ବୈଶାଖର ପ୍ରଚଣ୍ଡ ରୌଦ୍ର। ବାବାଙ୍କ ଅସୁସ୍ଥତାରେ ବିବ୍ରତ ହୋଇ ମୋ ସ୍ତ୍ରୀ ଓ ପିଲାମାନେ ଘରକୁ ଚାଲି ଯାଇଛନ୍ତି।
ମୁଁ ଏଠି ଏକା। ହୋଟେଲ୍ରେ ଖାଉଥାଏଁ।
ମନ ଭଲ ନଥାଏ। ନିତି ଡାକକୁ ଅନାଇ ବସିଥାଏଁ।
ହଠାତ୍ ଦିନେ ତାର ପାଇଲି-ବାବା ଆଉ ନାହାଁନ୍ତି।
ଚାକର ହୋଟେଲ୍ରୁ ଭାତ ଧରି ପହଞ୍ଚିଲା।
କହିଦେଲି “ଫୋପାଡ଼ି ଦେ।”
କ୍ଷୁତ୍ପ୍ରପୀଡ଼ିତ ଜରାବ୍ୟାଧିଗ୍ରସ୍ତ କୁକୁରଟି ମହା ଆନନ୍ଦରେ ସେତକ ଉଦରସ୍ଥ କରିଦେଲା।
ସେହି ଦିନଠାରୁ ବୁଲା କୁକୁରଟି ମୋ ଦାଣ୍ଡ ପିଣ୍ଡାରେ ଶୋଇ ରହିଥାଏ। ମୁଁ ଥାଏ ବା ନ ଥାଏଁ।
x x x x x x x x
ବାବାଙ୍କ ଅନ୍ତେଷ୍ଟି- କ୍ରିୟା ସମାପନ କରି କର୍ମକ୍ଷେତ୍ରକୁ ପୁନରାଗମନ କଲି।
ଅନ୍ଧାର ଦ୍ରୁତ ଗତିରେ ମାଡ଼ି ଆସୁଥାଏ।
ଦୁଆର ମୁହଁରେ କୁକୁରଟି ‘ଭୋ’ ‘ଭୋ’ ରଡ଼ି କଲା।
ମତେ ଚିହ୍ନିପାରି ସେଟା ତୁନି ହେଲା।
x x x x x x x x
ଭାଇଟି ମୋର ଏତେ ଦିନେ ସବ୍ଡେପୁଟି ଚାକିରି ପାଇଛି।
ମୋର ଅଜସ୍ର ଅର୍ଥ ବ୍ୟୟ ସାର୍ଥକ ହୋଇଛି।
x x x x x x x x
ରବିବାର।
ଗସ୍ତରେ ଯିବାଲାଗି ତରତର ହେଉଛି।
ଖାଇ ବସିଛି। ଚାକର ଖଣ୍ଡେ ଚିଠି ବଢ଼େଇ ଦେଲା।
ଭୋଜନ ଶେଷ ନ କରି କୁତୂହଳ ପରବଶ ହୋଇ ଚିଠିଟି ତୁରନ୍ତ ଖୋଲି ପକାଇଲି।
ଗୃହିଣୀ ଲେଖିଛନ୍ତି-“ପ୍ରବୃଦ୍ଧକୁ ଏତେ ଟଙ୍କା ଖର୍ଚ୍ଚ କରି ପଢ଼ାଇଥିବାର ଭାବ ପାଅ। ଦି ଦିନ ହେଲା ଆସି ସମ୍ପତ୍ତି ବାଡ଼ି ଭାଗବଣ୍ଟା କରିଦେବା ଲାଗି ମୋ ସାଙ୍ଗରେ ଜିଗର ଧରି ବସିଛି। ମତେ ଶୋଇ ବସେଇ ଦଉ ନାହିଁ। ତୁମେ ଛୁଟି ନେଇ ଶୀଘ୍ର ଆସିବ।”
ଅଲକ୍ଷ୍ୟରେ ମୋ ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା।
ଆଉ ଖାଇ ହେଲା ନାହିଁ। ହାତ ଧୋଇ ପକାଇଲି।
କୁକୁରଟି ଦୁଆର ମୁହଁରେ ଶୋଇ ରହି ଲାଙ୍ଗୁଡ଼ ହଲାଉଥାଏ।
୧୯୪୪ ମସିହାରେ ସେତେବେଳର ଚର୍ଚ୍ଚିତ ସାହିତ୍ୟ ପତ୍ରିକା ‘ସହକାର’ରେ ପ୍ରଥମେ ଏହି କୁନି ଗପଟି ପ୍ରକାଶିତ ହୋଇ ପାଠକ ମହଲରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ହିନ୍ଦୀ ଓ ଇଂରାଜୀ ଅନୁବାଦ ମଧ୍ୟ ପ୍ରକାଶିତ ହୋଇଥିଲା।