“ଅତିରିକ୍ତ ଯନ୍ତ୍ରୀ” ଉଚ୍ଚାରଣ କରିବାକୁ କଷ୍ଟ ହେବାରୁ ଲୋକେ ଭଗବାନ ବାବୁ ଓରଫ ଭାଗୁବାବୁଙ୍କୁ ‘ଅଯନ୍ତ୍ରୀ’ ବୋଲି ଡ଼ାକୁଥିଲେ। ଅଯନ୍ତ୍ରୀ ନହେବା ଯାଏଁ ସେ ବାହାଘର ନାଁ ଶୁଣିଲେ ଫିଡୁକୁଥିଲେ। ଅଯନ୍ତ୍ରୀ ପଦବୀଟାକୁ ଥୋପ କରି ସେ ବିନିଶୀଟାକୁ ଶ୍ବଶୁରଘର ଦୀଘିରେ ପକେଇ ଥିଲେ। ଗୋଟାଏ ବିରାଟକାୟ ରୋହି ଟାପୁ କରି ଥୋପଟାକୁ ଗିଳିଦେଲା। ସେ ରୋହି ହେଉଛନ୍ତି ଲକ୍ଷପତି କୁବେର ଦଳେଇ। ଉଭା ଯେତେ, ପୋତା ସେତେ। ତାଙ୍କ ଅଲିଅଳି ଝିଅ ଦୁମୁକିର ଦେହ ରଙ୍ଗଟା ଶ୍ୟାମଳରୁ କମ୍। ମୁହଁର ଗଠନଟା ବିରାଡ଼ି ମୁହଁଠାରୁ ଟିକିଏ ଭଲ। କଳାଶ୍ରୀମୁଖରେ ଛାମୁ ଦାନ୍ତ ଦୁଇଟା ଘନମେଘ କୋଳରେ ବିଜୁଳି ଚମକିଲା ପରି ଭ୍ରମ ଜାତ କରାଉଥିଲା। ବିରାଡ଼ିକୁ ଦେଖି ଦୂରୁ ମୂଷା ବାଟ କାଟିଲା ପରି ଦୁମୁକିର ଦାନ୍ତ ଦେଖି ଦୁଇଜଣ ଆଇଏଏସ ଅଫିସର ନିଜ ମୁହଁ ମୋଡ଼ି ଛାନିଆଁରେ ପଳେଇବାରୁ ଦଳେଇବାବୁ ଚାଇନିଜ ଦାନ୍ତ ଡ଼ାକ୍ତର ପାଖରେ ସେ ଦୁଇ ଦାନ୍ତକୁ ବଦଳେଇ ନୂଆ ଡ଼ାଳିମ୍ବ ବୀଜଦନ୍ତ ମୁତୟନ କରିଥିଲେ। ତା’ପରେ ହାବୁଡ଼ିଗଲେ ଅଯନ୍ତ୍ରୀ।
ମଧ୍ୟସ୍ଥିଙ୍କ ସଙ୍ଗେ କଥାବାର୍ତ୍ତା ହେଲାବେଳେ ଦଳେଇବାବୁ କହିଲେ-ସେତ ମୁଖ୍ୟ ନୁହଁନ୍ତି…ଉଁ-ଉଁ-ଅତି-ରିକ୍ତ। ମଧ୍ୟସ୍ଥି ଦଳେଇଙ୍କ ପେଟଭିତରର କଥାଟାକୁ ପଟ୍କରି ଧରି ପକେଇଲେ। ସଙ୍ଗେ ସଙ୍ଗେ ଉତ୍ତରଦେଲେ ‘ଅତିରିକ୍ତ’ଟା କାଲି ସକାଳେ ମୁଖ୍ୟ ହୋଇଯିବ। ମୁଖ୍ୟ ମରିଯିବା ପରେ ଶବ ନଉଠୁଣୁ ‘ଅତିରିକ୍ତ’ ଯାଇ ମୁଖ୍ୟଙ୍କ ଗାଦିରେ ବସିଯିବେ। ମଝିରେ ଆଉ କେହି ନାହାନ୍ତି ଯେ। ଆମେ ବି ସେଥିପାଇଁ ଚଣ୍ଡୀ ମନ୍ଦିରରେ ନିଇତି ଘିଅ ଦୀପ ଦେଉଛୁ, ସେ ଯେମିତି ମୁଖ୍ୟଙ୍କୁ ଶିଘ୍ର ସ୍ବର୍ଗବାସୀ କରାନ୍ତୁ। ଦଳେଇ ଏଥିରେ ରାଜି ହୋଇଗଲେ।
ବାହାଘରଟା ଖୁବ୍ ଜାକଜମକରେ ହୋଇଗଲା। ଯୌତୁକର ଧାସ କେହି ଦେଖିଲେ ନାହିଁ। ଅଯନ୍ତ୍ରୀ କିନ୍ତୁ ନିଜର ଅଧା ତିଆରି ହୋଇ ପଡ଼ିରହିଥିବା କୋଠାଟାକୁ ଚଟାପଟ୍ ସାରିଦେଲେ। ସେ କୋଠାର ବିଶାଳତା ଦେଖି ଭିଜିଲାନ୍ସ କୁଆଡେ ଛିଙ୍କି ଦେଇଥିଲା। ଫଳରେ ଅଧା ତିଆରି କୋଠାଟା କେତେବର୍ଷ ଯାଏଁ ଉତ୍ଥାନ ଶକ୍ତି ରହିତ ହୋଇ ପଡ଼ି ରହିଥିଲା। ଅଯନ୍ତ୍ରୀ ପୂର୍ଣ୍ଣତା ପାଇବାର ଆନନ୍ଦରେ ସେ ବି ପୂର୍ଣ୍ଣତା ପାଇଗଲା। ଅଯନ୍ତ୍ରୀ ସସ୍ତ୍ରୀକ ମହାଆଡମ୍ବରରେ ଗୃହ ପ୍ରବେଶ କଲେ। କିନ୍ତୁ ଗାଡ଼ିଶାଳ ବା ଗ୍ୟାରେଜଟା ସେମିତି ଫାଙ୍କା ରହିଥିଲା।
ସାପ କାମୁଡ଼ିଥିବା ଲୋକ ପାଳଦଉଡ଼ା ଦେଖିଲେ ଡରେ। ଭିଜିଲାନ୍ସ ଥରେ ଛିଙ୍କିଥିବାରୁ ସେ ବହୁତ ହଇରାଣ ହୋଇଥିଲେ। ସେ ଛିଙ୍କର ଭୟାବହତା ଏଡେ ତୀବ୍ର ଥିଲା ଯେ ସେ ବଡ଼ ହୁସିଆର ହୋଇଯାଇଥିଲେ। ଆଉଥରେ ଭିଜିଲାନ୍ସ ଯେପରି ନଛିଙ୍କେ ସେଥିପ୍ରତି ଖୁବ୍ ଦୃଷ୍ଟି ଦେଇଥିଲେ। ସେଥିଲାଗି ନିଜର ଗୋଟାଏ ଗାଡ଼ି କରିବାକୁ ସେ କଣ୍ଟ୍ରାକ୍ଟରଙ୍କ ପକେଟରେ ହାତ ପୁରାଇବାକୁ ଭୟ କରୁଥିଲେ। ଦରମାଟଙ୍କାରେ ଗାଡ଼ି କିଣିବା ଏକପ୍ରକାର ଅସମ୍ଭବ ଥିଲା। ମୁହଁଖୋଲି ଶ୍ବଶୁରଙ୍କୁ କହିବା ମଧ୍ୟ ଏକପ୍ରକାର ବେହିଆମି ହୋଇଥାନ୍ତା। ତାଙ୍କରି ଯୋଗୁଁ କୋଠାଟା ପୂର୍ଣ୍ଣାଙ୍ଗ ହୋଇଛି। ସେଥିରେ ତାଙ୍କ ଥଳିଟି ବହୁତ ଶୁକୁଟି ଯାଇଥିଲା। କେଉଁ ମୁହଁରେ ସେ ପୁଣି ଗୋଟିଏ ଆମ୍ବାସଡର୍ ପାଇଁ ଅଳି କରିବେ? ସ୍ତ୍ରୀ ପାଖରେ ବହୁତ ପଦ୍ମତୋଳା ବୋଲିଲେ। ଦୁମ୍କି ଦେବୀ କିନ୍ତୁ ଧଣ୍ଡସାପ ପରି ତାହା କାନରେ ପୁରେଇଲେ ନାହିଁ କି ମୁଣ୍ଡ ଟେକିଲେ ନାହିଁ।
ଶେଷରେ ମଧ୍ୟସ୍ଥି ଯାଇ ଦଳେଇବାବୁଙ୍କ ପାଖେ ତେଲ ପିମ୍ପା ଖୋଲିଲେ। ସେ କହିଲେ- ଅଯନ୍ତ୍ରୀ ବାବୁ ଖୁବ୍ ଅଳ୍ପ ଦିନରେ ଯେ ମୁଖ୍ୟଯନ୍ତ୍ରୀ ହୋଇଯିବେ ତାହାର ସମ୍ଭାବନା ଦେଖାଦେଲାଣି। ଆଗେ ଚଣ୍ଡୀମନ୍ଦିରରେ ବନସ୍ପତି ଘିଅର ଦୀପ ଦିଆଯାଉଥିଲା। ସେଗୁଡ଼ାକୁ ଗୋରୁ ଚର୍ବିବୋଲି ଖବରକାଗଜରେ ବାହାରି ପଡ଼ିଲା। ଚଣ୍ଡୀ ମାଆଙ୍କୁ କଥାଟା ଆଉ ଲୁଚାଇବ କିଏ? ବନସ୍ପତି ଦୀପ ଆଡ଼େ ସେ ବିଲକୁଲ ଚାହିଁଲେ ନାହିଁ। ଆମେ ସେ ବନସ୍ପତି ଦୀପ ବନ୍ଦ କରିଦେଲୁ। କଟକର ବାଙ୍କା ବଜାରରେ ମିଳୁଥିବା ଖାଣ୍ଟି ଗୁଆ ଘିଅର ଦୀପ ଦେବା ଆରମ୍ଭ କଲୁ। ଦେବୀ ଯେ ତାକୁ ଆଦରରେ ଗ୍ରହଣ କଲେ ତାହା ପରିଷ୍କାର ଜଣା ପଡ଼ିଗଲା। ମୁଖ୍ୟଯନ୍ତ୍ରୀ ଏବେ ଶକ୍ତି ବେମାର ପଡ଼ିଛି। ଡ଼ାକ୍ତରମାନ ଜାଣି ପାରୁ ନାହାନ୍ତି। ଏହାର ଅର୍ଥ କ’ଣ? ଏହା କ’ଣ ଚଣ୍ଡୀମାଆଙ୍କର ଆମ ପ୍ରତି ଦୟା ନୁହେଁ? ଏହା କଅଣ ବାଙ୍କା ବଜାର ଘିଅ ଦୀପର କରାମତି ନୁହେଁ? ଜ୍ବାଇଁଙ୍କର ମୁଖ୍ୟଯନ୍ତ୍ରୀ ହେବାର ସମ୍ଭାବନାଟା ପାଖରେ ଦେଖାଗଲାଣି। ହେଲେ ଲୋକଙ୍କ ମୁହଁରେ ଆପଣଙ୍କର ଆଉ ଆପଣଙ୍କ ଝିଅର ତାରିଫ କେବଳ ଶୁଭୁଛି। ଅଯନ୍ତ୍ରୀଙ୍କ ଭାଗ୍ୟର ଉଦୟ କେବଳ ଆପଣଙ୍କ ଲାଗି ସମ୍ଭବ ହେଲା। ଆପଣଙ୍କ ଝିଅ ମା’ ଲକ୍ଷ୍ମୀଙ୍କର ଚଳନ୍ତି ପ୍ରତିମା। ସେ ଘରେ ବିଜେ କଲେନି ଯେ ମା ଲକ୍ଷ୍ମୀ ବିଜେ କଲେ। ଗୋଟିଏ କଥା ଲାଗି ଜ୍ବାଇଁ ଝିଅଙ୍କ ମୁଣ୍ଡ ତଳକୁ ହୋଇଯାଉଛି। ଜ୍ବାଇଁଙ୍କ ପାହ୍ୟାର ସବୁ ଅଫିସରମାନ ନିଜ ନିଜର ଗାଡ଼ିରେ ଚଢୁଛନ୍ତି, କିନ୍ତୁ ଜ୍ବାଇଁ ଝିଅ ଚଢୁଛନ୍ତି ସରକାରୀ ଗାଡ଼ି କିମ୍ବା ରିକ୍ସା। ବେଳେବଳେ ସେମାନଙ୍କୁ ରିକ୍ସାରେ ଯିବା ଦେଖି ଲୋକ ଟୁପୁରୁ ଟାପର ହେଉଛନ୍ତି-ଆରେ ଦେଖ ହୋ, କୁବେର ବାବୁଙ୍କ ଝିଅ ଜ୍ବାଇଁ ରିକ୍ସାରେ ଯାଉଛନ୍ତି। ଆପଣଙ୍କ ଝିଅ ଆଉ ବେଶି ପଦାକୁ ବାହାରୁ ନାହାନ୍ତି।
କୁବେର ବାବୁ ବୁଝିଗଲେ ଝିଅ କୋଉଥିଲାଗି ପଦାକୁ ବାହାରୁ ନାହିଁ। ଗାଡ଼ି ଭିତରେ ଗଲେ ଶ୍ରୀମୁଖଟା ଘୋଡ଼େଇ ହୋଇପଡ଼େ। ରିକ୍ସାରେ ଗଲାରୁ ମୁହାଁମୁହିଁ ଦିଶିଯାଉଛି। ଜ୍ବାଇଁର ଇଜ୍ଜତ ଗଲେ ଝିଅର ବି ଇଜ୍ଜତ ଗଲା। ହଉ ଦେଖିବା।
ଶେଷରେ ପାଞ୍ଚ ଛଅମାସପରେ ଫିଆଟ୍ ଗାଡ଼ିଟାଏ ଝିଅଜ୍ବାଇଁଙ୍କ ଲାଗି ଆସିଲା। ଅଯନ୍ତ୍ରୀ ବାବୁ ନିଜର ନୂଆଗାଡ଼ିରେ ଅଫିସ ଗଲେ। ସସ୍ତ୍ରୀକ ବଜାରକୁ ସଉଦା କରିଗଲେ। ମୋଟ ଉପରେ ନିଜ ଗାଡ଼ିରେ ଚଢିବାର ସନ୍ତୋଷଟା ପୁରାପୁରି ପାଇଯିବା ପରେ ପେଟ୍ରୋଲ ବିଲ୍ଟା ଦେଖି ଚମ୍କି ପଡ଼ିଲେ। ଆରେ ଆରେ ଗାଡ଼ି ପେଟ୍ରୋଲ ପିଇବ କ’ଣ ପେଟ୍ରୋଲ ତ ଗାଡ଼ିକୁ ଚକଟି ପିଇବା ଆରମ୍ଭ କଲାଣି। ଆଉ କେତେ ଦିନ ଗଲେ ମୋତେ ବି ପିଇଦେବ। ଉପୁରି ଖାଇବା ରୋକିବା ଲାଗି ଯାହାର ପାଟି ସିଲେଇ କରି ଦିଆଯାଇଛି, ତା ପକ୍ଷରେ ଏ ଚାରିଗୋଡ଼ିଆ ଜନ୍ତୁଟିକୁ ଚାକରପଣେ ଖଟେଇବା ଯେ କି କଷ୍ଟକର ତାହା କେବଳ ଭୁକ୍ତଭୋଗୀମାନ ଜାଣନ୍ତି, ଆଉ ଏବେ ମୁଁ ଜାଣିଲି। ସରକାରୀ ଗାଡ଼ି କେତେ ପେଟ୍ରୋଲ ପିଉଥିଲା ତାହା ଜଣା ପଡୁ ନଥିଲା। ସେ ଗାଡ଼ି ନିଜେ ପିଉଥିଲା, ଅନ୍ୟକୁ ପିଆଉ ଥିଲା ଅଥଚ କାହାକୁ କିଛି ବାଧୁ ନଥିଲା। ଏବ ନିଜ ଗାଡ଼ିରେ ପେଟ୍ରୋଲ ପିଆଟା ଚାଉଁକରି ଦିହରେ ଲାଗିଯାଉଛି। କ୍ରମେ ଅବସ୍ଥାଟା ଏତେ ଖରାପ ହୋଇ ଆସିଲା ଯେ, ଗାଡ଼ିଟା ଅଯନ୍ତ୍ରୀଙ୍କ ଖାଦ୍ୟ ଆଡକୁ ହାତ ବଢାଇଲା ପରି ଜଣାଗଲା। ନାଗ ଚୁଚୁନ୍ଦ୍ରାଟାକୁ ଧରିଲେ ତାକୁ ଯେପରି ଗିଳିପାରେ ନାହିଁ କି ଛାଡ଼ି ପାରେ ନାହିଁ, ଅଯନ୍ତ୍ରୀ ବାବୁ ସେହିପରି ରଖିପାରୁ ନଥାନ୍ତି କି ଛାଡ଼ିଦେଇ ପାରୁ ନଥାନ୍ତି। ଘରୁ ଅଫିସ ୨୩ କି.ମି. ରାସ୍ତା। ଯିବା ଆସିବା ୪୬ କି.ମି. ପାଇଁ ବି ପେଟ୍ରୋଲ ଯୋଗାଇବା କଷ୍ଟକର ହେଲ। ଅନ୍ୟ ଖର୍ଚ୍ଚରୁ କାଟିବାକୁ ପଡ଼ିଲା। ଚାଳକ ଜଣେ ରଖିଲେ ଦରମା ଯୋଗାଇବାକୁ କଷ୍ଟ ହେବ ଭାବି ଅଯନ୍ତ୍ରୀ ନିଜେ ଗାଡ଼ି ଚଳାଉଥିଲେ।
ଅଫିସକୁ ଯିବା ଆସିବା ରାସ୍ତାରୁ କିଛି ଯାତ୍ରୀ ଯୋଗାଡ କରି ପେଟ୍ରୋଲ ଖର୍ଚ୍ଚାନ୍ତ ଅନ୍ତତଃ ଉଠେଇ ନେବାକୁ ଅଯନ୍ତ୍ରୀବାବୁ ମନେ ମନେ ଠିକ୍ କରିନେଲେ। ପଛ ସିଟ୍ରେ ଚାରିଜଣ ଯାତ୍ରୀ ବସେଇ ନେଇଗଲେ କେହିଜାଣି ପାରିବେନି, ଅଥଚ ପେଟ୍ରୋଲ ଦାମ୍ଟା ଉପରେ ଉପରେ ମିଳିଯିବ। ଯିବା ଆସିବାରେ ଏହିପରି ଆଠଜଣ ଯାତ୍ରୀମିଳିଗଲେ କାମ ଫତେ। ବସ୍ଷ୍ଟାଣ୍ଡମାନଙ୍କରେ ଯାତ୍ରୀମାନେ ଯେପରି ସାଲୁବାଲୁ ହେଉଛନ୍ତି ଓ ଗାଡ଼ି ଫେଲ୍ ହୋଇ ମୁହଁ ଆମ୍ବିଳା କରୁଛନ୍ତି, ସେଥିରେ ମାତ୍ର ଚାରି ଚାରିଟା ଯାତ୍ରୀ ଗୋଟେଇ ନେବା ଏକ କିଞ୍ଚିତକର କଥା।
ପହିଲିଦିନ ବସ୍ଷ୍ଟାଣ୍ଡ ଦଇ ଅଫିସ ଆସିଲାବେଳେ ଟିକିଏ ଦୂରରେ ଚାରିଜଣ ଲୋକ ଅପକ୍ଷା କରୁଥିବାର ଦେଖି ଗାଡ଼ି ଅଟକେଇ ଦେଲେ ଆଉ ପଚାରିଲେ-ରାଜଧାନୀ ଆଡେ ଯିବେ କି? ଚାରିଜଣଯାକ ଏକ ସଙ୍ଗେ କହିଲେ ହଁ-ହଁ ଯିବୁ। ଅଯନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ଚାରିଜଣଯାକ ପଛସିଟ୍ରେ ବସିପଡ଼ିଲେ। ଗାଡ଼ି ଚାଲିଲାବେଳେ ଅଯନ୍ତ୍ରୀ ଗପିଚାଲିଲେ-ଆମ ଇଂଲଣ୍ଡରେ ଜଣେ ଖାଲି ଗାଡ଼ି ନେଇଯାଉଥିଲାବେଳେ ରାସ୍ତାରେ ଯଦି କୌଣସି ବାଟୋଇକୁ ଚାଲି ଚାଲି ଯାଉଥିବାର ଦେଖେ, ତେବେ ସେ ଗାଡ଼ି ଅଟକାଏ, ଆଉ ସେ ବାଟୋଇକୁ ଗାଡ଼ିରେ ବସାଇ ତାର ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ଦିଏ। ଏଇଟା ସେଠି ଏକ ସାଧାରଣ ଭଦ୍ରତା। ଦୁଃଖର କଥା ଏ ଦେଶରେ କେହିବି ଏ ଭଦ୍ରତା କଥା ଜାଣନ୍ତି ନାହିଁ।
ଜଣେ ଅତି ଆଗ୍ରହର ସହିତ କହି ପକାଇଲେ-ସେମାନେ ସେତିକି ଭଦ୍ର ନ ହୋଇଥିଲେ ଏ ଛତରା ଦଶଟାକୁ ୨୦୦ ବର୍ଷଧରି ଶାସନ କରିଥାନ୍ତେ? ଅନ୍ୟମାନ ମନେ ମନେ ଭାବିଲେ ଯାହାହେଉ ବସ୍ଭଡ଼ାଟା ଆଜି ବଞ୍ଚିଗଲା।
ହଠାତ୍ ଗାଡ଼ିଟା କେମିତି ଗୋଟେ ଅସ୍ବାଭାବିକ ଶବ୍ଦ କରି ଗୋଟାଏ ପେଟ୍ରୋଲ ଡ଼ିପୋ ପାଖରେ ଅଟକିଗଲା। ଅଯନ୍ତ୍ରୀ ବିବ୍ରତ ହୋଇପଡ଼ି କହିଲେ-ଓଃ, କି ଭୁଲ୍ଟା କରି ପକେଇଲି। ଘର ପାଖରେ ପେଟ୍ରୋଲ ପକେଇ ଦେଇଥିଲେ ଭଲ ହୋଇଥାନ୍ତା। ଟଙ୍କା ଥଳିଟିବି ଘରେ ଛାଡ଼ି ଦେଇ ଆସିଲି। ଗାଡ଼ିଟା ବାଟରେ ଏମିତି ଦଗା ଦେବ ବୋଲି କିଏ ଜାଣିଛି। ଏବେ କରେ କଅଣ। କୋଡ଼ିଏଟି ଟଙ୍କାର ପେଟ୍ରୋଲ ନହେଲେ ଏ ଗାଡ଼ି ନହୁଙ୍କେ। ଅଫିସ ଆଜି ଯାଇ ପାରିବିନି ଦେଖୁଛି।
ଯାତ୍ରୀମାନେ ଦେଖିଲେ ଏତେବଡ ଜଣେ ଇଂଲଣ୍ଡ ଫେରନ୍ତା ଅଫିସରକୁ ଏତେବେଳେ ସାହାଯ୍ୟ କରିଥିଲେ ଭବିଷ୍ୟତରେ ବହୁତ କାମରେ ଲାଗିବ। ଟ୍ୟାକ୍ସିରେ ଆସିଥିଲେ ଚାରିଟଙ୍କା ପଡ଼ିଥାନ୍ତା, ହେଇ ହେଇ ଜଣକୁ ଟଙ୍କାଏ ଲେଖାଏଁ ଅଧିକ ପଡ଼ିବ। ସେଇଟା କିଛି ନୁହେଁ। ଏହା ଭାବି ସମସ୍ତେ ନିଜ ନିଜ ମୁଣିରୁ ଟଙ୍କା କାଢି କୋଡ଼ିଏଟି ଟଙ୍କା ଅଯନ୍ତ୍ରୀଙ୍କ ହାତରେ ଗୁଞ୍ଜିଦେଲେ। ଗାଡ଼ି ଠେଲା ହୋଇ ପମ୍ପ ପାଖକୁ ନିଆଗଲା ଓ ପେଟ୍ରୋଲ ପୁରାଗଲା। ଅଯନ୍ତ୍ରୀବାବୁ ଏତେ କୃତଜ୍ଞତା ଜଣାଇଲେ ଯେ ଚାରିଜଣଯାକକୁ ମାଡ଼ି ମାଡ଼ି ପଡ଼ିଲା। ଯାହାହେଉ ଗାଡ଼ି ଚାଲିଲା। ଗନ୍ତବ୍ୟସ୍ଥଳରେ ଚାରିଜଣଙ୍କୁ ଓହ୍ଲାଇ ଅଯନ୍ତ୍ରୀ ବାବୁ ଅଫିସ ଚାଲିଗଲେ। ଦୁଇତିନି ଦିନର ପେଟ୍ରୋଲ ଟାଙ୍କିରେ ମହଜୁଦ କରିଦେଇ ପାରିଥିବାରୁ ବେଶ ଆତ୍ମପ୍ରସାଦ ଅନୁଭବ କଲେ।
ଗାଡ଼ିଆ ଯେଉଁଠି ଥିବ ସେଠି ଘଣ୍ଟା ଘଣ୍ଟି କଲେ ନିଶ୍ଚୟ ଗୋଟା ଦିଇଟା ମୀନ ମିଳିବ। ସେମିତି ରାଜପଥରେ ଆଖି ବୁଲାଇଲେ ଅବଶ୍ୟ ଦି’ଚାରିଟା ଯାତ୍ରୀ ମିଳିବେ। ଅଯନ୍ତ୍ରୀବାବୁ ଅଫିସରେ ରାତି ପର୍ଯ୍ୟନ୍ତ ଖଟି ଘରକୁ ଫେରିଲେ। ଗୋଟାଏ ଗୁଳିରେ ଯୋଡ଼ାଏ ଚଢେଇ ଶିକାର କଲେ। କର୍ମତତ୍ପରତା ଦେଖାଇ ଉପରିସ୍ଥ ହାକିମଙ୍କ ପ୍ରଶଂସାଭାଜନ ହେଲେ, ଆଉ ରାତିରେ ଯାତ୍ରୀ ପାଇବାର ମଉକା ବି ବଢ଼ିଲା।
ଫେରିବା ରାସ୍ତାରେ ସେହିପରି ଚାରିଜଣ ଯାତ୍ରୀଙ୍କୁ ଗୋଟେଇଲେ। ପୂର୍ବପରି ତାଙ୍କ ଇଂଲଣ୍ଡ କାହାଣୀ ଆବୃତ୍ତି କଲେ। ଯାତ୍ରୀମାନେ ମଧ୍ୟ ତାଙ୍କୁ ବଧେଇ ଦେବାରେ ଲାଗିଲେ। ବାଟରେ ଗୋଟାଏ ପ୍ରସିଦ୍ଧ ରସଗୋଲା ପେଣ୍ଠ ପାଖରେ ଗାଡ଼ି ଅଟକିଲା। ସେ ଯାତ୍ରୀମାନଙ୍କୁ କହିଲେ -ଯାଅ ସେ ଗୁଡ଼ିଆ ଦୋକାନରେ ରସଗୋଲା ଖାଇ ନିଅ। ଏଠି ବସ୍ କି ଟ୍ୟାକ୍ସି କିଛି ଅଟକେ ନାହିଁ। ଯାତ୍ରୀମାନେ ଏଠା ରସଗୋଲା କଥା ଭାବି ଡହଳ ବିକଳ ହୁଅନ୍ତି। ମୁଁ ଗାଡ଼ିରେ ବସିଛି, ତୁମେ ସମସ୍ତେ ଯାଅ ଖାଇଦେଇ ଆସ, ତାପରେ ଯିବା। ଯାତ୍ରୀମାନେ ଖୁବ୍ ଖୁସି ହୋଇଗଲେ। କିଏ ମନେ ମନେ ଭାବିଲା, ବାବୁ ଜଣକ ଦେବତା, କିଏ ଭାବିଲା, ଆହା ସେ ଅନ୍ତର୍ଯ୍ୟାମୀ, ମନକଥା ଜାଣିଯାଉଛନ୍ତି। କିଏ ଭାବିଲା-ଆଃ ବଡ଼ ଦିଲ୍ଦାରିଆ ବ୍ୟକ୍ତି।
ସମସ୍ତେ ଗାଡ଼ିରୁ ଓହ୍ଲେଇ ଦୋକାନକୁ ଗଲେ। ସେମାନେ କିଛିବାଟ ଯାଇଛନ୍ତି ଏତିକି ବେଳେ ଅଯନ୍ତ୍ରୀ ବାବୁ କହିଲେ ମୋ ପାଇଁ ଦଶ ଟଙ୍କାର ରସଗୋଲା ହାଣ୍ଡିଟିଏ ଆଣିଥିବ। ଓହ୍ଲେଇବା ଥାନରେ ମୁଁ ପଇସା ଦେଇଦେବି। ଯାତ୍ରୀମାନେ ରସଗୋଲା ଖାଇଲାବେଳେ ଭାବୁଥାନ୍ତି- ଆହା କି ନିଃସ୍ବାର୍ଥପର ଲୋକ। ଆମ ପାଇଁ କଅଣ ନକଲେ। ଆମର ତାଙ୍କୁ ମାଗଣାରେ ରସଗୋଲା ଦେବା କଥା। ଅଥଚ ସେ ଟଙ୍କା ଦେଇଦେବାକୁ ତିଆର। ଆମ ପାଖରେ ଅଧିକ ଟଙ୍କା ଥିଲେ ଆମେ ତାଙ୍କଠୁ ଟଙ୍କା କେବେ ହେଲେ ନିଅନ୍ତୁ ନାହିଁ। ଆହା କି ଦୟାବନ୍ତ ଓ ବିବେକବାନ୍ ପୁରୁଷ!
ସମସ୍ତେ ଗାଡ଼ିରେ ବସିଲେ ଓ ରସଗୋଲା ହାଣ୍ଡିଟା ବାବୁଙ୍କ ହାତକୁ ବଢେଇଦେଲେ। ଗାଡ଼ି ଚାଲିଲା। ଅଯନ୍ତ୍ରୀବାବୁଙ୍କ ଆଖି ଥାଏ ଆଗକୁ ଓ କାନ ଥାଏ ପଛକୁ। ଚାରିଜଣଯାକ କଥାବାର୍ତ୍ତା ହେଉଥାନ୍ତି। ଜଣେ କହିଲା ଆଃ-ରସଗୋଲା ଭଳି ରସଗୋଲା। କେତେ ଦିନ ହେଲା ହମ ହମ ହେଉଥିଲି ଖାଇବାକୁ। ବାବୁଙ୍କ ଦୟାରୁ ମନ ଅରମାନ ମେଣ୍ଟିଗଲା। ଅଣ୍ଟା ସାଫ୍ କରିଦେଲି। ରସଗୋଲା ଖିଆରେ ସମସ୍ତେ ଅଣ୍ଟାସାଫ୍ କରିଦେଲେ ବୋଲି କହିଲେ। ଅଯନ୍ତ୍ରୀବାବୁଙ୍କ ମନରେ ଅବଶୋଷ ଆସିଗଲା। ସେ ଭାବିଲେ ଓଃ! ସେମାନଙ୍କୁ ରସଗୋଲା ଖାଇବାକୁ ପବର୍ତ୍ତାଇ ବଡ଼ ଭୁଲ ହେଲା। ଏବେ ସେମାନଙ୍କଠାରୁ ପେଟ୍ରୋଲ ପଇସା ଝଡ଼େଇବି କିପରି?
ଗନ୍ତବ୍ୟ ସ୍ଥାନ ଆଉ ପ୍ରାୟ ୬ କିଲୋମିଟର ଅଛି ଗାଡ଼ିଟାର ଇଞ୍ଜିନ ହଠାତ୍ ବନ୍ଦ ହୋଇଗଲା। ଅଯନ୍ତ୍ରୀ ବ୍ୟସ୍ତ ହୋଇ କହିଲେ, ହେତ୍ତେରିକା, କାର୍ବୁରେଟରରେ ମଳି ଜମିଗଲା। ନ ଠେଲିଲେ ଗାଡ଼ି ନଚାଲେ। ବଡ ମୁସ୍କିଲ କଥା ହେଲା। ଏତକ ଶୁଣିବା ମାତ୍ରେ ଚାରିଜଣଯାକ ଗାଡ଼ି ପେଲିବା ପାଇଁ ପଦାକୁ ବାହାରି ପଡ଼ିଲେ। ଅଯନ୍ତ୍ରୀ ବାବୁ କହିଲେ, ଯାହାର ଯାହା ମାଲ ଅଛି ତାକୁ ତରେ ଧର, ତାହେଲେ ଓଜନ କମ୍ ହେବ ଓ ଠେଲିବାକୁ ସୁବିଧା ହେବ। ସମସ୍ତେ ସେଇଆ କରି ଠେଲିଲେ। ଆଠଦଶଗଜ ଠେଲିବା ପରେ ଗାଡ଼ି ଭୁସ୍ଭୁସ୍ ହୋଇ ଚାଲିଲା, କିନ୍ତୁ ଅଟକିଲା ନାହିଁ। ପଛଆଡୁ ସମସ୍ତେ ପାଟିକଲେ, ଆଜ୍ଞା ଅଟକାନ୍ତୁ ଅଟକାନ୍ତୁ..। ଅଯନ୍ତ୍ରୀ କହିବାର ଶୁଣାଗଲା, ଘୋର ବିପଦ, ବ୍ରେକ କାମ କରୁନି କି ଇଞ୍ଜିନ ବନ୍ଦ ହେଉନି। ମନକୁ ଆଶ୍ବାସନା ଦେଇ ଚାରିଜଣଯାକ କୁହାକୁହି ହେଲେ ଓଃ ଭଗବାନ ଆମକୁ ବଞ୍ଚାଇଦେଲେ। ଗାଡ଼ିଟା କେଉଁଠି ଧକ୍କା ଖାଇ ଚୁର୍ମାର୍ ହୋଇଯିବ। ବାବୁଟି ଖତମ ହୋଇଯିବ। ଆ! ପର ଉପକାରୀ ଲୋକର କି ଶୋଚନୀୟ ଅବସ୍ଥା ହେବ!
ତେଣେ ଗାଡ଼ି ଭିତରେ ଅଯନ୍ତ୍ରୀବାବୁ ଭାବୁଥାନ୍ତି ପେଟ୍ରୋଲ ନହେଲେ ନାହିଁ। ଦଶଟଙ୍କାରେ ରସଗୋଲା ତ ମାଗଣାରେ ମିଳିଗଲା। ଘରେ କେଡ଼େ ଆହ୍ଲାଦରେ ସେ ନଖାଇବେ! ଗାଡ଼ି ପାଇଁ ଆହୁରି ଦି’ ଦିନର ଦାନା ଅଛି। ପରବାୟ କ’ଣ!