
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା,
ମୋ ଗାଁର ଯେତେ ମଧୁମକ୍ଷୀଙ୍କର
ସରାଗ ସେଥିରେ ଭରା।
ସଂଜ ଗଲେ ନଇଁ ତୁମ ଗାଁ କଇଁ
ଆମ ଗାଁ ଚାନ୍ଦକୁ ଦେଖେ,
ଆମ ଗାଁ ଚାନ୍ଦ ଭୁଲି ଅପବାଦ
ଉଏଁ ତୁମ ଗାଁ ପାଖେ।
ତୁମ ଗାଁ ଲଳନା କାଖରେ କଳସ
ଅଳସ ଭାଙ୍ଗଇ ଗରା,
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା।
ତୁମ ଗାଁ ମୟୁରୀ ଅଭିମାନୀ ଭାରି
ଦେଖି ଆମ ଗାଁ ମେଘ,
ଆମ ଗାଁ ମେଘ ବାଟ ଭୁଲି, ତୁମ
ଗାଆଁରେ ବରଷେ ଆଗ।
ମୋ ଗାଁର ଯେତେ ପ୍ରଜାପତି ଆଉ
ହାତେ ନ ଦିଅନ୍ତି ଧରା,
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା।


ଉଚ୍ଚକୋଟିର ଲେଖାଗୁଡିକୁ ଏକତ୍ର ଇଣ୍ଟରନେଟ୍ରେ ସାଧାରଣଙ୍କୁ ଉପଲବ୍ଧ୍ କରେଇବାର ସାଧୁ ଉଦ୍ୟମକୁ ଅନେକ ତାରିଫ୍ ନ କରି ରହି ହେଉ ନାହି।