ଭାଷାକୁ ଦେଶ ସହିତ ଓ ଦେଶକୁ ବିଶ୍ବ ସହିତ ଯୋଡ଼ିବାର ଏକମାତ୍ର ଅବଲମ୍ବନ ହେଉଛି ଅନୁବାଦ। ଭାଷା ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରୁ ଏହା ଅନ୍ୟତମ। ଏହାକୁ ଏକ ସ୍ବତନ୍ତ୍ର ବିଭାଗ ବୋଲି ବିଚାରିବାର ଆବଶ୍ୟକତା ନାହିଁ। ଏହାର ଉପାଦେୟତା ଯୁଗେ ଯୁଗେ ପ୍ରତ୍ୟେକ ଭାଷାସାହିତ୍ୟ ପାଇଁ ରହି ଆସିଛି ଏବଂ ଆଜିର ବିଶ୍ବୀକରଣ କାଳରେ ଏହି ଉପାଦେୟତା ଅଧିକ ଅନୁଭୂତ ହେଉଛି।
ପ୍ରଥମ କଥା ହେଲା, ପ୍ରତ୍ୟେକ ଭାଷାସାହିତ୍ୟ ମୂଳ ଭାଷାରୁ ଶକ୍ତି ଓ ସାମର୍ଥ୍ୟ ଆହରଣ କରିଥାଏ, ଯେପରି ସଂସ୍କୃତରୁ ବିଭିନ୍ନ ଭାରତୀୟ ଭାଷା ଓ ଲାଟିନ୍ରୁ ଇଂରାଜୀ ସମେତ ୟୁରୋପୀୟ ଭାଷାସମୂହ। ଏ ଶକ୍ତି ଏମାନେ ପାଇଲେ କିପରି? ଉତ୍ତର-ଅନୁବାଦ ଜରିଆରେ। ଦ୍ବିତୀୟତଃ, ଅନୁବାଦ ଦ୍ବାରା କେବଳ ଭାଷା ନୁହେଁ, ସାମାଜିକ ଜୀବନ, ସଂସ୍କୃତି ଓ ଭୂଗୋଳ ମଧ୍ୟ ଅନୂଦିତ ହୋଇଥାଏ। ଯେ କୌଣସି ଦେଶ ଓ ଜାତିର ସମୃଦ୍ଧିରେ ଏହାର ଆବଶ୍ୟକତା ସମସ୍ତେ ହୃଦୟଙ୍ଗମ କରନ୍ତି।
ତୃତୀୟରେ, ବିଭିନ୍ନ ଦେଶର ବୈଷୟିକ ଜ୍ଞାନକୌଶଳର ଅନୁବାଦ। ବୈଷୟିକ ତତ୍ତ୍ବସମ୍ବଳିତ ଗୋଟିଏ ଅନୁଚ୍ଛେଦ କରିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଯେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ସ୍ଥଳରେ ଆପଣଙ୍କୁ ଏଭଳି ଗୋଟିଏ ଶବ୍ଦ ଖୋଜିବାକୁ ପଡ଼ୁଛି, ଯାହାର ଉତ୍ସ ସାହିତ୍ୟରେ ଅଛି। କହିବାର ତାତ୍ପର୍ଯ୍ୟ ହେଉଛି, ଅନୁବାଦର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ମନରେ ସନ୍ଦେହ ରଖନ୍ତୁ ନାହିଁ। କାରଣ ଅନୁବାଦ ଯେତିକି ସମସ୍ୟା ନୁହେଁ, ତା’ଠାରୁ ଅଧିକ ସମାଧାନ। ସାହିତ୍ୟର ଅନୁବାଦରେ ହିଁ ଯେକୌଣସି ଅନ୍ୟ ଅନୁବାଦର ମୂଳଦୁଆ ପଡ଼େ। କେଉଁ କଥାକୁ କିଭଳି କୁହାଯାଇ ପାରେ, ତା’ର ଦିଗ୍ଦର୍ଶନ ମଧ୍ୟ ଥାଏ ସୃଜନଶୀଳ ରଚନାରେ। ବୈଷୟିକ ଓ ବୈଜ୍ଞାନିକ ପାଠକମାନଙ୍କର ଅନୁବାଦ କରୁଥିବା ସମସ୍ତ ବ୍ୟକ୍ତି ସାହିତ୍ୟରେ ପ୍ରବୀଣ।
ଭାରତ ଭଳି ଗୋଟିଏ ବହୁ ଭାଷାଭାଷୀ ଦେଶରେ କେବଳ ବିଭିନ୍ନ ଭାଷାମାନଙ୍କର ଆଦାନପ୍ରଦାନ ଦ୍ବାରା ହିଁ ଭାରତୀୟ ସାହିତ୍ୟର ପ୍ରକୃତ ରୂପ ବିକଶିତ ହୋଇପାରିବ ଓ ଜାତୀୟ ସଂହତି ସ୍ଥାପିତ ହୋଇପାରିବ। ବିଶ୍ବ ସାହିତ୍ୟ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ। ଲାଟିନ୍ ଭାଷାକୁ ଆମୂଳଚୂଳ ଅନୁବାଦ କରି ଏକଦା ଇଂରାଜୀ ସାହିତ୍ୟ କେବଳ ସୁସ୍ଥ ଜୀବନ ଜୀଇଁଲା ନାହିଁ; ପରିପୁଷ୍ଟ ହୋଇ ଅମରତ୍ବ ମଧ୍ୟ ହାସଲ କରିନେଲା। ଫରାସୀ ଭାଷା ସାହିତ୍ୟ ଇଂରାଜୀ ଅନୁବାଦ ଜରିଆରେ ହିଁ ଗୋଟିଏ ପ୍ରାନ୍ତୀୟ ଭାଷାରେ ଅନୂଦିତ ହୁଏ ଆଉ ଫ୍ରାନ୍ସର କେଉଁ ନିପଟ ମଫସଲର ମାଟିର ମଣିଷଟି ତା’ କଥିତ ଭାଷାରେ ଆମୋଦିତ ହୁଏ। ଏହାହିଁ ତ ‘ଏକବିଶ୍ବ’ର ପରିକଳ୍ପନା ସାକାର ହୋଇଥିବାର ଗୋଟିଏ ବଡ଼ ପ୍ରମାଣ। ସେହିଭଳି ବିଭିନ୍ନ ଭାରତୀୟ ଭାଷାର ହିନ୍ଦୀ ଅନୁବାଦ ଦିନକୁ ଦିନ ବଢ଼ିଚାଲିଛି। ୧୯୯୭ ରୁ ‘ଶତଭିଷା’- ତ୍ରୈମାସିକୀ ଅନୁବାଦ ପତ୍ରିକାର ପ୍ରକାଶନରୁ ଏହି ନିଷ୍କର୍ଷରେ ଆମେ ପହଞ୍ଚିଛୁ ଯେ, ଏକ କ୍ଷୁଦ୍ର ଉଦ୍ୟମ ରୂପେ ଯାହା ଦିନେ ଆରମ୍ଭ ହୋଇଥିଲା, ତାହା ଏବେ ଆମର ବୃହତ୍ତର ସ୍ବାର୍ଥକୁ ଉଜ୍ଜୀବିତ କରିବା ସହିତ ଅଧିକରୁ ଅଧିକ ଓଡ଼ିଆ ସାହିତ୍ୟିକଙ୍କୁ ଅନୁବାଦ କର୍ମରେ ଆଗ୍ରହୀ କରାଇ ପାରିଛି।
ଆମେ ଦେଖୁ, ଜ୍ଞାନପୀଠ ବିଜେତା ଗିରୀଶ କନ୍ନଡ଼ ନିଜ ନାଟକମାନଙ୍କୁ ନିଜେ ଇଂରାଜୀରେ ଅନୁବାଦ କରନ୍ତି ଓ ଇଂରାଜୀରୁ ତାଙ୍କ ନାଟକ ଅନ୍ୟ ଭାଷାରେ ପ୍ରସାରିତ ହୁଏ। ଆମର ବିଶିଷ୍ଟ ସାହିତ୍ୟିକମାନେ ଏହି ବ୍ୟବସ୍ଥାକୁ ଯଦି ଆପଣେଇ ପାରନ୍ତେ, ତେବେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଅନ୍ୟ ଭାଷାଭାଷୀ ପାଠକଙ୍କ ନିକଟରେ ପହଞ୍ଚି ପାରନ୍ତା। ‘ସତୀର୍ଥ’ ଅନୁଷ୍ଠାନ ଦ୍ବାରା ଫକୀରମୋହନଙ୍କ ‘ଆତ୍ମଜୀବନୀ ଚରିତ’ ଓ ‘ବାବାଜୀ’ ନାଟକର ଅନୁବାଦ ପ୍ରକାଶନ ଏକ ଐତିହାସିକ ପଦକ୍ଷେପ।
ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଏ ଦିଗରେ କିଛି ପଦକ୍ଷେପ ନେଇଛନ୍ତି। ଆମ ବିଶ୍ବବିଦ୍ୟାଳୟମାନଙ୍କରେ ଅନୁବାଦ ବା ତୁଳନାତ୍ମକ ସାହିତ୍ୟ ବିଭାଗ ଖୋଲିବା କାର୍ଯ୍ୟକ୍ରମ କେତେଦୂର ଯାଇଛି, ମୋର ଧାରଣା ନାହିଁ। ତେବେ ତୁଳନାତ୍ମକ ସାହିତ୍ୟର ଗବେଷଣା ପାଇଁ ଆମର କ୍ଷେତ୍ର ଯେ ପ୍ରସ୍ତୁତ ହୋଇନାହିଁ, ଏକଥା ସମସ୍ତେ ଜାଣନ୍ତି।
ଆଜିଠୁ ଦେଢ଼ଶହ ବର୍ଷ ଆଗରୁ ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସେକ୍ସ୍ପିୟରଙ୍କ ସମେତ ସମସ୍ତ ବିଶିଷ୍ଟ ଲେଖକଙ୍କ ଗ୍ରନ୍ଥାବଳୀ ଇଂରାଜୀ ଭାଷାରୁ ବଙ୍ଗଳାରେ ଅନୁବାଦ କରି ସାରିଛନ୍ତି। ଫଳରେ ତୃଣମୂଳ ସ୍ତରର ବଙ୍ଗଳା ପାଠକମାନେ ବି ବିଶ୍ବ ସାହିତ୍ୟ ସହିତ ଅନୁବାଦ ଜରିଆରେ ପରିଚିତ ହୋଇପାରିଛନ୍ତି। ମୁଁ ହିସାବ କରିପାରେ ନାହିଁ, ମୋ ମୁଣ୍ଡ ବିନ୍ଧେ, ଆପଣ ହିଁ କହନ୍ତୁ- ଆମକୁ ଏସବୁ ଗ୍ରନ୍ଥାବଳୀ ଅନୁବାଦ କରିବାକୁ କେତେ ବର୍ଷ, ମାସ, ଦିନ, ଲାଗିବ? ମୋର ତ ମନେ ହୁଏ, ଅନୁବାଦର ଅଭାବ ଆମ ମୌଳିକ ରଚନାର ଦିଗନ୍ତକୁ ସୀମିତ କରିଦେଇଛି। ଆଉ ସେଥିପାଇଁ ଅନ୍ୟ ସାହିତ୍ୟରେ ଆମ ସାହିତ୍ୟକୁ ନେଇ କିଛି କୁଣ୍ଠା ରହିଯାଇଛି।
ଅଳ୍ପଦିନ ତଳେ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ, ଇଂରାଜୀ ଭାଷାରେ ଗୋଟିଏ ଭିଏତ୍ନାମା ଗଳ୍ପ ସଙ୍କଳନ ମୋତେ ଅନୁବାଦ କରିବାକୁ ଦେଇଥିଲେ। ଭିଏତ୍ନାମ ଯୁଦ୍ଧ ପଟ୍ଟଭୂମିରେ ଭିଏତ୍ନାମା ସଂସ୍କୃତିର ଓଡ଼ିଆ ସଂସ୍କୃତି ସହ ଅନେକ ସାମଞ୍ଜସ୍ୟ ଏଥିରେ ଅଛି। ସାଧାରଣ ମଣିଷ ଜୀବନର ତ୍ରୁଟିବିଚ୍ୟୁତି, ଭ୍ରମ, ପ୍ରେମ, ପରମ୍ପରା, ମୂଲ୍ୟବୋଧରେ ଭରପୂର ଏ ବହିଟି ଅନୁବାଦ କରି ଠିକ୍ ସମୟରେ ପଠାଇ ଦେଲି। ସେହି ସମୟରେ ମୋର ମନେହେଲା, ଅନ୍ୟ ଭାଷାର ସାହିତ୍ୟରେ ଓଡ଼ିଆ ସାହିତ୍ୟର ଉପସ୍ଥିତି ଯେପରି ଅଶ୍ବସ୍ତିକର ଭାବରେ ମ୍ଲାନ। କିନ୍ତୁ କାହିଁକି? ଆମର କୌଣସି ଯୋଜନାବଦ୍ଧ ବ୍ୟବସ୍ଥା, ସୁନିୟୋଜିତ ଉଦ୍ୟମର ଅଭାବ ଏଥିପାଇଁ ଦାୟୀ କି?
ଯେଉଁ ଭାବବୈଚିତ୍ର୍ୟ ପାଇଁ ଭାରତୀୟ ଭାଷା ସାହିତ୍ୟ ଏତେ ସମୃଦ୍ଧ, ତା’ର ପରମ୍ପରାର ପ୍ରତିଫଳନ ଆମ ଅନୁବାଦ ସାହିତ୍ୟରେ ହେଉନାହିଁ। ଇଂରାଜୀ ଓ ହିନ୍ଦୀ ଭାଷା ପ୍ରବୀଣମାନେ ଅନୁବାଦ ବିମୁଖ। ଦ୍ବିତୀୟରେ, ସେଭଳି ଯୋଗ୍ୟ ବ୍ୟକ୍ତିମାନଙ୍କୁ ମୁଖ୍ୟ ଧାରାକୁ ଆଣିବାକୁ ଆମେ କରିଛୁ ବା କ’ଣ? ଏ ଦୁଇଟି ପ୍ରଶ୍ନର ଉତ୍ତର ଆମକୁ ଦେବାକୁ ହେବ।
ଆଉ ଗୋଟିଏ କଥା, ଅନୁବାଦ ପାଇଁ ‘ଶତଭିଷା’ ଯେଉଁ ପଦକ୍ଷେପ ନେଇଛି, ତାହାର ଅଗ୍ରଗତି ମଧ୍ୟ ବିଶେଷ ସନ୍ତୋଷଜନକ ହୋଇପାରିନାହିଁ। କାରଣ ଏଥିପାଇଁ ଆବଶ୍ୟକ ସାମୂହିକ ବାତାବରଣ ନାହିଁ।
ଏଭଳି ସ୍ଥିତିରେ ଯୋଗ୍ୟ ପାଠକବୃନ୍ଦ, ଯେଉଁମାନେ ବହୁପାଠୀ ଆଉ ଆଧୁନିକ ସାହିତ୍ୟକୁ ଅତି ଗଭୀର ଭାବରେ ଅଧ୍ୟୟନ କରିଛନ୍ତି, ସେମାନେ ପ୍ରୋତ୍ସାହନ ପାଆନ୍ତୁ ବା ନପାଆନ୍ତୁ, ସାହିତ୍ୟର କିଛି କିଛି ଅନୁବାଦ କଲେ, ବିଶ୍ବର ସମ୍ପୂର୍ଣ୍ଣ ସାହିତ୍ୟିକ ପରିଦୃଶ୍ୟ ଓଡ଼ିଆ ଅନୁବାଦ ସାହିତ୍ୟରେ ପ୍ରତିଫଳିତ ହେବ।