
ଭଦ୍ର ମହିଳା ମୋତେ ପ୍ରଥମରୁ ହିଁ ସଞ୍ଜୟ ବୋଲି ଧରିନେଇଥିଲେ, ମୋର ସେଥିରେ ପ୍ରତିବାଦ କରିବାକୁ ମଧ୍ୟ ସାହାସ ନ ଥିଲା।
ଘଟଣାଟା ପ୍ରଥମରୁ କୁହେ।
ମୁଁ ଆଲ୍ଲାହାବାଦ୍ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର। ପୂଜାଛୁଟିରେ ବୁଲି ଯାଇଥିଲି ଗୌହାଟି। ସେଇଟା ବୋଧହୁଏ ସହରର ଏକ ଆଭିଜାତ୍ୟ ସମ୍ପନ୍ନ ପଡ଼ା ହେବ। କାରଣ ପ୍ରାୟ ଏକ ପ୍ରକାରର ସୁନ୍ଦର ଘରସବୁ ଧାଡ଼ିବାନ୍ଧି ରାସ୍ତାରେ ଠିଆ ହୋଇଛନ୍ତି। ଏ ନୂଆ ଘରଗୁଡ଼ିକ ଯେ ଆଧୁନିକ ରୁଚିସମ୍ପନ୍ନ ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ବେଳେବେଳେ ଏମାନଙ୍କର ଏକ ପ୍ରକାର ଗଠନ ପ୍ରଣାଳୀ ଦର୍ଶକ ମନରେ କ୍ଲାନ୍ତି ଆଣିଦିଏ। ମନେ ହୁଏ ଏମାନେ ଯେମିତି ରାତାରାତି ବଜାରରେ ବିକ୍ରୀ ହେଥିବା କୌଣସି ପ୍ରାସାଦଶୈଳୀ ବହି ଭିତରୁ ଓହ୍ଲେଇଆସି ଏଇ ରାସ୍ତା କଡ଼ରେ ସ୍ଥାବର ହୋଇଯାଇଛନ୍ତି। ଘର କହିଲେ ଯେଉଁ ସ୍ବତନ୍ତ୍ର କଥାଟା ମନକୁ ଆସେ ତାହା ଯେପରି ଏଇ ଅତିକାୟ ପ୍ରାସାଦଗୁଡ଼ିକରେ ଏକାନ୍ତ ଅଭାବ। ସେ ଘରର ଅଧିବାସୀମାନଙ୍କ ସହିତ ମୋର ପରିଚୟ ନ ଥିବା କଥା। ତେବେ ଘର କଥାଟା ମୋଟେ ମୁଖ୍ୟ କଥା ନୁହଁ। ମୁଁ ମୋର ମୂଳ କଥାକୁ ଫେରିଆସେ। ମୁଁ ରହୁଥାଏ ଏଇ ପଡ଼ାର ଗୋଟିଏ ହୋଟେଲ୍ରେ। ଏକ ପ୍ରାୟ ଆସନ୍ନ ସନ୍ଧ୍ୟାରେ ମୁଁ ପାଦ ଗଣି ଗଣି ସେଇ ରାସ୍ତାରେ ହୋଟେଲକୁ ଫେରୁଛି। ଅକସ୍ମାତ ଆକାଶର ଉତ୍ତର କୋଣରୁ ମେଘ ଘୋଟିଆସିଲା ଓ ପ୍ରବଳ ବେଗରେ ପବନ ବହିବାରୁ ମନେହେଲା ଆଉ ଅଳ୍ପ ବାଟ ମଧ୍ୟ ଅଗ୍ରସର ହେବା ସମ୍ଭବ ନୁହଁ। ଅଗତ୍ୟା ରାସ୍ତା କଡ଼ର ନିକଟତମ ଘରଆଡ଼କୁ ଆଶ୍ରୟ ପାଇଁ ମୁଁ ପ୍ରାୟ ଦୌଡ଼ିବାକୁ ଆରମ୍ଭ କଲି।
ସାଧାରଣ ସମୟ ହୋଇଥିଲେ ଫାଟକ ଖୋଲିବା ଆଗରୁ ଦରୱାନ ବା ଆଲ୍ସେସିଆନ କୁକୁରଜନିତ ଯେଉଁ ସ୍ବାଭାବିକ ସଙ୍କୋଚ ବା ଭୟ ଆସିଥାନ୍ତା, ଆସନ୍ନ ବର୍ଷାର ବୃହତ୍ତର ଆଶଙ୍କାରେ ସେ ସମସ୍ତ କଥା ମୁହୂର୍ତ୍ତକ ପାଇଁ ମଧ୍ୟ ମନକୁ ଆସିଲା ନାହିଁ। ଫାଟକ ଖୋଲି, ସମ୍ପୂର୍ଣ୍ଣ ଓଦା ହୋଇଯିବା ପୂର୍ବରୁ ଘରର ବାରଣ୍ଡା ଉପରକୁ ଉଠିଯାଇ ସାମାନ୍ୟ ଆଶ୍ବସ୍ତି ଅନୁଭବ କଲି। ଘରର ବାରଣ୍ଡାଟି ଏକ ଲୋଭନୀୟ ରୁଚିରେ ସଜାଯାଇଛି। ମସୃଣ ପ୍ରଶସ୍ତ ମୋଜାଇକ୍ର ମେଜିଆ ଉପରେ ଚାରିଖଣ୍ଡ ବେତବୁଣା ବାସ୍କେଟ ଚଉକି। କାନ୍ଥରେ ପାଲିସ୍ କରା ଶାଗୁଆନ କାଠର ନାମଫଳକ ତଳକୁ ଛୋଟ ଗୋଟିଏ ଚିଠି ବାକ୍ସ। ଦକ୍ଷିଣ ପଟର ସିମିଟ୍ ଜାଲି ଉପରେ ଘଞ୍ଚ ରାଧାତମାଳ ଲଟେଇ ପଡ଼ିଚି। କିଛି ପୋର୍ସିଲେନ୍ର କୁଣ୍ଡରେ ଛୋଟଛୋଟ କେତୋଟି ଦୁଷ୍ପ୍ରାପ୍ୟ କାକ୍ଟସ୍। ବାହାରେ ବର୍ଷାର ତାଣ୍ଡବ ଚାଲିଛି ଅବିରାମ ଓ ମଝିରେ ମଝିରେ ବିଜୁଳି ଆକାଶକୁ ଦୁଇ ଭାଗ କରୁଛି। କିନ୍ତୁ ଆଶ୍ଚର୍ଯ୍ୟ! ଏତେ ବଡ଼ ଘରଟାରେ କେହି ଲୋକ ଥିଲା ପରି ମନେ ହେଉନାହିଁ।
ଏଇ ପରିସ୍ଥିତିରେ ରେଡ଼ିଓ ବା କାଚ ବାସନର ଶବ୍ଦ ଶୁଣାଯିବା ସଙ୍ଗୀତ ନ ହେଲେ ମଧ୍ୟ ଘରର କବାଟ ଓ ଝରକା ବନ୍ଦ କରାଯିବା ପାଇଁ ତତ୍ପରତା ଦେଖାଯିବା ଉଚିତ୍, କିନ୍ତୁ କିଛି ହେଲେ ଶବ୍ଦ ତ ଶୁଣିବାକୁ ମିଳୁନି। ଉତ୍ତାଳ ପବନରେ ସଦର ଦର୍ଜାର ଝୀନ ପର୍ଦ୍ଦାକନା ଗୋଡ଼ ହାତ ଲମ୍ବେଇ ଚିତ୍ତେଇ ଆନନ୍ଦରେ ଉଡ଼ୁଚି ଏବଂ ତା’ ଭିତରେ ଦେଇ ଦେଖି ହଉଚି ଯେ ଡ୍ରଇଂରୁମ୍ର କିଛି ପତ୍ରପତ୍ରିକା ମଧ୍ୟ ଘର ଭିତରେ ଉଡ଼ିବୁଲୁଛନ୍ତି। ଯେକେହି ଲୋକ ଶବ୍ଦ ଶୁଣି ମନେକରନ୍ତା, ସେ ଘର ଭିତରେ ଯେପରି ଅନେକଗୁଡ଼ିଏ ପାରା ବାହାରକୁ ବାହାରିବାର ନିଷ୍ଫଳ ଚେଷ୍ଟାରେ ଡେଣା ପିଟୁଛନ୍ତି। ନାଚଖାନାର ଆଡ୍ଡାରୁ ଶୁଣାଯାଉଥିବା ବିଭିନ୍ନ ଯନ୍ତ୍ରସଙ୍ଗୀତର ଉଚ୍ଛୃଙ୍ଖଳ ଐକ୍ୟତାନ ପରି ବର୍ଷା ଝରିଚାଲିଛି। ଦୂରର ଲାଇଟ୍ପୋଷ୍ଟ ପାଖରେ ସ୍ପଷ୍ଟ ଦେଖିହଉଛି କେମିତି ଗୋଟିଏ ଗୋଟିଏ ଜଳବିନ୍ଦୁ ତଳର ପାଣି ଉପରେ ବର୍ଷାର ଉଜ୍ଜ୍ବଳ ଫଳକ ପରି ବିଦ୍ଧ ହୋଇ ମୁହୂର୍ତ୍ତରେ ରୂପାର ଗୁଣ୍ଡ ବିଛୁରିତ ହୋଇ ପଡ଼ୁଛନ୍ତି।
ଖୁବ୍ ଦ୍ରୂତଗତିରେ ଗୋଟାଏ ଅତିଦୀର୍ଘ କୃଷ୍ଣକାୟ ଗାଡ଼ି ପୋର୍ଟିକୋ ତଳକୁ ପଶି ଆସି ବ୍ରେକ୍ ଦେଲା। ଗାଡ଼ି ପୋର୍ଟିକୋ ତଳେ ନିଶ୍ଚଳ ହୋଯିବା ପରେ ମଧ୍ୟ ତା’ ସାମ୍ନାର ଉଜ୍ଜ୍ବଳ ଆଲୁଅ ଦୁଇଟା ତଥାପି ଜଳୁଥିଲା ଓ ସେଇ ଆଲୁଅ ମୋ ଉପରେ ପଡ଼ି ମୋର ସମସ୍ତ ବ୍ୟକ୍ତିତ୍ବକୁ ଲାଞ୍ଛିତ କରୁଥିଲା ପ୍ରତି ମୁହୂର୍ତ୍ତରେ। ମୋର ମନେ ହେଲା ମୁଁ ଯେପରି ଜଙ୍ଗଲରେ ପଥଭ୍ରଷ୍ଟ ହୋଇଥିବା ସେଇ କଟୁଆଳ ପୁତ୍ର, ଯିଏ ଏକ ନିଶ୍ଚିତ ଆଶ୍ରୟର ସନ୍ଧାନରେ ପ୍ରତାରିତ ହୋଇ ଦୈତ୍ୟର ଗୁମ୍ଫାରେ ଆଶ୍ରୟ ନେଇଛି। ଆଲୁଅ ଲିଭିଗଲା ଓ ଅନ୍ଧକାର ମୁଖ ବ୍ୟାଦାନ କରି ସମଗ୍ର ପରିବେଶଟିକୁ ମୁହୂର୍ତ୍ତକ ମଧ୍ୟରେ ଗିଳି ନେଲା। ଗାଡ଼ି ଭିତରୁ ଗୋଟିଏ ଉତ୍କଣ୍ଠିତା ନାରୀକଣ୍ଠ ବେଶ ଜୋରରେ କହି ଉଠିଲା- ଆରେ ! ତମେ ସଞ୍ଜୟ ଏବଂ ତା’ପରେ ଯେଉଁ ନାରୀ ଗାଡ଼ିରୁ ଓହ୍ଲେଇ ଆସି ଏକ ମଧୁର ଉଷ୍ଣ ଆକର୍ଷଣରେ ମତେ ଘର ଭିତରକୁ ନେଇଗଲେ, ତାଙ୍କୁ ମୁଁ ଆଲୁଅରେ ପ୍ରଥମଥର ପାଇଁ ଦେଖିଲି। ଭଦ୍ର ମହିଳାଙ୍କର ବୟସ ପ୍ରାୟ ଚାଳିଶ ପାଖାପାଖି କିନ୍ତୁ ତାଙ୍କର ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଅତୁଟ ରଖିବାକୁ ଯେ, ସେ ଖୁବ୍ ଯତ୍ନବାନ ଏଥିରେ ସନ୍ଦେହର ଅବକାଶ ନାହିଁ।
ଆଲୋକରେ ଆମେ ଦୁହେଁ ପରସ୍ପରକୁ ଚାହିଁରହିଚୁ ଅଥଚ କାହାମୁହଁରେ କଥା ନାହିଁ। କିନ୍ତୁ ସେ ଯେ, ମତେ ସଞ୍ଚୟ ବୋଲି ଭାବି ଭୁଲ କରୁଛନ୍ତି ଏଇକଥାଟା ମୁଁ କେମିତି କହିବି? ସେହି କଥା ହିଁ ମୁଁ ଚିନ୍ତା କରୁଚି ମନେମନେ ଏବଂ ଠିକ୍ ଏଇ ମସୟରେ ମୋ କଥାକୁ ଅପେକ୍ଷା ନ ରଖି ଆରମ୍ଭ କଲେ ଭଦ୍ରମହିଳା- ‘ତମେ ଏତେ ଟିକିଏ ବି ବଦଳି ନାହିଁ ସଞ୍ଜୟ। ସେବେ ତମକୁ ଯେମିତି ଦେଖିଥିଲି ତମେ ଠିକ୍ ସେମିତି ଅଛ…, ତାପରେ ପୂଝାରୀକୁ ଡାକି କଫି ପାଇଁ ବରାଦ ଦିଆଗଲା- ମୁଁ ଠିକ୍ ମନେ ରଖିଚି, ତମେ ଚା’ ଖାଅ ନାହିଁ। ବାପା, ମା’ମାନେ ପିଲାମାନଙ୍କ କଥା ସବୁ ଠିକ୍ ଠିକ୍ ମନେ ରଖନ୍ତି, କିନ୍ତୁ ତମେ କହିଲ ଦେଖି ସଞ୍ଜୟ ମୁଁ ଚା’ରେ କେତେ ଚାମଚ ଚିନି ଖାଏ ?
ଏକ ନିଶ୍ଚିତ ଭୁଲ ଉତ୍ତର ଦେବା ଅପେକ୍ଷା ନୀରବ ରହିବା ଉଚିତ୍ ମନେ କଲି, କିନ୍ତୁ ଏଇ ଅଳ୍ପ ସମୟ ଭିତରେ ଭଦ୍ରମହିଳାଙ୍କର ଆଖି ଦୁଇଟାକୁ ଏକ ସୁଦୂରପ୍ରସାରୀ ଉଦାସୀନତା ଗ୍ରାସ କରି ବସିଚି। ସେ କାଉଚ୍ ଉପରେ ସାମାନ୍ୟ ଆଉଜିପଡ଼ି କହିଲେ, ମୁଁ ଜାଣେ ସଞ୍ଜୟ ତମର ବୟସରେ ଆମମାନଙ୍କ କଥା ମନେ ରଖିବା ଖୁବ୍ ସ୍ବାଭାବିକ ନୁହେଁ, କିନ୍ତୁ ଏହି ମଞ୍ଜୁ କଥା ଦେଖ, ସେ ଏମିତି କ’ଣ ବା ରିସର୍ଚ୍ଚ କରୁଛି। ଏଇ ଚାରି ପାଞ୍ଚ ବର୍ଷ ଭିତରେ ଥରେ ଆସି ଆମମାନଙ୍କୁ ଦେଖିଯିବାକୁ ତା’ର କ’ଣ ସମୟ ହେଉନାହିଁ? ଏଇ ତମେ ତ ଆସିଲ! ତା’ର ବାପା ମତେ କହୁଥିଲେ, ସେ ତା’ ପାଇଁ ପ୍ଲେନ୍ ଟିକେଟ୍ ପଠେଇ ଦେଇଛନ୍ତି। କିନ୍ତୁ କାଇଁ ଛୁଟି ତ ଆରମ୍ଭ ହୋଇ ସରିବାକୁ ବସିଲା- ଆସିଲା ନାହିଁ ତ?
ମୁଁ ମୂକ ହୋଇ ବସିରହିଛି କେବଳ। ଗୋଲକଧନ୍ଦା ଜଟିଳରୁ ଜଟିଳତର ହୋଇ ଚାଲିଚି। ବାହାରର ବର୍ଷା ନ କମିଲେ ମୋର ଏ ପରିସ୍ଥିତିରୁ ମୁକ୍ତି ପାଇବା ଯେ ଅସମ୍ଭବ ସେ କଥା ମୁଁ ଅନୁମାନ କରିସାରିଲିଣି। ଭଦ୍ରମହିଳା କହିଚାଲିଛନ୍ତି- ମଞ୍ଜୁ ତ ଜାଣେ ଯେ, ସେ ଏଇ ଆସନ୍ତା ଡିସେମ୍ବରରେ ବିଲାତ ଚାଲିଯିବ। ତା’ର ବାପା ପ୍ରାୟ ସବୁ ଠିକ୍ କରିସାରିଲେଣି। ତା’ ପରେ ପୁଣି ଯେ କେବେ ଦେଖାହେବ, ସେ କଥା କିଏ ଜାଣେ? ପିଲାଦିନେ ପାଖରେ ମଞ୍ଜୁ ଥିଲା, ତମେ ଥିଲ, ଭାରି ଭଲ ଲାଗୁଥିଲା। କିନ୍ତୁ ପାଠ ପଢ଼ିବାକୁ ଯାଇ ଏତେଟା ନିଜର ଲୋକମାନଙ୍କଠାରୁ ଦୂରେଇଯିବା ଠିକ୍ ନୁହେଁ। ଭଦ୍ରମହିଳାଙ୍କ କଣ୍ଠ ସ୍ବର ଓ ଦୃଷ୍ଟି କଠିନ ହୋଇ ଉଠିଲା- ‘ମୁଁ ମଞ୍ଜୁର ଟଙ୍କା ବନ୍ଦ କରିଦେଇ ତାକୁ ଯେକୌଣସି ମୁହୂର୍ତ୍ତରେ ଆସିବାକୁ ବାଧ୍ୟ କରିପାରନ୍ତି, କିନ୍ତୁ ସଞ୍ଜୟ, ମା’ ହେଇ ତା’ କରାଯାଏନା। ବର୍ଷାର ବେଗ ସାମାନ୍ୟ କମିଚି।
ଭଦ୍ରଲୋକ କହିଲେ, ମୁଁ ମାନୁଚି ସଞ୍ଜୟର ଗଠନ ସହିତ ତମର ଅନେକ ଆଶ୍ଚର୍ଯ୍ୟ ସାମଞ୍ଜସ୍ୟ ଅଛି। ଖୁବ୍ ନିରୀକ୍ଷଣ କରି ଦେଖିଲେ ହୁଏତ ଜାଣି ହବ, ତମେ ସଞ୍ଜୟ ନୁହଁ।
କୋର୍ଣ୍ଣିସ୍ରେ ଲାଗି ରହିଥିବା ଟୋପାଟୋପା ପାଣି ଟପ୍ ଟପ୍ ହୋଇ ତଳକୁ ପଡ଼ିବାର ଶବ୍ଦ ସ୍ପଷ୍ଟ ଶୁଣିହେଉଛି। ମୁଁ ଘଣ୍ଟାକୁ ବାରମ୍ବାର ଦେଖି ଉଠିବାର ସୂଚନା ଦେଲି ଓ କହିଲି ଯେ, ମୋର ଜଣେ ବନ୍ଧୁଙ୍କ ସହିତ ଆପଏଣ୍ଟମେଣ୍ଟ ଥିବାରୁ ମୁଁ ଶୀଘ୍ର ଚାଲିଯିବାକୁ ବାଧ୍ୟ ହେଉଛି। ଆସିଲା ବେଳେ ଭଦ୍ରମହିଳା ମୋର ଠିକଣା ବାବଦରେ ପ୍ରଶ୍ନ କଲେ ଓ ମୁଁ କହିଲି, ମୁଁ ଏଇ ମୋଡ଼ ଉପରେ ଟି’ ଭ୍ୟୁ ହୋଟେଲରେ ୨୪ ନମ୍ବର ରୁମ୍ରେ ଆସି ଓହ୍ଲେଇଛି। ଭଦ୍ରମହିଳା ବୋଧହୁଏ ଆଉ କ’ଣ କହିବାକୁ ଯାଉଥିଲେ, କିନ୍ତୁ ମୁଁ ସେତେବେଳକୁ ପାହାଚ ତଳକୁ ଓହ୍ଲେଇ ସାରିଥିଲି। ଭଦ୍ରମହିଳା ପୁଣିଥରେ ବାଧା ଦେଲେ। ନା’ ତମେ ଏଇ ବର୍ଷା ପାଣିରେ ଚାଲିକରି ଯିବ ନାହିଁ ସଞ୍ଜୟ। ତାଙ୍କର କଣ୍ଠରେ ଆଦେଶର ସ୍ବର ବ୍ୟଞ୍ଜନା- ଗାଡ଼ିରେ ବସ। ସୋଫର ତମକୁ ନେଇ ଛାଡ଼ିଦେଇ ଆସିବ, ଆଉ ତା’ଛଡ଼ା ସେ ତମ ହୋଟେଲ୍ ଟା ମଧ୍ୟ ଦେଖି ଆସିବ।
ଅଗତ୍ୟା ଗାଡ଼ିରେ ବସିଲି ଏବଂ ଗାଡ଼ିରେ ଯେତେ ସମୟ ବସିଥିଲି ଭଦ୍ରମହିଳା କିମ୍ବା ତାଙ୍କର ପରିବାର ବିଷୟରେ ମୋର ସମସ୍ତ କୌତୂହଳ ଅତି କଷ୍ଟରେ ଦମନ କରିଥିଲି। ତା’ ଆରଦିନ ହୋଟେଲର ବେହେରା ସକାଳୁ ଆସି ଚା’ର ସରଞ୍ଜାମ ମୋର ଖଟ ପାଖରେ ରଖିଦେଇ ଯାଇଛି ଏବଂ ଠିକ୍ ଏତିକିବେଳ ଶୁଣିଲି ଜଣେ ଭଦ୍ରଲୋକ କବାଟରେ ଠକ୍ ଠକ୍ କରି ସୂଚନା ଦେଉଛନ୍ତି, ମୁଁ ଭିତରକୁ ଆସିପାରେ? ନିଜର ପରିଧେୟ ସାମାନ୍ୟ ସଂଯତ କରିନେଇ କହିଲି, ଅସନ୍ତୁ। ଘର ଭିତରକୁ ପଶି ଆସିଲେ ଜଣେ ପୌଢ଼ ଭଦ୍ରଲୋକ। ଦେଖିଦେଇ ମନେ ହେବ ଯେପରି କୌଣସି ଦାରୁଣ ଦୁଃଖର ଅଘାତରେ ତାଙ୍କର ବୟସ ଅଯଥା ଆଗେଇଯାଇଚି ଅନେକ ବର୍ଷ। ଦେହର ଧୋତି ପଞ୍ଜାବୀ ଓ ହାତର ବାଡ଼ି ଏକ ସୁସ୍ପଷ୍ଟ ଆଭିଜାତ୍ୟର ସୂଚନା ଦିଏ।
ଭଦ୍ରଲୋକ ମୋଟା ଲେନ୍ସର ଚଷମାଟାକୁ କାଢ଼ିଆଣି ରୁମାଲରେ ଥରେ ଦୁଇଥର ପୋଛି ନେଇ ପୁଣି ଥରେ ଆଖିରେ ଦେଲେ ଓ ଚଉକି ଉପରେ ବାଡ଼ିଟିକୁ ଆଉଜେଇ ଦେଇ, ଆଉଥରେ ଭଲଭାବେ ଦେଖିନେଲେ ମତେ। ମୁଁ ତାଙ୍କୁ ଚଉକିରେ ବସିବା ଲାଗି ଇଙ୍ଗିତ ଦେଲି। ଚଉକିରେ ବସୁବସୁ ଭଦ୍ରଲୋକ କହିଲେ, ‘ମୁଁ ଠିକ୍ ଜାଣିଥିଲି ଯେ, ମୋର ସ୍ତ୍ରୀ ଏକ ମସ୍ତ ଭୁଲ୍ କରୁଛନ୍ତି। ହଁ ତମେ କାଲି ସନ୍ଧ୍ୟାରେ ଯେଉଁ ବଙ୍ଗଳାରେ ବର୍ଷାବେଳେ ଆଶ୍ରୟ ନେଇଥିଲ, ସେଟା ମୋର ଘର ଓ ସେ ମୋର ସ୍ତ୍ରୀ। ଆଜି ସକାଳେ ସେ ମୋତେ ପ୍ରାୟ ଜୋର୍ କରି ପଠେଇଲେ। ସେ ସ୍ଥିର ନିଶ୍ଚିତ ଯେ, ତମେ ହେଉଛ ସଞ୍ଜୟ। ମୁଁ କ୍ଷମା ମାଗିବାର ଭଙ୍ଗୀରେ କହିଲି, ଦେଖନ୍ତୁ ମୋ ନାଁ ଅଶୋକ। ମୁଁ କାଲି ସନ୍ଧ୍ୟାର ପରିସ୍ଥିତି ପାଇଁ ସତରେ ଲଜ୍ଜିତ, କିନ୍ତୁ କେଜାଣି କାହିଁକି ଆପଣଙ୍କ ସ୍ତ୍ରୀଙ୍କ ସ୍ନେହର ଆତିଶଯ୍ୟରେ, ମୁଁ ମୁହଁ ଖୋଲିପାରିଲି ନାହିଁ ଯେ ମୁଁ ସଞ୍ଜୟ ନୁହେଁ।
ଭଦ୍ରଲୋକ କହିଲେ, ମୁଁ ମାନୁଚି ସଞ୍ଜୟର ଗଠନ ସହିତ ତମର ଅନେକ ଆଶ୍ଚର୍ଯ୍ୟ ସାମଞ୍ଜସ୍ୟ ଅଛି। ଖୁବ୍ ନିରୀକ୍ଷଣ କରି ଦେଖିଲେ ହୁଏତ ଜାଣି ହବ, ତମେ ସଞ୍ଜୟ ନୁହଁ। ତେବେ ଏଥିରେ ତମର କ୍ଷମା ମାଗିବା ବା ଲଜ୍ଜିତ ହେବା କୌଣସି କାରଣ ନାହିଁ ଅଶୋକ, ଏଟା ନିୟତିର ଏକ ନିଷ୍ଠୁର ପରିହାସ। ଦିନେ ମୋର ଝିଅ ମଞ୍ଜୁଶ୍ରୀ ସହିତ ସଞ୍ଜୟର ବିବାହ ପ୍ରାୟ ସ୍ଥିର ହୋଇଯାଇଥିଲା। କିନ୍ତୁ ତା’ ତ ସମ୍ଭବ ହେଲାନାହିଁ। ଭଦ୍ରଲୋକଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା ଓ ସେ ସ୍ଥିର ଚକ୍ଷୁରେ ଟି-ପୟ ର ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁକୁ ଚାହିଁ ବସି ରହିଲେ। ମୁଁ ୟା ଭିତରେ କପେ ଚା’ ତିଆରି କରି ଭଦ୍ରଲୋକଙ୍କ ଆଡ଼କୁ ଆଗେଇଦେଲି। ଠିକ୍ ପୂର୍ବପରି ଅନ୍ୟମନସ୍କ ଭାବରେ ଚା’କପ୍କୁ ଓଠ ପାଖକୁ ନଉନଉ ସେ କହିଲେ, ସେ କଥା ତମକୁ କହି ଲାଭ ନାହିଁ।
ତେବେ ଅନେକ ଦିନପରେ ମୁଁ ମୋର ସ୍ତ୍ରୀଙ୍କୁ କାଲି ରାତିରେ ପ୍ରକୃତରେ ଖୁସି ହବାର ଦେଖିଲି। ସେ ତମକୁ ଦେଖି ଭାବୁଛନ୍ତି ତାଙ୍କର ଏକମାତ୍ର ସ୍ବପ୍ନ ସାର୍ଥକ ହେବାକୁ ଯାଉଚି। ମୁଁ ତାଙ୍କର ଭୁଲ ଭାଙ୍ଗି ଦେବାକୁ ଚାହେଁନା। ଏକ ନିରପରାଧ ଭ୍ରମ ବିନିମୟରେ ଯଦି ସେ ତାଙ୍କର ଅବଶିଷ୍ଟ ଜୀବନ ଆନନ୍ଦରେ କଟାଇ ପାରନ୍ତି ତାହା ହେଲେ ତା ଠାରୁ ଆଉ ଅଧିକା କ’ଣ ହୋଇପାରେ! ସେ ଯେପରି ସମସ୍ତ କଥା କେବଳ ମନେମନେ ନିଜକୁ ହିଁ କହୁଥିଲେ। ଆଖିରୁ ମୋଟା ଲେନ୍ସର ଚଷମାଟା କାଢ଼ିନେଇ ରୁମାଲରେ ଆଖି ପୋଛୁ ପୋଛୁ ସେ ପୁଣି ଆରମ୍ଭ କଲେ, ତମେ ବୟସରେ ମୋ ପୁଅ ପରି, ତମକୁ ମୁଁ ଅଶୋକ ବୋଲି, ନା ଭୁଲ କହିଲି ତମକୁ ମୁଁ ସଞ୍ଜୟ ବୋଲି ହିଁ ଡାକିବି। କୌଣସି ଅସତର୍କ ମୁହୂର୍ତ୍ତରେ ଧରା ପଡ଼ିଯାଇ ମୁଁ ମୋ ସ୍ତ୍ରୀଙ୍କର ମଧୁର ଭ୍ରମ ଭାଙ୍ଗିବାକୁ ଚାହେଁନା।
ଶୁଣ ସଞ୍ଜୟ, ଆଜିଠାରୁ ଏ ପରିବାରରେ ତମର ଏକ ମାତ୍ର ପରିଚୟ ସଞ୍ଜୟ। ଆଉ ତମ ପାଖରେ ମୋର ଗୋଟିଏ ମାତ୍ର ଭିକ୍ଷା-ଭିକ୍ଷା ନୁହେଁ ଦାବି। ତମକୁ ମଝିରେ ମଝିରେ ଆସିବାକୁ ପଡ଼ିବ ଏଠିକି। ମୋର ଅର୍ଥର ଅଭାବ କେବେ ନ ଥିଲା, ଏବେ ବି ନାହିଁ। ତେବେ ଯାହା ଅଭାବ ରହିଯାଇଛି ତାକୁ କେବଳ ତମେ ହିଁ ପୂରଣ କରିପାରିବ। ଭଦ୍ର ବ୍ୟକ୍ତିଙ୍କ ସ୍ବରର କାତରତା ବର୍ଣ୍ଣନାର ଅତୀତ। ତମେ କଥା ଦିଅ ସଞ୍ଜୟ, ତମର ସମସ୍ତ ଅସୁବିଧା ସତ୍ତ୍ବେ ବି ତମେ ମଝିରେ ମଝିରେ ଆସି ସଞ୍ଜୟର ଅଭିନୟ କରିଯିବ। ମୁଁ ସତରେ ବିଚଳିତ ହୋଇପଡ଼ିଥିଲି। କହିଲି, ମୁଁ କଥା ଦଉଚି ଆସିବି। ଆପଣ ନିଶ୍ଚିନ୍ତ ରହିପାରନ୍ତି। ଭଦ୍ରଲୋକଙ୍କ ଛାତି ଉପରୁ ମସ୍ତ ଓଜନଦାର ପଥର ଓହ୍ଲାଇଗଲା ଯେମିତି। ହଁ ମୁଁ ଶୁଣିଲି ତମେ ଆଜି ସନ୍ଧ୍ୟା ପ୍ଲେନ୍ରେ ଦିଲ୍ଲୀ ଯାଉଚ। ମୋର ସ୍ତ୍ରୀ ମଞ୍ଜୁଶ୍ରୀ ପାଇଁ କିଛି ଜିନିଷ ପଠେଇବେ। ଆମେ ଦୁଇଜଣଯାକ ଏୟାରପୋର୍ଟରେ ତମକୁ ଦେଖାକରିବୁ। ଆଉ ତମର ସମୟ ନଷ୍ଟ କରିବି ନାହିଁ, ମୁଁ ଚାଲିଲି। ଭଦ୍ର ଲୋକଙ୍କୁ କିଛି ବାଟ ବଳେଇଦେଇ ମୁଁ ମୋ ରୁମ୍ କୁ ଫେରିଲି।
ଏୟାରପୋର୍ଟ ଲାଉଞ୍ଜରେ ଇତସ୍ତତଃ ହୋଇ ମନେ ମନେ ଏଇ ରହସ୍ୟମୟ ଦମ୍ପତିଙ୍କୁ ଖୋଜୁଥିଲି। ହଠାତ୍ ଦେଖିଲି। ଭଦ୍ରଲୋକ ମୋ କାନ୍ଧ ଉପରେ ମୃଦୁ ଚାପ ଦେଇ କହୁଛନ୍ତି, ହାଲୋ ସଞ୍ଜୟ। ଚମକି ପଡ଼ିଲି। ଦେଖିଲି ତାଙ୍କର ବାହୁଲଗ୍ନା ହୋଇ ଠିଆ ହୋଇଛନ୍ତି ବିଗତ ରାତ୍ରିର ସେଇ ନାରୀମୂର୍ତ୍ତି। ଭଦ୍ରମହିଳା ଗୋଟିଏ ସୁନ୍ଦର ପ୍ୟାକେଟ ମୋ ହାତକୁ ବଢ଼େଇ ଦେଇ ସୁନ୍ଦର ଇଂରାଜୀରେ କହିଲେ ‘ଦିସ୍ ଇଜ୍ ଫର୍ ମଞ୍ଜୁ। ମାଇଣ୍ଡ ଦି ଟ୍ରବୁଲ।’ ମୁଁ ସଂଯତ ହୋଇ ତାଙ୍କ ହାତରୁ ତାକୁ ଗ୍ରହଣ କଲି। ପ୍ୟାକେଟ ଉପରେ ଫେଲ୍ଟ ପେନସିଲ୍ରେ ବଡ଼ବଡ଼ ଆଞ୍ଚୁଡ଼ା ଅକ୍ଷରରେ କେବଳ ଦୁଇଟା ଅକ୍ଷର ଲେଖାଯାଇଚି, ମଞ୍ଜୁ। ଧାତବ କଣ୍ଠରେ ମାଇକ୍ ପାସେଞ୍ଜରମାନଙ୍କୁ ପ୍ଲେନ୍ କୁ ଯିବାକୁ ଅନୁରୋଧ କଲା। ଭଦ୍ର ମହିଳା ମୋର ବାଁ ହାତ ଉପରେ ତାଙ୍କର ପାପୁଲିର ମୃଦୁ ଚାପ ହୁଗୁଳା କରିନେଲେ।
ମୁଁ ଭଦ୍ରଲୋକଙ୍କୁ ସାମାନ୍ୟ ଦୂରକୁ ଡାକିନେଇ ଆସ୍ତେ ପଚାରିଲି, ଦେଖନ୍ତୁ ମୁଁ ତ ମଞ୍ଜୁଦେବୀଙ୍କ ଠିକଣା ଜାଣେନା ପ୍ୟାକେଟ୍ ଉପରେ ଲେଖିଦେଲେ ସୁବିଧା ହୁଅନ୍ତା। ମନୁଷ୍ୟର ଆଖି ଏପରି ସ୍ଥିର ନିର୍ଜୀବ ହୋଇଯିବାର କେବେ ଦେଖିନି – ଠିକ୍ କାଚ ଆଖି ପରି। ତା’ପରେ ଗୋଟାଏ ପ୍ରଚଣ୍ଡ ଅଟ୍ଟହାସ୍ୟର ଇଙ୍ଗିତରେ ତାଙ୍କର ପ୍ରୌଢ଼ ଶରୀରଟି ଦୋହଲିଗଲା ଦୁଇଥର। ସେ ମୋର କାନର ଆହୁରି ପାଖକୁ ମୁହଁ ଆଣି ଦାନ୍ତ ଚିପିଚିପି କହିଲେ, ମଞ୍ଜୁର ଠିକଣା ମୁଁ ମଧ୍ୟ ଜାଣେନା। ମୋ ସ୍ତ୍ରୀଙ୍କର ମସ୍ତିଷ୍କ ବିକୃତି ପରେ ପରେ ସେ ଆଜିକି ବହୁ ବର୍ଷ ତଳେ ରେଳ ଦୁର୍ଘଟଣାରେ ମରିଯାଇଛି। ସେ ସମ୍ବାଦ ମୋର ସ୍ତ୍ରୀଙ୍କୁ ଆଜିଯାଏ ଦିଆଯାଇନାହିଁ।
ସେତେବେଳେ ମଞ୍ଜୁ ପଢ଼ୁଥିଲା ଥାର୍ଡ଼ ଇୟରରେ। ତେଣୁ ଆଜି ତିନି ବର୍ଷ ପରେ ସେ ରିସର୍ଚ୍ଚ କରିବାକୁ ବାଧ୍ୟ ଓ ତା’ପରେ ତାକୁ ବିଲାତ ଯିବାକୁ ପଡ଼ିବ ଆହୁରି ଗବେଷଣା କରିବାକୁ। ପ୍ଲେନ୍ ର ପ୍ରପେଲର ପ୍ରଚଣ୍ଡ ଶବ୍ଦ କରି ଘୁରିବାକୁ ଆରମ୍ଭ କଲାଣି। ମାଇକ୍ର ସେଇ ଧାତବ କଣ୍ଠ ତୁହାକୁତୁହା ମୋ ନାଁ ଧରି ଡାକୁଚି। ମୁଁ ତରତରରେ ପ୍ଲେନ୍ ର ଶିଡ଼ି ଉପରକୁ ଉଠିଗଲି। ଶିଡ଼ିର ମଝିରେ ଅଉଥରେ ମୁହଁ ଫେରେଇ ଚାହିଁଲି। ସେମାନେ ମତେ ହାତ ହଲେଇ ବିଦାୟ ଦେଉଥିଲେ। ମୋର ମନେହେଲା ଭଗବାନଙ୍କର ନିଷ୍ଠୁର ସୃଷ୍ଟିର ଦୁଇଟି ନିଃସଙ୍ଗ ଅଭିଶପ୍ତ ମନୁଷ୍ୟ ପିତୁଳା ଆକାଶକୁ ହାତ ତୋଳି ନାଚୁଛନ୍ତି।