(ରାଗ-ତୋଡ଼ି ପରଜ)

ଗଲାଣି ତ ଗଲ କଥାରେ ସଙ୍ଗାତ।
ଗୁପତେ ସିନା ମୁଁ ତୋତେ ପଚାରିଲି ବଳିପଡ଼ିବାରୁ ବ୍ୟଥା॥

ଗଙ୍ଗାରୁ ବିଷଦ ଗଭୀର ତୋ ହୃଦ ଗଣ୍ଠିଧନ ତୋର ସ୍ନେହ।
ଗୋଡ଼ି ଖସି ଖେଦ ହେବାର ଦରଦ ଯିବାର ଉପାୟ କହ॥

ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି।
ଗୋଳା ଗରଳକୁ କଟୁ ପିୟୂଷରୁ ସ୍ୱାଦୁଗୁଣ ଗଲା ବଳି॥

ଗୋଳି ଦେଲା ମୋର ବହାର ଭିତର ସ୍ୱର ସେ ଅବା ଶର ସେ।
ରାତ୍ର ଗୋଟିଯାକ ପୂରିଲା ପୁଲକ ଶ୍ରବଣସୀମା ସ୍ପରଶେ॥

ଗିଳିଦେଲା ପୁରନ୍ଦର ନୀଳକର କଳିକାମୟ ତିମିର।
ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର॥

ଗତାଳସନାଟପଟୁ ଖଞ୍ଜରୀଟ ପରିକି ଆସିଲା ଉଡ଼ି।
ଗଣ୍ଡିଗର୍ଭେ ଗୁଳି ଗଲାପରି ଗଳି ବିବେକ ଦେଲା ଘଉଡ଼ି॥

ଗଗନ କୁସୁମ ପରି ଏଥି ଶ୍ରମ ଫଳ ହୋଇବ କି କାଳେ।
ଗୋଳିଆ ନ ରଖି କହ ଚନ୍ଦ୍ରମୁଖି ଗହଳି ନ ଥିବା ବେଳେ॥

ଗରିଷ୍ଠ ଅରୁଚି କାହିଁକି କରୁଛି ଅଶନେ ବସନେ ଦେହେ।
ଗୁରୁଜନତତି ଜାଣିଲେ କି ଗତି ଅଷ୍ଟଦୁର୍ଗପତି କହେ॥

(ଉକ୍ତ କବିତାଟି କବିଙ୍କ ଲିଖିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂରୁ ଆନୀତ। କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ଓଡ଼ିଆ ଭାଷାରେ ଏକ ଅନନ୍ୟ ଓ ସ୍ୱତନ୍ତ୍ର ରଚନା। ଏଥିରେ ‘କ’ ଠାରୁ ହ ଅକ୍ଷର ପର୍ଯ୍ୟନ୍ତ ରାଧା ଓ କୃଷ୍ଣଙ୍କ ପ୍ରେମଲୀଳା ସମ୍ପର୍କରେ ଗୋଟିଏ ଗୋଟିଏ ଅକ୍ଷରକୁ ଆଦ୍ୟରେ ରଖି ଗୋଟିଏ ଗୋଟିଏ ସମ୍ପୂର୍ଣ୍ଣ କବିତା ରଚନା କରାଯାଇଛି )