ଜୋଛନା ଗୋ! ତୁମେ ଲୁଚନା,
ନୀଳ ଆକାଶର ନୀଳ ମେଘ ତଳେ ଲୁଚନା।
ଓହ୍ଲାଇ ଆସଗୋ ଏ ଉତ୍କଳ ଭୂମେ
ଝରାଇ ସୁଷମା ବନ୍ୟା,
ଉତ୍ତୁଙ୍ଗ ଶିଖରୀ ତୁମରି ପରଶେ
ହସିଉଠି ହେଉ ଧନ୍ୟା।
ଛୁଇଁ ଯାଉ ତୁମ କାଉଁରୀ ଝଲକ
କୁଞ୍ଜ କାନନ କନ୍ୟା,
ସଜାଇ ଦିଅଗୋ ତୁମରି ହସ୍ତେ
ରୂପସୀ ଉତ୍କଳ ମାନ୍ୟା।
ମରାଳମାଳିନୀ ଚିଲିକା ବୁକୁ ଗୋ
ଛାଡ଼ି ତୁମେ ଚାଲି ଯାଅନା,
ଖୁସି ହେଉଥାଉ ଓଡ଼ିଆ ପୁଅ ଗୋ
ହେଜି କବିର କଳ୍ପନା।
ନୀଳ ଚିକୁରା ମହାନଦୀ ଜଳେ
ଖେଳ ଖେଳୁଥାଅ ଜୋଛନା,
କବି ମାୟାଧର ଗାଥାର ଭୋଳେ
ମନଭରି ତୁମ କାମନା।
ବାଷ୍ପୀୟ ଶକଟ ଧାର ତୋ ପରଶେ
ହସାଅ ନ କରି ଛଳନା,
ଗବାକ୍ଷ ଫାଙ୍କରେ ଦେଖୁ ଓଡ଼ିଆ ଗୋ
ଉତ୍କଳ-ମଣିର ଚେତନା।