧିକ ବାଧା ଦେଉଛି। ସମର ହୁଙ୍କାର ଶୁଭୁଛି। ସେତେବେଳେ ତାହାର ବିଳାସର, ସୁଖର ସ୍ବପ୍ନ ଅଦୃଶ୍ୟ ହୋଇଯାଇଛି; ସେ ଦରିଦ୍ରରୁ ଦରିଦ୍ରତମ ହେଉଛି। ଆଧୁନିକ ଜୀବନରେ ନାନା ସୁବିଧାର ସୃଷ୍ଟି ହେଉଛି; ଜୀବନକୁ ସୁଖମୟ କରିବା ପାଇଁ ବିଜ୍ଞାନ ଆଶ୍ଚର୍ଯ୍ୟଜନକ ଆବିଷ୍କାର କରୁଛି। ତଥାପି ବିଜ୍ଞାନର ପ୍ରତ୍ୟେକ ଆବିଷ୍କାର ଏପରି ଗୋଟିଏ ଗୋଟିଏ ସମସ୍ୟା ଆଣି ଥୋଉଛି, ଯାହାର ସମାଧାନରେ ଜଗତ ସ୍ତମ୍ଭୀତ ହେଉଛି। ପରମାଣୁ ବୋମା ଗୋଟିଏ ମାତ୍ର ଦୃଷ୍ଟାନ୍ତ। ଏ ସବୁ ସତ୍ତ୍ବେ ଯଦି କିଏ କହେ, ଜଗତରେ ମନୁଷ୍ୟ ଅସୁଖୀ ନୁହେଁ, ତେବେ ବାସ୍ତବିକ୍ ସେ କି ମିଥ୍ୟାବାଦୀ ନୁହେଁ?

ଶେଷ ବିଶ୍ଳେଷଣରେ ଏ ଅସୁଖର କାରଣ କଅଣ? ପ୍ରାଚୀନମାନେ ବହୁ ପୂର୍ବରୁ ଏହା କହିଛନ୍ତି। ସୁଖ ଓ ଦୁଃଖ ମନୁଷ୍ୟର ମନର ଅବସ୍ଥାନ୍ତର ମାତ୍ର। ବିଖ୍ୟାତ୍ ଇଂରେଜ କବି ମିଲ୍ଟନ୍ ସେଥିପାଇଁ ପରା ଗାଇଛନ୍ତି, ‘ମନହିଁ ସ୍ବର୍ଗକୁ ନରକରେ, ନରକକୁ ସ୍ବର୍ଗରେ ପରିଣତ କରେ!’ ମନୁଷ୍ୟ ଶରୀର ଓ ମନକୁ ସର୍ବସ୍ବ ମନେକରେ। ଶରୀର ଓ ମନ ତ ସ୍ଥିର ବସ୍ତୁ ନୁହେଁ, ଏଣୁ ସେ କଷ୍ଟ ଭୋଗକରେ। ଆଜି ଆମ ଶରୀର ସୁସ୍ଥ, କାଲି କିନ୍ତୁ ଭୀଷଣ ରୋଗାକ୍ରାନ୍ତ। ଅଲଗାଣ ଘୋଡ଼ା ପରି ମନର ଦ୍ରୁତ ଅସ୍ଥିର ଅବସ୍ଥା କିଏ ପ୍ରତି ମୁହୂର୍ତ୍ତରେ ଅନୁଭବ ନ କରୁଛି? ସେଥିପାଇଁ ପରା କବି ତାହାକୁ ଲକ୍ଷ୍ୟ କରି ଯାଇଛନ୍ତି, ‘ପ୍ରଭଞ୍ଜନର ବେଗ, ଆଲୋକ ଗତି’। ଏପରି ପରିବର୍ତ୍ତନଶୀଳ, କ୍ଷୟଶୀଳ ପଦାର୍ଥ ଉପରେ ନିର୍ଭର କଲେ, ବାଧା ଛଡ଼ା ଆଉ କଅଣ ମିଳିପାରେ? ସେଥିପାଇଁ ଅଖଣ୍ଡ ଶାନ୍ତି ଲଭିବାକୁ ହେଲେ, ମନାତୀତ ହେବାକୁ ହେବ।

ଏଠାରେ ପୁଣି ପ୍ରଶ୍ନ ଉଠିପାରେ, ମନାତୀତ କିପରି? ମନ ବାହାରେ ଆଉ କଅଣ ଥାଇପାରେ? ତାହା କି କେବଳ ଶୂନ୍ୟ ନୁହେଁ, ଅପରିକଳ୍ପିତ ଧ୍ବଂସାବଶେଷ ନୁହେଁ? ତାହା କିପରି ଶ୍ରେୟ? ଏଠାରେ ହିଁ ଆସ୍ତିକତା ଓ ନାସ୍ତିକତାର ମୌଳିକ ମତଭେଦ। ମନାତୀତ ରାଜ୍ୟ ଅଛି। ସୃଷ୍ଟିର ପ୍ରାକ୍‌କାଳରୁ ପ୍ରକୃତ ଯୋଗୀ, ଋଷି, ସିଦ୍ଧ ସାଧକ ସେହି ରାଜ୍ୟରେ ପହଞ୍ଚିଛନ୍ତି ଏବଂ ତଦ୍ବାରା ସ୍ଥାୟୀ ନିତ୍ୟ ଶାନ୍ତିସୁଖ ଲାଭ କରିଛନ୍ତି। ପୁଣି ଲୌକିକ ଜୀବନ ଉପରେ ସେହିମାନେ ହିଁ ଅପରିମିତ ପ୍ରଭାବ ବିସ୍ତାର କରିଛନ୍ତି ଓ କରୁଛନ୍ତି। ପୁଣି ଅନେକେ-ଯେଉଁମାନେ ଶେଷ ଲକ୍ଷ୍ୟରେ ଉପନୀତ ହୋଇ ନାହାଁନ୍ତି, ଅଥଚ ଅସୀମ ପଥରେ ପଥିକ ହୋଇଛନ୍ତି-ସେମାନଙ୍କର ଜୀବନକୁସୁମ ଯେଉଁ ସୌରଭ ବିକୀରଣ କରୁଛି, ଅପରୋକ୍ଷ ପ୍ରମାଣ ଥାଉଁ ଥାଉଁ ତହିଁରେ କିଏ ସେ ସନ୍ଦେହ କରିବ? ପରୋକ୍ଷ ଅନୁଭୂତିରେ ଶ୍ରବଣରେ, ଦୂରଦର୍ଶନରେ ସଂଶୟ ଜନ୍ମିପାରେ। କିନ୍ତୁ ସମ୍ମୁଖରେ ନିର୍ମଳ ଭାବରେ ଅସନ୍ଦିଗ୍ଧ ଚିତ୍ତରେ ଅନୁଭବ କରୁଥିବା ବେଳେ ଅବିଶ୍ବାସର ପ୍ରଶ୍ରୟ କାହିଁ?

ସଂସାରବାଦୀ ଏଠାରେ ପୁଣି ପଚାରିପାରେ, ଆଚ୍ଛା, ଏ ଅସାଂସାରିକ ଅପ୍ରାକୃତ ଊର୍ଦ୍ଧ୍ବଚେତନ ବିଷୟ ଘେନି ଆମେ ଏତେ ବ୍ୟତିବ୍ୟସ୍ତ ହେବାର ପ୍ରୟୋଜନ କଅଣ? ସଂସାର ଜଞ୍ଜାଳ ତ ଆମକୁ ବଳେଇ ପଡୁଛି, ଆଉ ଅଖଣ୍ଡ ‘ଶାନ୍ତି’ ଅନ୍ବେଷଣ କାହିଁକି? ବାସ୍ତବ ଜୀବନର ଦୁଃଖକଷ୍ଟ ଘୁଞ୍ଚାଇବା ପାଇଁ ଆମେ ଆଗେ ଲଢ଼େଇ କରିବା; ମର୍ତ୍ତ୍ୟରେ ସ୍ବର୍ଗଲୋକର ଅବତରଣ ପାଇଁ ଅଣ୍ଟା ଭିଡ଼ିବା; ମର୍ତ୍ତ୍ୟରୁ ସ୍ବର୍ଗକୁ ପଳାଇ ଯିବା ପାଇଁ ବ୍ୟାକୁଳ ହେବା କାହିଁକି? କଥାଟା ଯୁକ୍ତିଯୁକ୍ତ, ବୀରତ୍ବବ୍ୟଞ୍ଜକ ବୋଧ ହେଉଛି। କିନ୍ତୁ ଅସଲ କଥା, ଯୁଗଯୁଗ ଧରି ତାହା ପରୀକ୍ଷିତ ହୋଇଛି, ତହିଁରେ ଅଭାବ ଦେଖାଯାଇଛି। ଜଗତ ସେ ପଥ ବହୁକାଳ ଅବଲମ୍ବନ କରିଛି, କିନ୍ତୁ ଏବେ ମଧ୍ୟ ଜଗତରେ ଯେଉଁ ଘୋର ବିଶୃଙ୍ଖଳା ଦେଖାଯାଉଛି, ତହିଁରୁ ତ୍ରାହି ପାଇବାର ବାଟ ଦିଶୁନାହିଁ। ଯେଉଁମାନେ ଅସୀମ ପଥରେ ଚାଲିଛନ୍ତି ସେମାନେ ‘ପଳାତକ-ବାଦୀ’ ନୁହନ୍ତି। ଆନ୍ତରିକ ଆଦର୍ଶମୂଳକ ଆକାଂକ୍ଷା ସେମାନଙ୍କୁ ସେହି ପଥରେ ଚଲାଏ। ସେହି ଆଦର୍ଶ ଲାଗି ସେମାନେ ସର୍ବସ୍ବ ତ୍ୟାଗ କରିବା ପାଇଁ ପ୍ରସ୍ତୁତ; ସାଂସାରିକ ଲାଭାଲାଭ ପ୍ରତି ସେମାନେ ସମ୍ପୂର୍ଣ୍ଣ ନିରୁଦ୍‌ବେଗ। ପ୍ରକୃତ କବି, ବୈଜ୍ଞାନିକ, ଆବିଷ୍କାରକ-ଯେଉଁମାନେ ମାନବିକ ଇତିହାସ-ପୃଷ୍ଠାରେ ସଙ୍କେତ ରଖି ଯାଇଛନ୍ତି, ନୂଆ ନୂଆ ମାର୍ଗରେ ମାନବକୁ ଚଳାଇବା ପାଇଁ ଆଲୋକ ସମ୍ପାତ କରିଛନ୍ତି- ସେମାନେ ଏହି କୋଟୀର ଲୋକ। କିନ୍ତୁ ସେମାନେ ଅସୀମ ପଥର ପ୍ରାରମ୍ଭରେ। ଲକ୍ଷ୍ୟ ଆହୁରି ବହୁ ଦୂରରେ।

ମୁକ୍ତି ତ ଲକ୍ଷ୍ୟ। ତଥାପି ମନୁଷ୍ୟର ସ୍ବଭାବ ଓ ପ୍ରାକୃତିକ ପରିସ୍ଥିତି ଭେଦରେ ଏ ଲକ୍ଷ୍ୟ ସାଧନର ପ୍ରକାର ଓ ମାର୍ଗ ବିଭିନ୍ନ। ‘ମୁଁ ଚଞ୍ଚଳ ପ୍ରକୃତିର ଲୋକ। ଚଞ୍ଚଳତାକୁ ମୁଁ ଭଲପାଏ, ଅନ୍ୟର ସେବାରେ ନିଜକୁ ନିୟୋଜିତ କରିବାପାଇଁ ଭଲପାଏ। ଅନ୍ୟକୁ ସାହାଯ୍ୟ କରିବାରେ ମୋର ଆନନ୍ଦ, ଅନ୍ୟର ସ୍ବାର୍ଥସାଧନ ଲାଗି ମୋର ସ୍ବାର୍ଥ ବଳିଦେବା ପାଇଁ ତତ୍ପର। ସକଳ ମାନବିକତା ମୋର ବନ୍ଧୁ। ମୋର ଦୃଷ୍ଟିରେ ବଡ଼ ସାନ କିଏ ନାହିଁ। ଏହି ପଥରେ ପଥିକ ହୋଇ କ୍ରମେ ମୋର କ୍ଷୁଦ୍ର ଅହଙ୍କାର ସେବା-ଯଜ୍ଞର ପୂତ ଅଗ୍ନିରେ ଦଗ୍ଧୀଭୂତ ହୁଏ, ମୁଁ ଜଗତ୍-ବିଜୟୀ ହୁଏ। କ୍ଷୁଦ୍ର ସ୍ବାର୍ଥହିଁ ମତେ ସଂସାର ରଜ୍ଜୁରେ ବାନ୍ଧି ରଖେ, ତାହା ନଥିଲେ ଆଉ ଭୟ କାହିଁ? ଏପରି ଭାବରେ ମୁଁ ଜୀବନ୍ମୁକ୍ତ ହୁଏ।’ ଏହାହିଁ ଆମର ପ୍ରାଚୀନ ଶାସ୍ତ୍ର କଥିତ କର୍ମଯୋଗ। ଦୈନିକ ଜୀବନରେ ମଧ୍ୟ ଆମେ ଦେଖୁଁ-ଜଣେ ଜଣେ ଲୋକର ଅସାଧାରଣ ତ୍ୟାଗ ଆମର ଗୌରବାସ୍ପଦ ହୁଏ। ଏ ତ୍ୟାଗ କ୍ରମେ କ୍ରମେ ବଢ଼ି ଯେତେବେଳେ ଶେଷ ସୀମାରେ ପହଞ୍ଚେ, ସେତେବେଳେ ବ୍ୟକ୍ତିତ୍ବ-ବୁଦ୍‌ବୁଦ୍‌ ଅସୀମ ସାଗରର ଅଗାଧ ଜଳରାଶିରେ ନିମଜ୍ଜିତ ହୁଏ। କର୍ମଯୋଗର ଏ ବୈଶିଷ୍ଟ୍ୟ।

ଆଉ କେତେକ ଅଛନ୍ତି, ସେମାନଙ୍କର ସ୍ବଭାବ ବିଚାରବନ୍ତ। ସେମାନଙ୍କର କର୍ମରେ ଯେତେ ପ୍ରବୃତ୍ତି ଜନ୍ମେ ନାହିଁ, ଗଭୀର ଚିନ୍ତାହିଁ ସେମାନଙ୍କର ଜୀବନର ଲକ୍ଷଣ। ସେମାନେ ମର୍ମେ ମର୍ମେ ଅନୁଭବ କରନ୍ତି, ଜଗତ କ୍ଷଣିକ; କିଛି ଚିର ନୁହେଁ, ସବୁ ପରିବର୍ତ୍ତନଶୀଳ। ସବୁରି ଉପରେ ରାଜା-ମୃତ୍ୟୁ। ବନ୍ଧୁବାନ୍ଧବ, ମିତ, କୁଟୁମ୍ବ ସମସ୍ତେ ଦିନେ ଦିନେ ଚାଲି ଯାଆନ୍ତି। ଯାହା ରହିବ ନାହିଁ ତାହା ଉପରେ ସୁଖ ପାଇଁ ନିର୍ଭର କରିବା କି ବାତୁଳତା। ସେଥିପାଇଁ ସେପରି ଲୋକ ‘ନେତି ନେତି’ ନ୍ୟାୟରେ ସବୁ ପରିହାର କରି ଶାଶ୍ବତ, ଅକ୍ଷୟ, ଅମର ପ୍ରାପ୍ତ ହୁଅନ୍ତି- ଯାହାକୁ ଅଗ୍ନି ଦଗ୍ଧ କରିପାରେ ନାହିଁ, ସଲିଳ ଆର୍ଦ୍ର କରିପାରେ ନାହିଁ, କାଳ ଧ୍ବଂସ କରିପାରେ ନାହିଁ ଏହାହିଁ ମୁକ୍ତି। ଏହାହିଁ ଜ୍ଞାନଯୋଗର ବୈଶିଷ୍ଟ୍ୟ।

ପୁଣି କେତେକ ଅଛନ୍ତି, ଯେଉଁମାନଙ୍କର ସ୍ବଭାବ ଅନ୍ତର୍ଦୃଷ୍ଟି, ଆତ୍ମ-ବିଶ୍ଳେଷଣମୂଳକ। ସେମାନେ ଦେଖିଛନ୍ତି, ମନୁଷ୍ୟ ସୁଖ ପଛରେ ଥାଏ, କିନ୍ତୁ ସୁଖ କେବେ ଧରା ଦିଏ ନାହିଁ। ଏହାର କାରଣ ତନ୍ମ ତନ୍ମ ଆଲୋଚନା କରି ସେମାନେ ବୁଝନ୍ତି, ‘ମନର ମୂଳେ ଏ ଜଗତ’, ବାହ୍ୟ ଘଟଣାର ପ୍ରାୟ ତହିଁରେ କିଛି ସମ୍ପର୍କ ନାହିଁ। ବାହ୍ୟ ଘଟଣା ସହିତ ଆମେ ଯେଉଁ ଭାବରେ ପ୍ରତିକ୍ରିୟା କରୁ, ସେପରି ଭାବରେ ସୁଖୀ ବା ଅସୁଖୀ ହେଉ। ମନକୁ ଆୟତ୍ତ କଲେ ଜଗତ ଆୟତ୍ତ ହୁଏ, ଯେହେତୁ ଦୃଷ୍ଟ ଜଗତ ମନର ପ୍ରତିବିମ୍ବ ମାତ୍ର। ତେବେ ମନକୁ କିପରି ଆୟତ୍ତ କରାଯିବ? ଧ୍ୟାନ ଧାରଣ ଦ୍ବାରା ତାହା କରି ହେବ। ମନ ଡିଆଁ ମାରୁଥିବା ମାଙ୍କଡ଼ ପରି; ସବୁବେଳେ ଏଣେତେଣେ ଧାଉଁଥାଏ। ତାକୁ ଧରିବାକୁ ଚେଷ୍ଟା କଲେ ପ୍ରଥମେ ସେ ଆହୁରି ଅମାନିଆଁ ହୋଇ ନାନା ଉପଦ୍ରପ ଜନ୍ମାଏ। ତଥାପି ଦୃଢ଼ ଅଭ୍ୟାସ, କଠୋର ସଞ୍ଜମ, ଗଭୀର ଧାରଣା ବଳରେ ମନକୁ ଏକାଗ୍ର କରାଯାଇ ପାରେ। ମନ ଏକାଗ୍ର ହେଲେ ବିଶ୍ବର ମୌଳିକ ସତ୍ତା ଉପଲବ୍ଧ ହୁଏ, ସର୍ବଲୋକର ରହସ୍ୟ ଗଣ୍ଠି ଫିଟିଯାଏ। ଯୋଗୀ ଏପରି ଭାବରେ ଜଗତକୁ ଜିଣେ, ନିଜର ଅଧିକାରୀ ହୁଏ, ମୁକ୍ତି ପାଏ। ଏହାହିଁ ରାଜଯୋଗର ବୈଶଷ୍ଟ୍ୟ।

ପୁଣି କେତେକ ଅଛନ୍ତି, ଯେଉଁମାନଙ୍କର ସ୍ବଭାବ ଭାବପ୍ରବଣ। ସେମାନେ ଦେଖନ୍ତି ଜଗତର ଅନ୍ତରାଳରେ କୌଣସି ଅଦୃଷ୍ଟ ଇଙ୍ଗିତ ଅଛି। ଘଟଣାର ପ୍ରତିଘାତରେ ମନୁଷ୍ୟ ନିଜକୁ ନିଃସହାୟ ମନେକରେ। ସେ ଦେଖେ ପ୍ରତିକୂଳ ଅବସ୍ଥାରେ ତାହାର ସକଳ ଚାତୁର୍ଯ୍ୟ, ବୁଦ୍ଧି, କୌଶଳ, ବଳ କାହିଁ ଉଭେଇ ଯାଇଛି। ସେଥିପାଇଁ ସେ ବୋଧକରେ ବାସ୍ତବିକ୍ ଏପରି କୌଣସି ଅଦୃଷ୍ଟ ହସ୍ତ ଅଛି-ଯାହାକି ତାହାର ଭାଗ୍ୟ ନିୟନ୍ତ୍ରଣ କରୁଛି। ସେ ନିଜ ଇଛା ଅନୁସାରେ କୌଣସି କାର୍ଯ୍ୟ ସାଧନ କରିପାରେ ନାହିଁ। ଜଗତ-ଇତିହାସ ପୃଷ୍ଠାରେ ସେ ପଢ଼େ, କିପରି ଜଣେ ନେପୋଲିଅନ୍‌ର ଦୁର୍ଦ୍ଧଷ ସାମରିକତା ବ୍ୟର୍ଥ ହୋଇଥିଲା, ଜଣେ କାଇଜରର ଗର୍ବ ଖର୍ବ ହୋଇଥିଲା, ଜଣେ ହିଟ୍‌ଲର୍‌ ଧୂଳିରେ ମିଶିଯାଇଥିଲା, ଉଦ୍ଧତ ସାମ୍ରାଜ୍ୟବାଦର ହିଂସ୍ରକ ମୁକୁଟ ତଳକୁ ଖସି ପଡ଼ୁଛି। ବାସ୍ତବିକ୍ ଏପରି କୌଣସି ମହୀୟାନ୍ ଶକ୍ତ ଅଛି ଯାହାର ଆଜ୍ଞାରେ ହିଁ ଆମେ ବଞ୍ଚୁଛୁ, କାର୍ଯ୍ୟକ୍ଷମ ହେଉଛୁ। ସେ ଆଜ୍ଞାକୁ ଲଙ୍ଘି ଆମେ ଏକପାଦ ମଧ୍ୟ ଅଗ୍ରସର ହୋଇ ପାରିବୁ ନାହିଁ। ଏଥିପାଇଁ ମନୁଷ୍ୟ ସ୍ବତ୍ତଃପ୍ରବୃତ୍ତ ହୋଇ ବା ନ ହୋଇ ବଳ, ସାହାଯ୍ୟ, ରକ୍ଷା ପାଇଁ ସେହି ଶକ୍ତିକୁ ପ୍ରାର୍ଥନା କରେ। କ୍ରମେ କ୍ରମେ ଏ ପ୍ରାର୍ଥନା ଦ୍ବାରା ଚିତ୍ତଶୁଦ୍ଧ ହୋଇ ସେ ଦେଖେ, ସେ ଯେତେଦୂର ନିଜର କ୍ଷୁଦ୍ର ବ୍ୟକ୍ତିତ୍ବ ଭୁଲି ସେହି ଶକ୍ତି ସଙ୍ଗେ ନିଜକୁ ସଂଯୋଜିତ କରି ପାରିବ, ସେତେଦୂର ସେ ପରମ ସୁଖ ପାଇବ। ବିରାଟ କଳାକାରର ସୃଜନମୂଳକ କାମନାରୁ ଜଗତର ସୃଷ୍ଟି। ସେ ସୃଜନର ଅଭିପ୍ରାୟ-ସୀମା ଭିତରେ ହିଁ ଆମର ବ୍ୟକ୍ତିତ୍ବ ଚାଳିତ ହୋଇପାରେ। ତେବେ ମନୁଷ୍ୟ କି ଚିର ଦାସ? ତାହାର କି ସ୍ବତନ୍ତ୍ର ବ୍ୟକ୍ତିତ୍ବ ନାହିଁ? ନା, ଏପରି ବୁଝିବା ଭୁଲ୍। ସ୍ରଷ୍ଟାର ଏକୀକରଣରେ ହିଁ ତାହାର ପ୍ରକୃତ ବ୍ୟକ୍ତିତ୍ବ ଫୁଟିଉଠେ। ସ୍ରଷ୍ଟାର ପଦପଙ୍କଜରେ ହିଁ ତାହାର ସକଳ ଆଶା-ଭରସା ପରିପୂର୍ଣ୍ଣ ହୁଏ। ସେ ପଦ-ପଙ୍କଜରୁ ବିଚ୍ଛିନ୍ନ ହେବାର ଔଦ୍ଧତ୍ୟ ହିଁ ମନୁଷ୍ୟକୁ କଷ୍ଟ ଦିଏ। ନିର୍ଝରିଣୀ ଝର ଝର ନାଦରେ ଅବିରାମ ଗତିରେ ସମୁଦ୍ରରେ ନିଜକୁ ମିଶାଇ ଦେବା ପାଇଁ ବହୁଥାଏ। ସେତେବେଳେ ତାହାର ଜଳ ସ୍ବଚ୍ଛ, ଜୀବନ ସଚଳ। କିନ୍ତୁ ତହିଁରୁ ଅଲଗା ହୋଇ ଯେତେବେଳେ ଗୋଟିଏ ପଲ୍ବଳ ନିଜକୁ ସର୍ବେସର୍ବା ମନେକରେ, ସେତେବେଳେ ସେ ହୁଏ ଅଚଳ, ମୃତ, ଦୁର୍ଗନ୍ଧ। ସେହିପରି ବିଚ୍ଛିନ୍ନ ବ୍ୟକ୍ତିତ୍ବକୁ ବିରାଟ ଭୂମାର ଅପ୍ରତିହତ ବିଚିତ୍ର ଗତିରେ ମିଶାଇ ଦେଲେ ହିଁ ଆମେ ସେହି ଭୂମାର ଉତ୍ତରାଧିକାରୀ ହେଉ, ବଳବନ୍ତ ହେଉ, ମୁକ୍ତି-ସୁଧା ଆସ୍ବାଦନ କରୁ। ପୁଣି ଉପାସନା ମାର୍ଗରେ ଦେଖୁ ସେହି ଶକ୍ତି, ସେହି ଭୂମା କେବଳ ବାହାରେ ନାହିଁ, ଆମର ଅନ୍ତରରେ ତାହା ସର୍ବଦା ବିରାଜିତ। ଏହାହିଁ ଭକ୍ତିଯୋଗର ବୈଶିଷ୍ଟ୍ୟ।

ଅସୀମର ପ୍ରରୋଚନାରେ ସବୁ ଧର୍ମର ସୃଷ୍ଟି। ଅସୀମର ଆହ୍ବାନ ଚିରନ୍ତନ, ମଧୁର, ସାନ୍ତ୍ବନାଦାୟକ, ଅଭୟକାରକ। ସେ ଆହ୍ବାନ କି ଆମେ ଶୁଣିବା ନାହିଁ?